www.samajalive.in
Wednesday, December 10, 2025
23.1 C
Bhubaneswar

ଦ୍ରୁତ ଅଭିବୃଦ୍ଧିର ଗୋଲାପି ଚିତ୍ର

କୋଭିଡ୍‌ ପରେ ପରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲେ ହେଁ ଆମ ରାଜ୍ୟର ଅଭିବୃଦ୍ଧି ହାରରେ ଯେଉଁ କ୍ରମୋନ୍ନତି ପରିଲକ୍ଷିତ ହେଉଛି ତାହା ବିକାଶର ଚିତ୍ର ନେଇ ନୂଆ ସମ୍ଭାବନାର ଦିଗକୁ ସୂଚିତ କରୁଛି। ୨୦୨୨-୨୩ର ଅର୍ଥନୈତିକ ସର୍ଭେ ରିପୋର୍ଟରୁ ପ୍ରକାଶ, ଜାତୀୟ ଅଭିବୃଦ୍ଧି ହାର ୭% ଥିବାବେଳେ ରାଜ୍ୟ ହାର ୭.୮% ହେବ। ଏହି ଧାରା ଜାରି ରହିଲେ ୨୦୨୩-୨୪ରେ ଆମେ ୮ରୁ ୮.୫ ପ୍ରତିଶତରେ ପହଞ୍ଚିପାରିବା। ଏଭଳି ଏକ ସମ୍ଭାବନାର ଗୋଲାପି ଚିତ୍ର ଉପସ୍ଥାପନ କଲାବେଳେ ସ୍ବାଭାବିକ ଭାବେ ଆମେ ପ୍ରଶ୍ନ କରିପାରିବା ଯେ ଲୋକଙ୍କ ମୁଣ୍ଡପିଛା ଆୟ କାହିଁକି ବଢୁଛି ଓ ନିଯୁକ୍ତି ସୁଯୋଗ ସେହି ଅନୁପାତରେ କାହିଁକି ସମ୍ପ୍ରସାରିତ ହେଉନି? ଜାତୀୟ ସ୍ତରରେ ମୁଣ୍ଡପିଛା ଆୟ ୧ ଲକ୍ଷ ୭୦ ହଜାର ୬୨୦ ଥିବାବେଳେ ଆମ ରାଜ୍ୟରେ ତାହା ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କାରେ ସୀମିତ ରହିବ ବୋଲି ଆକଳନ କରାଯାଇଛି। ଜିଡିପି ବା ଅଭିବୃଦ୍ଧି ହାର ବଢୁଥିବାବେଳେ ତାହା ଅନ୍ତତଃ ରାଜ୍ୟବାସୀଙ୍କ ଉପାର୍ଜନରେ ପ୍ରତିଫଳିତ ହେବା କଥା। ଏବେ ଯେଉଁ ମୁଣ୍ଡପିଛା ଆୟ ସମ୍ପର୍କରେ ଦର୍ଶାଯାଇଛି ସେହି ଆୟର ନିମ୍ନଭାଗରେ କେତେ ପ୍ରତିଶତ ଅଛନ୍ତି ତାହା ମଧ୍ୟ ରିପୋର୍ଟରେ ଦର୍ଶାଯିବା ଉଚିତ। ତେଣୁ ଏଠାରେ ଆମକୁ ସ୍ବୀକାର କରିବାକୁ ହେବ ଯେ ସୀମିତ ଲୋକଙ୍କ ବିପୁଳ ଉପାର୍ଜନକୁ ନେଇ ଯେଉଁ ଆନୁପାତିକ ପରିସଂଖ୍ୟାନ ଦର୍ଶାଯାଇଛି ତାହା ସାଧାରଣ ଲୋକଙ୍କ ଜୀବନଧାରାର ମାନ ନୁହେଁ। ଅବଶ୍ୟ ଏ କଥା ରିପୋର୍ଟରେ ସ୍ବୀକାର କରାଯାଇଛି ଯେ ରାଜ୍ୟରେ ତଫସିଲଭୁକ୍ତ ଜାତି ଓ ଉପଜାତିର ଲୋକସଂଖ୍ୟା ଅଧିକ ହୋଇଥିବାବେଳେ ସେମାନେ ଏବେ ମଧ୍ୟ ପଛରେ ପଡ଼ିଛନ୍ତି ଏବଂ ସେମାନଙ୍କୁ ବିକାଶର ମୁଖ୍ୟ ସ୍ରୋତକୁ ଆଣିବା ସକାଶେ ପ୍ରୟାସ ଜାରି ରଖିଛନ୍ତି। ଏହି ତଥ୍ୟର ଅନ୍ୟ ଏକ ଦିଗ ହେଲା ମୁଦ୍ରାସ୍ଫୀତି। ୨୦୨୧-୨୨ରେ ମୁଦ୍ରାସ୍ଫୀତି ହାର ୩.୭ ଥିଲାବେଳେ ଏବେ ତାହା ୬.୫୬ ପ୍ରତିଶତକୁ ବଢ଼ିଛି। ଏ କ୍ଷେତ୍ରରେ ଜାତୀୟ ହାର ୬.୮ ପ୍ରତିଶତ ଦର୍ଶାଇ ଆମେ ଏକ ମହନୀୟ ସ୍ଥିତିରେ ଅଛୁ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଛି। ଏ କଥା ଉଲ୍ଲେଖଯୋଗ୍ୟ କି ପେଟ୍ରୋଲିୟମ ଇନ୍ଧନର କ୍ରମାଗତ ମୂଲ୍ୟବୃଦ୍ଧି ସାଙ୍ଗକୁ ରୁଷିଆ-ୟୁକ୍ରେନ ଯୁଦ୍ଧ ଫଳରେ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ସେହିଭଳି ପରିବହନ ଖର୍ଚ୍ଚ ମଧ୍ୟ ଆଶାତୀତ ଭାବେ ବଢିଛି। ଏ କ୍ଷେତ୍ରରେ ସ୍ବାଭାବିକତା ଫେରିଲେ ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ତେବେ ପରିସ୍ଥିତି ଯାହା ହେଉନା କାହିଁକି ଖାଉଟିଙ୍କ କ୍ରୟ ଶକ୍ତି ନ ବଢ଼ିଲେ ଏକ ସୁସ୍ଥ ଆର୍ଥିକ ସ୍ଥିତିର ସ୍ବପ୍ନ ଦେଖିବା ବୃଥା ହୋଇଯିବ। ଆମେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ଯେ ପରିବାରର ଆର୍ଥିକ ସମୃଦ୍ଧି ସକାଶେ ମହିଳାଙ୍କୁ ସଶକ୍ତ ଉପାର୍ଜନକ୍ଷମ କରାଯାଉଥିବାରୁ ନିକଟ ଭବିଷ୍ୟତରେ ତାହାର ପ୍ରତିଫଳନ ନିଶ୍ଚୟ ଅନୁଭୂତ ହେବ।

ଏବେ ଆସିବା ବିତ୍ତୀୟ ଶୃଙ୍ଖଳା ପ୍ରସଙ୍ଗକୁ। ବେଶ୍‌ କିଛିବର୍ଷ ଧରି ବଳକା ରାଜସ୍ବ ରାଜ୍ୟ ରୂପେ ଓଡ଼ିଶା ବିତ୍ତୀୟ ନିଅଣ୍ଟକୁ ଶୃଙ୍ଖଳିତ ସ୍ତରରେ ରଖିବାକୁ ସମର୍ଥ ହୋଇଛି। ଗତ ୧୫ ବର୍ଷ ଧରି ଋଣ ଓ ମୋଟ୍‌ ଘରୋଇ ଉତ୍ପାଦ ଅନୁପାତର ସର୍ବାଧିକ ସୀମା ୨୫ ପ୍ରତିଶତ ତଳେ ରହିଛି ଓଡ଼ିଶା। ଘରୋଇ ଉତ୍ପାଦ ଭାବେ ଦୀର୍ଘଦିନ ଧରି କୃଷି ଉପରେ ନିର୍ଭର କରୁଥିବାବେଳେ ସମ୍ପ୍ରତି ଶିଳ୍ପ ଓ ସେବା କ୍ଷେତ୍ରରେ ଅବଦାନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଏଥିମଧ୍ୟରେ ଶିଳ୍ପ କ୍ଷେତ୍ରରେ ଅବଦାନ ୪୧.୩% ଓ ସେବା କ୍ଷେତ୍ରରେ ୩୬.୨% ହୋଇଛି। ଏହାକୁ ଏକ ଉଲ୍ଲେଖନୀୟ ଅଗ୍ରଗତି କୁହାଯାଇପାରେ। ତେବେ ମୋଟ୍‌ ଉତ୍ପାଦରେ କୃଷିର ଅବଦାନ ସେହି ସାଢ଼େ ୨୨ ପ୍ରତିଶତରେ ସୀମିତ ରହିଛି। ତେଣୁ ସ୍ବାଭାବିକଭାବେ ଶ୍ରମ ଶକ୍ତି ବିନିଯୋଗ ମଧ୍ୟ ବୃଦ୍ଧିପାଇଛି। ବଡ଼ କଥା ହେଉଛି, ଓଡ଼ିଶା ସମ୍ପ୍ରତି ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି। ଜାତୀୟ ଖାଦ୍ୟ ଭଣ୍ଡାରକୁ ଚାଉଳ ଯୋଗାଣରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। କୃଷି କ୍ଷେତ୍ରରେ ବିକାଶ ହୋଇଥିଲେ ମଧ୍ୟ ଚାଷୀଙ୍କ ଉପାର୍ଜନ ସମୟୋପଯୋଗୀ ହୋଇପାରିନି। ଉପାର୍ଜନ ପ୍ରତିଯୋଗିତାରେ ସେମାନେ ଏବେ ମଧ୍ୟ ପଛରେ ପଡ଼ିଛନ୍ତି।

- Advertisement -

ଆମକୁ ଏଠାରେ ସ୍ବୀକାର କରିବାକୁ ପଡ଼ିବ ଯେ ଓଡ଼ିଶା ଆଉ ଏକ ଅନଗ୍ରସର ରାଜ୍ୟ ନୁହେଁ। ଉଚ୍ଚ ଆୟକାରୀ ଅଗ୍ରଣୀ ରାଜ୍ୟଙ୍କ ସହ ଥିବା ଦୂରତା କ୍ରମେ ସଂକୁଚିତ ହେଉଛି। ଖଣି, ଶିଳ୍ପ ଓ ସେବା କ୍ଷେତ୍ରରୁ ହେଉଥିବା ଉତ୍ପାଦନ, ଓଡ଼ିଶାକୁ ସମୃଦ୍ଧି ପଥରେ ଅଗ୍ରସର ହେବା ସକାଶେ ସୁଯୋଗ ସୃଷ୍ଟି କରିଛି। କୋଭିଡ୍‌ ସମୟର ପ୍ରତିକୂଳ ପରିସ୍ଥିତିରୁ ପ୍ରତ୍ୟାବର୍ତ୍ତନ କରିବାରେ ଆମ ଅର୍ଥନୀତି ଅନ୍ୟମାନଙ୍କଠାରୁ ବେଶ୍‌ ବେଗଗାମୀ। ଅନ୍ୟ ସମୃଦ୍ଧ ରାଜ୍ୟ ଭଳି ଓଡ଼ିଶା ସରକାର ସେବା କ୍ଷେତ୍ର ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛନ୍ତି। ଏ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ମାଧ୍ୟମରେ ଲୋକ ଚଳଣିକୁ ଅଧିକ ସହଜ ଓ ସୁଗମ କରିବା ସକାଶେ ସେବା କ୍ଷେତ୍ରର ପରିସର ବୃଦ୍ଧି ପାଇଛି। ସମାବେଶୀ ଆର୍ଥିକ ବିକାଶ ବେଳେବେଳେ ମନେହୁଏ ଦିଗହରା ହୋଇଛି। ଏବେ ମଧ୍ୟ ରାଜ୍ୟର ବିପୁଳ ବନବାସୀ ଓ ତଫସିଲଭୁକ୍ତ ଜାତିର ଲୋକଙ୍କ ଆର୍ଥିକ ବିକାଶ ଯେଉଁ ଢଙ୍ଗରେ ହେବା କଥା ହୋଇପାରିନି। ସେମାନଙ୍କୁ ଉପାର୍ଜନକ୍ଷମ କରାଇ ରାଜ୍ୟର ମୁଖ୍ୟ ସ୍ରୋତକୁ ଆଣିବା ସକାଶେ ସରକାରଙ୍କୁ ବହୁତ କିଛି କରିବାକୁ ପଡ଼ିବ। ଆମକୁ ଏଠାରେ କହିବାକୁ ହେଉଛି ଯେଉଁ ଖଣି ଖାଦାନରୁ ରାଜ୍ୟ ସରକାର ବିପୁଳ ରାଜସ୍ବ ଉପାର୍ଜନ କରୁଛନ୍ତି ସେହି ଅଞ୍ଚଳର ଅଧିବାସୀ ତଥାକଥିତ ବିକାଶଧାରାରୁ ପଛରେ ପଡ଼ିଯାଇଛନ୍ତି। ପ୍ରଚଳିତ ଆର୍ଥିକ ବ୍ୟବସ୍ଥାରେ ଧନୀ ଓ ଗରିବଙ୍କ ମଧ୍ୟରେ ଆର୍ଥିକ ସ୍ଥିତିର ପାର୍ଥକ୍ୟ ରହିଛି ଓ ଆଗକୁ ରହିବ। ତେବେ ନିମ୍ନବର୍ଗଙ୍କ ଜୀବନଧାରାରେ ଯଥୋଚିତ ପରିବର୍ତ୍ତନ ପ୍ରତି ଉଚିତ ଧ୍ୟାନ ଦିଆଯିବାର ଆବଶ୍ୟକତା ଏବେ ମଧ୍ୟ ରହିଛି। ସେମାନଙ୍କ ମୁହଁରୁ କେବଳ ଅସଲ ବିକାଶର ଚିତ୍ର ଆକଳନ କରାଯାଇପାରିବ।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories