ନିଶା ସେବନ ପାରିବାରିକ ଓ ସାମାଜିକ ବିଶୃଙ୍ଖଳା ସୃଷ୍ଟି ସହିତ ଯେପରି ନୈତିକ ମୂଲ୍ୟବୋଧର ପତନ ଘଟାଉଛି, ତାହା ଅପୂରଣୀୟ
ଭାରତ ଯୁବଶକ୍ତିର ଦେଶ ଏବଂ ଏକବିଂଶ ଶତାବ୍ଦୀରେ ଏହା ସମଗ୍ର ବିଶ୍ବରେ ସମସ୍ତ କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ହାସଲ କରିବ ବୋଲି ସଗର୍ବେ କୁହାଯାଉଛି; କିନ୍ତୁ ଆମ ଯୁବଶକ୍ତି କିପରି ନିଷିଦ୍ଧ ନିଶା ଗହ୍ବରକୁ କ୍ରମେ ଚାଲିଯାଉଛି ସେ ନେଇ କେହି ଗୁରୁତ୍ବ ଦେଉଥିବା ମନେହେଉ ନାହିଁ। ଦେଶରେ ଗତ ବର୍ଷେ ଦି’ ବର୍ଷ ଭିତରେ ଯେଉଁ ପରିମାଣର ଦେଶୀବିଦେଶୀ ନିଷିଦ୍ଧ ଓ ଦାମିକା ମାଦକ ପଦାର୍ଥ ଜବତ ହେବାରେ ଲାଗିଛି, ସେଥିରୁ ଅସଲ ସ୍ଥିତି ବୁଝିବା କଷ୍ଟକର ନୁହେଁ। ଯେତେବେଳେ ଲୋକେ, ବିଶେଷତଃ ଯୁବପିଢ଼ି ମାଦକ ଦ୍ରବ୍ୟ ପାଉନାହାନ୍ତି, ସେତେବେଳେ ସେମାନେ ନିଷିଦ୍ଧ ନିଶା ଔଷଧ ସେବନ କରିବାକୁ ମଧ୍ୟ ପଛାଉନାହାନ୍ତି। ଏସବୁକୁ ତିଆରି କରି ଯୋଗାଇ ଚାଲିଛନ୍ତି ଦେଶର ଲାଭଖୋର ବ୍ୟବସାୟୀ। ନିକଟେର ମୁମ୍ବଇର ମାଦକ ଦ୍ରବ୍ୟ ନିରୋଧୀ ସେଲ୍ ଗୁଜରାଟର ଭରୁଚ ଜିଲା ଅନ୍ତର୍ଗତ ଅଙ୍କଲେଶ୍ବରରେ ନିଷିଦ୍ଧ ନିଶା ଔଷଧ ‘ମେଫେଡ୍ରୋନ୍’(ଏମ୍ଡି) ତିଆରି କରାଯାଉଥିବା ଏକ କାରଖାନାକୁ ଠାବ କରି ପ୍ରାୟ ୧ ହଜାର କୋଟିରୁ ଅଧିକ ଟଙ୍କାର ନିଶାଦ୍ରବ୍ୟ ଜବତ କରିଛି। ସେହିପରି ଚଳିତ ମାସ ୩ ତାରିଖରେ ମୁମ୍ବଇର ନାଲାସୋପାରାରେ ୧୪ ଶହ କୋଟି ଟଙ୍କାର ଏମ୍ଡି ଧରାପଡ଼ିଥିଲା।
ଦେଶ ଭିତରକୁ ଆନ୍ତର୍ଜାତିକ ମାଫିଆମାନେ କୋକେନ୍, ହେରୋଇନ ଭଳି ମହଙ୍ଗା ମାଦକ ଦ୍ରବ୍ୟର ଚୋରାଚାଲାଣ ବଢ଼ାଇ ଦେଇଥିବା ଚିନ୍ତାର ବିଷୟ। ଗୁଜରାଟର ମୁନ୍ଦ୍ରା ଓ ପିପାଭାଭ ଭଳି ଘରୋଇ ବନ୍ଦର ଦେଶ ବାହାରୁ ନିଶାଦ୍ରବ୍ୟ ଚୋରାଚାଲାଣର ଦ୍ବାର ପାଲଟିଛି। ୨୦୧୭ରୁ ୨୦୨୦ ମଧ୍ୟରେ ଗୁଜରାଟରେ ଅଢ଼େଇ ଲକ୍ଷ କୋଟି ଟଙ୍କାର ମାଦକ ଦ୍ରବ୍ୟ ଧରାପଡ଼ିବା ଘଟନାରୁ ଜଣାପଡ଼ୁଛି ଯେ ଏହି କାରବାର କେତେ ବ୍ୟାପକ ଓ ବୃହତ୍। ୨୦୨୦ରେ କଚ୍ଛ ଅଞ୍ଚଳରେ ଅବସ୍ଥିତ ମୁନ୍ଦ୍ରା ବନ୍ଦରରୁ ପ୍ରାୟ ୩ ହଜାର କିଲୋଗ୍ରାମ ହେରୋଇନ୍ ଜବତ ହେବା ସମଗ୍ର ଦେଶକୁ ଚକିତ କରିଥିଲା, ଯାହାର ଆନ୍ତର୍ଜାତିକ ବଜାର ମୂଲ୍ୟ ପ୍ରାୟ ୨୧ ହଜାର କୋଟି ଟଙ୍କା। ଏହାକୁ ମାଫିଆମାନେ ଇରାନୀ ଟାଲ୍କମ୍ ପାଉଡର୍ ଆକାରରେ ଚାଲାଣ କରିଥିଲେ। ଏପରି ଭୟଙ୍କର ମାଦକ ଦ୍ରବ୍ୟ ସେବନ କରି ଦେଶର କେତେ ଲକ୍ଷ ଯୁବକଯୁବତୀଙ୍କ ଜୀବନ ବରବାଦ ହୋଇଯାଉଥିବ, ତାହା କଳ୍ପନା କରିବା ବି କଷ୍ଟ। ତେବେ କେବଳ ଗୁଜରାଟ ନୁହେଁ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ପଞ୍ଜାବ, ତେଲଙ୍ଗାନା, ତାମିଲନାଡୁ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରୁ ବଡ଼ ଧରଣର ଚୋରାଚାଲାଣକାରୀ ଦଳଙ୍କୁ ଧରାଯାଇଛି, ଯେଉଁମାନଙ୍କଠାରୁ ଲକ୍ଷାଧିକ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି।
ଜବତ ନିଶାଦ୍ରବ୍ୟର ପରିମାଣ ଯଦି ଏତିକି, ତେବେ କେତେ ମାଦକ ପଦାର୍ଥ ଦେଶ ଭିତରକୁ ଚାଲାଣ ହେଉଥିବ, ତାହା ସହଜେ ଅନୁମେୟ। ଏସବୁ ଆଫଗାନିସ୍ତାନ, ନେପାଳ, ପାକିସ୍ତାନ, ମ୍ୟାଁମାର୍, ବାଂଲାଦେଶ ଆଦି ଦେଶ ଦେଇ ଭାରତରେ ପହଞ୍ଚୁଛି। ଆନ୍ତର୍ଜାତିକ ସୀମାଗୁଡ଼ିକରେ ଚବିଶଘଣ୍ଟା ପହରା ବ୍ୟବସ୍ଥା ରହିଥିବା ସତ୍ତ୍ବେ ମାଦକ ଦ୍ରବ୍ୟ ଚାଲାଣକାରୀମାନେ ଏହାକୁ ଦେଶ ଭିତରକୁ ପଠାଇବାରେ ସଫଳ ହେଉଛନ୍ତି। ଏପରିକି ଡ୍ରୋନ୍ ମାଧ୍ୟମରେ ଏବଂ ସାମୁଦ୍ରିକ ଜଳପଥରେ ଏହି କାରବାର ଚଳାଇରଖିଛନ୍ତି। କେବଳ ସେତିକି ନୁହେଁ, ଆଧୁନିକ ପ୍ରଯୁକ୍ତି ମଧ୍ୟ ଏହି ଆନ୍ତର୍ଜାତିକ ଚୋରା କାରବାରରେ ସହାୟତା କରୁଛି। ଆଇନ ଆଖିରେ ଧୂଳିଦେଇ ‘ଡାର୍କନେଟ୍’ ଭଳି ଗୋପନ ପ୍ରଯୁକ୍ତି ମାଧ୍ୟମରେ ଏହି ବ୍ୟବସାୟ ଚାଲୁଛି, ଯାହାକୁ ଚିହ୍ନଟ କରିବା ସହଜ ହୋଇନଥାଏ। ଆମର ସାଇବର ସୁରକ୍ଷା ବ୍ୟବସ୍ଥା ଏହାକୁ ଧରିବା ଭଳି ଯୋଗ୍ୟତା ଏ ପର୍ଯ୍ୟନ୍ତ ହାସଲ କରିନାହିଁ।
ଚିନ୍ତାର କଥା ଯେ ଦେଶର ଅନ୍ୟାନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ ନିଷିଦ୍ଧ ନିଶାଦ୍ରବ୍ୟ କାରବାର ଓ ସେବନ ଦ୍ରୁତ ବୃଦ୍ଧି ପାଉଛି। ପୂର୍ବରୁ ଧଳାଜହର, ଗଞ୍ଜେଇ ଆଦି ଧରାପଡ଼ୁଥିବାବେଳେ ଗତ ଏପ୍ରିଲ୍ରେ ଦୁଇଜଣ ମାଫିଆଙ୍କଠାରୁ ୫୦ ଲକ୍ଷ ଟଙ୍କାର କୋକେନ୍ ଭଳି ବିଦେଶୀ ଓ ମହଙ୍ଗା ନିଶାଦ୍ରବ୍ୟ ଭୁବନେଶ୍ବରରୁ ଜବତ ହେବା ବିପଜ୍ଜନକ ଦିଗକୁ ସୂଚିତ କରୁଛି। କୋକେନ ବିଶେଷତଃ ଉତ୍ତର ଆମେରିକା ଓ ବ୍ରାଜିଲ ଆଦି ଦେଶରେ ଉତ୍ପାଦନ ହୁଏ। ଏଥିରୁ ସ୍ପଷ୍ଟ ଯେ ଆନ୍ତର୍ଜାତିକ ମାଦକ ଦ୍ରବ୍ୟର ନିିଷିଦ୍ଧ କାରବାର ବିଦେଶରୁ ଓଡ଼ିଶା ପର୍ଯ୍ୟନ୍ତ ପରିବ୍ୟାପ୍ତ। ଆମ ରାଜ୍ୟରେ ଦେଶୀବିଦେଶୀ ମଦ ତ ସରକାରଙ୍କ ପ୍ରୋତ୍ସାହନରେ ଗାଁରୁ ସହର ସବୁଠି ମିଳୁଛି। ସେଥିରେ ସାଧାରଣ ଲୋକଙ୍କ ଜୀବନଜୀବିକା ଉଚ୍ଛନ୍ନ। ଏବେ ନିଷିଦ୍ଧ ଆନ୍ତର୍ଜାତିକ ମାଦକ ଦ୍ରବ୍ୟ କବଳରେ ଯୁବପିଢ଼ି ଯେପରି ଆସକ୍ତ, କେମିତି କହିପାରିବା ଯେ ସେମାନେ ଦେଶ ଓ ରାଜ୍ୟର ଭବିଷ୍ୟତ? ଜାଣତଅଜାଣତରେ ଯେଉଁ ଅନ୍ଧକୂପରେ ସେମାନେ ପତିତ ହେଉଛନ୍ତି, ସେଥିରୁ ଉଦ୍ଧାର ପାଇବା ସହଜ ନୁହେଁ। ନିଶା ସେବନ ପାରିବାରିକ ଓ ସାମାଜିକ ବିଶୃଙ୍ଖଳା ସୃଷ୍ଟି ସହିତ ଯେପରି ନୈତିକ ମୂଲ୍ୟବୋଧର ପତନ ଘଟାଇଛି, ତାହା ଅପୂରଣୀୟ। ଆମେ ଏଥିପ୍ରତି ଏବେମଧ୍ୟ ଯଦି ଅଚେତନ ରହିବା, ତେବେ ଆଗକୁ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବା ନିଶ୍ଚିତ।



