ଅକ୍ଷମଣୀୟ
ସିୟୁଇଟି ପରି ବଡ଼ ଧରଣର ସର୍ବଭାରତୀୟ ପରୀକ୍ଷା କରିବା ପୂର୍ବରୁ ଏନ୍ଟିଏ ନିଜକୁ ଭଲଭାବେ ପ୍ରସ୍ତୁତ କରିବାର ଆବଶ୍ୟକତା ଥିଲା
ଭାରତ ଭଳି ଯୁବାଦେଶରେ ଉଚ୍ଚଶିକ୍ଷା ଗ୍ରହଣକାରୀଙ୍କ ସଂଖ୍ୟା ବଢ଼ିବା ଆଶ୍ଚର୍ଯ୍ୟଜନକ ନୁହେଁ; କିନ୍ତୁ ଉଚ୍ଚଶିକ୍ଷା ପାଇଁ ଯେଉଁଭଳି ଭିତ୍ତିଭୂମି ଓ ସୁବିଧାସୁଯୋଗ ଆବଶ୍ୟକ, ତାହା ଏ ପର୍ଯ୍ୟନ୍ତ ଆମେ ସୃଷ୍ଟି କରିପାରିନାହୁଁ ଏଥିରେ ବୋଧହୁଏ କେହି ଦ୍ବିମତ ହେବେନାହିଁ। ଏପରିକି ଜାତୀୟ ସ୍ତରର ପରୀକ୍ଷା ପରିଚାଳନାରେ ମଧ୍ୟ ଆମେ ବିଫଳ ହେଉଛୁ, ଏହାଠୁ ବଳି ଦୁର୍ଭାଗ୍ୟଜନକ କଥା କିଛି ଥାଇନପାରେ। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ ସରକାର ଯେଉଁ ନୂଆ ସିୟୁଇଟି (କମନ୍ ୟୁନିଭର୍ସିଟି ଏନ୍ଟ୍ରାନ୍ସ ଟେଷ୍ଟ୍)ର ବ୍ୟବସ୍ଥା କରିଛନ୍ତି, ତା’ର ପରିଚାଳନାଗତ ବିଭ୍ରାଟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବେଶ୍ ଚିନ୍ତାରେ ପକାଇଛି। ନିକଟରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାରେ ଯେପରି ପ୍ରଯୁକ୍ତିଗତ ସମସ୍ୟା ଦେଖାଦେଲା, ଏପରିକି ଏହା ପରିଚାଳନା କରୁଥିବା ନେସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ନିର୍ଦ୍ଧାରିତ ସମୟରେ ପ୍ରଶ୍ନପତ୍ର ଅପ୍ଲୋଡ଼ କରିବାରେ ବିଫଳ ହେଲା, ତାହା ଦେଶର ୪୧ଟି ପରୀକ୍ଷା କେନ୍ଦ୍ରର ୫୦ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରିଛି। କେବଳ ସେତିକି ନୁହେଁ, ବହୁ ପରୀକ୍ଷାର୍ଥୀ କେନ୍ଦ୍ରରେ ପହଞ୍ଚିବା ପରେ ହିଁ ସେମାନଙ୍କ ପରୀକ୍ଷାକୁ ପୁନଃନିର୍ଦ୍ଧାରିତ କରିଥିବା ଜାଣିପାରିଥିଲେ। ଅନେକ ପ୍ରଶ୍ନପତ୍ର କଂପ୍ୟୁଟରରେ ଖୋଲିପାରିନଥିବାବେଳେ ସର୍ଭର୍ ଦୁର୍ବଳତା ଯୋଗୁଁ ପରୀକ୍ଷାର୍ଥୀ ଉତ୍ତର ଦେବାରୁ ବଞ୍ଚିତ ହୋଇଥିଲେ। ଏସବୁରୁ ସ୍ପଷ୍ଟ ଯେ ଏହି ପରୀକ୍ଷା କରାଇବା ପାଇଁ ଯେପରି ପ୍ରସ୍ତୁତି ଦରକାର, ଏନ୍ଟିଏ ତାହା କରିନଥିଲା।
ଏହା ସତ୍ୟ ଯେ ଏନ୍ଟିଏ ଜେଇଇ-ମେନ୍, ଏନ୍ଇଇଟି (ନିଟ୍) ଓ ଏନ୍ଇଟି (ନେଟ୍) ଭଳି ସର୍ବଭାରତୀୟ ପରୀକ୍ଷା କରିଆସୁଛି। ସେଥିରେ ମଧ୍ୟ ବେଳେବେଳେ ପ୍ରଯୁକ୍ତିଭିତ୍ତିକ ସମସ୍ୟା ରହିଥାଏ; କିନ୍ତୁ ଏତେ ବଡ଼ ଧରଣର ସମସ୍ୟା ସମ୍ଭବତଃ ପ୍ରଥମ ଥର ହୋଇଛି। ତେବେ ଏହା ଯେ ଅହେତୁକ ତାହା ନୁହେଁ। ପ୍ରକୃତରେ ଜେଇଇ-ମେନ୍ ବା ନିଟ୍ ପରୀକ୍ଷା ଆଦିରେ ଅଳ୍ପ କେତୋଟି ପେପର୍ ପରୀକ୍ଷା କରାଯାଉଥିବାବେଳେ ସିୟୁଇଟି ପରୀକ୍ଷାରେ ୫୪,୦୦୦ ବିସ୍ତୃତ ଓ ମିଶ୍ରଣ ବିଷୟ ଅନ୍ତର୍ଭୁକ୍ତ। ସ୍ବାଭାବିକ ଭାବେ ଏତେ ସବୁ ବିଷୟକୁ ଗୋଟିଏ ପ୍ରଯୁକ୍ତି-ମାଧ୍ୟମରେ ଯୋଡ଼ିବା ଏକ ଜଟିଳ କାର୍ଯ୍ୟ, ଯଦିଚ ପ୍ରଯୁକ୍ତି ଦ୍ବାରା ଅସାଧ୍ୟ ବା ଅସମ୍ଭବ ନୁହେଁ। ଏଥିପାଇଁ ଏକ ଦକ୍ଷ ବ୍ୟବସ୍ଥା ଓ ଉନ୍ନତ ଭିତ୍ତିଭୂମିର ଆବଶ୍ୟକତା ରହିଛି, ଯାହା ସମ୍ଭବତଃ ଏନ୍ଟିଏ ପାଖରେ ଏ ପର୍ଯ୍ୟନ୍ତ ନାହିଁ। ଭିତ୍ତିଭୂମିର ଅଭାବ ସତ୍ତ୍ବେ କାହିଁକି ଏହି ପରୀକ୍ଷା ଆୟୋଜନ କରାଗଲା, ତାହା ଏକ ବଡ଼ ପ୍ରଶ୍ନବାଚୀ। ଦୁର୍ଭାଗ୍ୟର ବିଷୟ ଯେ ଏହି ଅବ୍ୟବସ୍ଥା ସମ୍ବନ୍ଧରେ ସଫେଇ ଦେବାକୁ ଯାଇ ଏନ୍ଟିଏ ପରୀକ୍ଷା କେନ୍ଦ୍ରଗୁଡ଼ିକ ମୁଣ୍ଡରେ ସବୁ ଦୋଷ ଅଜାଡ଼ିଦେଇଛି। ସେହିପରି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ଏଥିପାଇଁ ‘ଅନ୍ତର୍ଘାତୀ କାର୍ଯ୍ୟ’କୁ ଦାୟୀ କରିଛନ୍ତି। ତେବେ ଏସବୁ ସ୍ପଷ୍ଟୀକରଣ କୃତ୍ରିମ ମନେହେଉଛି। ଉଦ୍ବେଗଜନକ କଥା ହେଲା, କୋଭିଡ୍ ଯୋଗୁଁ ଅତି ପ୍ରତିକୂଳ ପରିସ୍ଥିତିରେ ଦ୍ବାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଯେଉଁ ଛାତ୍ରଛାତ୍ରୀ ଏହି ପରୀକ୍ଷାର ତିକ୍ତ ଅନୁଭୂତି ହାସଲ କରିଛନ୍ତି, ସେମାନଙ୍କ ମନୋବଳ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ବିଚିତ୍ର ନୁହେଁ। ତେଣୁ ଏପରି ଅବ୍ୟବସ୍ଥା ଆଦୌ ସ୍ପୃହଣୀୟ ବା ଗ୍ରହଣୀୟ ନୁହେଁ; ବରଂ ଅକ୍ଷମଣୀୟ।
ସୂଚନା ଅନୁସାରେ, ପ୍ରାୟ ଦଶ ଶତାଂଶ କେନ୍ଦ୍ରର ପରୀକ୍ଷାକୁ ଏନ୍ଟିଏ ‘ପ୍ରାଶାସନିକ/ଟେକ୍ନିକାଲ୍/ଲଜିଷ୍ଟିକ୍ସ’ ସମସ୍ୟା ହେତୁ ରଦ୍ଦ କରିଦେଇଥିଲା। ଏହି ପରୀକ୍ଷା ଆସନ୍ତା ଅଗଷ୍ଟ ୨୪ରୁ ୨୮ ତାରିଖ ମଧ୍ୟରେ ପୁନର୍ବାର କରାଯିବ ବୋଲି ଏନ୍ଟିଏ ଘୋଷଣା କରିଛି। ତେବେ ଏହା ଯେ ପୀଡ଼ିତ ପରୀକ୍ଷାର୍ଥୀଙ୍କୁ ସମ୍ପୂର୍ଣ୍ଣ ଆଶ୍ବସ୍ତ କରିବ, ତାହା ଭାବିବା ଭୁଲ୍; କାରଣ ଥରେ ଯଦି ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୁଏ, ତେବେ ତାହା ତା’ର ଅନ୍ୟ ପରୀକ୍ଷା ବା କ୍ୟାରିୟର୍ ଉପରେ କୁପ୍ରଭାବ ପକାଇଥାଏ। ଏହି ଦୃଷ୍ଟିରୁ ଆଜିକାଲି ପ୍ରଚଳିତ କଂପ୍ୟୁଟରଭିତ୍ତିକ ଯୋଗ୍ୟତା ନିର୍ଦ୍ଧାରଣ ପରୀକ୍ଷାଗୁଡ଼ିକୁ ସଂପୂର୍ଣ୍ଣ ତ୍ରୁଟିମୁକ୍ତ ଓ ବ୍ୟବସ୍ଥିତ କରିବା ସର୍ବାଦୌ ଜରୁରୀ। କୋଭିଡ୍ ହେତୁ ଗତ ଦୁଇ ଶିକ୍ଷାବର୍ଷରେ ଅନିୟମିତତା ବହୁ ପିଲାଙ୍କ କ୍ୟାରିୟର୍କୁ ପ୍ରଭାବିତ କରିଥିଲାବେଳେ ସରକାରଙ୍କ ପରୀକ୍ଷା ଅବ୍ୟବସ୍ଥା ବେଡ଼ି ଉପରେ କୋରଡ଼ା ମାଡ଼ ପରି ହୋଇଛି। ଯେଉଁ ପରୀକ୍ଷାର୍ଥୀମାନେ ଏନ୍ଟିଏର ଦୁର୍ବଳ ପରିଚାଳନା ବ୍ୟବସ୍ଥା ପାଇଁ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି, ସେମାନେ ଯେପରି ଚିନ୍ତାମୁକ୍ତ ହୋଇ ପରବର୍ତ୍ତୀ ପରୀକ୍ଷା ଦେଇପାରିବେ, ସେଥିପ୍ରତି ଏନ୍ଟିଏ ଯତ୍ନବାନ ହେବା ଉଚିତ। ସର୍ବୋପରି ଆଗାମୀ ସମୟରେ ବିଳମ୍ବିତ ପରୀକ୍ଷା ଫଳ ଏବଂ ଅନିୟମିତ ଶିକ୍ଷାବର୍ଷ ଯେ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସମସ୍ୟାର କାରଣ ହେବ, ତାହା ଏବେଠୁ ଜଣାପଡ଼ୁଛି। ମୋଦୀ ସରକାର ‘ଡିଜିଟାଲ୍ ଇଣ୍ଡିଆ’କୁ ଅଗ୍ରପ୍ରାଧାନ୍ୟ ଦେଉଥିବା କହୁଥିବାବେଳେ ତ୍ରୁଟିମୁକ୍ତ ପରୀକ୍ଷା ପରିଚାଳନା କରିନପାରିବା ଲଜ୍ଜାଜନକ କହିଲେ ଅତିଶୟୋକ୍ତି ହେବନାହିଁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏନ୍ଟିଏର ଉତ୍ତରଦାୟିତ୍ବର ସମୀକ୍ଷା କରିବା ସହ ଭବିଷ୍ୟତରେ ଏପରି ଅବ୍ୟବସ୍ଥା ସୃଷ୍ଟି ହେବାର ଅବକାଶ ଯେପରି ନରହେ, ସେଥିପ୍ରତି ଦୃଷ୍ଟି ଦେବେ ବୋଲି ଆମର ଆଶା।
Comments are closed.