ବିକ୍ଷୁବ୍ଧ ବେକାର
ଯୁବଶକ୍ତିର ସଦ୍ବିନିଯୋଗ ପାଇଁ ସରକାର ଦେଶରେ ଅବିଳମ୍ବେ ଶ୍ରମପ୍ରଧାନ ବିନିର୍ମାଣ ସୁଯୋଗମାନ ସୃଷ୍ଟି କରିବା ଆବଶ୍ୟକ
ଆମ ଦେଶରେ ବେକାରୀ ଚିତ୍ର କ୍ରମାଗତ ଭୟଙ୍କର ରୂପ ନେଉଥିବାବେଳେ ନିକଟରେ ସରକାରୀ ଚାକିରି ଆଶାୟୀ ସରକାରଙ୍କ ନୀତି ବିରୋଧରେ ଯେଭଳି ଉଗ୍ର ଓ ହିଂସାତ୍ମକ ଆନ୍ଦୋଳନ କରିଛନ୍ତି, ତାହା ଉଦ୍ବେଗଜନକ। ଏହା ଯେଉଁ ‘ନନ୍-ଟେକ୍ନିକାଲ ପପୁଲାର୍ କ୍ୟାଟେଗୋରିଜ୍’ (ଏନ୍ଟିପିସି) ନିଯୁକ୍ତି ପାଇଁ ପରୀକ୍ଷା ହେବାର ଥିଲା, ତାକୁ ନେଇ ପ୍ରବଳ ବିରୋଧ ହେବାପରେ ଭାରତୀୟ ରେଳବାଇ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି। ୩୫,୨୮୧ଟି ପଦରେ ନିଯୁକ୍ତି ହେବାକୁ ଥିବାବେଳେ ଏଥିପାଇଁ ଆବେଦନ କରିଥିବା ୧ କୋଟି ୨୫ ଲକ୍ଷରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଏ ନେଇ ସଂଶୟ ପ୍ରକାଶ କରିଥିବାରୁ ସେମାନଙ୍କ ସନ୍ଦେହ ମୋଚନ ପାଇଁ ରେଳବାଇ ପକ୍ଷରୁ ଏକ ସମିତି ଗଠନ କରାଯାଇଥିବା ସରକାର କହିଛନ୍ତି। ଏହି ବିକ୍ଷୋଭ ଓ ଆନ୍ଦୋଳନର କାରଣକୁ ଅବଶ୍ୟ ଅଯଥାର୍ଥ କହିହେବ ନାହିଁ; କାହିଁକିନା ଭାରତରେ କେବଳ କୋଭିଡ୍ କାଳରେ ନୁହେଁ, ବର୍ଷବର୍ଷ ଧରି ନିଯୁକ୍ତିର ଅଭାବ ରହିଥିବାରୁ ଯୁବକଯୁବତୀମାନେ ଶିକ୍ଷାଗତ ଯୋଗ୍ୟତା ଥିବା ସତ୍ତ୍ବେ ବେକାର ଓ ବେରୋଜଗାର ହୋଇ କାଳ କାଟିବାକୁ ବାଧ୍ୟ ହେଉଛନ୍ତି। ମହାମାରୀ ତ ଅନେକ ରୋଜଗାରିଆଙ୍କଠାରୁ ବି ରୋଜଗାର ଛଡ଼ାଇ ନେଇଥିଲା; ଯେଉଁ ସ୍ଥିତି ଏ ପର୍ଯ୍ୟନ୍ତ ସୁଧୁରିନାହିଁ। ବେକାରଙ୍କ ସଂଖ୍ୟା ତୁଳନାରେ ସରକାରୀ ନିଯୁକ୍ତି ବହୁତ କମ୍। ଯେଉଁ କେତେକ ସରକାରୀ ଚାକିରି ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ହେଉଛି, ସେଥିରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା। ଏପରିକି ପିଅନ, ଚପରାସୀ ଚାକିରି ପାଇଁ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିବା ପ୍ରାର୍ଥୀମାନେ ଆବେଦନ କରୁଥିବା ଦେଖାଯାଉଛି। ଏଥର ମଧ୍ୟ ଦଶମ ଶ୍ରେଣୀରୁ କମ୍ ଶିକ୍ଷା ଯୋଗ୍ୟତାର ପଦ ପାଇଁ ଉଚ୍ଚଶିକ୍ଷିତମାନେ ଆବେଦନ କରିଥିବା ଜଣାଯାଇଛି। ଏଥିରୁ ସ୍ଥିତି କେତେ ସଂଗିନ ତାହା ସହଜେ ଅନୁମେୟ।
ରେଳବାଇର ଚାକିରି ଆଶାୟୀଙ୍କ ହିଂସାତ୍ମକ ଆନ୍ଦୋଳନକୁ ଦବାଇବା ପାଇଁ ସରକାର ସେମାନଙ୍କୁ ନାଲିଆଖି ଦେଖାଇଛନ୍ତି; କିନ୍ତୁ ଏହା ପଛରେ ଯେ ସରକାରୀ ବ୍ୟବସ୍ଥା ଓ ଅବ୍ୟବସ୍ଥାର ମଧ୍ୟ ଏକ ବଡ଼ ଭୂମିକା ରହିଛି, ତାକୁ ଅସ୍ବୀକାର କରାଯାଇ ନପାରେ। ପ୍ରକୃତରେ ସାଧାରଣ ନିର୍ବାଚନର ପ୍ରାୟ ଚାରିମାସ ପୂର୍ବରୁ ୨୦୧୯ ଜାନୁଆରୀରେ ତତ୍କାଳୀନ ରେଳମନ୍ତ୍ରୀ ପୀୟୂଷ ଗୋୟଲ ରେଳବାଇରେ ୪ ଲକ୍ଷ ପଦ ପୂରଣ ହେବ ବୋଲି ଘୋଷଣା କରିଥିଲେ। ପରେପରେ ଏନ୍ଟିପିସି ବର୍ଗର ନିଯୁକ୍ତି ପାଇଁ ଆବେଦନ ଆହ୍ବାନ କରାଗଲା, ଯେଉଁଥିରେ ଷ୍ଟେସନ ମାଷ୍ଟର୍, କିରାଣି ଓ ଗ୍ରୁପ୍-ଡି ପଦର ୧ ଲକ୍ଷ ପଦ ଅନ୍ତର୍ଭୁକ୍ତ ଥିଲା। କୋଭିଡ ସମସ୍ୟା ଭିତରେ ଏହି ପରୀକ୍ଷା ହୋଇ ଗତ ୧୪-୧୫ ଜାନୁଆରୀ ୨୦୨୨ରେ ଫଳ ପ୍ରକାଶ ପାଇଲା; କିନ୍ତୁ ଏଥିରେ ବହୁ ଅନିୟମିତତା ହୋଇଥିବା ଅଭିଯୋଗ ଆସିଲା। ଗତ ୨୪ ତାରିଖରେ ରେଳବାଇ ନିଯୁକ୍ତି ପରିଷଦ ଯେତେବେଳେ ଗ୍ରୁପ୍-ଡି ପଦ ପାଇଁ ସେପ୍ଟେମ୍ବର-ଅକ୍ଟୋବର ୨୦୧୯ରେ ହେବାକୁ ଥିବା ପରୀକ୍ଷାକୁ ୨୩ ଫେବୃଆରୀ ୨୦୨୨ରେ କରିବ ବୋଲି ଘୋଷଣା କଲା, ଏହାର ତୀବ୍ର ପ୍ରତିବାଦ କରାଗଲା; କାରଣ ପ୍ରାଥମିକ ଓ ମୁଖ୍ୟ, ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ହେବ ବୋଲି କୁହାଯାଇଥିଲା। ଗ୍ରୁପ୍-ଡି ଭଳି ନିମ୍ନ ବର୍ଗର ପଦ ପାଇଁ ଦୁଇ ଦୁଇଟି ପରୀକ୍ଷା ଅନାବଶ୍ୟକ ବୋଲି ହୃଦ୍ବୋଧ ହେବାପରେ ଏ ନେଇ ବିରୋଧ ହେବା ଅସ୍ବାଭାବିକ ନୁହେଁ। ଫଳରେ ଏନ୍ଟିପିସି ଓ ଗ୍ରୁପ୍-ଡି ପଦ ପାଇଁ ଆବେଦନ କରିଥିବା ଦେଢ଼ କୋଟିରୁ ଊର୍ଦ୍ଧ୍ବ ଯୁବକଯୁବତୀ ଆନ୍ଦୋଳନରେ ଯୋଗ ଦେଲେ। ରେଳବାଇ ଭାରତର ସର୍ବାଧିକ ସରକାରୀ ନିଯୁକ୍ତିଦାତା ସଂସ୍ଥା ହୋଇଥିବାବେେଳ ଅଳ୍ପକୁଶଳୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାରେ ମଧ୍ୟ ଏହାର ସ୍ଥାନ ଅଦ୍ବିତୀୟ। ତେବେ ରେଳବାଇରେ ଚାକିରି ପାଇବା ପାଇଁ ପ୍ରାର୍ଥୀମାନଙ୍କୁ ଅଯଥାରେ ବର୍ଷବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥାଏ; କାରଣ ପରୀକ୍ଷା ସମ୍ପର୍କିତ କୌଣସି କଥା ନିର୍ଦ୍ଧାରିତ ସମୟରେ ହୁଏ ନାହିଁ। ଏହା ସତ୍ତ୍ବେ ସରକାରୀ ଚାକିରି ଆଶାୟୀମାନେ ଏଥିପାଇଁ ଆବେଦନ କରନ୍ତି। ଏଥରର ଆନ୍ଦୋଳନ ଉତ୍ତରପ୍ରଦେଶ ଓ ବିହାରରେ ହିଁ ଦେଖିବାକୁ ମିଳିଥିଲା। ଏହାର ଏକ କାରଣ ହେଲା, ରେଳବାଇରେ ନିଯୁକ୍ତି ପାଇଁ ଏହି ଦୁଇ ରାଜ୍ୟର ଅଧିକ ପ୍ରାର୍ଥୀ ଆବେଦନ କରିଥିଲେ। ବିଭିନ୍ନ କାରଣରୁ ରେଳବାଇରେ ଏହି ଦୁଇ ରାଜ୍ୟର ଲୋକେ ଅଧିକ ନିଯୁକ୍ତି ପାଇଥିବାର ଅପବାଦ ରହିଛି, ଯାହା ଅଯଥାର୍ଥ ମନେହୁଏ ନାହିଁ। ସେ ଯାହାହେଉ, ସରକାରଙ୍କ ନିଯୁକ୍ତି ନୀତି ଯେ ତ୍ରୁଟିମୁକ୍ତ ନୁହେଁ, ସେଥିରେ ସନ୍ଦେହ ନାହିଁ।
ଅନ୍ୟପକ୍ଷରେ, ଦେଶରେ ସରକାରଙ୍କ ଦ୍ବାରା ନିଯୁକ୍ତି ସୃଷ୍ଟି ସମୁଦ୍ରକୁ ଶଙ୍ଖେ ଭଳି। ଫଳରେ ଯୁବବର୍ଗଙ୍କ ବେକାରୀ ଓ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇଚାଲିଛି। ଗତ ଜାନୁଆରୀ-ମାର୍ଚ ୨୦୨୧ରେ, ଦେଶର କେବଳ ୩୮.୪ ଶତାଂଶ ଯୁବକଯୁବତୀ ହିଁ କାର୍ଯ୍ୟରତ ଥିଲେ; ଅର୍ଥାତ ରୋଜଗାରିଆ ଥିଲେ ଓ ବାକି ଅନ୍ୟମାନେ ଯୋଗ୍ୟତା ଥିବା ସତ୍ତ୍ବେ ବେକାର ରହିଥିଲେ। ନିଯୁକ୍ତି କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବହୁବିଧ ଅନ୍ତର ମଧ୍ୟ ବେଶ୍ ଚିନ୍ତାଜନକ ଭାବେ ବଢ଼ିଛି। କେନ୍ଦ୍ର ସରକାରଙ୍କୁ ଏ ନେଇ ଗଭୀର ଚିନ୍ତନମନନ କରିବାର ଆବଶ୍ୟକତା ରହିଛି, ଯେପରିକି ଦେଶର ଅସଲ ଶକ୍ତି ଯୁବପିଢ଼ିକୁ ରୋଜଗାରିଆ ଓ ଉତ୍ପାଦନଶୀଳ କରିହେବ। ସେମାନଙ୍କ ସାମର୍ଥ୍ୟ ଓ କ୍ଷମତାର ଅନୁପଯୋଗ ଏବଂ ଦୁରୁପଯୋଗ ଦେଶ ପାଇଁ ଦୁଷ୍ପରିଣାମର କାରଣ ହିଁ ହେବ। ତେଣୁ ତା’ର ସଦ୍ବିନିଯୋଗ ପାଇଁ ସରକାର ଦେଶରେ ଅବିଳମ୍ବେ ଶ୍ରମପ୍ରଧାନ ବିନିର୍ମାଣ ସୁଯୋଗମାନ ସୃଷ୍ଟି କରିବା ଆବଶ୍ୟକ।
Comments are closed.