ବାଘ ସୁରକ୍ଷା ଜରୁରୀ

ବିଗତ ୧୦ ବର୍ଷ ମଧ୍ୟରେ ୯୮୪ ବାଘଙ୍କ ମୃତ୍ୟୁ ଘଟିଛି। ମନୁଷ୍ୟ ଦ୍ବାରା ଜଙ୍ଗଲ କଟାଯାଉଥିବାରୁ ବାଘଙ୍କ ବାସସ୍ଥଳୀ ସଙ୍କୁଚିତ ହେବାରେ ଲାଗିଛି

ଜନସଂଖ୍ୟା ବୃଦ୍ଧି ଯୋଗୁଁ ହେଉଥିବା ଜଙ୍ଗଲ ନଷ୍ଟ ବନ୍ୟ ଜନ୍ତୁଙ୍କ ଉପରେ କୁପ୍ରଭାବ ପକାଇଛି। ୧୯୭୦ ଠାରୁ ଏ ପର୍ଯ୍ୟନ୍ତ ବିଶ୍ବରେ ବନ୍ୟଜନ୍ତୁଙ୍କ ସଂଖ୍ୟା ୫୮ ପ୍ରତିଶତ ହ୍ରାସ ପାଇଛି। ଯଦି ଏପରି ଅବସ୍ଥା ଲାଗିରହେ ଜୈବ ବିବିଧତା ଶେଷ ହୋଇଯିବ ବୋଲି ‘ଲିଭିଂ ପ୍ଲାନେଟ’ ନାମକ ଲଣ୍ଡନର ଏକ ସଂସ୍ଥା ପ୍ରକାଶ କରିଛି। ଗତ ୫୦ ବର୍ଷ ମଧ୍ୟରେ ଜନସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଛି। ଜଙ୍ଗଲ କାଟି ମଣିଷ ନିଜର ଆବଶ୍ୟକତା ପୂରଣ କରୁଛି। ଏଥିଯୋଗୁଁ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ସଙ୍କୁଚିତ ହେବାରେ ଲାଗିଛି। ଆଫ୍ରିକୀୟ ହାତୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରେ କୁହାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଆଫ୍ରିକୀୟ ଜଙ୍ଗଲରେ ଏକ-ତୃତୀୟାଂଶ ହାତୀଙ୍କ ମୃତ୍ୟୁ ଘଟିଛି। ଆଫ୍ରିକାରେ ହାତୀଙ୍କର ଯେପରି ଅବସ୍ଥା ଭାରତରେ ବାଘଙ୍କ ଅବସ୍ଥା ମଧ୍ୟ ସେହିପରି। ପ୍ରତିବର୍ଷ ବାଘଙ୍କ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି।

ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ରିପୋର୍ଟ ଅନୁଯାୟୀ ୨୦୨୧ରେ ୧୨୭ଟି ବାଘଙ୍କ ମୃତ୍ୟୁ ହୋଇଥିଲା। ଗତ ଦଶ ବର୍ଷ ମଧ୍ୟରେ ଏହା ଥିଲା ସର୍ବାଧିକ। ୨୦୧୨ରେ ଦେଶରେ ୮୮ଟି ବାଘଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୬ରେ ୧୨୧ ଓ ୨୦୧୭ରେ ୧୧୭ ଏବଂ ୨୦୨୦ରେ ୧୦୬ ବାଘଙ୍କ ମୃତ୍ୟୁ ଘଟିଥିଲା। ୨୦୨୧ରେ ମରିଥିବା ୧୨୭ଟି ବାଘ ମଧ୍ୟରୁ ୧୫ଟି ଶାବକ ଓ ୧୨ କମ୍‌ ବୟସର ବାଘ ଥିଲେ। ଆଖପାଖରେ ଉଚିତ୍‌ ଖାଦ୍ୟର ଅଭାବ, ରହଣି ପାଇଁ ସ୍ଥାନ ଓ ଜଙ୍ଗଲ ସଫା ହେବା ବାଘଙ୍କ ମୃତ୍ୟୁର ମୁଖ୍ୟ କାରଣ କୁହାଯାଉଛି। ଏମାନଙ୍କ ବଞ୍ଚି ରହିବା ପାଇଁ ଆଖପାଖରେ ତୃଣଭୋଜୀ ପ୍ରାଣୀ ଅଧିକ ରହିବା କଥା। ଏଥିରେ ଅଭାବ ପରିଲକ୍ଷିତ ହେଉଥିବାରୁ ଖାଦ୍ୟ ଅଭାବରେ ବାଘଙ୍କ ମୃତ୍ୟୁ ଘଟୁଛି। ସେହିପରି ଜଙ୍ଗଲ ସଫା ହେବା ଦ୍ବାରା ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଆନୁବଂଶିକ ସମସ୍ୟା ଯୋଗୁଁ ଅଧିକ ସଂଖ୍ୟାରେ ବାଘ ଛୁଆ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଭାରତରେ ଜଙ୍ଗଲ ଦ୍ରୁତ ଗତିରେ ନଷ୍ଟ ହେବାରେ ଲାଗିଛି।

prayash

ଜଙ୍ଗଲ ସଙ୍କୁଚିତ ହେବା କାରଣରୁ ବାଘଙ୍କ ରହିବା ସ୍ଥାନ ମଧ୍ୟ ସଙ୍କୁଚିତ ହେଉଛି। ଜଙ୍ଗଲ କ୍ଷୟ ଯୋଗୁଁ ବାଘମାନେ ଅନ୍ୟ ଜଙ୍ଗଲକୁ ଯାଇ ପାରୁ ନାହାନ୍ତି। ସେମାନେ ସୀମିତ ଅଞ୍ଚଳରେ ନିଜ ବଂଶ ମଧ୍ୟରେ ଥିବା ବାଘୁଣୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରୁଛନ୍ତି। ଫଳରେ ଅନ୍ୟ ଜଙ୍ଗଲରେ ଥିବା ବାଘୁଣୀ ସହ ଶାରୀରିକ ସମ୍ପର୍କ ରକ୍ଷା କରି ପାରୁ ନାହାନ୍ତି। ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଏହାର କୁପରିଣାମ ବାଘଙ୍କ ବଂଶ ବିସ୍ତାର ଉପରେ ପଡ଼ିଥାଏ। ଭବିଷ୍ୟ ପିଢ଼ି ପାଇଁ ହୃଷ୍ଟପୁଷ୍ଟ ବାଘ ଆଉ ଜନ୍ମ ହୋଇ ପାରନ୍ତି ନାହିଁ। ଯଦି ବାଘ ଓ ବାଘୁଣୀ ଉଭୟ ଦୁର୍ବଳ, ତେବେ ଉଭୟଙ୍କ ଶାବକ ମଧ୍ୟ ଦୁର୍ବଳ ହୋଇଥାଏ। ଏହି ଶାବକମାନେ ଠିକ୍‌ ଭାବେ ଚାଲି ପାରନ୍ତି ନାହିଁ, କ୍ଷୀର ମଧ୍ୟ ପିଇ ପାରନ୍ତି ନାହିଁ। କୁପୋଷଣ ଓ ଅନେକ ପ୍ରକାର ସଂକ୍ରାମକ ରୋଗରେ ପୀଡିତ ହୋଇ ଶାବକଟି ମରି ଯାଇଥାଏ। ଏହି ଆନୁବଂଶିକ ରୋଗ କାରଣରୁ ଯୁବ ଅବସ୍ଥାରେ ପହଞ୍ଚିବା ପୂର୍ବରୁ ବାଘର ମୃତ୍ୟୁ ହୋଇଥାଏ। ଯଦି କୌଣସି ଶାବକ ହୃଷ୍ଟପୁଷ୍ଟ ହୋଇ ଜନ୍ମ ନିଏ ଓ ତା’ର ମା’କୁ କେଉଁ ଶିକାରୀ ମାରିଦିଏ, ସେପରି କ୍ଷେତ୍ରରେ ଶାବକଟି ଖାଦ୍ୟ ତଥା ଲାଳନ ପାଳନ ଅଭାବରୁ ମରି ଯାଇଥାଏ। ଶାବକ ଯଦି ଶିକାର କରିବା ଜାଣି ନଥିବ ଓ ତା’ର ମା’ ନଥିବ ତେବେ ଅଳ୍ପ ଦିନ ମଧ୍ୟରେ ତା’ର ମୃତ୍ୟୁ ଘଟିଥାଏ।

ଏପରି କି ଜଙ୍ଗଲୀ କୁକୁର ମଧ୍ୟ ମା’ ନଥିବା ଏହି ଶାବକମାନଙ୍କୁ ମାରି ଖାଇ ଯାଇଥା’ନ୍ତି। କେବଳ ବାଘ ନୁହେଁ; ସମସ୍ତ ବନ୍ୟଜୀବ ଜଙ୍ଗଲ କ୍ଷୟ ଯୋଗୁଁ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ପ୍ରାଧିକରଣ ରିପୋର୍ଟ ଅନୁଯାୟୀ, ୨୦୧୨ରୁ ୨୦୨୧; ଏହି ୧୦ ବର୍ଷ ମଧ୍ୟରେ ୯୮୪ ବାଘଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ ସର୍ବାଧିକ ୨୪୪, ମହାରାଷ୍ଟ୍ରରେ ୧୬୮, କର୍ଣ୍ଣାଟକରେ ୧୩୮, ଉତ୍ତରାଖଣ୍ଡରେ ୯୬, ତାମିଲନାଡ଼ୁ ଓ ଆସାମରେ ୬୬ ଲେଖାଏଁ ବାଘଙ୍କ ମୃତ୍ୟୁ ହୋଇଛି। ସମୁଦାୟ ମୃତ୍ୟୁ ମଧ୍ୟରୁ ୪୧୭ଟି ବାଘଙ୍କ ପ୍ରାକୃତିକ ଉପାୟରେ ମୃତ୍ୟୁ ଘଟିଛି। ଏହି ୧୦ ବର୍ଷ ମଧ୍ୟରେ ଶିକାରୀଙ୍କ ହାତରେ ୧୯୩ ବାଘଙ୍କ ମୃତ୍ୟୁ ହୋଇଛି। ୨୦୧୯ରେ ମରିଥିବା ୨୨ ଓ ୨୦୨୦ରେ ମରିଥିବା ୭୩ଟି ବାଘଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଆସାମରେ ଜଙ୍ଗଲକୁ ଲାଗି ପଥାର ନାମକ ଏକ ଗାଁ ଅଛି। ଏଠାକାର ବାସିନ୍ଦା ଜୀବଜନ୍ତୁଙ୍କ ସୁରକ୍ଷା ନେଇ ବେଶ୍‌ ସଚେତନ। ଏମା​‌େ​‌ନେ ପ୍ରକୃତି ଓ ଜୀବଜନ୍ତୁ ସହ ବଞ୍ଚିବା ଶିଖି ନେଇଛନ୍ତି। ଜଙ୍ଗଲ ସୁରକ୍ଷାକୁ ଏମାନେ ନିଜ ଧର୍ମ ମାନି ନେଇଛନ୍ତି। ମନୁଷ୍ୟର ଭଲ ପାଇବା ଦେଖି ବନ୍ୟଜନ୍ତୁମାନେ ମଧ୍ୟ କୌଣସି ଗ୍ରାମବାସୀଙ୍କୁ ଏ ପର୍ଯ୍ୟନ୍ତ ଆକ୍ରମଣ କରି ନାହାନ୍ତି। ଗତ ୫୦ ବର୍ଷ ହେଲା ପ୍ରକୃତି ସହ ମଣିଷର ମିତ୍ରତା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଭବିଷ୍ୟତ ପିଢିର ସୁରକ୍ଷା ପାଇଁ ଆମକୁ ପ୍ରକୃତିର ସୁରକ୍ଷା କରିବାକୁ ପଡ଼ିବ। ବନ୍ୟ ସମ୍ପଦ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ଯେତେ ପର୍ଯ୍ୟନ୍ତ ଜଙ୍ଗଲ ସମ୍ପଦ ସଂରକ୍ଷଣ ପାଇଁ ଆମ ମଧ୍ୟରେ ଭାବନା ସୃଷ୍ଟି ହୋଇ ନଥିବ ସେ ପର୍ଯ୍ୟନ୍ତ ବିପଦ ବଢିବଢି ଚାଲିଥିବ। ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ ଆସାମର ପଥାର ଗାଁ ଉଦାହରଣ ସୃଷ୍ଟି କରିଛି।

Comments are closed.