ଗୋଟିଏ ଲାଉର ମଞ୍ଜି
କ୍ଷମତାସୀନ ଓ କ୍ଷମତାହୀନ ସମସ୍ତ ରାଜନୈତିକ ଦଳ ତ ଗୋଟିଏ ଲାଉର ମଞ୍ଜି; ସେମାନେ କ’ଣ ନିଜ ଅଭିସନ୍ଧିର ବିରୋଧାଚରଣ କରୁଥିବା ଆଇନ ପ୍ରଣୟନ କରିବେ?
ଗତ ମଙ୍ଗଳବାର ରାଜନୈତିକ ଦଳଗୁଡ଼ିକର ମାଗଣା ଉପହାର ଓ ସେବା ବଣ୍ଟନକୁ ନେଇ ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଓ ଭାରତର ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିବା ସହ ଯେଉଁ ଭଳି ଚିନ୍ତା ପ୍ରକଟ କରିଛନ୍ତି, ତାହା ଯଥାର୍ଥ। ଆମେ କିଛି ଦିନ ପୂର୍ବେ (୧୮ ଜାନୁଆରୀ) ‘ମାଗଣା ରାଜନୀତି’ ଶୀର୍ଷକ ସଂପାଦକୀୟ ସ୍ତମ୍ଭରେ ଏ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲୁ। ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ ଭାରତ ସରକାର ଓ ଅନ୍ୟମାନେ’ ମାମଲାର ବିଚାର କଲାବେଳେ ଭାରତର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଏନ୍ଭି ରମଣା, ନ୍ୟାୟମୂର୍ତ୍ତି ଏଏସ୍ ବୋପନ୍ନା ଓ ନ୍ୟାୟମୂର୍ତ୍ତି ହେମା କୋହଲିଙ୍କ ପୀଠ କହିଛନ୍ତି ଯେ ‘ଏହା ନିଃସନ୍ଦେହରେ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ’; କିନ୍ତୁ ଏ ସମସ୍ୟାର ସମାଧାନ ପାଇଁ ଅଦାଲତ ସୀମିତ ପରିସରରେ କିଛି କରିପାରିବା ନେଇ ମଧ୍ୟ ସଂଶୟ ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରଧାନ ବିଚାରପତି ଟିପ୍ପଣୀ ଦେଇଥିଲେ ଯେ ‘ମାଗଣା ଉପହାର ଓ ସେବା ବଣ୍ଟନର ବଜେଟ୍ ନିୟମିତ ବଜେଟ୍ଠାରୁ ମଧ୍ୟ ଅଧିକ ହୋଇଯାଉଛି ଏବଂ ଏହା କେତେକ ରାଜନୈତିକ ଦଳ ପାଇଁ ‘ସମାନ ଖେଳପଡ଼ିଆ’ ହୋଇ ରହିନାହିଁ। ସୀମିତ ପରିସରରେ ଆମେ କିଛି କରିପାରୁ ନାହଁୁ; କିନ୍ତୁ ଆମେ ଭାରତର ନିର୍ବାଚନ ଆୟୋଗଙ୍କୁ ଏଥିପାଇଁ ନିର୍ଦେଶାବଳୀ ତିଆରି କରିବାକୁ ନିର୍ଦେଶ ଦେଇଥିଲୁ।’
ସୂଚନାଯୋଗ୍ୟ ଯେ ‘ସୁବ୍ରମଣ୍ୟମ ବାଲାଜୀ ବନାମ ତାମିଲନାଡୁ ରାଜ୍ୟ’ ମାମଲାରେ ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଜନପ୍ରତିନିଧି ଅଧିନିୟମ, ୧୯୫୧ର ଧାରା ୧୨୩ ଅନୁଯାୟୀ ନିର୍ବାଚନ ଘୋଷଣାପତ୍ରରେ ପ୍ରତିଶ୍ରୁତି ପ୍ରଦାନକୁ ‘ଭ୍ରଷ୍ଟ ଅଭ୍ୟାସ’ ବୋଲି କୁହାଯାଇପାରିବ ନାହିଁ ବୋଲି ଉଲ୍ଲେଖ କରିଥିଲେ; କିନ୍ତୁ ରାଜନୈତିକ ଦଳଗୁଡ଼ିକ ସହ ପରାମର୍ଶ କରି ନିର୍ବାଚନ ଆୟୋଗ ଘୋଷଣାପତ୍ରର ସାମଗ୍ରୀ ନେଇ ନିର୍ଦେଶାବଳୀ ପ୍ରଣୟନ କରିବା ସହ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ମାର୍ଗଦର୍ଶନ ନିମନ୍ତେ ତାକୁ ‘ଆଦର୍ଶ ଆଚରଣ ସଂହିତା’ରେ ଅନ୍ତର୍ଭୁକ୍ତ କରିବାକୁ ନିର୍ଦେଶ ଦେଇଥିଲେ। ତେବେ ଯାଚିକାକର୍ତ୍ତାଙ୍କ ଆଇନଜୀବୀ ଅଦାଲତରେ ଦର୍ଶାଇଥିଲେ ଯେ ଅଦାଲତଙ୍କ ଆଦେଶରେ ଯେଉଁ ନିର୍ଦେଶନାମା ପ୍ରସ୍ତୁତ କରାଯାଇଛି, ତାହା ‘ଦନ୍ତବିହୀନ’; ତେଣୁ ପ୍ରତ୍ୟେକ ରାଜନୈତିକ ଦଳ ‘ମାଗଣା’ ବଣ୍ଟା ରାଜନୀତି କରିବାର ସୁଯୋଗ ପାଉଛନ୍ତି। ଏହାଦ୍ବାରା ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଅତି ଶୋଚନୀୟ ହୋଇପଡ଼ୁଥିବା ସେ ଅଭିଯୋଗ ବାଢ଼ିଥିଲେ। ଯାଚିକାକର୍ତ୍ତା ତାଙ୍କ ଯାଚିକାରେ ପଞ୍ଜାବର ବିସ୍ତୃତ ଉଦାହରଣ ରଖି ଯାହା ଦର୍ଶାଇବାକୁ ଚାହିଁଛନ୍ତି, ନିଃସନ୍ଦେହରେ ତାହା ଚିନ୍ତନଯୋଗ୍ୟ। ତାଙ୍କ ମତରେ ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ବିଭିନ୍ନ ଦଳ ପକ୍ଷରୁ ଯେପରି ଭାବେ ମାଗଣା ଉପହାର ଓ ସେବାର ପ୍ରତିଶ୍ରୁତି ଦିଆଯାଇଛି, ଯଦି ତାହା ବାସ୍ତବରେ କାର୍ଯ୍ୟକାରୀ ହୁଏ, ତେବେ ‘ଆପ୍’ କ୍ଷମତାକୁ ଆସିଲେ ପ୍ରତିଶ୍ରୁତି ପୂରଣ ପାଇଁ ମାସକୁ ୧୨ ହଜାର କୋଟି, ଶିରୋମଣି ଅକାଳୀ ଦଳ ଆସିଲେ ୨୫ ହଜାର କୋଟି ଓ କଂଗ୍ରେସ ଆସିଲେ ମାସକୁ ୩୦ ହଜାର କୋଟି ଟଙ୍କା ଆବଶ୍ୟକ ହେବ; କିନ୍ତୁ ଜିଏସ୍ଟି ସଂଗ୍ରହ ହେଉଛି କେବଳ ୧୪ ଶହ କୋଟି। ଋଣ ପରିଶୋଧ କରିବା ପରେ ପଞ୍ଜାବ ସରକାର ତା’ର କର୍ମଚାରୀଙ୍କୁ ବେତନ-ପେନସନ ଦେଇପାରୁ ନାହିଁ, ତେଣୁ ମାଗଣା ଉପହାର କିଭଳି ଦେବ ବୋଲି ଯାଚିକାକର୍ତ୍ତାଙ୍କ ପକ୍ଷରୁ କୁହାଯାଇଛି।
‘ମାଗଣା’ ରାଜନୀତିର ସାମାଜିକ ଓ ରାଜନୈତିକ କୁପ୍ରଭାବ ତ ରହିଛି, ଏହାର ଆର୍ଥିକ ପ୍ରଭାବ ରାଜ୍ୟ ପାଇଁ ସବୁଠୁ ସାଙ୍ଘାତିକ। ବହୁ ରାଜ୍ୟର ଆର୍ଥିକ ଦୁରବସ୍ଥାକୁ ଦେଖିଲେ ଏହା ସହଜରେ ଅନୁମାନ କରିହୁଏ। ମତଦାତାଙ୍କୁ ଅଯୌକ୍ତିକ ମାଗଣା ଉପହାର ଓ ସେବା ଆଦି ପ୍ରଦାନ ପାଇଁ ପ୍ରତିଶ୍ରୁତି ସ୍ବାଧୀନ ତଥା ନିରପେକ୍ଷ ନିର୍ବାଚନର ନିୟମକୁ ତ ଉଲ୍ଲଙ୍ଘନ କରିଥାଏ; ଏହା ବ୍ୟତୀତ ସାର୍ବଜନୀନ ସରକାରୀ ଅର୍ଥରେ ବ୍ୟକ୍ତିଗତ ଭାବେ ବସ୍ତୁ ବା ସେବା ବିତରଣ (ଯାହା ସାର୍ବଜନୀନ ନୁହେଁ) ସ୍ପଷ୍ଟ ରୂପେ ସମ୍ବିଧାନର ଅନୁଚ୍ଛେଦ ୧୬୨, ୨୬୬(୩) ଓ ୨୮୨ର ଉଲ୍ଲଙ୍ଘନ ଅଟେ। ଏହି ସମସ୍ୟାର ନିରାକରଣ ପାଇଁ ବର୍ତ୍ତମାନ ପାଇଁ ବିକଳ୍ପ ସମାଧାନ ରୂପେ କେନ୍ଦ୍ର ସରକାରଙ୍କୁ ରାଜନୈତିକ ଦଳଗୁଡ଼ିକୁ ନିୟମାଧୀନ କରିବାପାଇଁ ଏକ ଆଇନ ପ୍ରଣୟନ ନିମନ୍ତେ ନିର୍ଦେଶ ଦେବାକୁ ଯାଚିକାରେ ନିବେଦନ କରାଯାଇଛି। ପ୍ରତ୍ୟେକ ରାଜନୈତିକ ଦଳ ଏବେ ସମସ୍ତ ପ୍ରକାରର ନିର୍ବାଚନରେ ଯେଭଳି ‘ମାଗଣା’ ବଣ୍ଟନକୁ ଏକ ପରମ୍ପରା କରିଦେଲେଣି, ନିଃସନ୍ଦେହରେ ତାହା ଏକ ସୁସ୍ଥ ଗଣତନ୍ତ୍ର ନିମନ୍ତେ ସର୍ବଥା ପରିହାର୍ଯ୍ୟ। ଏହାକୁ ଭୋଟ ହାତେଇବା ପାଇଁ ରାଜନୈତିକ ଦଳଗୁଡ଼ିକର ଲାଞ୍ଚ ବା ଉତ୍କୋଚ କହିଲେ ଅତିଶୟୋକ୍ତି ହେବ ନାହିଁ। ତେଣୁ ଯେଉଁ ରାଜନୈତିକ ଦଳ ବା ପ୍ରାର୍ଥୀ ଏପରି ଗତିବିଧିରେ ସମ୍ପୃକ୍ତ ରହୁଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ହୋଇପଡ଼ିଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ନିର୍ବାଚନ ଚିହ୍ନ ପ୍ରତ୍ୟାହାର କରିନିଆଯିବା ସହ ସଂପୃକ୍ତ ରାଜନୈତିକ ଦଳର ମାନ୍ୟତା ରଦ୍ଦ କରାଯିବାର ବ୍ୟବସ୍ଥା ବା ଆଇନ ହେଲେ ହୁଏତ ଏହି ଅସୁସ୍ଥ ପରମ୍ପରା ବନ୍ଦ ହେବ। ଏ ଦିଗରେ ଭାରତର ନିର୍ବାଚନ ଆୟୋଗ ଓ କେନ୍ଦ୍ର ସରକାର ଚିନ୍ତା କରିବା ଦରକାର। ତେବେ କ୍ଷମତାସୀନ ଓ କ୍ଷମତାହୀନ ସମସ୍ତ ରାଜନୈତିକ ଦଳ ତ ଗୋଟିଏ ଲାଉର ମଞ୍ଜି। ସେମାନେ କ’ଣ ଏପରି ଏକ ଆଇନ ପ୍ରଣୟନ କରିବାକୁ ଚାହିଁବେ?
Comments are closed.