nua o banner

ବନ ବାସ୍ତବତା

BSKY banner  750×100

ବ୍ୟାବସାୟିକ ବା କୃତ୍ରିମ ବନୀକରଣ ଯେତିକି କରାଯିବ ସେତିକି ଭଲ; କିନ୍ତୁ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ

ନିକଟରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଡେରାଡୁନସ୍ଥିତ ସ୍ବୟଂଶାସିତ ସଂସ୍ଥା ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ଦ୍ବାରା ପ୍ରସ୍ତୁତ ଭାରତୀୟ ରାଜ୍ୟ ସମୂହ ଜଙ୍ଗଲ ରିପୋର୍ଟ ୨୦୨୧ରେ ଜଙ୍ଗଲ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ଏବଂ ବିଗତ ଦୁଇବର୍ଷ ମଧ୍ୟରେ ହେନ୍ତାଳ ବନ ଅଭିବୃଦ୍ଧି କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିବା ଖୁସିର କଥା। ୨୦୧୭-୧୮ରେ ରାଜ୍ୟରେ ଜଙ୍ଗଲ ଅଭିବୃଦ୍ଧି ୨୩୭ ବର୍ଗ କିଲୋମିଟର ହୋଇଥିବାବେଳେ ୨୦୧୯-୨୦ରେ ପ୍ରାୟ ଦୁଇଗୁଣ ବଢ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ସମୟ ମଧ୍ୟରେ ପ୍ରାୟ ୨୪୩ ବର୍ଗ କିଲୋମିଟର ମଧ୍ୟମ ଧରଣର ଜଙ୍ଗଲ ଘଞ୍ଚ ବନାନୀରେ ପରିଣତ ହୋଇଛି। ସର୍ବେକ୍ଷଣ ଅନୁଯାୟୀ, ରାଜ୍ୟର ୧୧୩୪ ବର୍ଗ କିଲୋମିଟର ଅଣବନାଞ୍ଚଳରେ ଜଙ୍ଗଲ ସୃଷ୍ଟି ହୋଇଛି। ପ୍ରାକୃତିକ ଜଙ୍ଗଲ ଭଳି ଏହା ଜଳବାୟୁ ପାଇଁ ସେତିକି ସହାୟକ ନହେଲେ ମଧ୍ୟ ଏହାର ଉପକାରିତା ଯେ ରହିଛି, ତାହା ଅନସ୍ବୀକାର୍ଯ୍ୟ। ଅପରପକ୍ଷେ, ସମଗ୍ର ଦେଶ କଥା ଯଦି ଦେଖିବା ଓଡ଼ିଶାଠାରୁ ଜଙ୍ଗଲ ଅଭିବୃଦ୍ଧି କ୍ଷେତ୍ରରେ ଆଗୁଆ ଅଛନ୍ତି ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ରାଜ୍ୟ। କର୍ଣ୍ଣାଟକ, ଝାଡ଼ଖଣ୍ଡ ଏବଂ ଉପରୋକ୍ତ ତିନିଟି ରାଜ୍ୟରେ ହିଁ ସର୍ବାଧିକ ଜଙ୍ଗଲ ବଢ଼ିଥିବା ରିପୋର୍ଟରେ ଦର୍ଶାଯାଇଛି। ସମଗ୍ର ଦେଶରେ ୨୦୧୯ରୁ ୨୦୨୧ ମଧ୍ୟରେ ୧୫୪୦ ବର୍ଗ କିଲୋମିଟର ଜଙ୍ଗଲ ବଢ଼ିଥିବାବେଳେ କେବଳ ୧୭ଟି ରାଜ୍ୟରେ ୩୩ ଶତାଂଶ ଜଙ୍ଗଲ ରହିଛି। ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ମୋଟ ଜଙ୍ଗଲର ପରିମାଣ ୭ ଲକ୍ଷ ୧୩ ହଜାର ୭୮୯ ବର୍ଗ କିଲୋମିଟର ବା ମୋଟ ଭୌଗୋଳିକ କ୍ଷେତ୍ରଫଳର ୨୧.୭୧%।
ଉପରୋକ୍ତ ତଥ୍ୟକୁ ଦେଖିଲେ ଧାରଣା ହେବ ଯେ ଦେଶରେ ଜଙ୍ଗଲର ଅଭିବୃଦ୍ଧି ଆଶାଜନକ ହେଉଛି; କିନ୍ତୁ ରିପୋର୍ଟର ଗଭୀର ବିଶ୍ଳେଷଣ କଲେ କେତେକ ଗୁରୁତର ସମସ୍ୟା ରହିଥିବା ଦୃଷ୍ଟିଗୋଚର ହୁଏ। ସେଥିରୁ ପ୍ରମୁଖ ହେଲା ଗତ ଦୁଇବର୍ଷ ମଧ୍ୟରେ ହିଁ ଦେଶର ୧୬୦୦ ବର୍ଗ କିଲୋମିଟରରୁ ଅଧିକ ପ୍ରାକୃତିକ ଜଙ୍ଗଲ ନଷ୍ଟ ହୋଇଛି। ବିଶେଷ ଭାବେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ୧୦୦୦ ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ନଷ୍ଟ ହେବା ଅତ୍ୟନ୍ତ ଉଦ୍‌ବେଗଜନକ। ରିପୋର୍ଟ ଅନୁଯାୟୀ, ପ୍ରାକୃତିକ ବିପତ୍ତି ବ୍ୟତୀତ ପୋଡ଼ୁଚାଷ ବା ସ୍ଥାନାନ୍ତର ଚାଷ, ବିକାଶ କାର୍ଯ୍ୟ ଓ ଗଛକଟା ଇତ୍ୟାଦି ଯୋଗୁଁ ପ୍ରାକୃତିକ ଜଙ୍ଗଲର ହାନି ହୋଇଛି। କହିବା ବାହୁଲ୍ୟ ଯେ ଅନ୍ୟ ମନୁଷ୍ୟ ତିଆରି ଜଙ୍ଗଲ ଅପେକ୍ଷା ପ୍ରାକୃତିକ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ଓ ଜୈବବିବିଧତା କ୍ଷେତ୍ର​‌େ​‌ର ଅଧିକ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେଣୁ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବା ବ୍ୟତୀତ ଜଳ ସଙ୍କଟ ଉତ୍କଟ ହେଲାଣି। ସେହିପରି ସୁନ୍ଦରବନ ପରି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ମଧ୍ୟ ଜଙ୍ଗଲ ନଷ୍ଟ ହୋଇଥିବା ଏକ ଗୁରୁତର ସମସ୍ୟା, ଯାହାର ନିଦାନ ସରକାର ଖୋଜିବା ଆବଶ୍ୟକ।
ଅନ୍ୟପକ୍ଷରେ, ଜଙ୍ଗଲ ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ଯେଉଁ ପଦ୍ଧତି ଅବଲମ୍ବନ କରାଯାଉଛି, ତାହା ତ୍ରୁଟିମୁକ୍ତ ଓ ନିର୍ବିବାଦୀୟ ନୁହେଁ। ଅନେକ ପରିବେଶ ବିଶେଷଜ୍ଞ ଏଥିରେ ବ୍ୟବହୃତ ଜଙ୍ଗଲର ସଂଜ୍ଞା, ମାନଚିତ୍ର ତଥ୍ୟ ଆଦିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଆସିଛନ୍ତି। ୨୦୧୭ରେ ‘ଫୁଡ ଏଣ୍ଡ୍‌ ଏଗ୍ରିକଲ୍‌ଚରାଲ ଆସୋସିଏସନ’ (ଏଫ୍‌ଏଓ) ତାଳଜାତୀୟ ଗଛକୁ ଛାଡ଼ି ସମସ୍ତ ଗଛକୁ ଜଙ୍ଗଲର ସଂଜ୍ଞା ମଧ୍ୟରେ ଅନ୍ତର୍ଭୁକ୍ତ କରିଥିଲା। ଏହାକୁ ୨୦୦ରୁ ଅଧିକ ପରିବେଶ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଓ ଅନ୍ୟମାନଙ୍କ ଦ୍ବାରା ଏକ ଚିଠି ଲେଖାଯାଇ ଏପରି ସଂଜ୍ଞା ପରିବର୍ତ୍ତନ କରିବାକୁ କୁହାଯାଇଥିଲା। କୃତ୍ରିମ ବନୀକରଣରେ ସମାନ ପ୍ରଜାତିର ଗଛ ଲଗାଯାଉଥିବାରୁ ତା’ର ପାରିବେଶିକ ପ୍ରଭାବ ପ୍ରାକୃତିକ ଜଙ୍ଗଲ ଅପେକ୍ଷା କମ୍‌। ତେଣୁ ଏ ନେଇ ମଧ୍ୟ ଚିନ୍ତା କରାଯିବାକୁ ପରାମର୍ଶ ଦିଆଯାଇଥିଲା। ପରେ ଏଫ୍‌ଏଓ ତା’ର ଜଙ୍ଗଲ ସଂଜ୍ଞା ନେଇ ସ୍ପଷ୍ଟୀକରଣ ରଖି କହିଥିଲା ଯେ ଏହି ସଂଜ୍ଞା କେବଳ ତଥ୍ୟ ସଂଗ୍ରହରେ ସହାୟତା ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ ଜଙ୍ଗଲ ସଂରକ୍ଷଣ ମାନଦଣ୍ଡ ବା​ ପରିସଂସ୍ଥାର ସ୍ବାସ୍ଥ୍ୟ ନିର୍ଣ୍ଣୟକାରୀ ଭାବେ ଦେଖାଯିବା ଅନୁଚିତ।
ବ୍ୟାବସାୟିକ ବା କୃତ୍ରିମ ବନୀକରଣ ଯେତିିକି କରାଯିବ ସେତିକି ଭଲ; କିନ୍ତୁ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ବିଶେଷ କରି ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ ଓ ମିଜୋରାମରେ ପ୍ରାକୃତିକ ଜଙ୍ଗଲର ଧ୍ବଂସସାଧନ ସେଠାକାର ଜୈବବିବିଧତା ପ୍ରତି ବିପଦ ସୃଷ୍ଟି କରିବା ସ୍ବାଭାବିକ। ଏହା ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ପ୍ରଭାବ ପକାଇବା ନିଶ୍ଚିତ। ଅତଏବ ଏହି ଜଙ୍ଗଲ କ୍ଷୟକୁ ଅଧିକ ହେବାକୁ ନଦେଇ ପ୍ରାକୃତିକ ଜଙ୍ଗଲର ସଂରକ୍ଷଣ ପାଇଁ ସରକାର ପଦକ୍ଷେପ ନେବା ଜରୁରୀ। ଓଡ଼ିଶାରେ ବିଭିନ୍ନ ବନୀକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲେ ହେଁ ତାହା ଯଥେଷ୍ଟ ନୁହେଁ। ବିଶେଷତଃ, ଯେଉଁସବୁ ଅଞ୍ଚଳରେ ରାସ୍ତା ନିର୍ମାଣ ବା ଅନ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ ବ୍ୟାପକ ଗଛ କଟାଯାଉଛି, ତା’ର ଭରଣା ପାଇଁ ବ୍ୟାପକ ବନୀକରଣ ଆବଶ୍ୟକ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର।

Comments are closed.