ମ୍ୟାଁମାର ସନ୍ଦେଶ

ଭାରତର ବୈଦେଶିକ ସଚିବ ମ୍ୟାଁମାର ସନ୍ଦେଶ ଗସ୍ତ କରି ସେଠାରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ନେଇ ଯେଉଁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି, ତାହା ଗୁରୁତ୍ବପୂର୍ଣ୍ଣ

ଆମ ପଡ଼ୋଶୀ ଦେଶ ମ୍ୟାଁମାରରେ ବିଗତ ଦଶ ମାସରୁ ଊର୍ଦ୍ଧ୍ବ କାଳ ଧରି ଗଣତନ୍ତ୍ରକୁ ପୁନଃସ୍ଥାପିତ କରିବା ଉଦ୍ଦେଶ୍ୟରେ ସେଠାକାର ସାଧାରଣ ଜନତା ସଂଗ୍ରାମ ଜାରି ରଖିଛନ୍ତି। ଦଶ ମାସ ତଳେ ଅଙ୍ଗ୍‌ ସାନ ସୁ କୀଙ୍କ ସରକାରକୁ କ୍ଷମତାଚ୍ୟୁତ କରି ସେଠାକାର ଜୁଣ୍ଟା (ସେନା) ଶାସନର ମଙ୍ଗ ଧରିଥିବାବେଳେ ଗଣତନ୍ତ୍ର ସପକ୍ଷବାଦୀଙ୍କୁ ଦମନ କରିବା ପାଇଁ ଯାବତୀୟ ଅତ୍ୟାଚାର ଚଳାଇଆସିଛି। ସୁ କୀଙ୍କୁ ମଧ୍ୟ ବନ୍ଦୀ କରାଯାଇଛି।

prayash

ଚଳିତ ମାସ ପ୍ରାରମ୍ଭରେ କୋଭିଡ-୧୯ କଟକଣା ଉଲ୍ଲଙ୍ଘନ ଓ ଅନ୍ୟମାନଙ୍କୁ ଉସୁକାଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ତାଙ୍କୁ ଚାରିବର୍ଷର କାରାଦଣ୍ଡାଦେଶ ଦିଆଯାଇଛି। ୨୦୨୦ରେ ସୁ କୀ’ଙ୍କ ନେତୃତ୍ବରେ ‘ନେସନାଲ୍‌ ଲିଗ୍‌ ଫର୍‌ ଡେମୋକ୍ରେସି’ (ଏନ୍‌ଏଲ୍‌ଡି) ଦଳ ବହୁମତ ପାଇ କ୍ଷମତାକୁ ଆସିଥିଲେ ହେଁ ତାକୁ ସେନା ଅସ୍ବୀକାର କରିଛି। ଦମନଲୀଳା ସତ୍ତ୍ବେ ଜନସାଧାରଣ ଖୋଲାଖୋଲି ସୁ କୀଙ୍କ ସପକ୍ଷରେ ଏବଂ ସାମରିକ ଶାସନ ବିପକ୍ଷରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଛନ୍ତି। ସେଠାକାର ପରିସ୍ଥିତି ଦିନକୁ ଦିନ ସଂଗିନ ହୋଇପଡ଼ୁଥିବାରୁ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଚିନ୍ତା ପ୍ରକଟ କରାଯାଉଛି। ଏପରି ସମୟରେ ସାମରିକ ଶାସନ ପ୍ରତିଷ୍ଠା ହେବା ପରେ ପ୍ରଥମ ଥରପାଇଁ ଭାରତୀୟ ପ୍ରତିନିଧି ଭାବେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା ମ୍ୟାଁମାରକୁ ଦୁଇଦିନିଆ ଗସ୍ତରେ ଯାଇ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ବେଶ୍ ଗୁରୁତ୍ବପୂର୍ଣ୍ଣ। ଭାରତ ପକ୍ଷରୁ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି ଯେ ଗଣତନ୍ତ୍ରକୁ ଅବିଳମ୍ବେ ପୁନଃସ୍ଥାପିତ କରିବା ସାମରିକ ଶାସନର ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ। ଆହୁରି ମଧ୍ୟ ବନ୍ଦୀ ଓ ଅଟକ ରଖାଯାଇଥିବା ଜନସାଧାରଣଙ୍କୁ ମୁକ୍ତି ଦେବା, ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଓ ସମସ୍ତ ପ୍ରକାର ହିଂସାରୁ ଦୂରେଇ ରହିବା ପାଇଁ ଭାରତ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏ ପର୍ଯ୍ୟନ୍ତ ଧରାଯାଉଥିଲା ଯେ ଭାରତ ମ୍ୟାଁମାର୍ ମାମଲାରେ ଚୁପ୍‌ ରହିବାକୁ ଶ୍ରେୟସ୍କର ମଣିଛି, କାରଣ ସେ ସାମରିକ ଶାସକଙ୍କ ସହ ନିଜର ସମ୍ବନ୍ଧକୁ ବିଗାଡ଼ିବାକୁ ଚାହୁଁନାହିଁ; କିନ୍ତୁ ଶ୍ରୀ ଶୃଙ୍ଗଲା ଯେଉଁ ଦୃଢ଼ ସନ୍ଦେଶ ଦେଇଛନ୍ତି, ସେଥିରୁ ସାମରିକ ସରକାର ବୁଝିପାରିଥି​ବେ ଯେ ଜନତା ହିଁ ସର୍ବୋପରି ଏବଂ ସେମାନଙ୍କ ଇଚ୍ଛାକୁ ସମ୍ମାନ ଦେବାପାଇଁ ଭାରତ ପକ୍ଷରୁ ସ୍ପଷ୍ଟ କୁହାଯାଇଛି।

ମ୍ୟାଁମାର ଭାରତର ଏକ ମହତ୍ତ୍ବପୂର୍ଣ୍ଣ ପଡ଼ୋଶୀ ଦେଶ। ଭାରତ-ମ୍ୟାଁମାର ସୀମା ୧୭୦୦ କିଲୋମିଟର ପରିବ୍ୟାପ୍ତ। ଭୌଗୋଳିକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ମ୍ୟାଁମାର ଉପରେ ଭାରତର ନଜର ରହିବା ସ୍ବାଭାବିକ; କାରଣ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଉଗ୍ରବାଦ ଭାରତ ପାଇଁ ସବୁବେଳେ ବଡ଼ ସମସ୍ୟା ଭାବେ ଉଭା ​​‌ହୋଇଛି। ମ୍ୟାଁମାର ସୀମାରେ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଚାଲାଣ ସେହି ରାଜ୍ୟଗୁଡ଼ିକ ପାଇଁ ବଡ଼ ସଙ୍କଟର କାରଣ ପାଲଟିଛି। ଉଗ୍ରବାଦୀମାନେ ଭାରତରେ ଆକ୍ରମଣ କରି ମ୍ୟାଁମାର ସୀମା ସେପଟେ ଆଶ୍ରୟ ନେଉଥିବା ଦେଖାଯାଇଛି। ଏପରିକି ସେଠାରେ ସେମାନେ ସୁରକ୍ଷିତ ଆଡ୍ଡା ନିର୍ମାଣ କରିଥିବା ଭାରତୀୟ ସେନା ପକ୍ଷରୁ ଦାବି କରାଯାଏ। ସେହିପରି ପାକିସ୍ତାନ ମଧ୍ୟ ମ୍ୟାଁମାର ରାସ୍ତା ଦେଇ ଭାରତକୁ ଜାଲ୍‌ନୋଟ୍‌ ପ୍ରେରଣ କରିଥାଏ। ଗତ ମାସରେ ହିଁ ମଣିପୁରର ଚନ୍ଦ୍ରଚୂଡ଼ ଜିଲାରେ ଭାରତୀୟ ସୈନିକଙ୍କ ଉପରେ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ। ଏସବୁକୁ ଆଖି ଆଗରେ ରଖି ଶ୍ରୀ ଶୃଙ୍ଗଲା ଏଥର ଉଗ୍ରବାଦ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ପ୍ରକୃତରେ ମ୍ୟାଁମାରର ସାମରିକ ଶାସନକୁ ଚୀନ ସମର୍ଥନ କରୁଛି ଓ ଦୁଇ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅଶାନ୍ତି ସୃଷ୍ଟି ପାଇଁ ମ୍ୟାଁମାର ମାଟିର ଉପଯୋଗ କରିଆସିଛି। ଏପରି ସ୍ଥିତିରେ ମ୍ୟାଁମାର ସାମରିକ ଶାସକଙ୍କୁ ପ୍ରକୃତ ସ୍ଥିତି ବିଷୟରେ ଅବଗତ କରାଇବା ସହ ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିବା ନେଇ ସ୍ମରଣ କରାଇଦେବା ଭାରତ ପାଇଁ ଜରୁରୀ ଥିଲା।

ମ୍ୟାଁମାର ଭିତରେ ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକ ମଧ୍ୟରେ ସଂଘର୍ଷ ମଧ୍ୟ ବୃଦ୍ଧି ପାଇଚାଲିଛି। ବିଭିନ୍ନ ପ୍ରାନ୍ତର ସ୍ବାୟତ୍ତତା ଦାବି ନେଇ ଗରିଲା ଯୁଦ୍ଧ ଜାରି ରହିଛି। ଗଣତନ୍ତ୍ରର ପୁନଃପ୍ରତିଷ୍ଠା ପାଇଁ ଜାରି ଆନ୍ଦୋଳନରୁ ଜଣାପଡ଼ୁଛି ଯେ ଯଦି ସାମରିକ ଶାସକ ଶୀଘ୍ର ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନ ନିଅନ୍ତି, ତେବେ ଦେଶରେ ଆନ୍ଦୋଳନ ଅଧିକ ହିଂସାତ୍ମକ ହୋଇପାରେ। ସୁ କୀ’ଙ୍କୁ କାରାଦଣ୍ଡ ଦେଇ ଲୋକଙ୍କ ଭିତରର କ୍ରୋଧକୁ ସାମରିକ ଶାସକ ପକ୍ଷରୁ ଅଧିକ ତେଜାଇ ଦିଆଯାଉଛି, ଯାହା ଆଗାମୀ ଦିନରେ ଭୟଙ୍କର ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ଅବଶ୍ୟ ସୁ କୀ ତାଙ୍କ ଶାସନ କାଳରେ ରୋହିଙ୍ଗ୍ୟା ମୁସଲମାନଙ୍କ ଉପରେ ହେଉଥିବା ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ଚୁପ୍‌ ରହିଥିବାରୁ ଆନ୍ତର୍ଜାତିକ ସ୍ତରରେ ଅପଖ୍ୟାତ ହୋଇଥିଲେ। ଏପରିକି ବାକ୍‌ ସ୍ବାଧୀନତାକୁ କ୍ଷୁଣ୍ଣ କରାଯାଉଥିଲେ ମଧ୍ୟ ସେ କିଛି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ଆସିଥିଲା। ଏହା ସତ୍ତ୍ବେ ମଧ୍ୟ ଜନସାଧାରଣ ତାଙ୍କ ନେତୃତ୍ବ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରଦର୍ଶନ କରିଆସିଛନ୍ତି; କାରଣ ସେ ସାମରିକ ଶାସନ ବିରୋଧରେ ଦୀର୍ଘଦିନ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଆସିଛନ୍ତି। ବର୍ତ୍ତମାନ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ସୁ କୀ’ଙ୍କ ବ୍ୟତିରେକ ମଧ୍ୟ ପରିଚାଳିତ ହେଉଛି, ଯାହା ଏକ ଭଲ ସଙ୍କେତ। ଭାରତ ଚାହିଁଥିଲେ ବି ଶ୍ରୀ ଶୃଙ୍ଗଲାଙ୍କୁ ସୁ କୀ’ଙ୍କ ସହ ସାକ୍ଷାତର ଅନୁମତି ମିଳିଲା ନାହିଁ। ଏଥିରୁ ସାମରିକ ଶାସକଙ୍କ ମତିଗତି ବୁଝିବା କଷ୍ଟ ନୁହେଁ। ତଥାପି ଆମେ ଆଶା କରିବା ଯେ ଆଗାମୀ ଦିନରେ ମ୍ୟଁାମାରରେ ପୁନଃ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେବ ଓ ଶାସକୀୟ ହିଂସା ବନ୍ଦ ହୋଇ ଶାନ୍ତି ବିରାଜମାନ କରିବ।

Comments are closed.