www.samajalive.in
Sunday, December 14, 2025
19.1 C
Bhubaneswar

ପଡ଼ୋଶୀରେ ଧାର୍ମିକ ହିଂସା ଚିନ୍ତାଜନକ

ଦୁଇ ପଡୋଶୀ ପାକିସ୍ତାନ ଓ ବାଂଲାଦେଶରେ ସଂଖ୍ୟାଲଘୁ ବିରୋଧୀ ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେଠାକାର ସଂଖ୍ୟାଲଘୁ ନିର୍ଯାତନା ସହ୍ୟ କରି ନପାରି ଭାରତ କିମ୍ବା ଅନ୍ୟ ଦେଶକୁ ପଳାଉଛନ୍ତି। ଧର୍ମାନ୍ଧ ମୌଳବାଦୀଙ୍କ ଚାପରେ ଉଭୟ ଦେଶର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ନିକଟରେ ଧାର୍ମିକ ସ୍ବତନ୍ତ୍ରତା ଉଲ୍ଲଙ୍ଘନ ଆଧାରରେ ଆମେରିକା ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା। ଏହି ତାଲିକାରେ ପାକିସ୍ତାନ ସ୍ଥାନ ପାଇଛି। ଏହି ତାଲିକାରେ ଭାରତକୁ କାହିଁକି ସାମିଲ କରାଯାଇ ନାହିଁ ବୋଲି ପାକିସ୍ତାନ ପ୍ରଶ୍ନ ଉଠାଇଛି। ପାକିସ୍ତାନର ପାଠ୍ୟ ପୁସ୍ତକରେ ସେଠାକାର ସରକାର ଭାରତ ବିରୋଧୀ ଶିକ୍ଷା ଉଲ୍ଲେଖ କରିଛନ୍ତି। ଫଳରେ ପିଲାଟି ଦିନରୁ ଜଣେ ପାକିସ୍ତାନୀ ବିଦ୍ୟାର୍ଥୀ ଭାରତ ବିରୋଧୀ ଶିକ୍ଷା ଗ୍ରହଣ କରୁଛି।

ଭାରତର ସଂଖ୍ୟାବହୁଳ ଇଂରେଜମାନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ। ​ସେମାନେ ସ୍ବାଧୀନତା ସଂଗ୍ରାମରେ ଇଂରେଜମାନଙ୍କୁ ସାହାଯ୍ୟ କରିଥିଲେ ବୋଲି ପାକିସ୍ତାନର ୫ମ ଶ୍ରେଣୀ ପାଠ୍ୟ ପୁସ୍ତକରେ ଉଲ୍ଲେଖ ଅଛି। ସେହିପରି ୧୯୬୫ ଓ ୧୯୭୧ ଯୁଦ୍ଧରେ ପାକିସ୍ତାନଠାରୁ ଭାରତ ପରାଜୟ ବରଣ କରିଥିବା ଏହି ପୁସ୍ତକରେ ଉଲ୍ଲେଖ ଅଛି। ପୂର୍ବରୁ ଭାରତ ପାକିସ୍ତାନର ଏକ ଅଂଶ ଥିଲା ବୋଲି ୩ୟ ଶ୍ରେଣୀ ପାଠ୍ୟ ପୁସ୍ତକରେ ଉଲ୍ଲେଖ ଅଛି। ଏହା ବ୍ୟତୀତ ୮ମ ଶ୍ରେଣୀ ପାଠ୍ୟ ପୁସ୍ତକରେ ଉଲ୍ଲେଖ ଅଛି, ମୌଳବାଦୀମାନେ ଭାରତର ସଂଖ୍ୟାବହୁଳଙ୍କୁ ଅନ୍ଧ ବିଶ୍ବାସରୁ ମୁକୁଳାଇଥିଲେ। ସ୍ବାଧୀନତା ପରେ ଭାରତର ସଂଖ୍ୟାବହୁଳମାନେ ସେମାନଙ୍କୁ ଦାସ (ଚାକର)ଭାବେ ଖଟାଇ ଥା’ନ୍ତେ। ଏଣୁ ମହମ୍ମଦ ଅଲ୍ଲୀ ଜିନ୍ନା ସ୍ବତନ୍ତ୍ର ପାକିସ୍ତାନ ରାଷ୍ଟ୍ର ଗଠନ କରିଥିବା ମାଧ୍ୟମିକ ପାଠ୍ୟ ପୁସ୍ତକରେ ଉଲ୍ଲେଖ ଅଛି।

- Advertisement -

୧୯୫୩ରେ ପାକିସ୍ତାନର ସରକାରୀ କ୍ୟାଲେଣ୍ଡରରେ ୫ଟି ହିନ୍ଦୁ ପର୍ବକୁ ଛୁଟି ଘୋଷଣା କରାଯାଇଥିଲା। ଏବେ ଏହି ପର୍ବଗୁଡ଼ିକୁ ସରକାରୀ ଛୁଟି ତାଲିକାରୁ ପାକିସ୍ତାନ ସରକାର ବାଦ୍‌ ଦେଇଛନ୍ତି। ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପରେପରେ ପାକିସ୍ତାନରେ ଜାତୀୟତାବାଦ ଉଗ୍ର ରୂପ ଧାରଣ କରିଥିଲା। କଠୋରପନ୍ଥୀମାନେ ସଂଖ୍ୟାଲଘୁମାନଙ୍କୁ ଶତ୍ରୁଭାବେ ବିବେଚନା କରି ସେମାନଙ୍କ ଉପରେ ଅତ୍ୟାଚାର କରିବାରେ ଲାଗିଲେ। ପରେପରେ ପାକିସ୍ତାନ କ୍ୟାଲେଣ୍ଡରରୁ ସମସ୍ତ ହିନ୍ଦୁ ପର୍ବ ଉଭେଇ ଯାଇଥିଲା। ବର୍ଷ ୨୦୨୧ରେ ଗୋଟିଏ ବି ହିନ୍ଦୁ ପର୍ବ ପାକିସ୍ତାନ କ୍ୟାଲେଣ୍ଡରରେ ନାହିଁ। ଅର୍ଥାତ୍‌ ସେଠାରେ ଯେତେ ସଂଖ୍ୟକ ହିନ୍ଦୁ ଏବେ ଅଛନ୍ତି ପର୍ବ ପାଳନ ପାଇଁ ପାକିସ୍ତାନ ସରକାର ସେମାନଙ୍କୁ ଛୁଟି ଦେଉ ନାହାନ୍ତି। ସଂଖ୍ୟାଲଘୁମାନଙ୍କୁ ଦମନ କରିବା ପାଇଁ ସେଠାକାର ସରକାର କଠୋରପନ୍ଥୀଙ୍କ ଚାପରେ ମନ୍ଦିର ଭାଙ୍ଗିବା, ପାଠ୍ୟ ପୁସ୍ତକରେ ହିନ୍ଦୁମାନଙ୍କୁ ପାକିସ୍ତାନବାସୀଙ୍କ ଶତ୍ରୁ ଦର୍ଶାଇବା ଭଳି ଅନେକ କାର୍ଯ୍ୟ କରିଛନ୍ତି। ଦେଶ ସ୍ବାଧୀନତା ସମୟରେ ପାକିସ୍ତାନରେ ୪୨୮ଟି ମନ୍ଦିର ଥିଲା। ଏବେ ଗୋଟିଏ ଦୁଇଟିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ମନ୍ଦିରକୁ ଭାଙ୍ଗି ସେସବୁ ସ୍ଥାନରେ ଗୋଦାମ ଗୃହ, ରେସ୍ତୋଁରା ଓ ସରକାରୀ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି।

୧୯୫୧ ମସିହା ଜନଗଣନା ସମୟରେ ପାକିସ୍ତାନରେ ୧୨.୯ ପ୍ରତିଶତ ହିନ୍ଦୁ ଥିଲେ । ୧୯୭୧ ଯୁଦ୍ଧପରେ ହଠାତ୍‌ ୧୦ ପ୍ରତିଶତ ହିନ୍ଦୁ ପାକିସ୍ତାନରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। କେତେକଙ୍କୁ ମାରି ଦିଆଯାଇଥିଲା ତ ଆଉ କେତେକ ପ୍ରତାଡ଼ନାର ଶିକାର ହୋଇ ଅନ୍ୟ ଦେଶକୁ ପଳାୟନ କରିଥିଲେ। ଅଧିକ ସଂଖ୍ୟକ ହିନ୍ଦୁ ଭାରତରେ ଶରଣ ନେଇଥିଲେ। ୨୦୧୭ ଜନଗଣନା ଅନୁଯାୟୀ ପାକିସ୍ତାନରେ ମୋଟ ଜନସଂଖ୍ୟା ଥିଲା ୧୯ କୋଟି ୪୯ ଲକ୍ଷ। ଏମାନଙ୍କ ମଧ୍ୟରେ କେବଳ ହିନ୍ଦୁଙ୍କ ସଂଖ୍ୟା ଥିଲା ମାତ୍ର ୩୬ ଲକ୍ଷ। ଅର୍ଥାତ୍‌ ଦେଶର ମୋଟ ଜନସଂଖ୍ୟାର ମାତ୍ର ୧.୬ ପ୍ରତିଶତ ଥିଲେ ହିନ୍ଦୁ। ୨୦୧୮ ପରଠାରୁ ପାକିସ୍ତାନରେ ଥିବା ହିନ୍ଦୁମାନେ କ୍ରମାଗତ ଭାରତ ଆସିବାରେ ଲାଗିଛନ୍ତି।

ସଂଖ୍ୟାଲଘୁ ବିରୋଧୀ ହିଂସାରେ ବାଂଲାଦେଶ ମଧ୍ୟ ବାଦ୍‌ ପଡ଼ିନି। ବାଂଲାଦେଶର କୁମିଲ୍ଲା ଜିଲାରେ ଏକ ଦୁର୍ଗାପୂଜା ମଣ୍ଡପରେ ଅନ୍ୟ ଧର୍ମର ଏକ ଧର୍ମଗ୍ରନ୍ଥ ରଖିବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେଠାକାର ସଂଖ୍ୟାଲଘୁ ହିନ୍ଦୁ ଏହାକୁ ବିରୋଧ କରିବାରୁ କଠୋରପନ୍ଥୀମାନେ ମନ୍ଦିର ଭାଙ୍ଗିଦେବା ସହ ହିନ୍ଦୁଙ୍କ ଘର ଓ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଏହି ହିଂସାରେ ୭ ଜଣ ହିନ୍ଦୁଙ୍କ ମୃତ୍ୟୁ ଘଟିଥିଲା। ବାଂଲାଦେଶର ଜନସଂଖ୍ୟା ଏବେ ୧୬.୫ କୋଟି। ଏହାର ମାତ୍ର ୯ ପ୍ରତିଶତ ହିନ୍ଦୁୁ ସେଠାରେ ବାସ କରୁଛନ୍ତି। ୧୯୪୭ରେ ପୂର୍ବବଙ୍ଗ (ବାଂଲାଦେଶ)ରେ ହିନ୍ଦୁଙ୍କ ସଂଖ୍ୟା ୩୦ ପ୍ରତିଶତ ଥିଲା। କଠୋରପନ୍ଥୀଙ୍କୁ ଦମନ କରିବାରେ ସେଠାକାର ସରକାର ଏକ ପ୍ରକାର ବିଫଳ ହୋଇଛନ୍ତି। ଧର୍ମର ଆଢୁଆଳରେ ସଂଖ୍ୟାଲଘୁଙ୍କୁ ଶତ୍ରୁ ମଣି ସେମାନଙ୍କ ଉପରେ ଅତ୍ୟାଚାର କରିବା ପାକିସ୍ତାନ ଓ ବାଂଲାଦେଶର ଜାତୀୟ ନୀତି ପାଲଟିଛି। ଭାରତୀୟ ସମ୍ବିଧାନ ଏଠାକାର ସଂଖ୍ୟାଲଘୁଙ୍କୁ ସମାନତା ଓ ଧାର୍ମିକ ସ୍ବାଧୀନତାର ଅଧିକାର ଦେଇଛି। ତେଣୁ ଏଠାରେ ସଂଖ୍ୟାଲଘୁ ସଦାସର୍ବଦା ସୁରକ୍ଷିତ। ଅନ୍ୟପଟେ ପାକିସ୍ତାନ ଓ ବାଂଲାଦେଶରେ ଏପରି ବ୍ୟବସ୍ଥା ନାହିଁ। ତେଣୁ ଏହି ଦୁଇଟି ଦେଶରେ ସଂଖ୍ୟାଲଘୁ ବିରୋଧୀ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଭାରତ ସରକାର ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ମଞ୍ଚରେ ଉଠାଇବା ଆବଶ୍ୟକ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories