www.samajalive.in
Saturday, December 6, 2025
17.1 C
Bhubaneswar

ଆସନ୍ତୁ ମୂଲ୍ୟବୋଧର ପୁନଃ ସ୍ଥାପନ କରିବା

ବେଳେ ବେଳେ ରାଷ୍ଟ୍ର ଜୀବନରେ ଏମିତି କିଛି ସମୟ ଓ ସମସ୍ୟା ଆସେ ଯାହାର ସ୍ଥାୟୀ ସମାଧାନ ପାଇଁ ସମସ୍ତେ ବ୍ୟଗ୍ର ହୋଇ ପଡ଼ନ୍ତି ଏବଂ କିଛି ଗୋଟାଏ ବାଟ ବାହାର କରି ଶାନ୍ତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହାନ୍ତି। ସେଥିରେ ସବୁ ବିବଦମାନ ପକ୍ଷ ଲାଭ କ୍ଷତି, ସମୟ ଅସମୟକୁ ବିଚାର ନ’କରି ସମାଧାନ ସୂତ୍ରକୁ ମାନି ନିଅନ୍ତି। ମଣିଷର ଜୀବନଟା ତ ସେମିତି। ରାଷ୍ଟ୍ର ଜୀବନରେ ମଧ୍ୟ ତାହା ଘଟେ। ଦିଆନିଆ, ବୁଝାମଣା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନରେ ଏହା ଆଗକୁୁ ବଢ଼ିବାରେ ବିଶ୍ବାସ କରେ।

ପ୍ରଭୁ ଶ୍ରୀରାମଙ୍କ ଜନ୍ମପୀଠ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭ ଦେବା ପରେ ଏହି ବିଚାର ଆହୁରି ବଳବତ୍ତର ହୋଇଥିବା ମନେ ହେଉଛି। ଧର୍ମ, ଆସ୍ଥା ଓ ବିଶ୍ବାସକୁ ନେଇ ଗୋଟିଏ ବିବାଦ ଦୀର୍ଘ କାଳ ଧରି ଚାଲିବା, ଏହା ରାଜନୀତି ଓ ଦେଶର ସାମ୍ବିଧାନିକ ଭାବନାକୁ ଆଚ୍ଛାଦିତ କରିବା ନିଶ୍ଚିତ ଭାବେ ଉତ୍ତମ ଲକ୍ଷଣ ନ’ଥିଲା।

- Advertisement -

ଭାରତ ଭଳି ଏକ ଧର୍ମ ନିରପେକ୍ଷ ଦେଶରେ ଆସ୍ଥା ଓ ବିଶ୍ବାସର ଏକ ମାମଲାକୁ କିପରି ଅଦାଲତ ସମାଧାନ କରି ସଂଖ୍ୟାଲଘୁ ମୁସଲମାନ ଓ ସଂଖ୍ୟାଗରିଷ୍ଠ ହିନ୍ଦୁଙ୍କୁ ଏକ ପ୍ରାଚୀନ ଓ ପୌରାଣିକ ପ୍ରସଙ୍ଗରେ ନ୍ୟାୟ ପ୍ରଦାନ କରିବେ ତାହା ଥିଲା ଅତ୍ୟନ୍ତ ଜଟିଳ ଓ ସ୍ପର୍ଶକାତର। ଶେଷରେ ସମାଧାନର ବାଟ ବାହାରିଲା ଏବଂ ଅଦାଲତଙ୍କ ରାୟକୁ ଉଭୟ ପକ୍ଷ ମାନିନେଲେ। ଏଠି ନ୍ୟାୟର ନିରପେକ୍ଷତା ଅପେକ୍ଷା ଉଭୟପକ୍ଷ ଏହାର ବାସ୍ତବତା ଓ ବ୍ୟାବହାରିକତାକୁ ଅଧିକ ଗ୍ରହଣ କରିଥିଲେ। କିଛି ଅସନ୍ତୋଷ ଓ ପ୍ରତିବାଦ କେତେକ ମହଲରେ ଥିଲା ଏବଂ ରହିବା ସ୍ବାଭାବିକ। ଏ କ୍ଷେତ୍ରରେ ସର୍ବୋଚ୍ଚ ଅଦାଲତଙ୍କୁ ସରକାର ପ୍ରଭାବିତ କରିଥିଲେ କି ନାହିଁ- ଏଭଳି ସବୁ କଥା ଉଠିଥିଲେ ମଧ୍ୟ ବୃହତ୍ତର ସମାଜ ଶାନ୍ତି ଓ ସମାଧାନ ପାଇଁ କୋର୍ଟ ନିର୍ଣ୍ଣୟକୁ ମାନି ନେଇଥିଲେ। ଏକ ବହୁଳବାଦୀ ବିବିଧ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଏକ ବିବାଦର ସ୍ଥାୟୀ ସମାଧାନର ଅର୍ଥ ସାଂପ୍ରଦାୟିକ ସଦ୍‌ଭାବର ପୁନଃ ପ୍ରତିଷ୍ଠା କରି ସାଭ୍ୟତିକ ମୂଲ୍ୟବୋଧକୁ ଆଗେଇ ନେବା ଓ ଗଣତାନ୍ତ୍ରିକ ଚେତନାକୁ ପୁନଃ ଜାଗରିତ କରି ମିଳିମିଶି ଚଳିବାର ନୂଆ ଅଧ୍ୟାୟଟିଏ ଆରମ୍ଭ କରିବା। ସେଥିପାଇଁ ତ ଆଜି ଦଳମତ, ପନ୍ଥ ଓ ଧାର୍ମିକ ଆଦର୍ଶ ନିର୍ବିଶେଷରେ ସମସ୍ତେ ମନ୍ଦିର ନିର୍ମାଣ କାର୍ୟ୍ୟକୁ ସ୍ବାଗତ କରିବା ସହ ଦାନ, ଶ୍ରମ, ସହଯୋଗ ଯୋଗାଇ ଦେବାକୁ ଆନନ୍ଦର ସହ ଆଗେଇ ଆସିଛନ୍ତି।

ମୁସଲମାନ ଲୋକଟି ମନ୍ଦିର ପାଇଁ ସହଯୋଗ ବଢ଼ାଉଥିବା ବେଳେ ହିନ୍ଦୁ ଜଣେ ପ୍ରସ୍ତାବିତ ନୂଆ ମସଜିଦ୍‌ ପାଇଁ ଶ୍ରଦ୍ଧାନୁବଦ୍ଧ ହୋଇ ଆଗେଇ ଆସିଛି। ଏହା ଫଳରେ ଅଯୋଧ୍ୟାରେ ହିନ୍ଦୁ-ମୁସଲମାନ ଧାର୍ମିକ ଓ ସାଂସ୍କୃତିକ ତତ୍ତ୍ବର ଏକ ନୂଆ ସମୀକରଣ ଆରମ୍ଭ ହେବାକୁ ଯାଉଛି। ରାମ ଜନ୍ମଭୂମି ଆନ୍ଦୋଳନ ପଛରେ କେବଳ ଧାର୍ମିକ ଆବେଦନ ଓ ବିଶ୍ବାସର ପ୍ରସଙ୍ଗ ଜଡ଼ିତ ନଥିଲା। ଏହା ପଛରେ ରାଜନୈତିକ ବିଚାର ଓ ଭୋଟରଙ୍କୁ ଧର୍ମଭିତ୍ତିରେ ବିଭାଜିତ ତଥା କେନ୍ଦ୍ରୀବୃତ କରିବାର ଉଦ୍ଦେଶ୍ୟ ରହିଥିଲା। ରାଜୀବ ଗାନ୍ଧୀଙ୍କ ଦ୍ବାରା ବାବ୍ରୀ ମସ୍‌ଜିଦର ତାଲା ଖୋଲିବା ହେଉ କିମ୍ବା ବିଜେପିର ରଥଯାତ୍ରା ଓ ବାବ୍ରୀ ମସ୍‌ଜିଦକୁ ଭାଙ୍ଗିବା ଘଟଣା, ସବୁଥିରେ ଆସ୍ଥା ଓ ବିଶ୍ବାସ ଊର୍ଦ୍ଧ୍ବରେ ଥିଲା ରାଜନୈତିକ ଉଦ୍ଦେଶ୍ୟ। ସେ ପର୍ବଟି ବେଶ୍‌ କିଛିକାଳ ଚାଲିଲା ଏବଂ ଏହାଦ୍ବାରା ସବୁଠୁ ଅଧିକ ଲାଭବାନ ହେଲା ବିଜେପି। ତେଣୁ ରାମ ହୁଅନ୍ତୁ ବା ହିନ୍ଦୁତ୍ବ- ଏହିଭଳି ପ୍ରସଙ୍ଗରେ ସର୍ବାଧିକ ହିତାଧିକାରୀ ବିଜେପି ମନ୍ଦିର ତୋଳି ଇତିହାସ ରଚିବାର ଉତ୍କୃଷ୍ଟ ସମୟ ଆଉ ପାଇ ନ’ଥାନ୍ତା। ମହାମାରୀ ସମୟର କଟକଣା ଭିତରେ ସେ କାମଟିର ଶ୍ରୀଗଣେଶ ସହଜରେ ହୋଇଥିଲା ଏବଂ ପ୍ରତିବାଦ ବା ବିରୋଧର ଅବକାଶ ନଥିଲା।

ରାମ ମନ୍ଦିର ପ୍ରସଙ୍ଗରେ କ୍ଳାନ୍ତ, ଅବସନ୍ନ ସାଧାରଣ ଭାରତୀୟଙ୍କ ମନକଥା ହେଲା ଯାହା ହେଉଛି ହୋଇଯାଉ। ଆଉ ବିବାଦ ବଢ଼ିବାର ଅବକାଶ ସୃଷ୍ଟି ନ’ହେଉ। କିଛି ତତ୍ତ୍ବ ବିଶାରଦ ଏହାକୁ ହିନ୍ଦୁତ୍ବର ବିଜୟ, ସଂଖ୍ୟାବହୁଳଙ୍କ ଜିତ୍‌, ଧର୍ମଭିତ୍ତିକ ରାଜନୀତିର ଜୟ ଆଦି ଅବଶ୍ୟ କହିବେ। ଏସବୁ ସତ୍ତ୍ବେ ରାମ ମନ୍ଦିରର ଶିଳାନ୍ୟାସ ପରେ ବିଜେପି ଓ ତାହାର ଦକ୍ଷିଣ ପନ୍ଥୀ ସହଯୋଗୀ ଦଳଙ୍କ ପାଇଁ ଏହି ଆନ୍ଦୋଳନର ପରିସମାପ୍ତି ଘଟି ନୂଆ ବିଚାର ଓ ଆଦର୍ଶର ଉନ୍ମେଷ ଘଟିବ। ଭବିଷ୍ୟତରେ ଭୋଟ ଜିତିବାକୁ ଏବଂ ହିନ୍ଦୁ ଏକତାକୁ ଦୃଢ଼ୀଭୂତ କରିବାକୁ ସଂଘ ପରିବାର ନୂଆ ଏଜେଣ୍ଡା ବା କାର୍ୟ୍ୟସୂଚୀ ହାତକୁ ନେବ।

ଏବେ ସମାଜବାଦ ଓ ଧର୍ମନିରପେକ୍ଷବାଦ ଆଉ ଭାରତୀୟ ଗଣତନ୍ତ୍ରର ବିଶେଷତ୍ବ ହୋଇ ରହିନାହିଁ। ହିନ୍ଦୁତ୍ବର ରଙ୍ଗ ଏଥିରେ ଅଧିକ ଦେଖାଯାଉଛି। କ୍ଷମତାରେ ରହିବାପାଇଁ ସଂଘ ପରିବାର ନୂଆ ରଣକୌଶଳ ଆପଣାଇବାକୁ ବାଧ୍ୟ ହେବ, କାରଣ ଏହା ଭଲ ଭାବେ ଜାଣିଛି ଯେ ରାମମନ୍ଦିର ନିର୍ମାଣ ଦ୍ବାରା ଦେଶରେ ରାମରାଜ୍ୟ ପ୍ରତିଷ୍ଠା ହୋଇପାରିବ ନାହିଁ କିମ୍ବା ପ୍ରଭୁ ଶ୍ରୀରାମ ସମସ୍ତଙ୍କୁ ଭୋଜନ ଯାଜନର ସ୍ଥାୟୀ ସୁବନ୍ଦୋବସ୍ତ କରିପାରିବେ ନାହିଁ। ଏଥିପାଇଁ ସରକାରଙ୍କୁ କାମ କରିବାକୁ ପଡ଼ିବ ଏବଂ ଜାତୀୟ ତଥା ପ୍ରାଦେଶିକ ରାଜନୀତିକୁ ତଦନୁସାରେ ସଂଚାଳିତ କରିବାକୁ ହେବ। ଭୋଟ ହାତେଇବାକୁ କୌଶଳ, ଏଜେଣ୍ଡା ଓ ସଂଗଠିତ ତନ୍ତ୍ରର ଆବଶ୍ୟକତା ରହିଛି ଏକଥା ବିଜେପି ଓ ତାହାର ମିତ୍ର ଭଲଭାବେ ବୁଝିଛନ୍ତି।

ରାଜନୀତି ଯେତେବେଳେ ଧର୍ମ ଓ ଜାତି ଆଧାରିତ ହୋଇଯାଏ ସେତେବେଳେ କୌଣସି ରାଜନୈତିକ ଦଳ ନିଜକୁ ଧର୍ମନିରପେକ୍ଷ ରଖିପାରନ୍ତି ନାହିଁ। ସେଥିପାଇଁ ତ ଏବେ କଂଗ୍ରେସ ସମେତ ସବୁ ପ୍ରମୁଖ ଦଳ ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରି ତାଙ୍କ ମନ୍ଦିର ସପକ୍ଷରେ କହୁଛନ୍ତି। ତେଣୁ ବିଜେପିକୁ ଦୋଷ ଦେବାର ଆବଶ୍ୟକତା ନାହିଁ। ମନ୍ଦିର ଶିଳାନ୍ୟାସ ଅବସରରେ ଏସବୁ ଚିନ୍ତାପ୍ରକଟ କରିବା ହୁଏତ ଦୁର୍ଭାବନା ଭାବେ ପରିଗଣିତ ହୋଇପାରେ। ପ୍ରଭୁ ଶ୍ରୀରାମ ସୁର, ବୀର, ମଣିଷ, ବାନର, ଭଲ୍ଲୁକ ଆଦିଙ୍କୁ ଏକାଠି କରି ଏକ ଦୃଢ଼ ମେଣ୍ଟ ମାଧ୍ୟମରେ ରାବଣଙ୍କୁ ନିଧନ କରିଥିଲେ। ସେ ଥିଲେ ଏକ ସଫଳ ମିଳିତ ମେଣ୍ଟର ବିନ୍ଧାଣି ଓ ଅଧିନାୟକ।

ଏବେ ଭାରତ ପଡ଼ୋଶୀ ରାଷ୍ଟ୍ର ଓ କରୋନା ମହାମାରୀର ଚକ୍ରାନ୍ତରେ ପ୍ରପୀଡ଼ିତ। ତାଙ୍କ ନେତୃତ୍ବର ପରାକାଷ୍ଠା ଆମ ନେତାମାନଙ୍କୁ ପ୍ରଭାବିତ କରୁ ଏବଂ ସେମାନେ ଭାରତକୁ ଦୃଢ଼ ଓ ବିଜୟୀ କରିବାରେ ସଫଳ ହୁଅନ୍ତୁ। ପ୍ରଭୁ ଶ୍ରୀରାମ ଥିଲେ ନ୍ୟାୟବନ୍ତ ଏବଂ ମର୍ୟ୍ୟାଦା ପୁରୁଷ। ତାଙ୍କ ରାଜ୍ୟ ଓ ଶାସନରେ କେହି ନ୍ୟାୟ, ମର୍ୟ୍ୟାଦା, ସୁବିଧା ସୁଯୋଗ ଏବଂ ସମ୍ମାନରୁ ବଞ୍ଚିତ ହେଉନଥିଲେ। ଆସନ୍ତୁ ଏହି ଶୁଭ ମୁହୂର୍ତ୍ତରେ ଆମେ ସମସ୍ତେ ଏକ ନ୍ୟାୟୋଚିତ, ସମାବେଶୀ, ପ୍ରୀତିପ୍ରଦ ସମୃଦ୍ଧ ଭାରତ ଗଠନ ଦିଗରେ ଅନୁପମ ମୂଲ୍ୟବୋଧର ପୁନଃ ସଂସ୍ଥାପନ କରିବା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories