ଧନୀଙ୍କ ହାତଧୁଆ ; ଉଦ୍ବୃତ୍ତ ଶସ୍ୟ ଭୋକିଲାଙ୍କ ପେଟକୁ ଯାଉ
ମହାମାରୀ କୋଭିଡ୍ -୧୯ର ଭୟଙ୍କର ଆକ୍ରମଣରୁ ସୁରକ୍ଷା ଲାଗି ଶାରୀରିକ ଦୂରତ୍ୱ ରକ୍ଷା ଓ ବାରମ୍ବାର ହାତଧୁଆ ହିଁ ବର୍ତ୍ତମାନ ସମୟର ସର୍ବୋତ୍କୃଷ୍ଟ ବିକଳ୍ପ। ହାତଧୋଇବା ବା ହାତକୁ ସଫା ରଖିବା ପାଇଁ ସାବୁନ୍ ଓ ସାନିଟାଇଜର ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏହି ଆଧାରରେ ଧନୀ ବା ଉଚ୍ଚ ବର୍ଗରେ ସାବୁନ୍ ତୁଳନାରେ ସାନିଟାଇଜରର ଆଦୃତି ଅଧିକ, କିନ୍ତୁ ଯଦି ସାନିଟାଇଜର ପ୍ରସ୍ତୁତି ପାଇଁ ଗରିବଙ୍କ ଆହାର ସମର୍ପଣ କରିବାକୁ ପଡ଼େ, ତେବେ ତାହା କେତେ ସ୍ପୃହଣୀୟ ? କେନ୍ଦ୍ର ସରକାରଙ୍କ ଏକ ନିଷ୍ପତ୍ତି ଏବେ ଏଭଳି କିଛି ପ୍ରଶ୍ନ ଉତ୍ଥାପନ କରୁଛି।
ଭାରତୀୟ ଖାଦ୍ୟ ନିଗମ(ଏଫ୍ସିଆଇ) ନିକଟରେ ମହଜୁଦ ଥିବା ଚାଉଳକୁ ଇଥାନଲ୍ ବା ଜୈବିକ ଇନ୍ଧନରେ ରୂପାନ୍ତରିତ କରିବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଚାଉଳରୁ ପ୍ରସ୍ତୁତ ଇଥାନଲ୍ ହାତଧୁଆ ସାନିଟାଇଜର ଉତ୍ପାଦନରେ ବ୍ୟବହୃତ ହେବ ବୋଲି ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ, ନିୟମିତ ମହଜୁଦ୍ ପରିମାଣ ବ୍ୟତୀତ ଜରୁରୀକାଳୀନ ଆବଶ୍ୟକତା ପାଇଁ ଏଫ୍ସିଆଇ ଏକ ନିର୍ଦିଷ୍ଟ ପରିମାଣ(ବଫର ଷ୍ଟକ୍)ର ଖାଦ୍ୟ ଶସ୍ୟ ମହଜୁଦ ରଖେ। ସରକାରଙ୍କ ସୂଚନା ଅନୁଯାୟୀ, ଏଫ୍ଡିଆଇ ନିକଟରେ ମାର୍ଚ୍ଚ ୧୦ ସୁଦ୍ଧା ଗଚ୍ଛିତ ଚାଉଳର ପରିମାଣ ୩୦.୫୭ ନିୟୁତ ଟନ୍, ଯାହା ବଫର ଷ୍ଟକ୍ର ୧୨୮%। ଏହାବାଦ୍ ମିଲରମାନଙ୍କ ପାଖରେ ଏବେ ୧୯.୨୩ ନିୟୁତ ଟନ୍ ଧାନ ଅଛି। ସେଥିରୁ ଚାଉଳ ଉତ୍ପାଦନ ପରେ ଏଫ୍ସିଆଇର ମହଜୁଦ୍ ପରିମାଣ ଆହୁରି ବଢ଼ିଯିବ। ଜାତୀୟ ଜୈବ ଇନ୍ଧନ ନୀତି ୨୦୧୮ ଅନୁଯାୟୀ ଯଦି ମହଜୁଦ୍ ଶସ୍ୟ ପରିମାଣ ବଫର ଷ୍ଟକ୍ରୁ ବଳକା ହୁଏ ତେବେ ତାହା ଜୈବ ଇନ୍ଧନ ଉତ୍ପାଦନ ଲାଗି ବିନିଯୋଗ କରାଯାଇପାରିବ। ଅପରପକ୍ଷରେ କଞ୍ଚାମାଲ୍ ଅଭାବରୁ ଦେଶରେ ଜୈବ ଇନ୍ଧନ ଶିଳ୍ପ ଉତ୍ପାଦନ କ୍ଷମତାର ୩୮% ବ୍ୟବହୃତ ହୋଇପାରୁନାହିଁ। ତେଣୁ କ୍ଷମତାର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ସରକାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି।
ସାମ୍ପ୍ରତିକ ସ୍ଥିତିକୁ ତର୍ଜମା କଲେ ଜୈବ ଇନ୍ଧନ ନିୟମ କାର୍ଯ୍ୟକାରୀ ହେବା ନିହାତି ଅପରିହାର୍ଯ୍ୟ ମନେ ହେଉନାହିଁ। ମହାମାରୀ ନିୟନ୍ତ୍ରଣ ପାଇଁ ଘୋଷିତ ଲକ୍ଡାଉନ୍ ଯୋଗୁଁ ଗରିବ ଖଟିଖିଆଙ୍କ ଜୀବିକା ବିପନ୍ନ ହୋଇପଡ଼ିଛି। ରିଲିଫ୍ ପ୍ୟାକେଜ୍ ହିସାବରେ କେନ୍ଦ୍ର ସରକାର ବିପିଏଲ୍ ବର୍ଗର ଲୋକଙ୍କୁ ମାସିକ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ/ଗହମ ଓ ପରିବାର ପିଛା ୧ କେଜି ଲେଖାଏଁ ଡାଲି ମାଗଣାରେ ତିନି ମାସ ପର୍ଯ୍ୟନ୍ତ ଯୋଗାଇବାକୁ ଘୋଷଣା କରିଛନ୍ତି। ତଥାପି ଖାଦ୍ୟ ଶସ୍ୟ ବଳକା ରହୁଥିବାରୁ ଚାଉଳକୁ ଇଥାନଲ୍ ଉତ୍ପାଦନ ପାଇଁ ବ୍ୟବହାର କରିବାକୁ ଚିନ୍ତା କରାଯାଉଛି, କିନ୍ତୁ ବିଡ଼ମ୍ବନା ଏହା ଯେ କେବଳ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ ପରିବାରକୁ ହିଁ ସରକାରଙ୍କ ଘୋଷିତ କୋଭିଡ୍ – ୧୯ ରିଲିଫ୍ ସହାୟତା ରାସନ୍ ମିଳିବ। ଏପରିକି ଦେଶର ଅନେକାଞ୍ଚଳରେ ରାସନ୍ କାର୍ଡଧାରୀଙ୍କୁ ଅତିରିକ୍ତ ରିଲିଫ୍ ରାସନ୍ ଏ ପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ ଆସୁଛି। ଲକ୍ଡାଉନ୍ ଯୋଗୁଁ ଜୀବିକା ବିପନ୍ନ ହୋଇପଡ଼ିଥିବାରୁ ମାସିକ ପିଡିଏସ୍ ସାମଗ୍ରୀ ସମେତ ଅତିରିକ୍ତ ସାମଗ୍ରୀ ମିଶାଇଲେ ମଧ୍ୟ ଗୋଟିଏ ପରିବାର ଚଳିବା କଷ୍ଟକର। ଏତଦ୍ବ୍ୟତୀତ ୨୦୧୧ ଜନଗଣନା ଆଧାରରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ପ୍ରଣୟନ ହୋଇଥିବାରୁ ସରକାରୀ ତାଲିକା ଓ ବାସ୍ତବ ହିତାଧିକାରୀ ସଂଖ୍ୟାରେ ବହୁତ ବଡ଼ ତଫାତ୍ ରହୁଛି। ଦେଶରେ ଏବେ ମଧ୍ୟ ଲକ୍ଷଲକ୍ଷ ଶିଶୁ ଅନାହାରରେ ମୃତ୍ୟୁକୁ ଆଦରି ନେଉଛନ୍ତି। ତେଣୁ ବଳକା ଖାଦ୍ୟ ଶସ୍ୟ ଯେପରି ସେମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ଜୀବନ ରକ୍ଷା ହୋଇପାରିବ ସେ ଦିଗରେ ଦୃଷ୍ଟି ଦେବା ଏକ ଜନମଙ୍ଗଳ ରାଷ୍ଟ୍ରର ଦାୟିତ୍ୱ ଓ କର୍ତ୍ତବ୍ୟ।
ଏଣୁ ଧନିକ ବର୍ଗଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ସାନିଟାଇଜର ଉତ୍ପାଦନରେ ବଳକା ମହଜୁଦ୍ ଚାଉଳ ବିନିଯୋଗ ନ କରି କୋଟିକୋଟି ଭୋକିଲାଙ୍କ ମୁହଁରେ ଆହାର ଉପଲବ୍ଧ କରାଯାଇପାରିଲେ ମହତ୍ ଉଦ୍ଦେଶ୍ୟ ସାଧିତ ହୁଅନ୍ତା। ଏବେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍ ଥିବା ବେଳେ ଇନ୍ଧନ ଚାହିଦା ପ୍ରାୟ ୮୦% ହ୍ରାସ ପାଇଛି। ଅପରପକ୍ଷରେ ଦେଶରେ ପେଟ୍ରୋଲ୍ ମହଜୁଦ୍ ରଖିବା ପାଇଁ ସ୍ଥାନାଭାବ ସମସ୍ୟା ଦେଖାଦେଇଛି। ଏସବୁ ଦିଗକୁ ତର୍ଜମା କରି ପେଟ୍ରୋଲ୍ରୁ ସାନିଟାଇଜର ପ୍ରସ୍ତୁତି ବିକଳ୍ପ ବିଷୟରେ ଚିନ୍ତା କରାଯାଇପାରେ। ସର୍ବୋପରି ଗରିବଙ୍କ ଆହାର ପ୍ରତିଦାନରେ ଧନୀଙ୍କ ହାତଧୁଆ ସମ୍ପନ୍ନ ନ ହେଉ। ଆସନ୍ନ ଖାଦ୍ୟାଭାବ ଓ କ୍ଷୁଧା ସଙ୍କଟର ମୁକାବିଲା ପାଇଁ ବେଳ ହୁଁ ଚିନ୍ତା କରିବା ଆବଶ୍ୟକ।
Comments are closed.