ଅରି ହାରି ନାହିଁ, ଯୁଦ୍ଧ ସରି ନାହିଁ – ଆଉ କିଛି କାଳ କଷ୍ଟ ସ୍ବୀକାର କରିବାକୁ ପଡ଼ିବ
ଯୁଦ୍ଧ ଶେଷ ହେବା ନ’ଯାଏ ବିଶ୍ରାମର ଅବକାଶ ନଥାଏ। ଭାରତ ସମେତ ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ବିରୋଧରେ ଯେଉଁ ମହାସଂଗ୍ରାମ ଚଳାଇଛି ତାହାର ଅବସାନ କେବେ ଘଟିବ ତାହା ଅନୁମାନ କରିବା କଷ୍ଟ। ଏହି ଅନିଶ୍ଚିତତା ମଧ୍ୟରେ ନୋଭେଲ କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନର ୟୁହାନରୁ ଯେଉଁ ଖବର ଆସୁଛି ତାହା ଆଶାର ସଂକେତ ଦେଉଛି। ସେଠାରେ ମଣିଷ କରୋନା ଉପରେ ବିଜୟ ହାସଲ କରିଛି ଯଦିଓ ସେଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିଛି। ୟୁହାନର ସ୍ଥିତି କ୍ରମଶଃ ସ୍ୱାଭାବିକ ହେଉଛି। ସ୍ୱାଭାବିକ ଭାବେ ପ୍ରତ୍ୟେକ ସଂକ୍ରମଣ ଜନିତ ବ୍ୟାଧିର ପ୍ରକୋପ ନିର୍ଦିଷ୍ଟ ସମୟ ପାଇଁ ରହେ ଏବଂ ତାହା କ୍ରମଶଃ ହ୍ରାସ ପାଏ। କରୋନା କ୍ଷେତ୍ରରେ ସେ ଲକ୍ଷଣ ପ୍ରକାଶ ପାଇଲାଣି। ତେବେ ଯେଉଁସବୁ ନୂଆନୂଆ ଅଞ୍ଚଳକୁ ଏହା ବ୍ୟାପୁଛି ଏବଂ ଏବେ ଯେଉଁଠି ତା’ର କରାମତି ଦେଖାଉଛି ତାହା ନିଶ୍ଚିତ ଆଉ କିଛିକାଳ ଚାଲିବ। ତେଣୁ ଏହି ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ବ୍ୟବଧାନ ରକ୍ଷା, ହାତସଫା ଓ ବ୍ୟକ୍ତିଗତ ପରିଚ୍ଛନ୍ନତା ଆଦି ଯେଉଁସବୁ ଉପାୟ ରହିଛି ତାହାକୁ ବଜାୟ ରଖିବାକୁ ପଡ଼ିବ।
ଭାରତରେ କରୋନା ବିରୋଧୀ ଲକ୍ଡାଉନ ଇତି ମଧ୍ୟରେ ଦୁଇ ସପ୍ତାହ ଅତିକ୍ରାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ ଏଥିପାଇଁ ତିନିସପ୍ତାହ ମାଗିଥିଲେ। ଭାରତ ସରକାରଙ୍କ ଆକ୍ରମଣାତ୍ମକ ପଦକ୍ଷେପ ଓ କଠୋର ନୀତି ତଥା ରାଜ୍ୟ ସରକାରମାନଙ୍କ ସଂପୂର୍ଣ୍ଣ ସହଯୋଗ ଫଳରେ ଆମ ଦେଶର କରୋନା ସଂକ୍ରମଣସ୍ଥିତି ପାଶ୍ଚାତ୍ୟ ଉନ୍ନତ ରାଷ୍ଟ୍ରମାନଙ୍କ ତୁଳନାରେ ବହୁତ ଭଲ ଅଛି। ଓଡ଼ିଶାରେ ଆଗୁଆ ଆରମ୍ଭ ହୋଇଥିବା ଏହି ଲକ୍ଡାଉନ ଓ କଠୋର ପଦକ୍ଷେପ ଯୋଗୁଁ ରାଜ୍ୟର କରୋନା ସ୍ଥିତି ଅନ୍ୟ ପ୍ରଦେଶମାନଙ୍କ ତୁଳନାରେ ମଧ୍ୟ ଭଲ ରହିଛି। ତେବେ ୧୫ ଦିନରୁ ଅଧିକକାଳ ଘର ଭିତରେ ତାଲାବନ୍ଦ ଜୀବନ କଟାଇ ଲୋକେ ଏକ ପ୍ରକାର ଅତିଷ୍ଠ ହୋଇଗଲେଣି। ତେଣୁ ସମସ୍ତଙ୍କ ମୁହଁରେ ସେହି ଗୋଟିଏ ପ୍ରଶ୍ନ ଏ ଅବସ୍ଥାର ଅନ୍ତ କେବେ। ତେବେ କରୋନା ସଂକ୍ରମଣର ସ୍ଥିତି ଏବେ ଭାରତରେ ଯାହା ସେଥିରେ ଅତିଶୀଘ୍ର ଲକ୍ଡାଉନରୁ ମୁକ୍ତି ମିଳିବା ସମ୍ଭାବନା କ୍ଷୀଣ। ଏହାର ସୁଫଳ ମିଳୁଥିବାରୁ ଅଧିକାଂଶ ରାଜ୍ୟ ଏହି ଲକ୍ଡାଉନ ଅବଧିକୁ ଅନିର୍ଦିଷ୍ଟକାଳ ଯାଏ ବଢ଼ାଇବାକୁ ମତ ଦେଉଛନ୍ତି। ତଥ୍ୟ କହୁଛି ଯେ ଲକ୍ଡାଉନ ଯୋଗୁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି। କେବଳ ଲକ୍ଡାଉନ ପୂର୍ବରୁ ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇ ସଂକ୍ରମିତ ହୋଇଥିବା ଲୋକଙ୍କ ଦ୍ୱାରା ସଂକ୍ରମଣ ଯାହା କିଛି ଅଧିକ ହୋଇଛି। ତେବେ ଏବେ ସଂକ୍ରମିତ ଓ ସନ୍ଦିଗ୍ଧମାନେ ସ୍ୱତଃପ୍ରବୃତ୍ତ ଭାବେ ଚିକିତ୍ସା ସହାୟତା ପାଇଁ ଆଗେଇ ଆସୁଥିବାରୁ ଓ ନିଜକୁ ଏକାନ୍ତରେ ରଖିବାକୁ ଉଦ୍ୟମ କରୁଥିବାରୁ ସଂକ୍ରମଣର ହାର କମିଛି। କରୋନା ଭଳି ସ୍ପର୍ଶଜନିତ ବ୍ୟାଧି ସର୍ବଦା ଦାୟିତ୍ୱହୀନ, ଅଜ୍ଞ, ଅସେଚତନ, ଅହଂକାରୀ ତଥା ଅମାନିଆଙ୍କୁ ଆଶ୍ରା କରି ବ୍ୟାପେ। ବ୍ୟାଧି ବାହକକୁ ମାରିବାସହ ତା’ ମଧ୍ୟରେ ପରିବାର, ଗୋଷ୍ଠୀ, ସମାଜ, ରାଜ୍ୟ ଓ ଦେଶକୁ ଧ୍ୱଂସ କରେ। ତେବେ ସେ ଯା’ହେଉ ଅଳ୍ପ କିଛି ଲୋକଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଲକ୍ଡାଉନକୁ ସମ୍ମାନ ଦେଉଛନ୍ତି ଓ ଘରେ ନିରାପଦରେ ରହୁଛନ୍ତି। ତେଣୁ ସଂକ୍ରମଣ ହାର କମ ରହୁଛି ଏବଂ ଦେଶରେ କରୋନା ସଂକ୍ରମଣ ଏବେ ମଧ୍ୟ ତୃତୀୟ ପର୍ଯ୍ୟାୟକୁ ଯାଇନାହିଁ ଯାହା ଏକ ଆଶ୍ୱାସନାର ବିଷୟ। ତେଣୁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ଗ୍ରହଣ କରି ଲକ୍ଡାଉନ ଅବଧିକୁ ଯେ ନିଶ୍ଚୟ ବଢ଼ାଇବେ ସେ ସମ୍ଭାବନା ଅଧିକ। ତେଣୁ ଭଲ ଲାଗୁ ବା ନ ଲାଗୁ ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ପ୍ରାଦେଶିକ ଓ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଆାମକୁ ଆଉ କିଛି କାଳ ଏ ଅସୁବିଧାକୁ ମୁଣ୍ଡପାତି ସହି ନେବାକୁ ପଡ଼ିବ।
ବିଶ୍ୱିକ ମହାମାରୀର ସାମାଜିକ, ଆର୍ଥିକ, ମାନବିକ ଓ ରାଜନୈତିକ ପ୍ରଭାବ ସବୁବେଳେ ଅତି ଭୟଙ୍କର ହୋଇଥାଏ। ତାହାର ପ୍ରଭାବ କରୋନା ସଂକ୍ରମଣରୁ ଆମେ ଦେଖୁଛୁ। ସରକାର ଏହି ଲଢ଼େଇରେ ଲୋକବଳ, ଧନବଳ, ସାଧନ ଓ ଅନ୍ୟାନ୍ୟ ସମ୍ବଳ ପାରୁପର୍ଯ୍ୟନ୍ତ ଜୁଟାଉଛନ୍ତି। ଏଥିପାଇଁ ଅର୍ଥର ବିପୁଳ ଆବଶ୍ୟକତା ରହିଛି। ଆଗକୁ ଆର୍ଥିକ ସ୍ଥିତି ଭୟଙ୍କର ରୂପ ନେବ। ତେଣୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ମନ୍ତ୍ରୀ, ସାଂସଦ ଓ ସରକାରୀ କର୍ମଚାରୀଙ୍କ ବେତନ କାଟ ବ୍ୟବସ୍ଥା ଆରମ୍ଭ ହେଲାଣି। ବେସରକାରୀ ସଂସ୍ଥା ଓ ନିଜସ୍ୱ ଉଦ୍ୟମରେ ରୋଜଗାର କରୁଥିବା ଓ କର୍ମସଂସ୍ଥାନ ଦେଉଥିବା ସଂସ୍ଥା ଓ ଉଦ୍ୟୋଗର ଅବସ୍ଥା ମଧ୍ୟ ଖରାପ। ସେମାନେ ମଧ୍ୟ ଖର୍ଚ୍ଚକାଟ, ବେତନକାଟ ଭଳି କଠୋର ଓ ଅପ୍ରିୟ ନିଷ୍ପତ୍ତି ନେବାକୁ ବାଧ୍ୟ। ଆହୁରି ମଧ୍ୟ ଲକ୍ଡାଉନ ଅବଧି ବଢ଼ିଲେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା ଅଧିକ ଚାପଗ୍ରସ୍ତ ହେବ ଏବଂ ଲୋକେ ଅସୁବିଧାରେ ପଡ଼ିବେ। ସେଥିପାଇଁ ସରକାରଙ୍କୁ ଏହି ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁସଂହତ କରିବାକୁ ପଡ଼ିବ। ଏବେ ଦେଖାଯାଉଛି ଯେ ସରକାର ଯେଉଁ ବିକଳ୍ପ ଯୋଗାଣ ବ୍ୟବସ୍ଥା ଲକ୍ଡାଉନ୍ବେଳେ ଗ୍ରହଣ କରିଛନ୍ତି ତାହା ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁନାହିଁ। ତେଣୁ କିଛି ଲୋକ ବାଧ୍ୟ ହୋଇ ବାହାରକୁ ବାହାରୁଛନ୍ତି। ସେମାନେ ସମସ୍ତେ ଅବାଧ୍ୟ ବା ଅମାନିଆ ନୁହନ୍ତି। ସେମାନଙ୍କୁ ପୁଲିସ ଧୁଆମୂଳା ଅଧୁଆମୂଳା ନ୍ୟାୟରେ ମାରଧର କରିବାରୁ ନିବୃତ୍ତ ରହିବା ଆବଶ୍ୟକ। “ବୁଭୁକ୍ଷିତଃ କିଂ ନ’କେରାତି ପାପମ୍’ ନ୍ୟାୟରେ ଭୋକିଲା ଓ ଅସୁବିଧାରେ ପଡ଼ୁଥିବା ଲୋକଙ୍କୁ ଆବଶ୍ୟକ ସାହାଯ୍ୟ ସହଯୋଗର ବ୍ୟବସ୍ଥାକୁ ଅଧିକ ସୁସଂହତ କରାଯାଉ। ତା’ନହେଲେ ଲୋକେ ନିୟମ ଭାଙ୍ଗିବାକୁ ବାଧ୍ୟ ହେବେ ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବ। ଆମେ ସମସ୍ତେ ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରୁଛୁ। ଏହି ସମୟରେ ବ୍ୟାଧି ସଂକ୍ରମଣକୁ ରୋକିବାବେଳେ ମାନବିକତା ଓ ମଣିଷର ସର୍ବନିମ୍ନ ମୌଳିକ ଆବଶ୍ୟକତାକୁ ଉପେକ୍ଷା କରିହେବ ନାହିଁ। କାର୍ଯ୍ୟଟି କିପରି ନିଶ୍ଚିତ ହେବ ତାହାର ଦାୟିତ୍ୱ ସରକାରଙ୍କର ଅଧିକ।
Comments are closed.