www.samajalive.in
Saturday, December 6, 2025
19.1 C
Bhubaneswar

ଚକ୍ରବ୍ୟୂହରେ ଭାରତର ଅର୍ଥନୀତି

ବିଶ୍ୱ ଅର୍ଥନୀତି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଆମେରିକା ଓ ଚାଇନା ଭିତରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ନ ସରୁଣୁ କରୋନା ଭୁତାଣୁରେ ସଂକ୍ରମିତ ବିଶ୍ୱ ବର୍ତ୍ତମାନ ମୁକ୍ତ ଅନ୍ତର୍ଜାତୀୟ ବାଣିଜ୍ୟ ଓ ଜଗତୀକରଣ ଉପରେ ଅନେକ ପ୍ରଶ୍ନବାଚୀ ଉଠାଇଛି। ଡିସେମ୍ବର ୨୦୧୯ରେ ଚାଇନାରୁ ଜାତ କରୋନା ଭୂତାଣୁ (କୋଭିଡ୍‌-୧୯) ସାରା ବିଶ୍ୱକୁ କବଳିତ କରି ସାରିଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ମାର୍ଚ୍ଚ ୨୩ ସୁଦ୍ଧା, ଏହି ଭୂତାଣୁ ୧୮୮ଟି ଦେଶକୁ ବ୍ୟାପି ୨,୯୪, ୧୧୦ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିସାରିଛି ଏବଂ ୧୨,୯୪୪ ଜଣଙ୍କୁ ମୃତ୍ୟୁଶଯ୍ୟାକୁ ନେଇସାରିଲାଣି। ଭାରତରେ ୪୨୫ଜଣ ଆକ୍ରାନ୍ତ ହୋଇସାରିଲେଣି। ୟୁରୋପ ଓ ଉତ୍ତର ଆମେରିକାରେ ଏହି ରୋଗ ଅତି କ୍ଷିପ୍ର ଗତିରେ ବ୍ୟାପିବାରେ ଲାଗିଛି। ତେଣୁ ପ୍ରଭାବିତଙ୍କ ସଂଖ୍ୟା କେତେହେବ ତାହା ଏବେ ଆକଳନ କରିବା ଅସମ୍ଭବ।
କରୋନାର କରାଳ ଗ୍ରାସରୁ ନିଜ ଦେଶର ନାଗରିକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବିଶ୍ୱର ପ୍ରାୟ ସମସ୍ତ ଦେଶ ସେମାନଙ୍କର ଆନ୍ତର୍ଜାତିକ ସୀମାକୁ ବନ୍ଦ କରିବାରେ ଲାଗି ପଡ଼ିଛନ୍ତି। ବିଦେଶରୁ ଆସୁଥିବା ଅାଗନ୍ତୁକଙ୍କ ସଂଖ୍ୟାରେ ହ୍ରାସ ଘଟୁଛି। ଦେଶଦେଶ ଭିତରେ ଆମଦାନୀ-ରପ୍ତାନି ପ୍ରଚୁର ମାତ୍ରାରେ ହ୍ରାସ ପାଉଛି।
ଜଗତୀକରଣ ବିଶ୍ୱରେ ପ୍ରାୟ ପ୍ରତ୍ୟେକ ଦେଶ ଅନ୍ୟ ଦେଶ ଉପରେ ବିଭିନ୍ନ ଉପାୟରେ ନିର୍ଭରଶୀଳ। ଉଦାହରଣ ସ୍ୱରୂପ ଆମଦେଶରେ କମ୍ପ୍ୟୁଟର, ମୋବାଇଲ ଫୋନ ଭଳି ଅନେକ ବୈଦ୍ୟୁତିକ ଉପକରଣ ଉତ୍ପାଦନ ପାଇଁ ବ୍ୟବହୃତ କଞ୍ଚାମାଲ ଅନେକାଂଶରେ ଚାଇନାରୁ ଆସିଥାଏ। ଚାଇନାରେ ଶିଳ୍ପ ଓ ବ୍ୟବସାୟ ପ୍ରଭାବିତ ହେବା ଫଳରେ କଞ୍ଚାମାଲ ଆମଦାନୀ ବ୍ୟାହତ ହୋଇଛି। ଏହାଦ୍ବାରା ଘରୋଇ ଶିଳ୍ପ ସବୁ ଘୋର ପ୍ରଭାବିତ ହେବେ। ଦେଶ ବାହାରେ ଓ ଭିତରେ ଚାହିଦାର ହ୍ରାସ ଓ ଅନିଶ୍ଚିତତା ଫଳରେ ଶିଳ୍ପକ୍ଷେତ୍ରରେ ପୁଞ୍ଜିନିବେଶ ହ୍ରାସ ପାଇବ। ପୁଞ୍ଜି ନିବେଶ ହ୍ରାସ ପାଇଲେ ନିଯୁକ୍ତି ହ୍ରାସ ପାଇବ।
କରୋନା ବିଶ୍ୱ ଅର୍ଥନୀତିକୁ ଅତିମାତ୍ରାରେ ପ୍ରଭାବିତ କରିବାକୁ ଯାଉଛି। ବିଶ୍ୱ ଅର୍ଥନୀତି ୨୦୨୦ରେ ୩.୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ବିଶ୍ବବ୍ୟାଙ୍କ ଆଗରୁ ଆକଳନ କରିଥିଲା, କିନ୍ତୁ ତାହା ବର୍ତ୍ତମାନ ଆହୁରି ହ୍ରାସ ପାଇବ। ବିଶ୍ୱ ଅର୍ଥନୀତିର (୨୦୧୮ମସିହାରେ ଯାହା ୮୫ ଟ୍ରିଲିୟନ ଡଲାର ଥିଲା) ପ୍ରାୟ ୩୦ ପ୍ରତିଶତ ଦେଶଦେଶ ଭିତରେ ବାଣିଜ୍ୟ ଜରିଆରେ ହୋଇଥାଏ। ଏଥିମଧ୍ୟରୁ ଦ୍ରବ୍ୟ ୧୯.୫ ଟ୍ରିଲିଅନ ଡଲାର ଓ ସେବା ୫.୮ ଟ୍ରିଲିଅନ ଡଲାର। ୨୦୧୮ମସିହାରେ ବିଶ୍ୱ ଦ୍ରବ୍ୟ ବାଣିଜ୍ୟ ୨.୪% ହ୍ରାସ ପାଇଥିଲା ଏବଂ ସେବା ବାଣିଜ୍ୟ ୨.୭% ବୃଦ୍ଧି ପାଇଥିଲା। ୨୦୨୦-୨୧ରେ ଏହା ଆହୁରି ଅଧିକ ହ୍ରାସ ପାଇବ।
ଭାରତର ମୋଟ ବୈଦେଶିକ ବାଣିଜ୍ୟ ଜାତୀୟ ଉତ୍ପାଦର ପାଖାପାଖି ୨୯% ଅଟେ। ତନ୍ମଧ୍ୟରୁ ଆମଦାନୀ ୧୮% ଏବଂ ରପ୍ତାନି ମାତ୍ର ୧୧ %। ଆମର ଅନେକ ରପ୍ତାନି ଦ୍ରବ୍ୟ ଯଥେଷ୍ଟ ଅଧିକ ଆମଦାନୀ ଉପରେ ନିର୍ଭର କରିଥାଏ। ଯେମିତିକି ହୀରା ଅଳଙ୍କାର ରପ୍ତାନି ପାଇଁ ହୀରା ପଥର ଆମଦାନୀ, ଔଷଧ ରପ୍ତାନି ପାଇଁ କଞ୍ଚାମାଲ, ପେଟ୍ରୋଲିଅମ ଜାତ ଦ୍ରବ୍ୟ ରପ୍ତାନି ପାଇଁ ଶୋଧିତ ତୈଳର ଆମଦାନୀ ଇତ୍ୟାଦି। ତେଣୁ ଆମଦାନୀ ପ୍ରଭାବିତ ହେଲେ ରପ୍ତାନି ନିଶ୍ଚିତ ଭାବରେ ପ୍ରଭାବିତ ହେବ।
ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ ଦେଶ ମୁକ୍ତବାଣିଜ୍ୟ ନୀତିର ପୁନର୍ବିଚାର କରିପାରନ୍ତି। ନିଜର ଶିଳ୍ପାୟନ ପ୍ରକ୍ରିୟାକୁ ଜାରି ରଖିବାକୁ ହେଲେ କଞ୍ଚାମାଲ ପାଇଁ ଅନ୍ୟଦେଶ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବା କେବେ ବି ବିଜ୍ଞ ନିଷ୍ପତ୍ତି ନୁହେଁ, ତାହା ବର୍ତ୍ତମାନର ପରିସ୍ଥିତି ଅନେକ ଦେଶକୁ ଶିକ୍ଷା ପ୍ରଦାନ କରୁଛି। ଯଦିଓ ବିଶ୍ୱବ୍ୟାଙ୍କ ଏହି ସମୟରେ ସମଗ୍ର ବିଶ୍ୱକୁ ଏହିପରି ନୀତି ଆପଣାଇବାକୁ ନିରୁତ୍ସାହିତ କରୁଛି, ଏହା ହୁଏତ ଅନେକ ଦେଶର ଆଇନ ପ୍ରଣେତାଙ୍କୁ ହୃଦବୋଧ କରିବାରେ ବିଫଳ ହୋଇପାରେ। ଠିକ ସେହିପରି ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବିଦେଶ ଉପରେ ନିର୍ଭରଶୀଳ ରାଷ୍ଟ୍ରମାନେ ସ୍ବଦେଶୀ ନୀତି ପୁଣି ଥରେ ଗ୍ରହଣ କରିବାକୁ ଶ୍ରେୟ ମନେ କରିବେ।
ଆମ ଦେଶର ଶିଳ୍ପ କ୍ଷେତ୍ରରେ ବିଗତ କିଛିବର୍ଷ ହେଲା ପୁଞ୍ଜିନିବେଶ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। କରୋନାର ପ୍ରଭାବରେ ଶିଳ୍ପକ୍ଷେତ୍ରରେ ପୁଞ୍ଜିନିବେଶ ଆହୁରି ଅଧିକ ହ୍ରାସ ପାଇବ। ଭାରତରେ ବିମାନସେବା ଶିଳ୍ପ ଅତ୍ୟନ୍ତ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। କରୋନାରେ ପ୍ରଭାବିତ ହେବା ପୂର୍ବରୁ ବିମାନସେବା ଯୋଗାଉଥିବା କମ୍ପାନୀଗୁଡ଼ିକ କ୍ଷତି ସହୁଥିବାର ଖବର ଆମେମାନେ ଅବଗତ ଥିବା। କରୋନା ପ୍ରଭାବରେ ବିମାନସେବା କମ୍ପାନୀ ଗୁଡ଼ିକ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି। ଅନେକ ବିମାନ ସେବା କମ୍ପାନୀ ହୁଏତ ଏହି କ୍ଷତି ସହ୍ୟ କରି ନପାରି ବ୍ୟବସାୟରୁ ସମ୍ପୂର୍ଣ୍ଣ ଭାବରେ ଓ଼ହରି ଯାଇପାରନ୍ତି। ଯାତ୍ରୀମାନଙ୍କ ଯାତାୟାତରେ କଟକଣା ଜାରି ଯୋଗୁଁ ହୋଟେଲ ଶିଳ୍ପ ଓ ପରିବହନ ଶିଳ୍ପ ବିଶେଷଭାବରେ କ୍ଷତିଗ୍ରସ୍ତ ହେବ।
ଭାରତୀୟ ଅର୍ଥନୀତି ୨୦୧୯-୨୦ ଆର୍ଥିକ ବର୍ଷରେ ୫% ଅଭିବୃଦ୍ଧି ହାସଲ କରିବ ବୋଲି ଯାହା ଆକଳନ କରାଯାଇଥିଲା ତାହା ପୁଣି ହ୍ରାସ ପାଇବାର ସମ୍ଭାବନା ରହିଛି। ଜାତୀୟ ଉତ୍ପାଦ ହ୍ରାସ ପାଇଲେ ସରକାରଙ୍କର ରାଜସ୍ୱ ସଂଗ୍ରହ ହ୍ରାସ ପାଇବ। ରାଜସ୍ୱ ହ୍ରାସ ପାଇଲେ ସରକାର କମ ଖର୍ଚ୍ଚ କରିବେ। କମ୍‌ ଖର୍ଚ୍ଚ ହେଲେ ଦେଶର ମୋଟ ଚାହିଦା ପୁଣି ହ୍ରାସ ପାଇବ। ଏ ପରିସ୍ଥିତିରେ ସରକାର ଆର୍ଥିକ ନୀତି ନିର୍ଦ୍ଧାରଣ କରିବାରେ ଅନେକ ଦ୍ୱନ୍ଦ୍ବର ସମ୍ମୁଖୀନ ହେବେ। କେନ୍ଦ୍ରରୁ ରାଜ୍ୟମାନଙ୍କୁ ଅର୍ଥପ୍ରବାହ ମଧ୍ୟ ହ୍ରାସ ପାଇବ। ଏହିପରି ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବେ।
ଦେଶର ଆର୍ଥିକ ସଂକଟକୁ ଅନୁମାନ କରି ସେୟାର ବଜାରରେ ଅନେକ ପତନ ଦେଖିବାକୁ ମିଳୁଛି। ସେନସେକ୍ସ ଜାନୁଆରୀରୁ ମାର୍ଚ୍ଚ ଭିତରେ ୪୧,୯୫୨ ପଏଣ୍ଟରୁ ଖସି ଆସି ୩୦, ୫୭୯ରେ ପହଞ୍ଚି ସାରିଲାଣି। ଏଥିରେ ଅନେକ ପୁଞ୍ଜି ନିବେଶକାରୀ କୋଟିକୋଟି ଟଙ୍କାର କ୍ଷତି ସହିଲେଣି। ବିଦେଶୀ କମ୍ପାନୀମାନେ ମଧ୍ୟ ନିଜର ପୁଞ୍ଜି ପ୍ରତ୍ୟାହାର କରି ନେଉଛନ୍ତିି।
ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଓ ଶିଳ୍ପ କ୍ଷେତ୍ରରେ ମାନ୍ଦାବସ୍ଥା ସହିତ ବ୍ୟାଙ୍କମାନଙ୍କ ମଧ୍ୟରେ ଦେଖା ଦେଇଥିବା ଆର୍ଥିକ ସଙ୍କଟ ଦେଶର ଅର୍ଥନୀତିକୁ ଆହୁରି ଦୁର୍ବଳ କରି ପକାଉଛି। ୟେସ ବ୍ୟାଙ୍କର ସଙ୍କଟ ଜମାକାରୀମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଛି। ରିଜର୍ଭ ବ୍ୟାଙ୍କର ଆଶ୍ୱାସନା ସତ୍ତ୍ବେ ସାଧାରଣ ନାଗରିକ ଘରୋଇ ବ୍ୟାଙ୍କରେ ଅର୍ଥ ସଞ୍ଚୟ କରିବା ପାଇଁ ଆଗକୁ ଅନେକ ଥର ଚିନ୍ତା କରିବେ। ସାଧାରଣ ଲୋକଙ୍କ ମଧ୍ୟରେ ଏକ ଭାବନା ସୃଷ୍ଟି ହେଉଛି ଯେ ଶିଳ୍ପପତିମାନେ ସେମାନଙ୍କର ଟଙ୍କା ନେଇ ବ୍ୟବସାୟ କରି ଅନେକ ଲାଭ ଉପାର୍ଜନ କରୁଛନ୍ତି; ଅଥଚ ଋଣ ଶୁଝିବାର ନାଁ ଗନ୍ଧ ଧରୁ ନାହାନ୍ତି। କେହିକେହି ଦେଶ ଛାଡ଼ି ପଳାୟନ ମଧ୍ୟ କରୁଛନ୍ତି। ଏସବୁ ସତ୍ତ୍ବେ ସରକାର ଇଚ୍ଛାକୃତ ରୁଣ ଖିଲାପକାରୀଙ୍କ ନାମ ସାର୍ବଜନୀନ କରିବା ପାଇଁ ପଦକ୍ଷେପ ନେଉନାହାନ୍ତି। ବରଂ ବିଡ଼ମ୍ବନାର ବିଷୟ ଯେ ମନ୍ଦାବସ୍ଥାର ଦ୍ୱାହି ଦେଇ ପୁଞ୍ଜିପତିମାନଙ୍କୁ ଟିକସ କୋହଳ ଏବଂ ଛାଡ଼ କରାଯାଉଥିବା ବେଳେ ମଧ୍ୟବିତ୍ତମାନଙ୍କ ପାଇଁ କୌଣସି ବିଶେଷ ପଦକ୍ଷେପ ନିଆଯାଉ ନାହିଁ।
ଘରୋଇ କମ୍ପାନୀମାନେ ଲାଭ କରୁଥିବା ସମୟରେ ଅଧିକ କର ଦେବା ପାଇଁ କେବେ ରାଜି ହୋଇ ନ ଥାନ୍ତି; ଅଥଚ କ୍ଷତି ସହିଲା ବେଳେ ସରକାର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆଗଭର ହୋଇଆସନ୍ତି। ଏହାକୁ ସାଧାରଣରେ ଲାଭର ଘରୋଇକରଣ ଓ କ୍ଷତିର ଜାତୀୟକରଣ ବୋଲି ସମାଲୋଚନା କରାଯାଉଛି। ନିକଟରେ ଅରବିନ୍ଦ ପାନାଗାରିଆ ତାଙ୍କର ପୁସ୍ତକ ‘ଇଣ୍ଡିଆ ଅନଲିମିଟେଡ୍‌’ ରେ ଉଲ୍ଲେଖ କରିଛନ୍ତି ଯେ ଆର୍ଥିକ ସଙ୍କଟ ସମୟରେ ଭାରତୀୟ ଶିଳ୍ପ ଏହାକୁ ସୁଯୋଗ ବୋଲି ଭାବି ସେମାନଙ୍କର ଦକ୍ଷତା ବୃଦ୍ଧି ନ କରି ସରକାରଙ୍କରଠାରୁ ଅଧିକ ରିଆତି ବା କର ହ୍ରାସ ପାଇଁ ଦାବି କରିଥାନ୍ତି।
ଭାରତକୁ ପାଞ୍ଚ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଞ୍ଚାଇବାକୁ ହେଲେ ଅନେକ ଢାଞ୍ଚାଗତ ସଂସ୍କାରର ଆବଶ୍ୟକତା ରହିଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତୀୟ ଉଦ୍ୟୋଗପତିମାନେ ନିଜର ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନେବା ଉଚିତ। ପ୍ରତିଟି ଦ୍ରବ୍ୟ ବିଦେଶରୁ ଆମଦାନୀ ନକରି ତାହା କିପରି ଦେଶ ଭିତରେ କମ ଦରରେ ଗୁଣବତ୍ତା ରକ୍ଷାକରି ଉତ୍ପାଦନ କରି ହେବ ତାହା ଉପରେ ଗୁରୁତ୍ୱ ଦେବା ଉଚିତ। ସାମ୍ପ୍ରତିକ ପରିସ୍ଥିତିରେ ସରକାରଙ୍କର ରାଜସ୍ୱ ସଂଗ୍ରହ ହ୍ରାସ ପାଇଲେ ମଧ୍ୟ ବିସ୍ତାରିତ ଆର୍ଥିକ ନୀତି ଉପରେ ପ୍ରାଧାନ୍ୟ ଦେବା ବିଧେୟ। ଦେଶରୁ କରୋନା ଭୂତାଣୁକୁ ପ୍ରତିହତ କରିବା ସହ ଅର୍ଥନୈତିକ ଅଭିବୃଦ୍ଧିକୁ କିପରି କ୍ଷିପ୍ରତର କରିହେବ ତାହା ପାଇଁ ଉଭୟ କେନ୍ଦ୍ର ଓ ସମସ୍ତ ରାଜ୍ୟସରକାର ଏକାଠି ନୀତି ନିର୍ଦ୍ଧାରଣ କରିବା ଏହି ସମୟର ଆବଶ୍ୟକତା। ଏଥି ନିମିତ୍ତ ଜିଏସଟି ପରିଷଦ ଭଳି ବା ପୂର୍ବତନ ଜାତୀୟ ବିକାଶ ପରିଷଦ ପରି ଏକ ପରିଷଦର ଆବଶ୍ୟକତା ରହିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories