ଓଡ଼ିଆଭାଷା ଓ ନିର୍ବାଚନ
ରବିରଞ୍ଜନ ସାହୁ
ଏବେ ଲୋକସଭାର ଓ ଓଡ଼ିଶା ବିଧାନସଭା ପାଇଁ ନିର୍ବାଚନ ହେଉଛି। କ୍ଷମତାସୀନ ଦଳ ପୁଣି ସରକାର ଗଢ଼ିବ କିମ୍ବା ଅନ୍ୟଦଳ କ୍ଷମତାକୁ ଆସିବ ତାହା ସ୍ପଷ୍ଟ ହେବ। ନିର୍ବାଚନରେ ପ୍ରଚାରକୁ ସବୁ ଦଳ ଗୁରୁତ୍ବ ଦେଇଥାନ୍ତି ଓ ଦେଉଛନ୍ତି ମଧ୍ୟ। ଅନ୍ୟ ଏକ କଥା ହେଉଛି ପ୍ରତ୍ୟେକ ନିର୍ବାଚନରେ ପ୍ରସଙ୍ଗର ଗୁୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଗୋଟିଏ ଗୋଟିଏ ପ୍ରସଙ୍ଗକୁ କେନ୍ଦ୍ରକରି ସରକାର ବଦଳିଯିବାର ଅନେକ ଉଦାହରଣ ରହିଛି। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଭାଷା କେବେହେଲେ ପ୍ରମୁଖ ପ୍ରସଙ୍ଗ ହୋଇପାରି ନାହିଁ। ପୂର୍ବରୁ ଓଡ଼ିଆ ଭାଷାର ସୁରକ୍ଷା ନେଇ ଅନେକ କଥା କୁହାଯାଉଥିଲା, ମାତ୍ର ଆଶ୍ଚର୍ଯ୍ୟର କଥା କୌଣସି ରାଜନୀତିକ ଦଳ ପକ୍ଷରୁ ଓଡ଼ିଆ ଭାଷାର ସୁରକ୍ଷାକୁ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ କରାଗଲା ନାହିଁ। କେତେକ ରାଜନୀତିକ ଦଳର ପ୍ରକାଶିତ ଇସ୍ତାହାରରେ ଅବଶ୍ୟ ଭାଷା ସୁରକ୍ଷା କଥା କୁହାଯାଇଛି, ମାତ୍ରର ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ଓ ଯେଉଁ ରାଜକର୍ମଚାରୀ ଏହା ପାଳନ ନକରନ୍ତି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ, ଦୋଷାରୋପ କରି ସେମାନଙ୍କ ପ୍ରତି ଦଣ୍ଡବିଧାନ କରାଯିବା ନେଇ ପ୍ରତିଶ୍ରୁତିବଦ୍ଧତା ନାହିଁ।
ବିଜୁ ଜନତାଦଳ ତା’ର ନିର୍ବାଚନ ଇସ୍ତାହାରରେ ଓଡ଼ିଆ ସ୍ବାଭିମାନକୁ ଗୁରୁତ୍ବ ଦେଇଛି। ଅନ୍ୟ କେତେକ ରାଜନୀତିକ ଦଳ ମଧ୍ୟ ସେମାନଙ୍କ ଦ୍ବାରା ପ୍ରକାଶିତ ଇସ୍ତାହାରରେ ଓଡ଼ିଆ ଭାଷା ଉନ୍ନତି କଥା କହିଛନ୍ତି, ମାତ୍ର ପରିତାପର ବିଷୟ ଯେ କୌଣସି ଗୋଟିଏ ଦଳ ଭାଷାକୁ ନିର୍ବାଚନର ପ୍ରସଙ୍ଗ କରିନାହାନ୍ତି। ଅବଶ୍ୟ ନିର୍ବାଚନ ଅବସରରେ ବେକାରୀ, ଦାରିଦ୍ର୍ୟ, ଦୁର୍ନୀତି ଆଦି ପ୍ରସଙ୍ଗ ହୋଇଆସିଥାଏ। କେବେ କେବେ କୃଷି, ଶିଳ୍ପକୁ ପ୍ରସଙ୍ଗ କରି ରାଜନୀତିକ ଦଳ ଓ ନେତା ନିର୍ବାଚନ ବୈତରଣୀ ପାର ହୋଇଛନ୍ତି, କିନ୍ତୁ ଆଜି ଯାଏ ଓଡ଼ିଆ ଭାଷା କୌଣସି ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରିଲା ନାହିଁ। ଓଡ଼ିଆ ଭାଷାକୁ ପ୍ରସଙ୍ଗ ନ କରି ଏହାର ସୁରକ୍ଷା ଓ ବିକାଶ ଦିଗରେ ରାଜନୀତିକ ଦଳ ଓ ରାଜନେତାମାନେ ଯାହା କହିଲେ ବା ପ୍ରତିଶ୍ରୁତି ଦେଲେ ତାହା ଯଥେଷ୍ଟ ହେବନାହିଁ। ପରିତାପର ବିଷୟ ଯେ ନିର୍ବାଚନ ପ୍ରଚାର ବେଳେ ଦଳ ଓ ନେତା ବିଦେଶୀ ଭାଷାକୁ ଅଧିକ ବ୍ୟବହାର କରୁଛନ୍ତି। ପ୍ରଚାରରେ ଓଡ଼ିଆ ଭାଷା ଅବହେଳାର ଶିକାର ହେଉଥିବା ଦେଖାଯାଉଛି। ଅବଶ୍ୟ ରାଷ୍ଟ୍ରୀୟ ସ୍ତରରେ ଥିବା ରାଜନୀତିକ ଦଳ ପ୍ରଚାର ସମୟରେ ବା ସଭାସମିତିରେ ରାଷ୍ଟ୍ରଭାଷା ହିନ୍ଦୀକୁ ବ୍ୟବହାର କରିବା ସହିତ ଇଂରାଜୀକୁ ମଧ୍ୟ ବ୍ୟବହାର କରୁଛନ୍ତି। ଆଞ୍ଚଳିକ ସ୍ତରରେ ରାଜନୀତିକ ଦଳଗୁଡ଼ିକ ପ୍ରଚାରବେଳେ ଆଞ୍ଚଳିକ ଭାଷା ବ୍ୟବହାର କରିବା ଉଚିତ। ରାଜନୀତିକ ଦଳ ଓ ପ୍ରାର୍ଥୀଙ୍କ ଦ୍ବାରା ପ୍ରଚାରରେ ବ୍ୟବହାର ହେଉଥିବା ସାମଗ୍ରୀ, ବ୍ୟାନର, ହୋର୍ଡ଼ିଂ, ନିର୍ବାଚନୀ ସଭା ଆଦିରେ କେବଳ ଓଡ଼ିଆ ଭାଷା ରହୁନାହିଁ। ସରକାରୀ ଭାବେ ଓଡ଼ିଆ ଭାଷା ବ୍ୟବହାର ଯେପରି ବାଧ୍ୟତାମୂଳକ ହେବାକଥା ସେହିପରି ନିର୍ବାଚନ ପ୍ରଚାରରେ ମଧ୍ୟ ହେବା ଜରୁରୀ, କିନ୍ତୁ ତାହା ପରିଦୃଶ୍ୟ ହେଉନାହିଁ।
ଦକ୍ଷିଣ ଭାରତ, ଉତ୍ତର ଭାରତ ଏପରିକି ପୂର୍ବ ଭାରତର ପଶ୍ଚିମ ବଙ୍ଗରେ ପ୍ରାଦେଶିକ ଭାଷାକୁ ଯଥେଷ୍ଟ ଗୁରୁତ୍ବ ଓ ସମ୍ମାନ ଦିଆଯାଉଛି, ମାତ୍ର ଓଡ଼ିଶାରେ ତାହା ଦୃଷ୍ଟିଗୋଚର ହେଉନାହିଁ। ଭାଷଣରେ ସୀମିତ ରହି ନେତାମାନେ ଭାଷାର ସୁରକ୍ଷା କଦାପି କରିପାରିବେ ନାହିଁ। ଏହା ମଧ୍ୟ ସେମାନଙ୍କର ଓଡ଼ିଶା ପ୍ରୀତି ଓ ସ୍ବାଭିମାନକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି। ଯେ ପର୍ଯ୍ୟନ୍ତ ଓଡ଼ିଆ ଭାଷା ପ୍ରତି ସମ୍ମାନ, ଆଦର ଓ ସ୍ବାଭିମାନ ସେମାନଙ୍କ କାର୍ଯ୍ୟରେ ପ୍ରକାଶ ନପାଇଛି, ସେତେବେଳେ ଯାଏ ଭାଷାର ଗୌରବ ବଢ଼ାଇବାରେ ଏହା ସହାୟକ ହେବନାହିଁ। ରାଜନୀତିକ ଦଳ, ଏହାର ନେତୃତ୍ବ ଓ ପ୍ରେତ୍ୟକ ଦଳର ନେତା, କର୍ମୀଙ୍କଠାରେ ଭାଷା ପ୍ରୀତି ପ୍ରକାଶ ପାଇବା ବାଞ୍ଛନୀୟ। ନିର୍ବାଚନ ଏକ ଅବସର, ଯେଉଁଥିରେ ଗଣତନ୍ତ୍ରକୁ ଆଗକୁ ନେବା, ତା’ର ବିକାଶ ଓ ଉନ୍ନତିିରେ ସହାୟକ ହେବା ସଙ୍ଗେସଙ୍ଗେ ଏହି ଅବସରରେ ଜନଆଧାରିତ ପ୍ରସଙ୍ଗଗୁଡ଼ିକୁ ଆଗକୁ ଆଣି ସେ ଦିଗରେ ଅଗ୍ରସର ହେବା ରାଜନେତାମାନଙ୍କର କର୍ତ୍ତବ୍ୟ ହେବା ଉଚିତ। ସାଧାରଣ ଲୋକେ, ଜନତା ନାମାଙ୍କନ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ରହିଛି ଓ ରାଜନେତା, ରାଜନୀତିକ ଦଳ ଏବଂ ସାଧାରଣ ଜନତାଙ୍କଠାରେ ଏପରି ଭାଷା ପ୍ରୀତି, ମାତୃଭାଷା ପ୍ରତି ସମ୍ମାନ, ଆଦର ତଥା ତା’ର ସମୃଦ୍ଧି ପାଇଁ ପ୍ରତିବଦ୍ଧତା ପ୍ରକାଶ ପାଇଲେ ହିଁ ଆମେ ଆମ ଭାଷାର ଗୌରବ ବଢ଼ାଇ ପାରିବା ଓ ବିଶ୍ବରେ ଓଡ଼ିଆ ଭାଷାକୁ ଏକ ଅଗ୍ରଣୀ ଭାଷାର ମାନ୍ୟତା ହୋଇ ପାରିବା। ପ୍ରତ୍ୟେକ ସ୍ବାଭିମାନୀ ରାଜନେତା ଏଥିପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।
ଚାନ୍ଦିନୀଚୌକ, କଟକ-୨
Comments are closed.