www.samajalive.in
Thursday, December 11, 2025
13.1 C
Bhubaneswar

ପୁଣି ରାଫେଲ ଲେଉଟିଲା

ରାଫେଲ ଯୁଦ୍ଧ ବିମାନ କ୍ରୟ ମାମଲାର ପୁନଃ ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା କେବଳ ବିଜେପି ନେତୃତ୍ବରେ ପରିଚାଳିତ ଏନଡିଏ ସରକାର ପାଇଁ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିନାହିଁ, ଏହା ଏକାଧିକ ପ୍ରସଙ୍ଗ ଉତ୍‌ଥାପିତ କରିଛି ଯେଉଁଥିରେ ସୁପ୍ରିମକୋର୍ଟ ନିଜର ଡିସେମ୍ବର ୨୦୧୮ ରାୟର ପୁନଃ ସମୀକ୍ଷା ମଧ୍ୟ କରିବେ। ଡିସେମ୍ବରରେ ସର୍ବୋଚ୍ଚ ଅଦାଲତ ରାଫେଲ ମାମଲାରେ ସରକାରଙ୍କୁ ନିର୍ଦୋଷ ଘୋଷଣା କରିଥିଲେ। ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହି ପ୍ରସଙ୍ଗ ପୁଣି ବିବାଦୀୟ ହୋଇ ପୁୁନର୍ବିଚାର ପାଇଁ ଗୃହୀତ ହେବା ନିଶ୍ଚିତ ବିଜେପିକୁ ସୁହାଇବ ନାହିଁ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଆବେଦନକାରୀ ଯଶୋବନ୍ତ ସିହ୍ନା, ଅରୁଣ ସୌରୀ ଓ ପ୍ରଶାନ୍ତ ଭୂଷଣ ଅଦାଲତରେ ଏହି କାରବାର ସଂକ୍ରାନ୍ତ ଯେଉଁସବୁ ତଥ୍ୟ ପ୍ରମାଣ ଉପସ୍ଥାପିତ କରିଛନ୍ତି ତାହା ପ୍ରତିରକ୍ଷା ମନ୍ତ୍ରଣାଳୟ ଫାଇଲରୁ ଫଟୋକପି ହୋଇଥିବାରୁ ଏହାର ବିଶ୍ବସନୀୟତାକୁ ପ୍ରଶ୍ନ କରାଯାଇ ପାରିବ ନାହିଁ। ଏସବୁ ନିଷିଦ୍ଧ ଓ ବିଶେଷାଧିକାର ନଥି ଏବଂ ଏହାକୁ ଅସାଧୁ ଉପାୟରେ କିଛି ବ୍ୟକ୍ତି ହାତେଇଥିବାରୁ ଏହାକୁ ଭିତ୍ତିକରି ରିଭ୍ୟୁ ପିଟିସନ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରସରକାରଙ୍କ ଯୁକ୍ତିକୁ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ପ୍ରଧାନବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ବିଚାର ପାଇଁ ତାରିଖ ଧାର୍ଯ୍ୟ କରିବାସହ ରାଫେଲ ବିମାନର ମୂଲ୍ୟ ନିର୍ଦ୍ଧାରଣ, ଏଥିରେ ଅନୀଲ ଅମ୍ବାନୀଙ୍କ କମ୍ପାନୀର ସଂପୃକ୍ତି ଏବଂ ଅନ୍ୟାନ୍ୟ ସମସ୍ତ ପ୍ରସଙ୍ଗର ସବିଶେଷ ଶୁଣାଣି ଯୋଗ୍ୟତା ଓ ଯଥାର୍ଥତା ଅନୁସାରେ କରିବେ।
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସୂଚାଉଛି ଯେ ଏଣିକି ଶ୍ରେଣୀବଦ୍ଧ ନଥି, ଯାହା ଅନୁଚିତ ଉପାୟରେ ହେଉ ପଛକେ ଗଣମାଧ୍ୟମର ହସ୍ତଗତ ହୋଇଥିବ ତାହା ପ୍ରମାଣ ଭାବେ ଗୃହୀତ ହୋଇପାରିବ। ଅତଏବ ମୁକ୍ତ ଗଣମାଧ୍ୟମ ପାଇଁ ଏହା ଏକ ବିରାଟ ବିଜୟ। ବିଚାରପତିଗଣ ଏହି ତଥାକଥିତ ‘ନିଷିଦ୍ଧ’ ‘ନଥି’ର ସ୍ପର୍ଶକାତରତାକୁ ଯଥାର୍ଥରେ ବିଚାରକୁ ନେଇଛନ୍ତି ଯେଉଁଥିପାଇଁ ଆବେଦନକାରୀ ପ୍ରାର୍ଥନା କରିଥିଲେ। କୌଣସି ତଥ୍ୟ ପ୍ରମାଣ ସତ୍ୟାସତ୍ୟ ନିରୂପଣ କରିବାକୁ ଯଦି ପ୍ରାସଙ୍ଗିକ ଏବଂ ଅପରିହାର୍ଯ୍ୟ ହେଉଥାଏ, ତାହା ଆବେଦନକାରୀ କିପରି ପାଇଲେ ତାହା ଖୋଜିବା ନିଶ୍ଚିତ ଅନାବଶ୍ୟକ। ସରକାରୀ ଫାଇଲରୁ ପ୍ରତିରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗର ଗୁରୁତ୍ବପୂର୍ଣ୍ଣ ତଥ୍ୟ, ଫଟୋକପି ଚୋରି ହୋଇ ପ୍ରଘଟ ହେବା ଏବଂ ସରକାର ତଥ୍ୟ ଲୁଚାଇବା ଗର୍ହିତ ନୁହେଁକି? ନିଜକୁ ଦୁର୍ନୀତିମୁକ୍ତ ଦାବି କରି ଆସୁଥିବା ମୋଦୀ ସରକାରଙ୍କ ବିରୋଧରେ ରାଫେଲ ଚୁକ୍ତି ଦୁର୍ନୀତି ଏକ ବଡ଼ ଅଭିଯୋଗ। ସର୍ବୋଚ୍ଚ ଅଦାଲତରେ ଏହି ମାମଲା ଥରେ ଖାରଜ ହୋଇ ଚାରିମାସ ପରେ ପୁନର୍ବିଚାର ପାଇଁ ଗୃହୀତ ହେବା ନିଶ୍ଚୟ ଗଣମାଧ୍ୟମ ଓ ଏଥି ସହିତ ସଂପୃକ୍ତ ପକ୍ଷଙ୍କର ବିଜୟ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories