ଠିକ୍ ଭୁଲ୍ ବିଚାର ପ୍ରତି ଦୃଷ୍ଟି ନଦେଇ ଦୁର୍ବଳତାବଶତଃ ଏଭଳି ଅନେକ କାର୍ଯ୍ୟ କରାଯାଏ, ଯାହାର ପରିଣତି ଅତି ବିଷମୟ ହୋଇଥାଏ। ଏହାର ଫଳ କେବଳ ସଂପୃକ୍ତ କର୍ତ୍ତା ଭୋଗି ନଥାନ୍ତି, ଅନେକେ ଏହାର ଦାବାଗ୍ନିରେ ଜଳିପୋଡ଼ି ପାଉଁଶ ହୋଇଯାନ୍ତି। ଏହି ଅହେତୁକ ଦୁର୍ବଳତାକୁ କୁହାଯାଏ ମୋହ। ମୋହାନ୍ଧ ବ୍ୟକ୍ତି ସ୍ବାର୍ଥସର୍ବସ୍ବ ହୋଇ ହିତାହିତ ଜ୍ଞାନ ହରାଇଥାନ୍ତି। ବାରମ୍ବାର ଭୁଲକୁ ପ୍ରଶ୍ରୟ ଦେଇଥାନ୍ତି। ଏହିଭଳି ଏକ ଚରିତ୍ର ଥିଲେ ଧୃତରାଷ୍ଟ୍ର। ଧୃତରାଷ୍ଟ୍ର କେବଳ ଅନ୍ଧ (ଚକ୍ଷୁହୀନ) ନଥିଲେ, ପୁତ୍ରମୋହରେ ମଧ୍ୟ ଅନ୍ଧଥିଲେ। ପୁତ୍ର ମୋହଜନିତ ଦୁର୍ବଳତା ତାଙ୍କୁ ବିଚାରଶୂନ୍ୟ କରିଦେଇଥିଲା। ଅହଂକାରୀ, ଗର୍ବୀ ଦୁେର୍ଯ୍ୟାଧନଙ୍କ ପ୍ରତ୍ୟେକଟି କୁକର୍ମକୁ ସେ ନିର୍ବଚାରରେ ପ୍ରଶ୍ରୟ ଦେଇ ଚାଲିଥିଲେ। ଏହାର ପରିଣାମରେ ଆଖିଆଗରେ ନିଜ ବଂଶନାଶ ହୋଇଯାଇଥିଲା, ଶତପୁତ୍ରଙ୍କ ମୃତ୍ୟୁଜନିତ ଦୁଃସହ ହୋଇଯାଇଥିଲା, ମାନସିକ ଯନ୍ତ୍ରଣା ଭୋଗିବାକୁ ହୋଇଥିଲା।
ପାଣ୍ଡବମାନଙ୍କ ପ୍ରତି ଦୁେର୍ଯ୍ୟାଧନଙ୍କ କପଟାଚରଣ ବେଳୁବେଳ ବଢ଼ିବାକୁ ଲାଗିଥାଏ। ମହର୍ଷି ବ୍ୟାସ ଏହା ଦେଖି ଚିନ୍ତିତ ହୋଇ ପଡ଼ିଥିଲେ। ଦ୍ୟୂତକ୍ରୀଡ଼ାରେ ଦୁେର୍ଯ୍ୟାଧନ ପାଣ୍ଡବମାନଙ୍କୁ କପଟତାପୂର୍ବକ ପରାସ୍ତକରି ବନକୁ ପଠାଇବାପରେ ମଧ୍ୟ ସେତିକିରେ ସନ୍ତୁଷ୍ଟ ନହୋଇ ସେମାନଙ୍କ ନିଧନ ଲକ୍ଷ୍ୟରେ ଥିଲେ। ମହର୍ଷି ବ୍ୟାସ ଏହାର ପ୍ରତିକାର ଆଶାରେ ଏକାନ୍ତରେ ଧୃତରାଷ୍ଟ୍ରଙ୍କୁ ଭେଟିବାର ଇଚ୍ଛାପ୍ରକଟ କରିଥିଲେ। ତଦନୁଯାୟୀ ଧୃତରାଷ୍ଟ୍ର ପାରିଷଦବର୍ଗଙ୍କୁ ହଟାଇ ଦେଇଥିଲେ। ମହର୍ଷି ଧୃତରାଷ୍ଟ୍ରଙ୍କୁ ସଚେତନ କରାଇ ଦେଇ କହିଥିଲେ- ‘ମହାରାଜ’! ଆପଣମାନେ ପାଣ୍ଡବଙ୍କ ପ୍ରତି ଯେଭଳି ବ୍ୟବହାର କରୁଛନ୍ତି ତାହା କାହାରିକୁ ଅଛପା ନୁହେଁ। ମୋହବଶତଃ ଦୁେର୍ଯ୍ୟାଧନଙ୍କର ସକଳପ୍ରକାର ହୀନକାର୍ଯ୍ୟକୁ ସମର୍ଥନ କରୁଛନ୍ତି, ପ୍ରତିବାଦ କରୁନାହାନ୍ତି। ଆପଣଙ୍କପରି ରାଜାଙ୍କୁ ଏହା ଶୋଭା ପାଉନାହିଁ।’
ଧୃତରାଷ୍ଟ୍ର ବ୍ୟଥିତ ହୋଇ କହିଥିଲେ- ମହର୍ଷି! ମୁଁ ଚକ୍ଷୁହୀନ ଓ ନାଚାର। ସଭାମଧ୍ୟରେ କୃପାଚାର୍ଯ୍ୟ, ଦ୍ରୋଣାଚାର୍ଯ୍ୟ, ଭୀଷ୍ମ ଥାଇ ମଧ୍ୟ ଦୁେର୍ଯ୍ୟାଧନର କାର୍ଯ୍ୟରେ ବାଧା ଦେଇ ନଥିଲେ। ଏହାଶୁଣି ମହର୍ଷି କହିଥିଲେ-ଯାହା ହୋଇଯାଇଛି ସେ ବିଷୟରେ ଶୋଚନା କରି ଏବେ ମଧ୍ୟ ସମୟ ଅଛି ତାଙ୍କୁ ବୁଝାଇ ଦିଅନ୍ତୁ, ସେ ପାଣ୍ଡବମାନଙ୍କୁ ହତ୍ୟା ଚକ୍ରାନ୍ତରୁ ନିବୃତ୍ତ ହୁଅନ୍ତୁ। ସେମାନଙ୍କର ପିତା ନାହାନ୍ତି। ଆପଣ ଏବେ ସେମାନଙ୍କର ପିତା, ରକ୍ଷକ। ସେମାନଙ୍କୁ ସହାୟତା କରିବା ଆପଣଙ୍କ କର୍ତ୍ତବ୍ୟ। ସେମାନେ ରାଜ୍ୟ, ଧନସମ୍ପତ୍ତି ହରାଇ ଏବେ ଅସହାୟ ଓ ଦୁର୍ବଳ, ମାତାପିତା ଦୁର୍ବଳ ସନ୍ତାନ ପ୍ରତି ବିେଶଷ ଧ୍ୟାନ ଦେଇଥାନ୍ତି। ଏ ସମ୍ପର୍କରେ ମୁଁ ଆପଣଙ୍କୁ ଏକ ସତ୍ୟ ପ୍ରସଙ୍ଗ କହୁଛି। ଥରେ ଗୋମାତା ସୁରଭି ଇନ୍ଦ୍ରଙ୍କ ଦରବାରରେ ପହଞ୍ଚି ଅଭିଯୋଗ କଲେ ପୃଥ୍ବୀ ଲୋକରେ ଜଣେ କୃଷକ ଏକ ସବଳ ସମ୍ଭ୍ରାନ୍ତ (ବଳଦ)ସହ ଦୁର୍ବଳ ବଳଦକୁ ଯୋଚି ନିର୍ଦୟ ଭାବରେ ପିଟୁଛି। ପିଟିପିଟି ଅଧାମରା କରିଦେଲାଣି। ଏଇ ଦେଖନ୍ତୁ ସେ ଦୃଶ୍ୟ। ଇନ୍ଦ୍ର ଅବଲୋକନ କରନ୍ତେ ଏହାର ସତ୍ୟତା ଉପଲବ୍ଧି କଲେ। ଅର୍ଦ୍ଧମୃତ ବଳଦକୁ ଦେଖି ତାଙ୍କର ହୃଦୟ ଦୟାରେ ବିଗଳିତ ହୋଇଗଲା। ତଥାପି ସେ ସୁରଭିଙ୍କୁ ପଚାରିଥିଲେ ତୁମର ଅନେକ ସନ୍ତାନ ଅଛନ୍ତି, ହେଲେ ସେଇ ନିର୍ଦିଷ୍ଟ ସନ୍ତାନ ପ୍ରତି ଏଭଳି ଦୁର୍ବଳତା କାହିଁକି? ସୁରଭି ଉତ୍ତର ଦେଇଥିଲେ ସେମାନେ କର୍ମଠ, ସୁସ୍ଥ ଓ ସବଳ, ମାତାପିତାଙ୍କ ନିକଟରେ ସମସ୍ତ ସନ୍ତାନ ପ୍ରିୟ, କିନ୍ତୁ ଦୁର୍ବଳ ଅଧିକ ପ୍ରିୟ। ଇନ୍ଦ୍ର ଏହାଶୁଣି ପ୍ରସନ୍ନ ହେଲେ। ପ୍ରବଳ ବୃଷ୍ଟି କରାଇବାଯୋଗୁଁ କୃଷକଟି ହଳଯୋଚି ଘରକୁ ଫେରିଯାଇଥିଲା। ଏହା ଶୁଣାଇ ମହର୍ଷି କହିଥିଲେ ଦୁର୍ବଳ ପାଣ୍ଡବଙ୍କୁ ରକ୍ଷା କରିବା ଆପଣଙ୍କର ଅବଶ୍ୟ କର୍ତ୍ତବ୍ୟ। ମୋହାନ୍ଧ ଧୃତରାଷ୍ଟ୍ରଙ୍କ ମୁହଁରେ ମାଳିନ୍ୟର ରେଖା ଫୁଟି ଉଠିଥିଲେ ବି ନିରୁତ୍ତର ରହିଥିଲେ ସେ। ମହର୍ଷି ଫେରିଯାଇଥିଲେ।
ମୋହାନ୍ଧର ଦୁର୍ବଳତା
Popular Categories



