ନିମ୍ନଗାମୀ ଚଳଚ୍ଚିତ୍ର ଓ ବିଜ୍ଞାନ

0

ସନ୍ତୋଷ କୁମାର ମିଶ୍ର

prayash

ଚଳଚ୍ଚିତ୍ର ଏପରି ଏକ କଳା ଯାହା ମାଧ୍ୟମରେ ଯେକୌଣସି ବିଷୟବସ୍ତୁକୁ ଚଳନ୍ତି ଚିତ୍ର ମାଧ୍ୟମରେ ପରିବେଷଣ କରାଯାଏ। ଏହି କଳା ଅନ୍ୟ ଯେକୌଣସି କଳାଶୈଳୀ ଅପେକ୍ଷା ଅଧିକ ଜଟିଳ, ବ୍ୟୟବହୁଳ ଏବଂ ଲୋକପ୍ରିୟ ମଧ୍ୟ । କେବଳ ଆଲୋକ ଓ ଛାଇକୁ ସଜାଇ ଅନେକ ଗଭୀର କଥା ସହଜରେ ବୁଝାଇ ହୁଏ । ଯେହେତୁ ଚଳଚ୍ଚିତ୍ର ସର୍ବାଧିକ ଲୋକପ୍ରିୟ କଳା ତେଣୁ ଏହାର ପ୍ରଭାବ ସମାଜ ଉପରେ ବହୁତ ଅଧିକ ଏବଂ ଦୀର୍ଘସ୍ଥାୟୀ ମଧ୍ୟ । ପ୍ରଥମ ଚଳଚ୍ଚିତ୍ର ଆଜିକୁ ପ୍ରାୟ ଦେଢଶହ ବର୍ଷ ତଳେ ନିର୍ମାଣ କରାଯାଇଥିଲେ ମଧ୍ୟ ଏହିକ୍ଷେତ୍ରରେ ହିଁ ବିଭିନ୍ନ ଦିଗ ଉପରେ ଅନେକ ଗବେଷଣା କରାଯାଉଛି । ସେଥିମଧ୍ୟରୁ ବିଜ୍ଞାନଭିତ୍ତିକ ଚଳଚ୍ଚିତ୍ର ଅନ୍ୟତମ ।
ବିଜ୍ଞାନର ଅନେକ ତଥ୍ୟ ଓ ସିଦ୍ଧାନ୍ତ ସହିତ ସେ ସବୁକୁ ନେଇ ମାନବ ମନରେ ଜନ୍ମ ହେଉଥିବା କଳ୍ପନା କିମ୍ବା ଭୟକୁ ଆଧାରକରି ଅନେକ ବିଜ୍ଞାନ ଭିତ୍ତିକ ଚଳଚ୍ଚିତ୍ର ଅତୀତରେ ନିର୍ମାଣ କରାଯାଇଛି । ଏପରି ଚଳଚ୍ଚିତ୍ର ନିର୍ମାଣରେ ହଲିଉଡ ଚଳଚ୍ଚିତ୍ର ଶିଳ୍ପର ବିଶ୍ୱରେ ପ୍ରସିଦ୍ଧି ରହିଆସିଛି । ହଲିଉଡରେ ମହାକାଶ ଯାତ୍ରା, ଅନ୍ୟ ଗ୍ରହରେ ଜୀବନର ସତ୍ତା, ସମୟର ଗତି, ଦୂର ଗ୍ରହରେ ମାନବର ବସବାସ, ପରିବେଶ, ରୋବଟ, ଅଙ୍ଗ ପ୍ରତିରୋପଣ, କ୍ଲୋନିଙ୍ଗ ଇତ୍ୟାଦି ବିଷୟବସ୍ତୁକୁ ଆଧାରକରି ଅନେକ ରୋମାଞ୍ଚକର ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇ ପାରିଛି।
ହଲିଉଡ ଚଳଚ୍ଚିତ୍ର ନିର୍ମାତାମାନେ ବିଜ୍ଞାନଭିତ୍ତିକ ଚଳଚ୍ଚିତ୍ର ନିର୍ମାଣ ସମୟରେ ସବୁ ଦିଗ ପ୍ରତି ଯଥେଷ୍ଟ ଯତ୍ନବାନ ଥା’ନ୍ତି। ଯଦିଓ କିଛି ଦର୍ଶକ କେବଳ ମନୋରଞ୍ଜନ କିମ୍ବା ରୋମାଞ୍ଚ ପାଇଁ ଏହିସବୁ ଚଳଚ୍ଚିତ୍ରକୁ ନିୟମିତ ଦେଖନ୍ତି, କିନ୍ତୁ ବିଜ୍ଞାନର ଗତିକୁ ତ୍ୱରାନ୍ୱିତ କରିବା ସହିତ ସମାଜରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ ହୋଇଥାଏ । ସେହିପରି ବିଜ୍ଞାନ ପ୍ରତି ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବାରେ ଏପରି ଚଳଚ୍ଚିତ୍ର ସହାୟକ ହୁଅନ୍ତି ।
ପ୍ରଥମ ବିଜ୍ଞାନଭିତ୍ତିକ ଚଳଚ୍ଚିତ୍ର ୧୯୦୨ ମସିହାରେ ନିର୍ମାଣ କରାଯାଇଥିଲା । ଏହା ଶବ୍ଦହୀନ ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ ବହୁତ ଲୋକପ୍ରିୟ ହୋଇ ପାରିଥିଲା । ଏଥିରେ ମାନବ ଚନ୍ଦ୍ରକୁ ଯାତ୍ରା କରିପାରିବ ବୋଲି କଳ୍ପନା କରାଯାଇଥିଲା । ସେହିପରି ୧୯୨୯ ମସିହାରେ ଏପରି କଳ୍ପନାକୁ ସମର୍ଥନ କରି ଅନ୍ୟ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଥିଲା ଯାହାର ଫଳ ସ୍ୱରୂପ ମାତ୍ର ଚାଳିଶ ବର୍ଷପରେ ବୈଜ୍ଞାନିକମାନେ ଏପରି କଳ୍ପନାକୁ ବାସ୍ତବ ରୂପ ଦେବାରେ ସମ୍ପୂର୍ଣ୍ଣ ସମର୍ଥ ହୋଇ ପାରିଥିଲେ ।
ଅତୀତରେ ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ସମୀକରଣରେ ତାରତମ୍ୟ ପାଇଁ ଦୁଇଟି ବିଶ୍ୱଯୁଦ୍ଧ ଘଟିଯାଇଛି ଏବଂ ଏହି ମହାସମରଗୁଡିକରେ ମାନବସମାଜ ଅଶେଷ କ୍ଷତିର ସମ୍ମୁଖୀନ ହୋଇଥିଲା । ଏହି ସମୟରେ ବିଭିନ୍ନ ପ୍ରଯୁକ୍ତି ବିଜ୍ଞାନର ଉଦ୍ଭାବନ ହେଉଥିଲା । ବିଜ୍ଞାନର ଉନ୍ନତି ହିଁ ଏହି ଦୁଇ ବିଶ୍ୱଯୁଦ୍ଧର ମୂଳକାରଣ- ଏହା ବିଶ୍ୱବାସୀଙ୍କ ମନରେ ଥିବା ଏହି ଭ୍ରାନ୍ତ ଧାରଣା ଧୀରେଧୀରେ ଦୃଢ଼ୀଭୁତ ହେବାକୁ ଲାଗିଲା । ପ୍ରଥମ ବିଶ୍ବଯୁଦ୍ଧ ପରେ ୧୯୨୦ ମସିହାରୁ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇ ଏପରି ଅମୂଳକ ଚିନ୍ତାଧାରାକୁ ବିନାଶ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଇଥିଲା । ୧୯୨୫ ମସିହାରୁ ଡାଇନୋସରମାନଙ୍କ ଉପରେ ଆରମ୍ଭ କରାଯାଇଥିବା ଚଳଚ୍ଚିତ୍ର ଏହିବର୍ଷ ସୁଦ୍ଧା ଆଠରୁ ଅଧିକ ଭାଗ ନିର୍ମାଣ କରାଯାଇ ସାରିଲାଣି । ୧୯୨୭ ମସିହାରେ ମେଟ୍ରୋପୋଲିସ ନାମକ ଏକ ଚଳଚ୍ଚିତ୍ରରେ ରୋବଟମାନେ ହିଁ ଆଗାମୀ ଦିନରେ ମୁଖ୍ୟ କର୍ତ୍ତା ରୂପେ କାର୍ଯ୍ୟ କରିବେ ବୋଲି ଏଥିରେ ଦର୍ଶାଯାଇଥିଲା। ଏହା କେତେ ବାସ୍ତବଧର୍ମୀ ତାହା ଆମେ ସମସ୍ତେ ସହଜରେ ହୃଦୟଙ୍ଗମ କରିପାରୁଛେ ।
ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ ଭାରତ ଚଳଚ୍ଚିତ୍ର ଶିଳ୍ପ ବା ବଲିଉଡ, ଏ କ୍ଷେତ୍ରରେ ବହୁତ ପଛରେ ରହିଛି। ଯେଉଁ ସମୟରେ ଭାରତୀୟ ବୈଜ୍ଞାନିକମାନେ ପ୍ରତ୍ୟେକଦିନ ବିଜ୍ଞାନ କ୍ଷେତ୍ରରେ ନିଜ ଦେଶ ପାଇଁ ସୁନାମ ଆଣିବା ସହିତ ବିଶ୍ୱକୁ ନୂତନ ଉପହାର ପ୍ରଦାନ କରି ପାରୁଛନ୍ତି ସେହି ସମୟରେ ଗୋଟିଏ ସାଧାରଣ ଭାରତୀୟ ହୃଦୟ ମଧ୍ୟରେ ବିଜ୍ଞାନ ପ୍ରତି ଯଥେଷ୍ଟ ଆଗ୍ରହ ସୃଷ୍ଟି କରିବାପାଇଁ ଗୋଟିଏ ଉତ୍ତମ ବିଜ୍ଞାନଭିତ୍ତିକ ଚଳଚ୍ଚିତ୍ର ନିର୍ମାଣ ସମ୍ଭବପର ହୋଇପାରୁ ନାହିଁ । ବଲିଉଡ କିମ୍ବା ଦକ୍ଷିଣ ଭାରତ ଚଳଚ୍ଚିତ୍ର ଶିଳ୍ପରେ ନିର୍ମାଣ କରାଯାଇଥିବା କିଛି ହାତଗଣତି ଚଳଚ୍ଚିତ୍ର ନାମକୁ ମାତ୍ର ବିଜ୍ଞାନଭିତ୍ତିକ । ପ୍ରାୟ ସମସ୍ତ ମନୋରଞ୍ଜନ ଧର୍ମୀ ଓ ରୋମାଞ୍ଚ ସୃଷ୍ଟି କାରୀ କେବଳ । ଅବଶ୍ୟ କିଛି ବର୍ଷ ତଳେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ଏସ. ଶଙ୍କର ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ରୋବଟ ବହୁତ ଲୋକପ୍ରିୟ ହୋଇପାରିଥିଲା । ରୋବଟମାନେ କିପରି ମାନବ ସମାଜର ଦାସ ହୋଇଥିବା ସମୟରେ ଏକଜୁଟ ହୋଇ ବିଦ୍ରୋହ କରି ପ୍ରଭୁତ୍ୱ ଦଖଲ କରିବା ପାଇଁ ଚେଷ୍ଟା କରିପାରନ୍ତି ତାହା ଏଥିରେ ପ୍ରଦର୍ଶିତ ହୋଇଥିଲା । ଯଦିଓ ଏହି କିସମର ଚଳଚ୍ଚିତ୍ର ବହୁତ ଆଗରୁ ହଲିଉଡ଼ରେ ନିର୍ମାଣ କରାଯାଇ ସାରିଛି କିନ୍ତୁ ପ୍ରସିଦ୍ଧ ଭାରତୀୟ କଳାକାରମାନଙ୍କ ଅଭିନୟ ସହିତ ମୌଳିକ ଭାଷା, ବେଶ ଓ ପୋଷାକ ଏବଂ ଉନ୍ନତ ପ୍ରଯୁକ୍ତି ବିଦ୍ୟାର ସମନ୍ବୟ ଏହାକୁ ଲୋକପ୍ରିୟ କରିପାରିଥିଲା ।
ଏହି ଚଳଚ୍ଚିତ୍ରର ଏକ ସେକୱେଲ ରୋବଟ ୨ .ଓ ଗତ କିଛିଦିନ ତଳେ ମୁକ୍ତିଲାଭ କରିସାରିଛି । ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ ଆମ ଚାରିପାଖରେ ରହିଥିବା ମାଳମାଳ ମୋବାଇଲ ଟାୱାର କିପରି ମନୁଷ୍ୟ ସହିତ ବିଭିନ୍ନ ପ୍ରକାରର ପକ୍ଷୀମାନଙ୍କ ପାଇଁ କ୍ଷତିକାରକ। ସେ ଯାହା ହେଉ, ଚଳଚ୍ଚିତ୍ରର କାହାଣୀ ଲେଖକ, ନିର୍ମାତା ଓ ନିର୍ଦେଶକମାନେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଏହି ଉକ୍ତିକୁ ସର୍ବଦା ମନେରଖିବା ଉଚିତ: ‘ଉଭୟ ସମ୍ୱାଦପତ୍ର ଏବଂ ବହି ଅପେକ୍ଷା ଗୋଟିଏ ଉତ୍ତମ ଚଳଚ୍ଚିତ୍ର ଅଧିକ ମାତ୍ରାରେ ଜନସାଧାରଣଙ୍କୁ ପ୍ରଭାବିତ କରିପାରେ।’
ବେଲେଶ୍ବର, ନୟାବଜାର, କଟକ

kalyan agarbati
Leave A Reply