www.samajalive.in
Saturday, December 6, 2025
26.1 C
Bhubaneswar

ଅବାଞ୍ଛିତ ଆଇନ

ସର୍ବୋଚ୍ଚ ନ୍ୟାୟାଳୟ ବୁଧବାରର ଗୁରୁତ୍ବପୂର୍ଣ୍ଣ ଆଧାର ରାୟ ପରି ଗୁରୁବାର ମଧ୍ୟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି, ଯାହା କେବଳ ସାମ୍ବିଧାନିକ ଦୃଷ୍ଟିରୁ ନୁହେଁ, ସାମାଜିକ ଦୃଷ୍ଟିରୁ ମଧ୍ୟ ବେଶ୍ ଗୁରୁତ୍ବପୂର୍ଣ୍ଣ। ନ୍ୟାୟାଳୟ ଭାରତୀୟ ପିଙ୍ଗଳ ସଂହିତା (ଆଇପିସି)ର ଧାରା ୪୯୭କୁ ଉଚ୍ଛେଦ କରିଦେଇଛନ୍ତି। ଏହାର ଅର୍ଥ ହେଲା ୧୮୬୦ରେ ପ୍ରଣୀତ ଇଂରେଜ ଅମଳର ବ୍ୟଭିଚାର ସମ୍ପର୍କିତ ଆଇନଟି ବସ୍ତୁତଃ ଅକାମୀ ହୋଇଯାଇଛି। ଯେଉଁ କାରଣ ଦର୍ଶାଇ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ବାଧୀନ ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ସର୍ବସମ୍ମତ ଭାବେ ଏହାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି, ତାହା ଅଧିକ ଗୁରୁତ୍ବପୂର୍ଣ୍ଣ। ନ୍ୟାୟାଳୟ ଅନୁସାରେ, ଆଇପିସିର ଏହି ଧାରାଟି ପୁରୁଷ ଓ ମହିଳାଙ୍କ ପାଇଁ ସମାନ ନ୍ୟାୟ ପ୍ରଦାନ କରିପାରୁନଥିଲା; କାରଣ ଜଣେ ବିବାହିତା ମହିଳାଙ୍କ ସହ ସମ୍ମତିଭିତ୍ତିକ ଯୌନସମ୍ପର୍କ ରଖିଥିବା ପୁରୁଷଟିକୁ ହିଁ ଅପରାଧୀ ଭାବେ ଏହା ବିବେଚନା କରୁଥିଲା ଏବଂ ଲିଙ୍ଗନିରପେକ୍ଷ ନଥିଲା। ଅନ୍ୟ ଅର୍ଥରେ, ମହିଳାଟି ପୀଡ଼ିତା ଓ ପତିର ‘ସମ୍ପତ୍ତି’ ଭାବେ ପରିଗଣିତ ହେଉଥିଲା। ପ୍ରଧାନ ବିଚାରପତି ତାଙ୍କ ଆଦେଶରେ ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି ଯେ ‘ପତି ପତ୍ନୀର ମାଲିକ ବା ମୁନିବ ନୁହେଁ ଓ ତାକୁ ସେ କୌଣସି ସମ୍ପତ୍ତି ପରି ବ୍ୟବହାର କରିପାରିବ ନାହିଁ। ଏହାଦ୍ବାରା ସମ୍ବିଧାନରେ ଉଲ୍ଲିଖିତ ‘ସମାନତାର ଅଧିକାର’ର ଉଲ୍ଲଙ୍ଘନ ହେଉଛି’। ଏଥିସହ ବ୍ୟଭିଚାର ଛାଡ଼ପତ୍ରର ଆଧାର ହୋଇପାରେ, କିନ୍ତୁ ଅପରାଧ ହୋଇପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଦେଇଛନ୍ତି।
ନ୍ୟାୟାଳୟର ବିସ୍ତୃତ ରାୟକୁ ଦେଖିଲେ ଯେଉଁ କେତୋଟି ଗୁରୁତ୍ବପୂର୍ଣ୍ଣ କଥା ଦୃଷ୍ଟିକୁ ଆସେ, ସେଗୁଡ଼ିକ ହେଲା: ନିଜ ଶରୀର ଉପରେ ପୁରୁଷ ପରି ମହିଳାଙ୍କର ମଧ୍ୟ ନିଜର ଅଧିକାର ରହିଛି, ଏଥିରେ କୌଣସି ସାଲିସ୍ କରାଯାଇ ପାରିବ ନାହିଁ; ଏହି ଆଇନଟି ପୁରୁଷପ୍ରଧାନ ଦୃଷ୍ଟିକୋଣର ପରିଣତି; ପବିତ୍ରତା କେବଳ ପତ୍ନୀ ପାଇଁ ନୁହେଁ ଓ ସମାନ ଭାବେ ପତି ପାଇଁ ମଧ୍ୟ ଲାଗୁ ହେବା ଦରକାର; ଯେଉଁ ଆଇନ କୌଣସି ବ୍ୟକ୍ତିର ସମ୍ମାନ ଓ ମହିଳାଙ୍କ ସମାନତାର ଅଧିକାରକୁ ପ୍ରଭାବିତ କରିଥାଏ, ତାହା ସମ୍ବିଧାନ ପାଇଁ ଠିକ୍ ନୁହେଁ। ଉଲ୍ଲେଖଯୋଗ୍ୟ, ବିବାହର ପବିତ୍ରତା ବଜାୟ ରଖିବା ପାଇଁ ଧାରା ୪୯୭ର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ନ୍ୟାୟାଳୟ ଅଗ୍ରାହ୍ୟ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ନ୍ୟାୟମୂର୍ତ୍ତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଏକ ‘ଅଲଗା’ ରାୟ ଗୁରୁତ୍ବପୂର୍ଣ୍ଣ ମନେହୁଏ। ସେ କହିଛନ୍ତି ଯେ ବୈବାହିକ ସମ୍ବନ୍ଧରେ ଉଭୟ ନାରୀ ଓ ପୁରୁଷର ସମାନ ଯୌନ ସ୍ବାଧୀନତା ରହିବା ଉଚିତ। ସେମାନେ ପରସ୍ପରକୁ ସମାନ ମର୍ଯ୍ୟାଦାପୂର୍ଣ୍ଣ ବ୍ୟବହାର କରିବା ବାଞ୍ଛନୀୟ। ବିବାହର ଅର୍ଥ ନୁହେଁ ଯେ ଜଣେ ସବୁବେଳେ ଆରଜଣକ ଉପରେ କର୍ତ୍ତୃତ୍ବ ଦେଖାଉଥିବ ଓ ଜଣେ ସହିଚାଲିଥିବ। ଏପରିକି ବ୍ୟକ୍ତିଗତ ପରିବେଶରେ ମଧ୍ୟ ସେମାନେ ସେହି ସ୍ବାଧୀନତାକୁ ଉପଭୋଗ କରିବାର ଅଧିକାର ରହିବା ଉଚିତ। ଆହୁରି ମଧ୍ୟ ନ୍ୟାୟମୂର୍ତ୍ତି ଚନ୍ଦ୍ରଚୂଡ଼ ଚେତାଇ ଦେଇଛନ୍ତି ଯେ ସମାଜ ମହିଳାଙ୍କ ଉପରେ ଅସମ୍ଭବ ପ୍ରକାରର ନୈତିକତା ଥାପିଦେବା ସହ ତାକୁ ଘରକୋଣରେ ରଖିବା ପାଇଁ ସକଳ ଉଦ୍ୟମ କରିଆସିଛି। ଏପରିକି ସେ ସର୍ବଦା ପବିତ୍ର ରହିବା ଜରୁରୀ ବୋଲି କହି ତାକୁ ଦଣ୍ଡ ଦେଇଆସିଛି। ଅନ୍ୟପକ୍ଷରେ, ତାକୁ ନିର୍ଯାତନା ଦେବା ସହ ବଳାତ୍କାର କରିବାକୁ ପଛାଉ ନାହିଁ। କନ୍ୟାଭ୍ରୂଣ ହତ୍ୟା, କନ୍ୟା ସନ୍ତାନ ପ୍ରତି ଅବିଚାର ସାମାଜିକ ପ୍ରଥା ପାଲିଟିଛି ବୋଲି ସେ କହିଛନ୍ତି।
କହିବା ବାହୁଲ୍ୟ ଯେ ଜଷ୍ଟିସ ଚନ୍ଦ୍ରଚୂଡ଼ କେବଳ ଏହି ଆଇନକୁ ଉଚ୍ଛେଦ କରିବାକୁ ଚାହିଁନାହାନ୍ତି, ସାମାଜିକ କୁରୀତିଗୁଡ଼ିକ ଦୂର କରାଯିବାର ଆବଶ୍ୟକତାକୁ ପ୍ରାଧାନ୍ୟ ଦେବା ସହ ପୁରୁଷପ୍ରଧାନ ସମାଜରେ ମହିଳାଙ୍କ ସଂଘର୍ଷକୁ ସ୍ବୀକୃତି ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି। ମୋଟାମୋଟି ଭାବେ ନ୍ୟାୟାଳୟ ଏହି ରାୟ ଜରିଆରେ ଏକ ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ ମନୁଷ୍ୟର ସାମାଜିକ ଓ ବୈଚାରିକ ବିକାଶ ଘଟିବା ସହ ଆଇନରେ ପରିବର୍ତ୍ତନ ଆଣିବା ମଧ୍ୟ ଜରୁରୀ। ପୂର୍ବରୁ ବ୍ୟଭିଚାର ସମ୍ପର୍କିତ ଧାରା ନେଇ ଅଦାଲତରେ ୧୯୫୪, ୧୯୮୫ ଓ ୧୯୮୮ରେ ପ୍ରଶ୍ନ ଉଠିଥିଲା। ୧୯୫୪ ଓ ୨୦୧୧ରେ ଦୁଇଥର ଏହି ମାମଲାରେ ଫଇସଲା ମଧ୍ୟ ଶୁଣାଯାଇଥିଲା, ଯେଉଁଥିରେ ଏହି ଆଇନକୁ ସମାନତାର ଅଧିକାରର ଉଲ୍ଲଙ୍ଘନକାରୀ ନୁହେଁ ବୋଲି ଦର୍ଶାଯାଇଥିଲା। ତେବେ ସମୟ ବଦଳିବା ସହ ନ୍ୟାୟାଳୟର ଦୃଷ୍ଟିକୋଣ ମଧ୍ୟ ବଦଳିଛି। ଏହାକୁ ସମାଜ କିଭଳି ଗ୍ରହଣ କରିବ ଓ ସମାଜରେ ତା’ର କି ପ୍ରଭାବ ପଡ଼ିବ, ତାହା ଦେଖିବା କଥା। ରକ୍ଷଣଶୀଳ ଲୋକେ ଓ ତଥାକଥିତ ନୈତିକତାର ଠିକାଦାରମାନେ ଏହି ରାୟ ଦ୍ବାରା ‘ନୈତିକତାର ପତନ’ ଆଶଙ୍କା କରିପାରନ୍ତି; କିନ୍ତୁ ମିଛ ବା ଲୋକଦେଖାଣିଆ ନୈତିକତା ଆମ ସମାଜକୁ ଅଗ୍ରଗାମୀ କରିବା ବଦଳରେ ପଶ୍ଚାତ୍‌ଗାମୀ କରୁନାହିଁ କି? ବୈବାହିକ ପବିତ୍ରତା ଉଭୟ ପତି ଓ ପତ୍ନୀର ପାରସ୍ପରିକ ବିଶ୍ବାସ, ମର୍ଯ୍ୟାଦାବୋଧ, ସମାନତା ଓ ବ୍ୟକ୍ତି ସ୍ବାଧୀନତା ଉପରେ ପ୍ରତିଷ୍ଠିତ ହେବା ଆବଶ୍ୟକ। ସେଥିରେ ଆଇନର ଅନୁପ୍ରବେଶ ଅବାଞ୍ଛନୀୟ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories