www.samajalive.in
Thursday, December 11, 2025
27.1 C
Bhubaneswar

ସନ୍ଥ ବିନୋବା ଓ ସମଭାଗୀ ସମାଜ

ସେ ଦିନ ଥିଲା ଏକ ଶୀତୁଆ ସନ୍ଧ୍ୟା। ମା ରୁକ୍ମୁଣୀ ରୁଟି ସେକୁଥିଲେ। ଚୁଲୀ ମୁଣ୍ଡରେ ବସିଥିଲେ ଜଣେ ସୌମ୍ୟକାନ୍ତ କିଶୋର। ମା’ ତାୱାରେ ରୁଟି ପକାଇ ଘର ବାରଣ୍ଡାକୁ ଜାଳେଣି କାଠ ଖଣ୍ଡିଏ ପାଇଁ ଯିବାବେଳେ ଚୁଲି ଲିଭିଯିବାକୁ ବସିଥିଲା। ହଠାତ୍ ଯୁବକ ଜଣକ ଧଡ଼ପଡ଼ ହୋଇ ଘରୁ କାଗଜ ବିଣ୍ଡାଏ ଆଣି ଚୁଲି ଭିତରକୁ ପକାଇ ଦେଲେ। ଚୁଲି ଅଧିକ ଜଳି ଉଠିଲା। ମାଆ ଆସି ପଚାରିଲେ, କ’ଣ ପକାଇ ଦେଲୁ କି ? ଉତ୍ତର ଥିଲା ସମସ୍ତ ସାର୍ଟିଫିକେଟ୍‌। କ’ଣ କଲୁରେ ହତଭାଗା…। ପାଠପଢି ପାଇଥିବା ସାର୍ଟିଫିକେଟ୍‌ ଏମିତି ଜଳାଇଦେଲୁ କାହିଁକି? କିଶୋରଙ୍କ ଉତ୍ତର ଥିଲା ସ୍ପଷ୍ଟ,- ‘ଅନ୍ତର୍ନିହିତ ଜ୍ଞାନ ହିଁ ବ୍ୟକ୍ତି ଜୀବନର ସବୁଠୁ ବଡ଼ ପ୍ରମାଣପତ୍ର। ଏକ କାଗଜ ଡିଗ୍ରୀ ଧରି କ’ଣ ହେବ, ବ୍ୟକ୍ତିକୁ ମଗଜ ଡିଗ୍ରୀ ଆବଶ୍ୟକ।’ ଏଭଳି ଅନୁଭବ ଓ ବିଚାର ରଖୁଥିବା ମହାନ ବ୍ୟକ୍ତି ଜଣକ ଥିଲେ ସନ୍ଥ ବିନେବା ଭାବେ।

୧୮୯୫ ସେପ୍ଟେମ୍ବର ୧୧ ତାରିଖ ଆଜି ଦିନରେ ମହାରାଷ୍ଟ୍ରର ଗାଗୋଡେ ଗାଁ ଜନ୍ମଗ୍ରହଣ କରିଥିଲେ ଏହି ମହାପୁରୁଷ ବିନାୟକ ନରହର ଭାବେ। ଯାହାଙ୍କୁ ଭାରତ ଓ ବିଶ୍ବ ସନ୍ଥ ବିନେବା ରୂପେ ଜାଣେ। ଶ୍ରୀମଦ୍‌ ଭଗବଦ୍‌ ଗୀତା ପ୍ରତି ବାଲ୍ୟ କାଳରୁ ଆକର୍ଷିତ ହୋଇଥିଲେ ବିନୋବା। ଖବର କାଗଜ ଓ ବିଭିନ୍ନ ପତ୍ରିକାରେ ପ୍ରକାଶିତ ଗାନ୍ଧୀଜୀଙ୍କ ଭାଷଣ ଦ୍ବାରା ସେ ଉଦ୍‌ବୁଦ୍ଧ ହୋଇଥିଲେ। ମାତା ରୁକ୍ମୁଣୀ ଜଣେ ଧର୍ମପରାୟଣା ଥିବାରୁ ଏହା ବିନୋବାଙ୍କ ଜୀବନକୁ ଗଭୀର ପ୍ରଭାବିତ କରିଥିଲା। ସ୍ବାମୀ ବିବେକାନନ୍ଦଙ୍କ ଭଳି ଆରମ୍ଭରୁ ସେ ଅନୁସନ୍ଧିତ୍ସୁ ଥିଲେ। ଜୀବନର ଜଟିଳ ଜ୍ୟାମିତି ବୁଝିବାରେ ଝୁଣ୍ଟି ପଡିବା କ୍ଷଣି ମାଆଙ୍କୁ ପ୍ରଶ୍ନ ପଚାରୁଥିଲେ। ମାଙ୍କ ନିର୍ଭେଜାଲ ଉତ୍ତର ଥିଲା- ‘ଧନରେ… ପଢ଼ିଲେ ଜାଣିବୁ’। ମାଆଙ୍କ ଏଭଳି ଉତ୍ତର ବିନୋବାଙ୍କୁ ଅଧିକ ତାତ୍ତ୍ବିକ ଓ ମନୋବିଜ୍ଞାନୀ କରିଥିଲା। ନିଜେ ନିଜକୁ ପ୍ରଶ୍ନ କରିବା ସହ ଏହାର ସମାଧାନ ଖୋଜୁଥିଲେ ବିନ୍ୟା। ମାଧ୍ୟମିକ ଶିକ୍ଷା ଶେଷ ପରେ ବିଦେଶୀ ଶିକ୍ଷା ପାଇଁ ପଠାଇବାକୁ ପରିବାର ଆଗ୍ରହୀ ଥିଲେ। ମାତ୍ର ବିନେବାଙ୍କ ମନ ମାନି ନଥିଲା। ପାଲଟା ସେ ବନାରସ ଯାଇ ସଂସ୍କୃତ ଓ ଧାର୍ମିକ ଶାସ୍ତ୍ର ଅଧ୍ୟୟନ କରିବା ଆରମ୍ଭ କଲେ। ସେ ଶ୍ରୀମଦ୍‌ ଭାଗବତ, ଉପନିଷଦ, ବେଦ ଆଦିର ଗଭୀର ଅଧ୍ୟୟନ ଓ ଅନୁଶୀଳନ କରିଥିଲେ।

- Advertisement -

ଭାରତୀୟ ସମାଜ, ସ୍ୱାଧୀନତା ସଂଗ୍ରାମ ଓ ସାର୍ବଜନୀନ ମାନବତାର ଇତିହାସରେ ବିନୋବା ଭାବେଙ୍କ ନାମ ଅମର। ଗାନ୍ଧୀଙ୍କ ଚିନ୍ତାଧାରାର ସତ୍ୟ ସାଧକ, ଅହିଂସାର ଶିଷ୍ୟ ଓ ‘ଭୂଦାନ ଆନ୍ଦୋଳନ’ର ପ୍ରବର୍ତ୍ତକ ଭାବେ ସେ ସଦା ସ୍ମରଣୀୟ। ବିନୋବାଙ୍କ ଜୀବନ କେବଳ ଏକ ସାଧାରଣ ସାଧୁଜନର କାହାଣୀ ନୁହେଁ, ବରଂ ସମଗ୍ର ମାନବଜାତି ପାଇଁ ପଥପ୍ରଦର୍ଶକ। ସେ ଗାନ୍ଧୀଜୀଙ୍କ ପରିଚାଳିତ ରାସ୍ତାରେ ସବୁବେଳେ ଚାଲୁଥିଲେ। ଗାନ୍ଧୀଜୀ ହିଁ ଥିଲେ ତାଙ୍କ ନୈତିକ ଶିକ୍ଷକ। ଜୀବନ କେବଳ ମୌଳିକ କଥାଗୁଡିକ ନୁହେଁ; ବରଂ ଜୀବନ ଯେ ବିତ୍ତକୁ ନେଇ ନୁହେଁ, ତାହା ସେ ତାଙ୍କ ଅଦ୍ବିତୀୟ ଭୂଦାନ ଆନ୍ଦୋଳନ ଜରିଆରେ ମହାଜନ, ସାହୁକାର ଓ ଜମି ମାଲିକମାନଙ୍କୁ ଶିଖାଇଥିଲେ। ଏଥିରେ ଅସଂଖ୍ୟ ହୃଦୟ ପରିବର୍ତ୍ତନ କରିପାରିଥିଲେ। ୧୯୧୬ରେ ବିନୋବା, ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମକୁ ଯାଇ ତାଙ୍କ ସହ ପ୍ରଥମେ ସାକ୍ଷାତ କରିଥିଲେ। ସେଥିଠାରୁ ତାଙ୍କ ଜୀବନର ପଥ ନିର୍ଦ୍ଧାରିତ ହୋଇଥିଲା। ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା ଓ ସ୍ୱାଧୀନତାର ମାର୍ଗକୁ ସେ ନିଜ ଜୀବନରେ ଶେଷ ପର୍ଯ୍ୟନ୍ତ ଅନୁସରଣ କରିଥିଲେ। ବିନୋବାଙ୍କର ଗୀତାରେ ଆଦର୍ଶ ପାଣ୍ଡିତ୍ୟ ଥିବାରୁ ଗାନ୍ଧୀଜୀ ତାଙ୍କୁ ବିଶେଷ ସ୍ନେହ କରୁଥିଲେ।

ତେଲେଙ୍ଗାନାର ନାଳଗୋଣ୍ଡା ଜିଲା ପୋଚମ୍ପଲି ଗ୍ରାମରୁ ୧୯୫୧ ମସିହାରେ ବିନୋବାଙ୍କ ଭୂଦାନ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଗ୍ରାମରେ ଗରିବ କୃଷକମାନଙ୍କ ଅବସ୍ଥା ଦେଖି ସେମାନଙ୍କ ପାଇଁ ଜମି ଆବଶ୍ୟକତାର କଥା ଉଠିଥିଲା। ସେଥିରେ ଏକ ସମ୍ପନ୍ନ ଜମିଦାର ସ୍ୱଇଚ୍ଛାରେ ନିଜ ଜମିର କିଛି ଅଂଶ ଦାନ କଲେ। ଏହି ଘଟଣା ବିନୋବାଙ୍କୁ ଗଭୀର ପ୍ରଭାବିତ କରିଥିଲା। ସେ ଦେଶରେ ‘ଭୂଦାନ ଯାତ୍ରା’ ଆରମ୍ଭ କଲେ। ପ୍ରାୟ ୧୩ ବର୍ଷ ଧରି ପଦଯାତ୍ରା କରି ଭାରତର ବିଭିନ୍ନ ଗ୍ରାମରୁ ସେ ୪୦ ଲକ୍ଷ ଏକରରୁ ଅଧିକ ଜମି ଦାନ ଆକାରରେ ସଂଗ୍ରହ କରିଥିଲେ। ଯାହାକୁ ସେ ଗରିବ ଓ ଭୂମିହୀନମାନଙ୍କୁ ବାଣ୍ଟି ଦେଇଥିଲେ। ଗରିବ, ଭୂମିହୀନ ଚାଷୀଙ୍କୁ ଇଚ୍ଛାକୃତ ଭାବେ ଜମି ପ୍ରଦାନ କରିବାକୁ ହଜାର ହଜାର ଜମିଦାରଙ୍କୁ ପ୍ରବର୍ତ୍ତାଇବାରେ ତାଙ୍କ ସଫଳ କୀର୍ତ୍ତି ଆଜି ବି ଏକ ଜାଜ୍ବଲ୍ୟମାନ ଇତିହାସ। ଫଳରେ ଭୂମି ବିତରଣ କ୍ଷେତ୍ରରେ ସାମାଜିକ ନ୍ୟାୟ ପ୍ରଦାନର ନୂତନ ରାସ୍ତା ଖୋଲିଥିଲା। କେବଳ ଭୂଦାନ ନୁହେଁ, ଗ୍ରାମଦାନକୁ ମଧ୍ୟ ପ୍ରୋତ୍ସାହିତ କରି ସେ ସମାଜବାଦ-ଅର୍ଥନୈତିକ ସମଦର୍ଶୀ ଓ ସର୍ବସ୍ପର୍ଶୀ ସାମ୍ୟବାଦର ଯେଉଁ ଅଦ୍ଭୁତ ସଙ୍ଗମ କରାଇଥିଲେ, ତାହା ଭାରତୀୟ ଇତିହାସରେ ବିରଳ। ଏହି ଆନ୍ଦୋଳନ ବା ଯଜ୍ଞ ଥିଲା, ଆତ୍ମୋର୍ତ୍ସଗ ଓ ମାନବ ହୃଦୟର ଜିତିବାର ପରିଭାଷା। ଭୂଦାନ ଓ ଗ୍ରାମଦାନ ପଦଯାତ୍ରା ଥିଲା ସାର୍ବଭୌମ ଦୃଷ୍ଟିଭଙ୍ଗୀର ପ୍ରତିଫଳନ।

ସର୍ବୋଦୟ ହେଉଛି ସଭିଙ୍କ ଉଦୟ। ଅର୍ଥାତ୍‌ ସମାନ ବିକାଶ ଓ ଉନ୍ନତି। ବିନୋବାଙ୍କ ଆଦର୍ଶମୂଳକ ଧାରା ଗାନ୍ଧୀଜୀଙ୍କ ଅହିଂସା ଓ ସ୍ୱରାଜ ଆଧାରଶିଳା ଉପରେ ପ୍ରତିଷ୍ଠିତ ଥିଲା। ଭୂଦାନ କେବଳ ଭୂମି ବଣ୍ଟନ ନୁହେଁ, ଏହା ହୃଦୟର ପରିବର୍ତ୍ତନକୁ ପରିଭାଷିତ କରେ। ସେ କହୁଥିଲେ ଜମିକୁ ନେଇ ଯେତେ ବିବାଦ ଦେଖାଯିବ, ସେତେସେତେ ହୃଦୟ ଭାଙ୍ଗିବ। ଗ୍ରାମାଞ୍ଚଳର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କ ଦୁଃଖ, ଦୁର୍ଦଶା ଓ ଦୈନ୍ୟତାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ବିନୋବା। ତାଙ୍କ ମତରେ- fragmented land to fragmented hearts’ ଥିଲା ତାଙ୍କ ଭାବନାର ସ୍ବର। ଗ୍ରାମଦାନ ଥିଲା ସ୍ୱୟଂ ଶାସିତ ଗ୍ରାମୀଣ ସମୁଦାୟ ତିଆରି କରିବାର ଏକ ଆଦର୍ଶ ପରମ୍ପରା। ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପଦର ସୁଷମ ବଣ୍ଟନ ଓ ଉପଯୋଗ।

ଭୂଦାନ ଯଜ୍ଞ ପରେ, ବିନୋବା ‘ଗ୍ରାମଦାନ’ ଆନ୍ଦୋଳନର ସୂତ୍ରପାତର ମୂଳ ସିଦ୍ଧାନ୍ତ ଥିଲା କେବଳ ଜମି ନୁହେଁ; ସମଗ୍ର ଗ୍ରାମର ସମ୍ପଦ ସମସ୍ତଙ୍କ ମଧ୍ୟରେ ସମାନ ଭାବେ ବଣ୍ଟାଯାଉ। ପ୍ରାକୃତିକ ସମ୍ବଳ ସମଭାଗୀ ହେଉ। ଏଥିରେ ସମାଜରେ ସମାନତା, ସହଭାଗିତା ଓ ସାଧାରଣ ମଙ୍ଗଳ ହେବ। ବିନୋବାଙ୍କ ଏହି ଆନ୍ଦୋଳନ ‘ଶାନ୍ତିମୟ ସାମାଜିକ ବିପ୍ଲବ’ ରୂପେ ବେଶ୍‌ ପରିଚିତ। ବିନୋବାଙ୍କ ଚିନ୍ତାଧାରା ଓ ଦର୍ଶନର କେନ୍ଦ୍ରବିନ୍ଦୁ ୫ଟି ସ୍ତମ୍ଭ ଉପରେ ପ୍ରତିଷ୍ଠିତ ଥିଲା। ଆଉ ତାହା ଜୀବନର ଶେଷ ପର୍ଯ୍ୟନ୍ତ ହିମାଳୟ ଭଳି ଥିଲା ଅବିଚଳିତ। ସତ୍ୟ ଓ ଅହିଂସା, ସର୍ବଧର୍ମ ସମଭାବ, ସମାନତା ଓ ନ୍ୟାୟ, ଆତ୍ମନିର୍ଭରତା ଏବଂ ମାନବ ସେବା ଭଳି ପଞ୍ଚାଙ୍ଗ ମାର୍ଗ ବିନୋବାଙ୍କୁ ସନ୍ଥତ୍ବ ପ୍ରଦାନ କରିଛି। ସେ ବିଶ୍ୱାସ କରୁଥିଲେ, ଭାରତର ପୁନର୍ଗଠନ କେବଳ ଶିଳ୍ପ ବିକାଶରେ ସମ୍ଭବ ନୁହେଁ; ବରଂ ଗ୍ରାମୀଣ ଆଧାରିତ ସମାଜ ଗଠନ ଓ ଆତ୍ମନିର୍ଭରଶୀଳ ଗ୍ରାମୀଣ ଅର୍ଥନୀତି ଉପରେ ହିଁ ସମ୍ଭବପର। ଏ ଯାତ୍ରା ମାନବତା, ଜଳ, ଜମି ଓ ଜଙ୍ଗଲକୁ ଆଗକୁ ନେଉଥିବା ଏକ ଚଳନଶୀଳ ଦୃଷ୍ଟିଭଙ୍ଗୀ ଥିଲା। ତାଙ୍କ ଆନ୍ଦୋଳନ ଭୂମି ସଂସ୍କାର ସହ ଆଧ୍ୟାତ୍ମିକ ଚେତନା ଓ ସମାଜସେବାକୁ ଏକ ନୂତନ ରୂପ ଦେଇଥିଲା। ଜମି ନୁହେଁ, ହୃଦୟ ଦାନ ଥିଲା ଏହି ପ୍ରୟାସର ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ। ତାଙ୍କ ଆନ୍ଦୋଳନକୁ ଅନେକ ରାଷ୍ଟ୍ର, ସାର୍ବଜନୀନ ସ୍ବୀକୃତି ଓ ଆଦର ଦେଇଛନ୍ତି। ଆଜି ଦିନରେ ସରକାର ବିକଶିତ ଓଡ଼ିଶା ଓ ବିକଶିତ ଭାରତ ନେଇ ଯେଉଁ ସ୍ବପ୍ନିଳ ନକ୍ସା ଆଙ୍କିଛନ୍ତି, ତାହା କେବେଠୁ ବିନୋବାଙ୍କ ଈପ୍‌ସିତ ଲକ୍ଷ୍ୟ ରହିଥିଲା।

ବିନୋବାଙ୍କ ଗ୍ରାମ ସ୍ବରାଜ ଓ ସର୍ବୋଦୟ ନୀତି ସ୍ଥାନୀୟ ସାର୍ବଜନୀନ ସଶକ୍ତୀକରଣର ଯୁଗ ଆରମ୍ଭ କରିଥିଲା। ପଞ୍ଚାୟତରୁ ବିକାଶର ଗାଡି ଗଡିବା ଓ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ସେ ଚାହୁଁଥିଲେ। କେବଳ ବିତ୍ତୀୟ ବିକାଶ ନୁହେଁ; ଆଧ୍ୟାତ୍ମିକ ଶୂନ୍ୟ ବ୍ୟକ୍ତି ପଶୁ ସହ ସମାନ ବୋଲି ସେ କହୁଥିଲେ। ଆଧୁନିକତା ଓ ବୈଶ୍ବିକ ଜଗତୀକରଣ ଯୁଗରେ ତାଙ୍କର ଆଦର୍ଶ, ଅନ୍ତର୍ମୂଖୀ ଚେତନା ଓ ସର୍ବୋଦୟ ନୀତି ଆଜିର ସରକାର ଓ ସମାଜ ପାଇଁ ବ୍ୟାପକ ଗୁରୁତ୍ବ ବହନ କରେ।
ତାଙ୍କ ଆଶ୍ରମରେ ସ୍ତୋତ୍ର ଶିକ୍ଷା, ଗୀତା ବାଣୀ ବିଶ୍ଳେଷଣ ଓ କାଶ୍ମୀରୀ ଶାସ୍ତ୍ର ବିଷୟରେ ସୂକ୍ଷ୍ମ ଶିକ୍ଷାକାଳୀନ ବିଶ୍ଳେଷଣ କରାଯାଉଥିଲା। ୧୯୪୦ରେ ବ୍ୟକ୍ତିଗତ ସତ୍ୟାଗ୍ରହ ଲାଗି ପ୍ରଥମ ସତ୍ୟାଗ୍ରରୀ ରୂନେ ମନୋନୀତ ହୋଇଥିଲେ ବିନୋବା। ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇ କାରାଗାରରେ ଥିବାବେଳେ ସେ ଅନ୍ୟ କଏଦୀ ଓ ବନ୍ଦୀ ମାନଙ୍କୁ ଗୀତା, ବାଇବେଲ ଓ କୁରାନ୍‌ ଆଦିର ସାରମର୍ମ ବୁଝାଉଥିଲେ। ଜାତି, ଧର୍ମ ଓ ଭେଦାଭେଦରୁ ସେ କିଭଳି ଉପରେ ଥିଲେ ଏଥିରୁ ଜଣାପଡେ। ଜ୍ଞାନର ଅଦ୍ଭୁତ ସଙ୍ଗମ ଥିଲେ ବିନ୍ୟା। ଦୃଢ଼ ଆଦର୍ଶ, ଅଳ୍ପ ଆଶା, ଉଚ୍ଚ ଆଦର୍ଶବୋଧ, ସୁଉଚ୍ଚ ବିଚାର ଓ ସୁସ୍ଥ ଚିନ୍ତା, ସର୍ବୋଦୟ ଆଦର୍ଶ ଏବଂ ଅହିଂସା ଥିଲା ତାଙ୍କ ଜୀବନର ଆଧାରଶିଳା। ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୀବନ ଓ ଦର୍ଶନ ହେଉଛି ଗଭୀର ଆତ୍ମିକ ଶୋଧନ ଓ ସାଧାରଣ ଲୋକଙ୍କ ପାଇଁ ନୈତିକତାର ଦିଗବାରେଣୀ। ସାମାଜିକ ନ୍ୟାୟ, ଅନ୍ତର୍ମୁଖୀ ଶାନ୍ତି ସଚେତନ ହୃଦୟର ଏକ ନବଜାତକ କିଭଳି ସମାଜର ଆଦର୍ଶରେ ପରିଣତ ହୋଇଥାଏ, ତାହା ତାଙ୍କ ଜୀବନକୁ ବିଶେଷ୍ଲଣ କଲେ ଜଣାପଡେ। ଆଇନର ନାଲି ଆଖି ନୁହେଁ; ହୃଦୟ ପରିବର୍ତ୍ତନ ଜରିଆରେ ଯେ, ସମାଜ ଓ ବ୍ୟବସ୍ଥାକୁ ବଦଳା ଯାଇପାରେ, ତାହା ବିନୋବାଙ୍କ ଜୀବନରୁ ଆମେ ସବୁ ଶିକ୍ଷା ଲାଭ କରିବା ଉଚିତ।

ବିନୋବାଙ୍କ ସେବାକୁ ସ୍ୱୀକାର କରି ୧୯୫୮ରେ ତାଙ୍କୁ ‘ରମଣ ମାଗାସେସେ’ ପୁରସ୍କାର ଓ ୧୯୮୩ରେ ଭାରତ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ବେସାମରିକ ‘ଭାରତ ରତ୍ନ’ ସମ୍ମାନ ପ୍ରଦାନ କରାଯାଇଥିଲା। ମାତ୍ର ଯିଏ ସାର୍ଟିଫିକେଟ୍‌କୁ ଜଳାଇ ଦେଇଥିଲେ ତାଙ୍କ ପାଇଁ ଏ ପୁରସ୍କାର ଓ ସମ୍ମାନ ମଧ୍ୟ ହୁଏତ ଗୁରୁତ୍ବ ରଖେନି। ଅତ୍ୟନ୍ତ ସରଳ, ନିରାଡମ୍ବର ଓ ଜଣେ ଆଚାର୍ଯ୍ୟ ଭଳି ସାଧାରଣ ଜୀବନ ଜିଉଥିଲେ ବିନ୍ୟା। ଜୀବନରେ ଆବଶ୍ୟକତାକୁ ସର୍ବନିମ୍ନ, ଏପରି କି ଶୂନ୍ୟ କରିଥିବା ସେ କେବଳ କହୁ ନଥିଲେ, ବରଂ ନିଜ କ୍ଷେତ୍ରରେ ଲାଗୁ କରିଥିଲେ।

୧୯୮୨ ମସିହା ନଭେମ୍ବର ୧୫ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା। ଗାଗୋଡେର ଅତି ସାଧାରଣ ପରିବାରରୁ ଜୀବନ ଆରମ୍ଭ କରି ଏକ ଚଳନଶୀଳ ସମାଜ ବିପ୍ଳବ ଆଣିଥିଲେ ବିନୋବା। ତାଙ୍କ ଜୀବନ ଆମକୁ ଅହିଂସା, ସର୍ବୋଦୟ, ସ୍ୱୟଂସାଧନା ଓ ସମାନତା ମଧ୍ୟରେ ଯେ ଜୀବିତ ଅର୍ଥ ଓ ଶକ୍ତି ରହିଛି ତାହା ଶିଖାଇଛି। ତାଙ୍କ ଜୀବନ ଥିଲା ତ୍ୟାଗ, ସେବା ଓ ମାନବତାର ପ୍ରତୀକ। ସେ ଭୂଦାନ ଓ ଗ୍ରାମଦାନ ଆନ୍ଦୋଳନ ଜରିଆରେ କେବଳ ଭାରତରେ ନୁହେଁ; ସମଗ୍ର ବିଶ୍ୱରେ ଏକ ନୂଆ ସାମାଜିକ ପରିବର୍ତ୍ତନର ପଥ ପ୍ରଦର୍ଶନ କରିଛନ୍ତି। ଆଜିର ଯୁଦ୍ଧ ବିଧ୍ବସ୍ତ ତଥା ସାମାଜିକ, ଆର୍ଥିକ, ନୈତିକ ସଙ୍କଟ କାଳରେ ବିନୋବା ଭାବେଙ୍କ ସିଦ୍ଧାନ୍ତ ସର୍ବଜନହିତ, ଅହିଂସା, ଆତ୍ମନିର୍ଭରଶୀଳତା, ଅଧ୍ୟାତ୍ମିକତା ଆଧୁନିକ ସମାଜ ପାଇଁ ଦିଗବାରେଣୀ ପାଲଟିଛି। ତାଙ୍କ ଉଚ୍ଚାଦର୍ଶ, ଚିନ୍ତାଧାରା ଓ ବିଚାର ଶୁଦ୍ଧତାକୁ ଅନୁସରଣ କଲେ, ସମାଜରେ ଶାନ୍ତି, ସ୍ଥିରତା ଓ ସମତା ଆସିପାରିବ। ଆଜିର ୧୩୦ ତମ ଜୟନ୍ତୀରେ ଏହା ହିଁ ବିନୋବାଙ୍କ ପ୍ରତି ହେବ ବାସ୍ତବ ଶ୍ରଦ୍ଧାର୍ଘ୍ୟ। (ଅନୁବାଦିତ)
ଉପସଭାପତି, ଲୋକସେବକ ମଣ୍ଡଳ, ନୂଆଦିଲ୍ଲୀ

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories