ବାଲେଶ୍ବର: ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ବାଲେଶ୍ବର ଜିଲାବାସୀଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ସମେତ ଜିଲାରେ ୧୭ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି) ଏବଂ ୭୧ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚସି)କାର୍ଯ୍ୟକ୍ଷମ ରହିଛି। ଜିଲାର ସମସ୍ତ ଡାକ୍ତରଖାନାରେ ୪୩୮ ଜଣ ଡାକ୍ତର ରହିବା କଥା। ମାତ୍ର ୨୨୨ ଜଣରେ ଏବେ ରୋଗୀ ସେବା କେମିତି ଚାଲିଛି, ତାହା ବେଶ ଅନୁମେୟ। ଖାଲି ପଡ଼ିଥିବା ୨୧୬ ଡାକ୍ତର ପଦ କେବେ ପୂରଣ ହେବ, ତା’ର ଉତ୍ତର କାହା ପାଖରେ ନାହିଁ। ସେହିଭଳି ଜିଲାରେ ୮୭୦ ନର୍ସଙ୍କ ସ୍ଥାନରେ ଏବେ ୫୧୮ରେ କାର୍ଯ୍ୟ ଚାଲିଛି।
ସବୁଠାରୁ ବଡ଼ କଥା ହେଲା, ପ୍ରାଥମିକ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ରୋଗୀମାନେ ବହୁ ଆଶା ଓ ଭରସା ନେଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି, ମାତ୍ର ରେଫରାଲ ସେଣ୍ଟର ହୋଇଯାଇଥିବା ଏହି ଡାକ୍ତରଖାନାରୁ ସେମାନେ ଘରୋଇ ହସ୍ପିଟାଲକୁ ଯାଇ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରୁ ରେମୁଣା ସ୍ଥିତ ମେଡିକାଲ କଲେଜ ଡାକ୍ତରଖାନାର ସେଟ ଅପ ସ୍ଥାନାନ୍ତରିତ ହୋଇଯିବା ପରେ ଏବେ ଏହା ଶ୍ରୀହୀନ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ବହିର୍ବିଭାଗକୁ ପ୍ରତିଦିନ ଦୁଇ ହଜାରରୁ ଅଧିକ ରୋଗୀ ଆସୁଛନ୍ତି, ୪/୫ ଶହ ୱାର୍ଡ଼ରେ ଭର୍ତ୍ତି ହେଉଛନ୍ତି। ମାତ୍ର ୨୪ ଘଣ୍ଟା ନ ପୂରୁଣୁ ସେମାନେ ଅନ୍ୟତ୍ର ପଳାଇ ଯାଉଛନ୍ତି। ଡାକ୍ତର ଓ ନର୍ସଙ୍କ ଅଭାବ ଏବେ ମୁଖ୍ୟ ସମସ୍ୟା ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୭୦ ଅନୁମୋଦିତ ଡାକ୍ତର ପଦରେ ଏବେ ୭୮ ଜଣ ଅଛନ୍ତି। ସେହିପରି ୧୪୦ ନର୍ସିଂ ଅଧିକାରୀଙ୍କ ସ୍ଥାନରେ ୮୪ ଜଣ ସେବା ଯୋଗାଉଛନ୍ତି।
ତେଣୁ ଏଠାରେ ରୋଗୀ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାଧ୍ୟ ହୋଇ ରୋଗୀଙ୍କୁ ତାଙ୍କ ପରିବାର ଲୋକ ରେମୁଣା ସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଡାକ୍ତରଖାନାକୁ ନେଇ ଯାଉଛନ୍ତି। ମେଡିକାଲ କଲେଜ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବାକୁ ପ୍ରାୟ ବର୍ଷେ ବିତିବାକୁ ଯାଉଥିବାବେଳେ ରୋଗୀ ସେବା ପାଇଁ ଅଦ୍ୟାବଧି ସମସ୍ତ ବ୍ୟବସ୍ଥା ଉପଲବ୍ଧ ହୋଇପାରି ନାହିଁ। କେବଳ ଭେଷଜ ବିଭାଗକୁ ବାଦ ଦେଲେ ଅନ୍ୟ ସମସ୍ତ ବିଭାଗରେ ଏଠି ର’ ଠ’ ଚିକିତ୍ସା ସେବା ଚାଲିଛି। ଅପରେସନ ଥିଏଟର ନ ଥିବା ଯୋଗୁଁ ରୋଗୀଙ୍କୁ ନାନା ସମସ୍ୟାକୁ ସାମ୍ନା କରିବାକୁ ପଡୁଛି। ଏମଆରଆଇ, ସିଟି ସ୍କାନ ଭଳି ପରୀକ୍ଷା ପାଇଁ ରୋଗୀଙ୍କୁ ପୁଣି ଜିଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ସହରର ଘରୋଇ ପରୀକ୍ଷାଗାରକୁ ଆସିବା ପାଇଁ ପଡୁଛି। ବାଧ୍ୟ ହୋଇ ପରିବାର ଲୋକେ ରୋଗୀଙ୍କୁ କଟକ କିମ୍ବା ଭୁବନେଶ୍ବରକୁ ନେଇ ଯାଉଛନ୍ତି।
ସେହିଭଳି ବାଲେଶ୍ୱର ସହର ଉପକଣ୍ଠ ବାମପଦାଠାରେ ପ୍ରତିଷ୍ଠା ହୋଇଥିବା ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ସାଟେଲାଇଟ ସେଣ୍ଟର ଏବେ କେବଳ ସାପ୍ତାହିକ ଦୁଇ ଦିନିଆ ଓପଡ଼ି ସେବାରେ ସୀମିତ ରହିଯାଇଛି। ପ୍ରସ୍ତାବିତ ୩୫୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲ କାର୍ଯ୍ୟକ୍ଷମ କେବେ ହେବ, କାହାକୁ ଜଣା ନାହିଁ। ୨୦୨୦ ମସିହାରୁ ଏଠାରେ ସପ୍ତାହର ଗୋଟିଏ ଦିନ ମିଳୁଥିବା ଓପିଡି ସେବା ଏବେ ଦୁଇ ଦିନରେ ପହଞ୍ଚିଛି। ଭୁବନେଶ୍ବର ଏମ୍ସ ଡାକ୍ତରଖାନାରୁ ତିନି ଜଣ ଡାକ୍ତର ପ୍ରତି ସପ୍ତାହର ଶନିବାର ଓ ରବିବାର ଏଠାରେ ରୋଗୀ ଦେଖି କେବଳ ପରାମର୍ଶ ଦେଉଛନ୍ତି।
ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ
ତେବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯଥା କଥା ରୋଗୀ ସେବା ଚାଲିଥିବାବେଳେ ଜିଲାର ୧୭ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦୟନୀୟ ସ୍ଥିତି ରୋଗୀ ସେବାରେ ଅନ୍ତରାୟ ହୋଇଛି। ନୀଳଗିରି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଉପଖଣ୍ଡ ଚିକିତ୍ସାଳୟରେ ୫୧ ଡାକ୍ତରଙ୍କ ସ୍ଥାନରେ ୧୩ ଜଣରେ କେମିତି ରୋଗୀ ସେବା ଚାଲିଛି, ତାହା ଭଗବାନଙ୍କୁ ଜଣା। ଉଲ୍ଲେଖନୀୟ ବିଷୟ ହେଲା, ଡାକ୍ତରଙ୍କ ପାଇଁ କ୍ବାର୍ଟର୍ସ ଥିଲେ ମଧ୍ୟ ଜଣେ ହେଲେ ଡାକ୍ତର ଏଠାରେ ରହୁ ନାହାନ୍ତି। ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି ଜଳେଶ୍ବରର ଜିକେ ଭଟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ୧୨ ଜଣଙ୍କ ସ୍ଥାନରେ ୫ ଜଣ ଡାକ୍ତର ଓ ଅଧାରୁ କମ ନର୍ସରେ ଏଠାରେ ରୋଗୀ ସେବା ଚାଲିଛି। ଶିଶୁ ବିଭାଗ ବ୍ୟତୀତ ଆଉ କୌଣସି ବିଭାଗର ବିଶେଷଜ୍ଞ ନାହାନ୍ତି। ଅନ୍ୟପକ୍ଷରେ ଜିଲାରେ ଥିବା ୭୧ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କଥା ନ କହିବା ଭଲ। ଅଧିକାଂଶ କେନ୍ଦ୍ରରେ ବିନା ଡାକ୍ତରରେ ଜଣେ ନର୍ସ କିମ୍ବା ଫାର୍ମାସିଷ୍ଟରେ ରୋଗୀ ସେବା ଚାଲିଛି। ଜିଲାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ପ୍ରତିବାଦରେ ବାରମ୍ବାର ଧାରଣା ଓ ଆନ୍ଦୋଳନ ଆଦି ହେଉଛି, ମାତ୍ର ଅବସ୍ଥା ସୁଧୁରୁ ନାହିଁ।



