ଦେବୀଲାଲ ମିଶ୍ର
ଆମେ ସମସ୍ତେ ଜାଣୁ ଯେ ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ। ଯଦି ଆମେ ମଣିଷ ସମାଜ କଥା ବିଚାର କରିବା ତେବେ ସାମାଜିକ ପରିବର୍ତ୍ତନ ଏକ ନିରବଚ୍ଛିନ୍ନ ଧାରା ଅଟେ। ପ୍ରାଚୀନ ସମାଜ ଓ ଆଧୁନିକ ସମାଜ ମଧ୍ୟରେ ଦେଖାଯାଉଥିବା ପରିବର୍ତ୍ତନ ଏକ ସ୍ବାଭାବିକ ସାମାଜିକ ପ୍ରକ୍ରିୟା। ମଣିଷର ମାନସିକତା ତା’ର ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ। ପ୍ରତ୍ୟେକ ବ୍ୟବହାର ଏକ ସ୍ବତନ୍ତ୍ର ପରିବେଶ ନିର୍ମାଣ କରେ। ସମାଜର ପରିକଳ୍ପନା ମଣିଷର ପାରସ୍ପରିକ ବ୍ୟବହାର ଓ ବ୍ୟାବହାରିକ ପ୍ରଭାବ ଉପରେ ପର୍ଯ୍ୟବସିତ। ମଣିଷର ମନସ୍ତତ୍ତ୍ବର ବିିଭିନ୍ନ ଦିଗ ରହିଛି। େଗାଟିଏ ସାଧାରଣ କଥା ହେଲା ଯେ ଏହା ସମାଜ-ମୁଖୀ ବା ସମାଜ ଦ୍ବାରା ଅନେକାଂଶରେ ନିୟନ୍ତ୍ରିତ। ଆମ ଭିତରୁ ଅନେକ ‘ସମାଜକୁ ସାମ୍ନାକରିବା’, ‘ଲୋକ କ’ଣ କହିବେ’, ‘ସାମାଜିକ ସୁନ୍ଦରତା’, ‘ସାମାଜିକ ଗ୍ରହଣୀୟତା’ ଇତ୍ୟାଦି ତତ୍ତ୍ବସହ ଉଣା-ଅଧିକେ ପରିଚିତ। ତେଣୁ ସ୍ବୀକାର କରାଯାଇପାରେ ଯେ ମଣିଷର ମନସ୍ତତ୍ତ୍ବ ଉପରେ ସମାଜର ଏକ ଅସାଧାରଣ ପ୍ରଭାବ ରହିଛି। ଏଇଠି କିନ୍ତୁ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଯଦି ସମାଜ ମଣିଷର ମନସ୍ତତ୍ତ୍ବକୁ ନିୟନ୍ତ୍ରିତ କରେ, ତେବେ ସମାଜରେ ପରିବର୍ତ୍ତନ ଆସିବ କିପରି?
ପରିବର୍ତ୍ତନ ଏକ ଅବିରତ ପ୍ରକ୍ରିୟା- କେତେବେଳେ ଏହା ପ୍ରାକୃତିକ ତ ଆଉ କେତେବେଳେ ଏହା ପରିକଳ୍ପିତ। ପରିବର୍ତ୍ତନର ମୁଖ୍ୟତଃ ଦୁଇଗୋଟି ପାର୍ଶ୍ବ ରହିଛି- ଅନ୍ତଃ ଓ ବାହ୍ୟ। ଭିତର ପାର୍ଶ୍ବଟି ବ୍ୟକ୍ତିର ମାନସିକତା ଓ ଚରିତ୍ର ଉପରେ ପର୍ଯ୍ୟବସିତ ଓ ବାହାର ପାର୍ଶ୍ବରୁ ସାମାଜିକ ବ୍ୟବସ୍ଥା ଓ ପରିସ୍ଥିତି ଆଧାରିତ। ପରିବର୍ତ୍ତନର ଉଦ୍ଦେଶ୍ୟ ସର୍ବଦା ସକାରାତ୍ମକ ହେବା ଦରକାର। ସକାରାତ୍ମକ ଉଦ୍ଦେଶ୍ୟ ପାଇଁ ସକାରାତ୍ମକ ମନସ୍ତତ୍ତ୍ବ ନିତାନ୍ତ ଆବଶ୍ୟକ।
ଏକ ସକାରାତ୍ମକ ବା ବିକଶିତ ସମାଜର ସୃଷ୍ଟି ବିଭିନ୍ନ ଉପାଦାନରୁ ହୋଇଥାଏ, ଯେମିତିକି ସାକ୍ଷରତା, ଶିକ୍ଷା, ବିଜ୍ଞାନ, ଗବେଷଣା, ତର୍କସମ୍ମତ ଓ ମୌଳିକ ଚିନ୍ତାଧାରା, ଉନ୍ନତ ପରିବେଶ, ଜୀବନର ମାନ, ଅର୍ଥନୈତିକ ଓ ରାଜନୈତିକ ବିକାଶ, ସାଂସ୍କୃତିକ ସଚେତନତା ଓ ଉନ୍ନତ ଗଣମାଧ୍ୟମ ଓ ସଂଚାର ବ୍ୟବସ୍ଥା ଇତ୍ୟାଦି।
ସାକ୍ଷରତା ବିନା ସମସ୍ତେ ଅନ୍ଧ। ସାକ୍ଷରତା କେବଳ ପଢ଼ିବା ଓ ଲେଖିବା ଭିତରେ ସୀମିତ ନୁହେଁ, ଅପିତୁ ଏହା କୌଣସି ଜିନିଷର ପ୍ରଭାବ ଓ ବ୍ୟବହାରକୁ ଭଲଭାବେ ବୁଝିବା ଏବଂ ଏକ ମହତ୍ ଉଦ୍ଦେଶ୍ୟରେ ତା’ର ପ୍ରଭାବୀ ବ୍ୟବହାର କରିବାର ଦକ୍ଷତାକୁ ବୁଝାଇଥାଏ। ଶିକ୍ଷା ହେଉଛି ସମାଜର ଆଧାର। ଶିକ୍ଷା ବିନା ମଣିଷର ମାନସିକତାକୁ ପରିବର୍ତ୍ତନ କରିବା ଅସମ୍ଭବ। ସେମିତି ବିଜ୍ଞାନ ସାମାଜିକ ପରିବର୍ତ୍ତନର ଏକମୁଖୀ ଅଙ୍ଗ। ବିଜ୍ଞାନର ବିକାଶ ମଣିଷର ଚେତନାକୁ ବିକଶିତ କରିଥାଏ। ଗବେଷଣା ଏକ ବିକଶିତ ସମାଜର ପ୍ରମୁଖ ଉପାଦାନ। ଗବେଷଣା ଦ୍ବାରା ବିଭିନ୍ନ ବୈଜ୍ଞାନିକ ପ୍ରୟୋଗ ସମ୍ଭବପର ହୋଇଥାଏ ଏବଂ ଅନେକ ନୂତନ ତଥ୍ୟ ଓ ଜ୍ଞାନ ଲୋକଲୋଚନକୁ ଆସିଥାଏ। ଗବେଷଣା ମଧ୍ୟ ବିଭିନ୍ନ ସାମାଜିକ ସମସ୍ୟାକୁ ମୁକାବିଲା କରିବା ପାଇଁ ବାଟ ଦେଖାଇଥାଏ। ତର୍କସମ୍ମତ ଓ ମୌଳିକ ଚିନ୍ତାଧାରା ବ୍ୟକ୍ତିକୁ ସୃଜନମୁଖୀ କରେ ଏବଂ ବିଭିନ୍ନ ଭ୍ରମାତ୍ମକ ପରିସ୍ଥିତିରୁ ବାହାରକୁ ଆଣିବାରେ ସାହାଯ୍ୟ କରେ। ଉନ୍ନତ ପରିବେଶ ଏକ ଉନ୍ନତ ସମାଜର ଭିତ୍ତିଭୂମି। ଆମର ଆମ ପରିବେଶ ସହିତ ଥିବା ସମ୍ପର୍କର ସମ୍ବେଦନଶୀଳତାର ସ୍ତର ଖାଲି ଆମକୁ ନୁହେଁ, ବରଂ ଆମ ପରବର୍ତ୍ତୀ ପିଢ଼ିକୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ଏକ ଉନ୍ନତ ପରିବେଶ ପାଇଁ ସମସ୍ତେ ଯତ୍ନଶୀଳ ହେବା ଦରକାର। ଏକ ସଫଳ ସମାଜ ଏକ ବିକଶିତ ଅର୍ଥନୀତି ଓ ରାଜନୀତି ଉପରେ ପର୍ଯ୍ୟବସିତ। ଉନ୍ନତ ଅର୍ଥନୀତି ଓ ରାଜନୀତି କହିଲେ ସମାଜର ସବୁବର୍ଗର ଲୋକଙ୍କର ଉନ୍ନତିର ସାଧନ ସେମାନଙ୍କ ନିୟନ୍ତ୍ରଣରେ ରହିବାକୁ ବୁଝାଇଥାଏ ଯାହା ସେମାନଙ୍କର ଜୀବନର ମାନକୁ ପ୍ରଭାବିତ କରେ। ଗୋଟିଏ ବ୍ୟକ୍ତିର ଜୀବନର ମାନ ସେତେବେଳେ ଉନ୍ନତ ହୁଏ ଯେତେବେଳେ ସେହି ବ୍ୟକ୍ତିଜଣକ ତା’ ଜୀବନକୁ ନେଇ ଖୁସିଥାଏ ଏବଂ ତା’ର ଖୁସି ଅନ୍ୟର ବା ସମାଜର ଖୁସିର କାରଣ ପାଲଟେ। ଏକ ସୁନ୍ଦର ସମାଜ ପାଇଁ ଆମ ସଂସ୍କୃତିର ଏକ ବଳିଷ୍ଠ ଯୋଗଦାନ ରହିଛି। ସମାଜର ପ୍ରତ୍ୟେକ ବ୍ୟକ୍ତିଠାରେ ସଂାସ୍କୃତିକ ସଚେତନତା ରହିବା ଦରକାର। ସାଂସ୍କୃତିକ ସଚେତନତା ଦ୍ବାରା ବ୍ୟକ୍ତିର ସାମାଜିକ ଅଙ୍ଗୀକାର ଓ କର୍ତ୍ତବ୍ୟବୋଧ ସୃଷ୍ଟିହୁଏ ଯାହା ତାହାର ବ୍ୟବହାରକୁ ବିଶେଷ ଭାବେ ପ୍ରଭାବିତ କରେ। ଏକ ବିକଶିତ ସମାଜ ଏକ ବିକଶିତ ସଂଚାର ବ୍ୟବସ୍ଥା ଉପରେ ଅନେକାଂଶରେ ନିର୍ଭରଶୀଳ। ଗଣମାଧ୍ୟମ ଓ ସଂଚାର ବ୍ୟବସ୍ଥାରେ ସାମାଜିକ ସମ୍ବେଦନଶୀଳତା ରହିବା ନିତାନ୍ତ ଆବଶ୍ୟକ। ଏକ ଉନ୍ନତ ସମାଜ ନିର୍ମାଣରେ ଗଣମାଧ୍ୟମର ଏକ ବିଶେଷ ଭୂମିକା ରହିଛି। ଗଣମାଧ୍ୟମକୁ ସକାରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଦରକାର।
ବର୍ତ୍ତମାନ ସମାଜରେ ଗଣମାଧ୍ୟମର ପ୍ରଭାବ ଅଧିକ ଅନୁଭୂତ ହେବାରେ ଲାଗିଛି। ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଏହି ପ୍ରଭାବକୁ ଏକ ଭିନ୍ନସ୍ତରକୁ ନେଇଯାଇଛି, କିନ୍ତୁ ଏହି ପ୍ରଭାବ ସକାରାତ୍ମକ ହେଲେ ତାହା ସମାଜ ପାଇଁ ଶୁଭଙ୍କର। ଗଣ ଓ ମାଧ୍ୟମ ପରସ୍ପରକୁ ପ୍ରଭାବିତ କରନ୍ତି। ଗଣଚରିତ୍ର ସକାରାତ୍ମକ ହେଲେ ମାଧ୍ୟମର ପ୍ରଭାବ ମଧ୍ୟ ସକାରାତ୍ମକ ହେବ। ବ୍ୟକ୍ତିର ପ୍ରକୃତି ତା’ର ବ୍ୟବହାରକୁ ପ୍ରଭାବିତ କରେ।
ଗଣମାଧ୍ୟମ ବା ସାମାଜିକ ଗଣମାଧ୍ୟମକୁ ନେଇ ସମାଜରେ ଦେଖାଯାଉଥିବା ବିଭିନ୍ନ ଅଭାବନୀୟ ପରିସ୍ଥିତି ପାଇଁ ଖାଲି ଗଣମାଧ୍ୟମକୁ ଦାୟୀ କରିବା ବୋକାମି ଅଟେ। ଏଥିପାଇଁ ବ୍ୟବହାରକାରୀର ଚରିତ୍ର ମୁଖ୍ୟତଃ ଦାୟୀ। ବିକଶିତ ଗଣମାଧ୍ୟମ ଏବଂ ସଂଚାର ବ୍ୟବସ୍ଥା କହିଲେ ଏହା ମୋଟାମୋଟି ଭାବେ ଉନ୍ନତ ଜନଚରିତ୍ର, ଗଣମାଧ୍ୟମର ଉପଯୁକ୍ତ ବ୍ୟବହାର, ପ୍ରଭାବ ଓ ଏକ ସକାରାତ୍ମକ ପାରସ୍ପରିକ ସମ୍ବନ୍ଧକୁ ବୁଝାଇଥାଏ।
ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ପରିବର୍ତ୍ତନ ବିନା ପ୍ରଗତି ସମ୍ଭବ ନୁହେଁ କାରଣ ସମୟ ସହିତ ପରିବର୍ତ୍ତନ ଅବଶ୍ୟମ୍ଭାବୀ। ପରିବର୍ତ୍ତନ ହିଁ ପ୍ରଗତିର ମାଧ୍ୟମ ଓ ମାପକାଠି। ଏକ ବିକଶିତ ସମାଜ ନିର୍ମାଣ ପାଇଁ ବ୍ୟକ୍ତିଙ୍କୁ ବିଭିନ୍ନ ସଙ୍କୁଚିତ ଉପାଦାନରୁ ମୁକ୍ତ ହେବାକୁ ପଡ଼ିବ। ଆମର ସକାରାତ୍ମକ ବ୍ୟବହାରକୁ ପ୍ରତିରୋଧ କରୁଥିବା ଏମିତି ବିଭିନ୍ନ ଉପାଦାନ ସମାଜରେ ଅଛନ୍ତି, ଯେମିତିକି- ଘୃଣା, େଦ୍ବଷ, ଅସହିଷ୍ଣୁତା, କ୍ଷୁଦ୍ରସ୍ବାର୍ଥ, ପରଶ୍ରୀକାତରତା, ଅହଂଭାବ, ଭ୍ରମାତ୍ମକ ଅବଧାରଣା, ଅଜ୍ଞାନତା, ନକାରାତ୍ମକ ମନୋସ୍ଥିତ ଓ ମନୋବୃତ୍ତି ଇତ୍ୟାଦି।
ଏକ ବିକଶିତ ସମାଜ ହେଉଛି ଏକ ଉନ୍ମୁକ୍ତ ସମାଜ, ଏକ ସଂପ୍ରସାରିତ ସମାଜ, ଏବଂ ସର୍ବୋପରି ଏକ ପ୍ରଗତିଶୀଳ ସମାଜ। ମାନବୀୟ ପ୍ରଗତି ଓ ସକାରାତ୍ମକ ପରିବର୍ତ୍ତନ ପ୍ରତ୍ୟେକ ଧର୍ମର ଲକ୍ଷ୍ୟ ଅଟେ। ଧର୍ମ ବ୍ୟକ୍ତିକୁ ଓ ସମାଜକୁ ମାର୍ଗ ଦେଖାଏ; ଚରିତ୍ର ଗଠନରେ ସାହାଯ୍ୟ କରେ। ଏହା ଯଦି ଜଣକୁ ଅନ୍ଧ କରିଦିଏ, ତେବେ ଏହା ମୂଲ୍ୟହୀନ। ଏହାକୁ ଧର୍ମ କୁହାଯାଇ ନ ପାରେ। ସମାଜର ପ୍ରତ୍ୟେକ ଉପାଦାନ- ବ୍ୟକ୍ତି, ଅନୁଷ୍ଠାନ ବା ବ୍ୟବସ୍ଥା- ଏକ ସକାରାତ୍ମକ ପରିବର୍ତ୍ତନର ମାଧ୍ୟମ ହେବା ଦରକାର; ଯାହା ମଣିଷର ଉଭୟ ମାନସିକ ସ୍ଥିତି ଏବଂ ସାମାଜିକ ସ୍ଥିତି ମଧ୍ୟରେ ଏକ ସୁସ୍ଥ ପାରସ୍ପରିକ ପ୍ରଭାବ ସୃଷ୍ଟି କରିପାରିବ ଏବଂ ଯାହାଦ୍ବାରା ପରିବର୍ତ୍ତନ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରାଯାଇ ପାରିବ।
ଅଧ୍ୟାପକ, ରେଭେନ୍ସା ବିଶ୍ବବିଦ୍ୟାଳୟ
debilalmishra@gmail.com



