ଦେଦୀପ୍ୟମାନ ଭାରତର ଅନ୍ତରାଳେ ଅନ୍ଧକାର

0

ବାସୁଦେବ ସାହୁ

prayash

ସାମଗ୍ରିକ ଅର୍ଥନୈତିକ ପ୍ରଗତି ଦୃଷ୍ଟିରୁ ଭାରତ ବିଶ୍ବର ଦୃଷ୍ଟି ଆକର୍ଷଣ କରୁଥିଲାବେଳେ, ପ୍ରଗତିର ଅନ୍ତରାଳରେ ଥିବା ଅସନ୍ତୋଷର ଅନ୍ଧକାର ଚିନ୍ତାଶୀଳ ଜନହିତୈଷୀଙ୍କୁ ବ୍ୟଥିତ କରୁଛି। ୨୦୧୮ ଜୁଲାଇ ୧୧ରେ ବିଶ୍ବବ୍ୟାଙ୍କ ରିପୋର୍ଟ କଲା ଯେ ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ବର ଷଷ୍ଠ ବୃହତ୍ତମ ରାଷ୍ଟ୍ରହୋଇଛି। ୨୦୧୭ରେ ଭାରତର ଜାତୀୟ ଉତ୍ପାଦ ଥିଲା ୨.୫୯୭ ଲକ୍ଷକୋଟି ଡଲାର, ଫ୍ରାନ୍ସର ୨.୫୮୨ ଲକ୍ଷକୋଟି ଡଲାର, ଚୀନର ୧୨.୨୪ ଲକ୍ଷକୋଟି ଡଲାର, ଆମେରିକାର ୧୯.୩୯ ଲକ୍ଷକୋଟି ଡଲାର ଥିଲା। ୧୦ ବର୍ଷ ପୂର୍ବେ ଭାରତର ଜାତୀୟ ଉତ୍ପାଦ ଫ୍ରାନ୍ସର ଅଧା ଥିଲା। ଆମର ଅର୍ଥନୈତିକ ଅଭିବୃଦ୍ଧି ହାର ୨୦୧୮ର ପ୍ରଥମ ୩ ମାସରେ ୭.୭% ଥିଲାବେଳେ ଚୀନର ଥିଲା ୬.୮ ପ୍ରତିଶତ। ଏସୀୟ ଉନ୍ନୟନ ବ୍ୟାଙ୍କ ଘୋଷଣା କରିଛି ଯେ ୨୦୧୮-୧୯ ଓ ୨୦୧୯-୨୦ରେ ଭାରତର ଅଭିବୃଦ୍ଧି ହାର ଚୀନଠାରୁ ଅଧିକ ହେବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଘୋଷଣା କରିଛି ଭାରତର ପ୍ରଗତି ହାର ଏବର୍ଷ ହେବ ୭.୪ ପ୍ରତିଶତ, ଆସନ୍ତାବର୍ଷ ୭.୮ ପ୍ରତିଶତ। ବିଗତ ଦୁଇବର୍ଷ ବିମୁଦ୍ରାକରଣ ଓ ଦ୍ରବ୍ୟ ସେବାକର ପ୍ରବର୍ତ୍ତନ ଧକ୍କାରେ ଅଭିବୃଦ୍ଧି ହାର ହ୍ରାସ ପାଇଥିଲା, କିନ୍ତୁ ୨୦୧୭ର ଶେଷାର୍ଦ୍ଧ ବେଳକୁ ଜାତୀୟ ଉପଭୋଗ ଖର୍ଚ୍ଚର ବୃଦ୍ଧି ଓ ବିନିର୍ମାଣ ଶିଳ୍ପ ଉଜ୍ଜୀବିତ ହେବା ଯୋଗୁଁ ଅର୍ଥନୀତିର ବିକାଶ ଉଜ୍ବଳ ହୋଇଉଠିଲା। ଲଣ୍ଡନର ଏକ ବ୍ୟାବସାୟିକ ଗବେଷଣା ପ୍ରତିଷ୍ଠାନ ମତରେ ଭାରତର ଏହି ଅଗ୍ରଗତି ବହୁବର୍ଷ ପର୍ଯ୍ୟନ୍ତ ଅବ୍ୟାହତ ରହିବ। ଏହି ପ୍ରତିଷ୍ଠାନ ମତରେ ଭାରତର ୧୭ ପ୍ରକାର ପରୋକ୍ଷ କର କମିଯାଇଛି ଏବଂ କଳାଧନ ହ୍ରାସ ପାଇଛି।
ୱାର୍ଲଡ ଇକୋନୋମିକ ଲିଗ୍‌ ଟେବୁଲ୍‌ ମଧ୍ୟ କହିଛି ୨୦୧୮ରେ ଭାରତ ବ୍ରିଟେନକୁ ଟପିଯିବ। ଏସୀୟ ଉନ୍ନୟନ ବ୍ୟାଙ୍କ କହେ ବର୍ଦ୍ଧିତ ଖର୍ଚ୍ଚ, କାରଖାନାମାନଙ୍କର ଅଧିକ ଉତ୍ପାଦନ, ସରକାର ବ୍ୟାଙ୍କମାନଙ୍କୁ ଅଧିକ ପୁଞ୍ଜି ଦେବାଯୋଗୁଁ ଘରୋଇ ପୁଞ୍ଜି ନିବେଶ ବୃଦ୍ଧି ଭିତ୍ତିଭୂମି ପ୍ରସାର ପ୍ରତି ଅଧିକ ଧ୍ୟାନ ଯୋଗୁଁ ଆର୍ଥିକ ଅଗ୍ରଗତି ସମ୍ଭବ ହୋଇଛି। ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ ରିପୋର୍ଟ ୮୦ଟି ମାନକ ଭିତ୍ତିରେ ଭାରତକୁ ୧୨୬ଟି ଦେଶ ଭିତରେ ୫୭ତମ ସ୍ଥାନ ଦେଇଛି। ୮୦ଟି ମାନକ ଭିତରେ ଅଛି ବୌଦ୍ଧିକ ସଂପତ୍ତି ଅଧିକାର, ମୋବାଇଲ ପ୍ରୟୋଗ, ବିଜ୍ଞାନ ଶିକ୍ଷାରେ ଖର୍ଚ୍ଚ। ଏହି ରିପୋର୍ଟ ଅନୁଯାୟୀ ଭାରତରେ ବିଜ୍ଞାନ ଓ ଇଞ୍ଜିନିୟରିଂ ଡିଗ୍ରୀପ୍ରାପ୍ତ ଲୋକସଂଖ୍ୟା ବୃଦ୍ଧି, ଆଭ୍ୟନ୍ତରୀଣ ବଜାରର ପ୍ରସାର, ବ୍ୟବସାୟରେ ପ୍ରତିଦ୍ବନ୍ଦ୍ବିତା, ଗବେଷଣା ଓ ଉନ୍ନୟନ ବୃଦ୍ଧି, ଉତ୍ପାଦ ଅଭିବୃଦ୍ଧି ହାରରେ ଭାରତର ସ୍ଥାନ ବିଶ୍ବରେ ଚତୁର୍ଥ, ଦେଶ ଭିତରେ ଓ ବାହାରେ ଅଧିକ ପୁଞ୍ଜିନିବେଶ, ବର୍ତ୍ତମାନ ଡିଜିଟାଲ ପ୍ରୟୋଗଦ୍ବାରା, ପରିଭ୍ରମଣ ପ୍ରଚାର ଓ ଚିତ୍ତବିନୋଦନ କ୍ଷେତ୍ରରେ ବିକାଶ ଘଟିବା ଯୋଗୁଁ ଭାରତ ଦକ୍ଷିଣ ଏସିଆରେ ସବୁଠୁ ଅଧିକ ପ୍ରଗତିଶୀଳ ରାଷ୍ଟ୍ର ହେବବୋଲି ଏସିଆ ଉନ୍ନୟନ ବ୍ୟାଙ୍କର ମତ।
ନିମ୍ନ ମଧ୍ୟବିତ୍ତ ଅର୍ଥନୀତି ମଧ୍ୟରେ ଭାରତ ପଞ୍ଚମସ୍ଥାନରେ ପହଞ୍ଚିବା ସହ ଦୀର୍ଘ ୮ବର୍ଷ କାଳ ନୂତନ ପଦ୍ଧତି ବ୍ୟବହାରରେ ଉତ୍ତମ କର୍ମ କରିଥିଲା। ଭାରତର ଶିଳ୍ପ ଉନ୍ନୟନ ଗୋଷ୍ଠୀ (ଚ୍ୟାମ୍ବର ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି) ମତ ଦିଏ ଯେ ଭାରତ ବିଶ୍ବରେ ନୂତନ ଉଦ୍‌ଭାବନ ଦେଖାଇବାର ସାମର୍ଥ୍ୟ ଅର୍ଜନ କଲାଣି।
ଅନ୍ତରାଳରେ ଦୁର୍ବଳତା:
ତେବେ ଭାରତର କେତେକ ଦୁର୍ବଳତା ଅଛି ଯାହା ପ୍ରଗତିର ଫଳ ସମାନ ଭାବରେ ବଣ୍ଟନର ପ୍ରତିବନ୍ଧକ। ଏହି ଦୁର୍ବଳତା ହେଉଛି ରାଜନୈତିକ ସ୍ଥିରତାର ଅଭାବ।
ସାମାଜିକ ବିଭାଗୀକରଣ, ସ୍ଥାନସଂରକ୍ଷଣ ଆନ୍ଦୋଳନ, ପାରିବେଶିକ ଦୁରବସ୍ଥା, ବ୍ୟବସାୟକ୍ଷେତ୍ରରେ ଦୁର୍ଗତି ଦୂର କରିବାରେ ଦୁର୍ବଳତା, ଶିକ୍ଷାକ୍ଷେତ୍ରରେ ଜାତୀୟ ଆୟର ଖର୍ଚ୍ଚାଂଶ, ଏହି ସବୁ କ୍ଷେତ୍ରରେ ଭାରତର ସ୍ଥାନ ୧୨୩ ଦେଶ ଭିତରେ ୯୦ରେ। ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ମାପକରେ ଭାରତର ସ୍ଥାନ ବହୁତ ତଳେ। ଏହା ପୁଣି ୫୦ ତଳକୁ ନିମ୍ନଗାମୀ। ଏହାର ମୁଣ୍ଡପିଛା ଆୟ ଫ୍ରାନ୍ସର କୋଡ଼ିଏ ଭାଗରୁ ଭାଗେ, ଏହାସାଙ୍ଗକୁ ଦରଦାମ ଉଚ୍ଚସ୍ଥାନରେ (୪.୬ରେ‌) ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିକମି ଯାଉଛି। ପେଟ୍ରୋଲ ଦରବୃଦ୍ଧି ଏକ ବଡ଼ କାରଣ।
୧୦୦ଟି ଅନୁନ୍ନତ ଜିଲା:
ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ଗୋଟିଏ ବି ଜିଲା ଉତ୍ତମ ଫଳ ଦେଖାଇବାରେ ନାହିଁ। ଏହି ରାଜ୍ୟଗୁଡ଼ିକରେ ତଫସିଲଭୁକ୍ତ ଜାତି- ଉପଜାତି ଲୋକ ଅଧିକ। ନୀତି ଆୟୋଗ ମତରେ ଅନୁନ୍ନତ ଜିଲା ୧୧୫ଟି। ସରକାରଙ୍କ ଦୃଷ୍ଟି ପଡ଼ିଛି ଏ ଜିଲା ସବୁ ଉପରେ। ୧୯୬୦ରୁ ୧୧ କମିଟି ସମସ୍ୟା ଅନୁଧ୍ୟାନ ପାଇଁ ଗଠନ ହୋଇଥିଲା। ଯୋଜନା କମିସନ ୧୯୯୭ରେ ୧୦୦ଟି ଅନଗ୍ରସର ଜିଲା ଚିହ୍ନଟ କରିଥିଲା, ଏଥିରୁ ୩୫ଟି ଜିଲା ନକ୍ସଲ ଉପଦ୍ରୁତ।
ମାପକ ଚିହ୍ନଟ କରିବାରେ କମିଟି, କମିସନ ଧୁରନ୍ଧର, କିନ୍ତୁ ସମସ୍ୟା ନିରାକରଣର ଉପାୟ ଦେବାରେ ଅସମର୍ଥ। ନୀତି ଆୟୋଗ ୧୧ଟି ମାପକାଠିରେ ଅନଗ୍ରସରତା ନିର୍ଣ୍ଣୟ କରିଛି। ମୁଣ୍ଡପିଛା ଖାଦ୍ୟ, ଭୂମିହୀନ ପରିବାର ପିଲା ଜନ୍ମକରିବା ଓ ଯତ୍ନ ନେବା​‌େ​‌ର ଅଭାବ, ଶିକ୍ଷକ ଅଭାବ, ବିଦ୍ୟୁତ ଶକ୍ତି, ପାଇଖାନା ଅଭାବ ଇତ୍ୟାଦି, କିନ୍ତୁ ସମସ୍ୟା ସମାଧାନର ଉପାୟ କାହିଁ?
ଲୋକଙ୍କୁ ଋଣ ଓ ରିଆତି ସୁଧ ଦିଆଯାଉଛି। କଳାହାଣ୍ଡି, ବଲାଙ୍ଗିର, କୋରାପୁଟ ଜିଲାପାଇଁ ୧୯୯୭ ସୁଦ୍ଧା ୧୯୯୪ କୋଟି ଟଙ୍କା ଖର୍ଚ୍ଚହୋଇଥିଲା। ଅନୁନ୍ନତ ଜିଲାଗୁଡ଼ିକ ପାଇଁ ପାଇଁ ୨୦୦୭-୧୨ ଭିତରେ ୨୧୬୨୩କୋଟି, ୨୦୧୨-୧୭ରେ ୨୯୩୦୬କୋଟି ଟଙ୍କାର ଖର୍ଚ୍ଚ ବରାଦ ଥିଲା।
୧୯୯୨ର ସମ୍ବିଧାନ ସଂଶୋଧନରେ ପଞ୍ଚାୟତରାଜ ଅନୁଷ୍ଠାନକୁ ଏହି ଖର୍ଚ୍ଚର ମୁଖ୍ୟ ଦାୟିତ୍ବ ଦିଆଗଲା। ଦେଖାଗଲା ଯେ ଯେତେ ଖର୍ଚ୍ଚହେବାର ବରାଦ ହେଉଛି ତା’ର ଏକ- ତୃତୀୟାଂଶ ରାଜ୍ୟ ହାତକୁ ଆସୁଛି। ଏହାର କିୟଦଂଶ ୫ ପ୍ରତିଶତ ଲୋକଙ୍କ ପାଇଁ ଖର୍ଚ୍ଚ ହେଉଛି। ୨୦୧୫-୧୬ ଠାରୁ ଏହି ଖର୍ଚ୍ଚ ବରାଦକୁ କେନ୍ଦ୍ର ବଜେଟରୁ ଦୂରେଇ ରଖାଗଲା। ଏ ପ୍ରକଳ୍ପ ଅସଫଳ ହେବାର କାରଣ ଏହାକୁ ଭଲଭାବେ ଖର୍ଚ୍ଚ କରିବାର ସାମର୍ଥ୍ୟ ନଥିଲା। ଜିଲା ଶାସନ, ଅନଗ୍ରସର ୧୧୫ ଜିଲା, ବ୍ରିଟିଶ ସମୟରୁ ପଛୁଆ ଜିଲା, ନୀତି ଆୟୋଗ ଚିହ୍ନିତ ୨୭୨ ଜିଲା ଭିତରେ ୧୯୬ଟି (୭୩%) ବିହାର, ଓଡ଼ିଶା, ରାଜସ୍ଥାନ ପଶ୍ଚିମବଙ୍ଗ ଇତ୍ୟାଦିର। ଭାରତର ୭୦୦ ଜିଲା ଭିତରେ ଏହି ଜିଲା କାହିଁକି ପଛୁଆ- ଏହାହିଁ ବଡ଼ପ୍ରଶ୍ନ।
ଅନଗ୍ରସରର ବହୁବିଧ କାରଣ:
ଅଞ୍ଚଳର ଅନଗ୍ରସରତାର ବହୁବିଧ କାରଣ ଅଛି- ଐତିହାସିକ, ସାମାଜିକ, ପାରିବେଶିକ, ପରିବହନ ଦୁରବସ୍ଥା, ପ୍ରାକୃତିକ ଦୁର୍ଘଟଣା, ଅନଗ୍ରସର ଜାତି ଯାହାର ଅର୍ଥ ଲଗାଣର ଜ୍ଞାନସ୍ବଳ୍ପ। ନୂଆ କାରିଗରିକୌଶଳ ଉତ୍ପାଦନ ବୃଦ୍ଧି ପାଇଁ ପ୍ରୟୋଗ ହେଉଛି, କିନ୍ତୁ ଏହାର ବ୍ୟବହାର କିମିତି ହେବ ଲୋକଙ୍କୁ ଜଣାନାହିଁ। ତେବେ ଉପାୟ କ’ଣ?
ଅବସ୍ଥା ସୁଧାରିବା ପାଇଁ ଜିଲାର ଭୌଗୋଳିକ ଅବସ୍ଥା, ଲୋକଙ୍କ ସାମର୍ଥ୍ୟ, ଆଞ୍ଚଳିକ ସମ୍ବଳକୁ ବିଚାର କରି ଉନ୍ନୟନ ଧୀରେଧୀରେ କରିବା ଦରକାର। ନୀତି ଆୟୋଗର ବଡ଼ବଡ଼ କଥା ଓ ପ୍ରକଳ୍ପ କାମ ଦେବନି ଯଦି ପ୍ରତ୍ୟେକଟିର ଟିକିନଖି ବିଶ୍ଳେଷଣ କରାନଯାଏ। ପ୍ରଗତି ତୃଣମୂଳ ସ୍ତରରୁ ଯିବ, ଉପରୁ ଲଦିଦେବା ନିରର୍ଥକ।
କାହିଁକି ଅଞ୍ଚଳଟି ଅନୁନ୍ନତ ଜାଣିବାକୁ ହେବ। କାହିଁକି ପୂର୍ବବ୍ୟବସ୍ଥା ଫଳପ୍ରଦ ହେଲାନାହିଁ ଜାଣିବା ନିହାତି ଦରକାର। ଲୋକଙ୍କ ସମ୍ବଳ ଓ ଜ୍ଞାନକୁ କାମରେ ଲଗାଇବା ଦରକାର। ପ୍ରତ୍ୟେକ ଜିଲାର ସମସ୍ୟା ସ୍ବତନ୍ତ୍ର, ତେଣୁ ପ୍ରତ୍ୟେକ ଜିଲାର ଉନ୍ନତି ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଇ ସ୍ଥାନୀୟ ଲୋକଙ୍କ ଦ୍ବାରା କାର୍ଯ୍ୟକାରୀ କରିବାକୁ ହେବ।
ଲୋକଙ୍କ ଦ୍ବାରା କାର୍ଯ୍ୟ କରିବାକୁ ହେଲେ ଲୋକଙ୍କ ମନରେ ଏହି ଭାବ ଜାଗ୍ରତ କରିବାକୁ ହେବ ଯେ ଯାହା କରାଯାଉଛି ତା’ ଅନ୍ୟର ଓ ସେମାନଙ୍କର ସ୍ବାର୍ଥସାଧନ କରିବାକୁ କରାଯାଉଛି। ଏହା ବ୍ୟକ୍ତିର ବିଚାରସିଦ୍ଧ ସ୍ବାର୍ଥ ବା ଏହା ଅନୁଭବ କରିବାକୁ ଲୋକଙ୍କ ମନରେ ସମାଜ ପ୍ରତି ଅନୁରାଗ ଆବଶ୍ୟକ। ଏହି ପ୍ରକାର ଭାବାବେଗ ସମାଜର ଉନ୍ନତି ଆଣିବା ପାଇଁ ପ୍ରକଳ୍ପଗୁଡ଼ିକୁ ସୁଚାରୁରୂପେ ସମ୍ପାଦନ କରିବା ନିହାତି ଦରକାର। ଲୋକଙ୍କ ହିତପାଇଁ ଯୋଜନା ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ଲୋକଙ୍କ ସହଯୋଗ ଓ ସମର୍ଥନ ଲୋଡ଼ା। ବିଳମ୍ବ ନକରି କାର୍ଯ୍ୟ ସଂପାଦନ ଠିକ୍‌ ସମୟରେ କଲେ ସଫଳତା ଆସେ। ଆତ୍ମସ୍ବାର୍ଥ ଓ ଜନସ୍ବାର୍ଥର ସମନ୍ବୟ ଲୋଡ଼ା। ଏଥିପାଇଁ ସମାଜପ୍ରତି ଅନୁରାଗ ଉଜ୍ଜୀବିତ କରାଯାଉ।

Leave A Reply