ଆଦର୍ଶ ବିଦ୍ୟାଳୟ: ସେ ଦିନର ଓ ଆଜିର
ଛାୟାକାନ୍ତ ଷଡ଼ଙ୍ଗୀ
ଇଂଲିଶରେ ପବ୍ଲିକ ସ୍କୁଲ କହିଲେ ସେହି ସ୍କୁଲକୁ ବୁଝାଏ ଯେଉଁଠି ମାତାପିତା ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବାବଦକୁ ଫି ପୈଠ କରନ୍ତି। ଏହାର ଅନୁକରଣରେ ଆମ ଦେଶରେ ମଧ୍ୟ ବହୁ ସଂଖ୍ୟାରେ ପବ୍ଲିକ ସ୍କୁଲ ମୁଣ୍ଡ ଟେକିଛି। ପବ୍ଲିକ୍ ଶବ୍ଦର ଅର୍ଥ ଜନସାଧାରଣ, ମାତ୍ର ପବ୍ଲିକ୍ ସ୍କୁଲ ଜନସାଧାରଣଙ୍କ ନିମିତ୍ତ ଉଦ୍ଦିଷ୍ଟ ନୁହେଁ। ଯେଉଁମାନଙ୍କ ଅର୍ଥବଳ ଅଛି କେବଳ ସେଇମାନେ ନିଜର ପିଲାମାନଙ୍କୁ ଏହି ସ୍କୁଲରେ ପାଠ ପଢ଼ାଇବା ପାଇଁ ସମର୍ଥ ହୁଅନ୍ତି। ପିଲାମାନଙ୍କ ମେଧା ଥିଲେ ବି ଯଦି ପିତାମାତାଙ୍କ ଅର୍ଥବଳ ନାହିଁ, ସେହି ପିଲାମାନେ ପବ୍ଲିକ୍ ସ୍କୁଲରେ ପଢ଼ିବାର ସୁଯୋଗ ପାଆନ୍ତି ନାହିଁ। ଏହି ପବ୍ଲିକ୍ ସ୍କୁଲରେ ଇଂଲିଶ ମାଧ୍ୟମରେ ପାଠପଢ଼ା ହୁଏ। ଏଠାରେ ଆଞ୍ଚଳିକ ଭାଷାକୁ ଆଦୌ ଗୁୁରୁତ୍ବ ଦିଆଯାଏ ନାହିଁ। ଆଜିର ଅଧିକାଂଶ ଡାକ୍ତର, ଇଞ୍ଜିନିୟର, ପ୍ରଶାସନିକ ଅଧିକାରୀ ଏହିଭଳି ପବ୍ଲିକ ସ୍କୁଲରେ ପାଠ ପଢ଼ିଥାନ୍ତି। ସେମାନଙ୍କ ପିଲାମାନେ ବି ବଂଶାନୁକ୍ରମେ ଏଭଳି ସ୍କୁଲରେ ପଢ଼ୁଛନ୍ତି ଓ ଉଚ୍ଚ ଚାକିରି ପାଉଛନ୍ତି। ଗ୍ରାମୀଣ ଗରିବ ଛାତ୍ରଛାତ୍ରୀ ସେମାନଙ୍କ ଦାରିଦ୍ର୍ୟ ଯୋଗୁଁ ଏଭଳି ସୌଭାଗ୍ୟରୁ ବଞ୍ଚିତ ହେଉଛନ୍ତି।
ଏବେ ଆମ ସରକାର ପବ୍ଲିକ ସ୍କୁଲ ଶୈଳୀରେ ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ମଡ଼େଲ ସ୍କୁଲ ବା ଆଦର୍ଶ ସ୍କୁଲ ପ୍ରତିଷ୍ଠା କରିଛନ୍ତି। ୨୦୦୪ ମସିହାରେ କେନ୍ଦ୍ରୀୟ ଶିକ୍ଷା ପରାମର୍ଶଦାତା ପରିଷଦ ଏଭଳି ବିଦ୍ୟାଳୟ ପ୍ରତିଷ୍ଠା କରିବାପାଇଁ ସୁପାରିସ କରିଥିଲେ ଓ ୨୦୦୭ରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା କରାଗଲା। ଭାରତ ସରକାର ଏହି ମଡ଼େଲ ସ୍କୁଲ ପ୍ରତିଷ୍ଠା ପାଇଁ କେତୋଟି ସର୍ତ୍ତ ରଖିଛନ୍ତି। ସେଥିମଧ୍ୟରୁ କେତୋଟି ମୁଖ୍ୟ ସର୍ତ୍ତ ହେଲା ଛାତ୍ର ଶିକ୍ଷକ ଅନୁପାତ ୧:୨୫ ଓ ଗୋଟିଏ ଶ୍ରେଣୀରେ ୩୦ ବା ସର୍ବାଧିକ ୪୦ ପିଲା ରହିବେ। ବିଜ୍ଞାନ, ଗଣିତ ଓ ଇଂରାଜୀ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଭଲ ବହି ଓ ପତ୍ରପତ୍ରିକାଯୁକ୍ତ ଉନ୍ନତ ପାଠାଗାର ରହିବ। ଶିକ୍ଷାର ମାଧ୍ୟମ ବିଷୟରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ମାତ୍ର ଇଂରାଜୀ ଶିକ୍ଷା ଓ ବାର୍ତ୍ତାଳାପ ଉପରେ ବେଶ ଗୁରୁତ୍ବ ଦିଆଯିବ।
ଯାହାକିଛି ଶ୍ରେଷ୍ଠ ଓ ଅନୁକରଣଯୋଗ୍ୟ ତାକୁ ଇଂରାଜୀରେ ମଡ଼େଲ କୁହାଯାଏ। ସୀମିତ ସଂଖ୍ୟକ ପିଲାମାନଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଦେଇ ପ୍ରତି ବ୍ଲକରେ ମୁଣ୍ଡ ଟେକିଥିବା ଗୋଟିଏ ଲେଖାଏଁ ସ୍କୁଲ ଅନ୍ୟ ସ୍କୁଲମାନଙ୍କ ପାଇଁ ଅନୁକରଣୀୟ ହେବ। ସେହି ବ୍ଲକର ସମସ୍ତ ଅଣ-ମଡ଼େଲ ସ୍କୁଲର ଶିକ୍ଷକ ଓ ଛାତ୍ର ଏହି ମଡ଼େଲ ସ୍କୁଲ ଦେଖିବେ ଓ ଉଦ୍ବୁଦ୍ଧ ହେବେ। ଏହି ଅଣ ମଡ଼େଲ ସ୍କୁଲଗୁଡ଼ିକର ସଂଖ୍ୟା ବହୁତ ବେଶି। ସେଠାରେ ଆଦର୍ଶ ଶିକ୍ଷା ପାଇଁ ଭିତ୍ତିଭୂମି ନାହିଁ, ଯୋଗ୍ୟ ଶିକ୍ଷକ ନାହାନ୍ତି, ଉନ୍ନତ ପାଠାଗାର ନାହିଁ। ଇଂରାଜୀ ଶିକ୍ଷା ଓ ବାର୍ତ୍ତାଳାପ ଉପରେ ଗୁରୁତ୍ବ ଦିଆଯାଏ ନାହିଁ। ସେଠି କେବଳ ମଧ୍ୟାହ୍ନ ଭୋଜନ, ସାଇକଲ, ୟୁନିଫର୍ମ ଓ ବହିଯୋଗାଣ ଉପରେ ଗୁରୁତ୍ବ ଦିଆଯାଏ। ଏହିଭଳି ଅଣ-ମଡ଼େଲ ସ୍କୁଲଗୁଡ଼ିକ ମଡେଲ ସ୍କୁଲଗୁଡ଼ିକୁ କିପରି ଅନୁକରଣ କରିବେ ବୁଝାପଡ଼ୁନାହଁି। ଏଣୁ ଏହି ମଡ଼େଲ ସ୍କୁଲ ପ୍ରତିଷ୍ଠା ହେବାପରେ ରାଜ୍ୟରେ ଦୁଇପ୍ରକାର ଶିକ୍ଷାପ୍ରଣାଳୀ ପ୍ରଚଳିତ ହୋଇଛି। ଖୁବ୍ ଅଳ୍ପ ସଂଖ୍ୟକ ପିଲା ସମସ୍ତ ଶୈକ୍ଷିକ ସୁବିଧା ସୁଯୋଗପାଇ ମଡ଼େଲ ସ୍କୁଲରେ ପଢ଼ିବେ ଓ ବହୁସଂଖ୍ୟକ ପିଲା ସାଧାରଣ ସ୍କୁଲରେ ପାଠପଢ଼ି ସେସବୁ ସୁବିଧାରୁ ବଞ୍ଚିତ ହେବେ।
ଏହି ମଡେଲ ସ୍କୁଲରେ ଇଂରାଜୀ ଭାଷା ମାଧ୍ୟମରେ ଶିକ୍ଷାଦାନ କରାଯାଉଛି ଓ ଓଡ଼ିଆକୁ ଦ୍ବିତୀୟ ଭାଷା ଭାବରେ ଗୋଟିଏ ଭାଷାପତ୍ର ପ୍ରଚଳିତ ହୋଇଛି। ଅପରପକ୍ଷରେ ୨୦୧୫ ମସିହାରେ ତତ୍କାଳୀନ ଗଣଶିକ୍ଷା ସଚିବ ତାଙ୍କର ଏକ ଆଲେଖ୍ୟ ‘ମାତୃଭାଷାରେ ପ୍ରାଥମିକ ଶିକ୍ଷାରେ ପ୍ରାଥମିକ ଶିକ୍ଷା’ରେ ମାତୃଭାଷାକୁ ଗୁରୁତ୍ବ ଦିଆଯିବା ଉଚିତ ବୋଲି ମତପୋଷଣ କରିଥିଲେ। ଏହା ସତ୍ୟ ଯେ ପିଲାଟି ଘରୁ ବାହାରି ସ୍କୁଲକୁ ଗଲେ ସେଠିକାର ପରିବେଶ ଯଦି ତାକୁ ଆପଣାର ନ ଲାଗିବ, ସେ ଆଗ୍ରହ ଓ ଆନନ୍ଦ ସହକାରେ ପାଠ ପଢ଼ିପାରିବ ନାହିଁ, କିନ୍ତୁ ସରକାରୀ ମଡ଼େଲ ସ୍କୁଲରେ ଶିକ୍ଷାର ମାଧ୍ୟମ ହେଉଛି ଇଂରାଜୀ। ଏଣୁ ସଚିବଙ୍କ ତତ୍ତ୍ବଟି କେବଳ ଅଣ-ମଡେଲ ସ୍କୁଲଗୁଡ଼ିକରେ ଲାଗୁ ହୋଇଛି। ଏହା ଏକ ବିଡ଼ମ୍ବନା ନୁହେଁକି?
ଗୋଟିଏ ବିଦ୍ୟାଳୟ ଆଦର୍ଶ େହାଇପାରିବ ଯଦି ସେଠି ଥିବେ ଆଦର୍ଶ ଶିକ୍ଷକ। ସମସ୍ତ ପ୍ରକାର ଭିତ୍ତିଭୂମି ଓ ସୁବିଧାସୁଯୋଗ ଥିଲେ ମଧ୍ୟ ଯଦି ସମର୍ପିତ ଆଦର୍ଶ ଶିକ୍ଷକ ନଥିବେ ସେଠି ଶିକ୍ଷା ଆଦର୍ଶସ୍ଥାନୀୟ ହୋଇପାରିବ ନାହିଁ। ଦିନେ ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ଏକ ଆଦର୍ଶ ବିଦ୍ୟାଳୟ। ସେଠି ଯେଉଁମାନେ ଶିକ୍ଷକତା କରୁଥିଲେ ସମସ୍ତେ ଉଚ୍ଚଶିକ୍ଷିତ ଓ ସମର୍ପିତ। ଶିକ୍ଷକତା ସେମାନଙ୍କ ପାଇଁ ବ୍ରତ ଥିଲା ବୃତ୍ତି ନୁହେଁ, ଜୀବନ ଥିଲା ଜୀବିକା ନୁହେଁ। ଯେଉଁଦିନ ପଣ୍ଡିତ ଗୋଦାବରୀଶ ମିଶ୍ର ସତ୍ୟବାଦୀ ବନବିଦ୍ୟାଳୟରେ ଯୋଗଦେଲେ ସେଦିନ ଏକ ସ୍ବାଗତ ସଭା ଆୟୋଜିତ ହୋଇଥିଲା। ସେହିଦିନର ଅନୁଭବ ବର୍ଣ୍ଣନାକରି ସେ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ପୁସ୍ତକରେ ଲେଖିଛନ୍ତି- ‘ସେଦିନ ଆଉଥରେ ମୋତେ ବ୍ରତ ହେଲାପରି ଲାଗିଲା। ମୋ ଆଖିରୁ ଅବିରଳ ଲୁହବହି ଯାଉଥାଏ। ମାତ୍ର ମୁଁ ପାଟି ଫିଟାଇ କିଛି କହି ପାରିଲିନାହିଁ। କେବଳ ଯେଉଁ ଗୁରୁଦାୟିତ୍ବ ମୁଣ୍ଡାଇବାକୁ ଯାଉଥିଲି ତା’ ଭାରରେ ମୋ ମୁଣ୍ଡ ଭାରି ହୋଇଯାଉଥାଏ।’
ଆଜି ଆମ ସରକାରଙ୍କ ପରିକଳ୍ପିତ ମଡେଲ ସ୍କୁଲରେ ଯେଉଁମାନେ ଶିକ୍ଷକତା କରୁଛନ୍ତି ସେମାନେ ନିଶ୍ଚିତ ଉଚ୍ଚଶିକ୍ଷାଗତ ଡିଗ୍ରୀଧାରୀ। ସେହି ସ୍କୁଲରୁ ମେଧାବୀ ଛାତ୍ରଛାତ୍ରୀ ବାହାରିବେ ଓ ବଡ଼ବଡ଼ ଚାକିରି ପାଇବେ। ମାତ୍ର ସେମାନେ କିଭଳି ଚରିତ୍ରବାନ୍ ଓ ସାଧୁ ହେବେ ସେହି ଶିକ୍ଷା ସେଠି ଦେବାର କୌଣସି ବ୍ୟବସ୍ଥା ନାହିଁ। ମାତ୍ର ସତ୍ୟବାଦୀ ବନବିଦ୍ୟାଳୟ ଯାହାଦିନେ ଆଦର୍ଶ ବିଦ୍ୟାଳୟ ଭାବେ ବିଦିତ ଥିଲା ତା’ର ଲକ୍ଷ୍ୟଥିଲା ଶିକ୍ଷିତ ସୃଷ୍ଟି କରିବା ନୁହେଁ, ମହତ୍ତର ଆଦର୍ଶରେ ଉଦ୍ବୁଦ୍ଧ ମଣିଷ ସୃଷ୍ଟି କରିବା। ସେଦିନର ଆଦର୍ଶ ବିଦ୍ୟାଳୟ ଓ ଆଜିର ମଡ଼େଲ ସ୍କୁଲ ମଧ୍ୟରେ କେତେ ପାର୍ଥକ୍ୟ!
ଅବସରପ୍ରାପ୍ତ ଅଧ୍ୟକ୍ଷ, ଡିଏଭି ସ୍ବୟଂଶାସିତ କଲେଜ, ଟିଟିଲାଗଡ଼