ଆଗକୁ ବଢ଼ିବାକୁ ହେବ
ପରିବର୍ତ୍ତିତ ପରିସ୍ଥିତି ଭାରତରେ ବ୍ରିଟିଶ ଅମଳର ଶ୍ରମ ଆଇନରେ ପରିବର୍ତ୍ତନ ଆଣିବାକୁ ଏକ ବାଧ୍ୟବାଧକ ପରସ୍ଥିତି ସୃଷ୍ଟି କରିଛି। ଏସବୁ ଆଇନ ଅତି ପୁରୁଣା ହୋଇଥିବାରୁ ପ୍ରଚଳିତ ସମୟର ଆବଶ୍ୟକତା ପୂରଣ କରୁନାହିଁ। ନୂଆ ଶ୍ରମ ସଂସ୍କୃତି ଓ ନୀତି ପ୍ରବର୍ତ୍ତନରେ ଏସବୁ ଆଇନ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଏହାର ସଂଶୋଧନ ପାଇଁ କେନ୍ଦ୍ର ସରକାର ଯେଉଁ ଆଗ୍ରହ ଓ ତତ୍ପରତା ପ୍ରକାଶ କରୁଥିଲେ ସେଥିରେ ଏକ ପ୍ରକାର ଭଟ୍ଟା ପଡ଼ିଯାଇଛି। ଶ୍ରମ ଯୁଗ୍ମ ତାଲିକାର ବିଷୟବସ୍ତୁ। ଏ କ୍ଷେତ୍ରରେ ଉଭୟ କେନ୍ଦ୍ରୀୟ ଓ ପ୍ରାଦେଶିକ ଆଇନ ରହିଛି। କେନ୍ଦ୍ରସରକାର ପୁରୁଣା ଶ୍ରମ ଆଇନର ସଂଶୋଧନ କରିବା ପାଇଁ ଯେଉଁ ତତ୍ପରତା ପ୍ରକାଶ କରୁଥିଲେ ରାଜ୍ୟ ସରକାରମାନେ ସେଭଳି ଆଗ୍ରହ ବା ସଂପୃକ୍ତି ଏ କ୍ଷେତ୍ରରେ ଦେଖାଉ ନାହାନ୍ତି। ଏହା ପଛରେ ନିର୍ଦିଷ୍ଟ କାରଣ ରହିଛି ଯେଉଁଥିପାଇଁ ରାଜ୍ୟ ସରକାର ସମୂହ ଏ କ୍ଷେତ୍ରରେ ଅନାଗ୍ରହୀ ରହୁଛନ୍ତି। କେନ୍ଦ୍ରସରକାର ୨୦୧୫ରେ ଏ ନେଇ ଯେଉଁ ଚିଠା ଶିଳ୍ପ ସଂସ୍କାର ବିଲ୍ ଆଣିଥିଲେ ତାହାକୁ ବିଭିନ୍ନ ଟ୍ରେଡୟୁନିୟନ ପକ୍ଷରୁ ବିରୋଧ କରାଯାଉଛି। ଏପରିକି ବିଜେପି ସମର୍ଥିତ ହିନ୍ଦ୍ ମଜଦୁର ସଂଘ ମଧ୍ୟ ଏହି ବିଲ୍କୁ ବିରୋଧ କରୁଛି।
ଶ୍ରମ ସଂସ୍କାରରେ ସୁବୁଠୁ ବିବାଦୀୟ ପ୍ରସଙ୍ଗ ହୋଇଛି ଶ୍ରମିକ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଶିଳ୍ପସଂସ୍ଥାର ପରିଚାଳନା କର୍ତ୍ତୃପକ୍ଷଙ୍କ ପାଇଁ ଥିବା କୋହଳ ନୀତି। ଏହାଛଡ଼ା ଶ୍ରମିକ ସଂଗଠନ ଗଠନ ଓ ଏହାକୁ ସ୍ବୀକୃତି ପ୍ରଦାନ ନେଇ ପ୍ରସ୍ତାବିତ ଆଇନରେ ମଧ୍ୟ ଯେଉଁସବୁ ବ୍ୟବସ୍ଥା ରହିଛି ତାହାକୁ ଶ୍ରମିକ ନେତା ଓ ସଂଗଠନମାନେ ଗ୍ରହଣ କରିବାକୁ ନାରାଜ। ଶେଷ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା କେନ୍ଦ୍ରର ପ୍ରସ୍ତାବିତ ଶିଳ୍ପ ସମ୍ପର୍କ ଆଇନ କାର୍ଯ୍ୟକାରୀ ହେଲେ ଆଇନ ଅନୁସାରେ ଏହାକୁ ସବୁରାଜ୍ୟ ଲାଗୁ କରିବାକୁ ବାଧ୍ୟ ହେବେ ଏବଂ ପ୍ରାଦେଶିକ ଶ୍ରମ ଆଇନ ଆପଣାଛାଏଁ ଅକାମୀ ହୋଇଯିବ। ଭାରତୀୟ ଶିଳ୍ପ ଓ ଉଦ୍ୟୋଗ ଜଗତ ଦୀର୍ଘକାଳଧରି ଯେଉଁ ଶ୍ରମ ଆଇନରେ ପରିଚାଳିତ ସେଥିରେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଶ୍ରମିକ କର୍ମଚାରୀଙ୍କୁ ଚାକିରିର ନିରାପତ୍ତା ଓ ସାମାଜିକ ସୁରକ୍ଷା। ନୂଆ ବ୍ୟବସ୍ଥାରେ କର୍ମଚାରୀଙ୍କୁ ମନଇଚ୍ଛା ନିଯୁକ୍ତି ଓ ନିକାଲିବାର କ୍ଷମତା ମାଲିକଙ୍କୁ ମିଳିବ ଏବଂ ଏହାଦ୍ବାରା ଶ୍ରମିକଙ୍କ ସ୍ବାର୍ଥ ପ୍ରଭାବିତ ହେବ। ତେଣୁ ଶ୍ରମିକ ସଂଗଠନ ଏହି ସଂଶୋଧନକୁ ବିରୋଧ କରୁଛନ୍ତି ଏବଂ ଏଥିରେ ଯଥେଷ୍ଟ ସାମାଜିକ ସୁରକ୍ଷା ଓ କ୍ଷତିପୂରଣ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଉଛନ୍ତି।
ପ୍ରସଙ୍ଗଟି ରାଜନୈତିକ, ସାମାଜିକ ଓ ଆର୍ଥିକ କାରଣରୁ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ସରକାର ଏନେଇ ବିଶେଷ ଅଗ୍ରଗତି କରି ନ’ପାରିବା ସ୍ବାଭାବିକ। ତେବେ ନୂଆଯୁଗର ନୂଆ ଶିଳ୍ପ ସଂସ୍ଥା ଏବଂ ନୂତନ ବ୍ୟବସ୍ଥା ଏ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ସମସ୍ତଙ୍କୁ ବାଧ୍ୟ କରୁଛି। ଆଜିକାଲି ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ଠିକା ବା ସାମୟିକ ନିଯୁକ୍ତିକୁ ଗୁରୁତ୍ବ ଦେଉଛନ୍ତି। ଶ୍ରମବଜାରରେ ନିଯୁକ୍ତି ଅପେକ୍ଷାରେ ଥିବା ଅଗଣିତ ଯୁବକଯୁବତୀ ନୂଆ ବ୍ୟବସ୍ଥାକୁ ବିନା ପ୍ରତିବାଦରେ ଗ୍ରହଣ କରିନେଉଛନ୍ତି। ନିଯୁକ୍ତି ସୁଯୋଗର ସୀମିତତା ଏଥିପାଇଁ ସେମାନଙ୍କୁ ବାଧ୍ୟ କରୁଛି। ଆହୁରି ମଧ୍ୟ ଶିଳ୍ପର ସ୍ବରୂପ ଓ ସଂଜ୍ଞା ବଦଳୁଛି ଏବଂ ନୂଆଯୁଗର ନୂଆ ଟେକ୍ନୋଲୋଜି ଜ୍ଞାନଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହିତ କରୁଛି। ସେ ସବୁ ଉଦ୍ୟୋଗରେ ପୁରୁଣାକାଳିଆ ଶ୍ରମ ଆଇନର ଯଥାର୍ଥତା ପ୍ରାୟ ରହୁନାହିଁ। ତେଣୁ ସେସବୁ ଶିଳ୍ପ ପାଇଁ ନୂଆଶ୍ରମ ଓ ନିଯୁକ୍ତି ଆଇନର ଆବଶ୍ୟକତା ଅପରିହାର୍ଯ୍ୟ ହୋଇଛି।
ଏ କ୍ଷେତ୍ରରେ ସରକାର ଯେଉଁସବୁ ଉଦ୍ୟମ ଆରମ୍ଭ କରିଛନ୍ତି ତାହା ମନ୍ଦ ନୁହେଁ। ପାରମ୍ପରିକ ଶିଳ୍ପ ଓ ଶ୍ରମ ଆଇନ ଏବେ ପ୍ରାୟ ଅପ୍ରାସଙ୍ଗିକ ଓ ଅନାବଶ୍ୟକ ହୋଇପଡ଼ିଥିବାରୁ ତାହାର ସଂଶୋଧନ ଲୋଡ଼ା। ତେବେ ଏ କ୍ଷେତ୍ରରେ ସରକାରଙ୍କୁ ଗୋଟିଏ କଥା ନିଶ୍ଚିତ କରିବାକୁ ପଡ଼ିବ ଯେ ପରିବର୍ତ୍ତନ ତଥା ସମୟର ଦ୍ବାହି ଦେଇ ଏମିତି କିଛି କରାଯିବା ଅନୁଚିତ ଯା’ଦ୍ବାରା ଭାରତୀୟ ଶ୍ରମବଜାର ଓ ଶ୍ରମିକ ଯେପରି ଶୋଷଣର ସମ୍ମୁଖୀନ ନ’ହୁଅନ୍ତି ଓ ସେମାନଙ୍କର ସାମାଜିକ ନିରାପତ୍ତା ବିପନ୍ନ ନ’ହୁଏ। ପୁରୁଣାକୁ ବଦଳାଇବାକୁ ପଡ଼ିବ ଓ ପରିବର୍ତ୍ତନ ସହ ତାଳଦେଇ ଆଗକୁ ବଢ଼ିବାକୁ ହେବ। ଏହି ପ୍ରକ୍ରିୟାରେ ଉଭୟ ଶ୍ରମିକ ଓ ମାଲିକ ଯେପରି ଉପକୃତ ହେବେ ତାହା ନିଶ୍ଚିତ କରିବାକୁ ପଡ଼ିବ। ଆମର ବିଶ୍ବାସ ସରକାର ଏମିତି କିଛି ତରବରିଆଭାବେ ନିଷ୍ପତ୍ତି ନେବେ ନାହିଁ ଯାହା ଭାରତୀୟ ଶ୍ରମିକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେବ ଓ ଶିଳ୍ପସଂସ୍ଥାର ପରିଚାଳନା କର୍ତ୍ତୃପକ୍ଷଙ୍କ ଶ୍ରମିକମାରଣ, ଶୋଷଣ ପାଇଁ ଲାଇସେନ୍ସ ଯୋଗାଇବ।