ସମାଜ ଗଠନରେ ସମସ୍ତଙ୍କ ଅଧିକାର

0

ସାତକଡ଼ି ହୋତା

prayash

ପୃଥିବୀରେ ସାତଶହ କୋଟିରୁ ଊର୍ଦ୍ଧ୍ବଲୋକ ବସବାସ କରୁଥିବା ବିଷୟ ଭାବିଲାକ୍ଷଣି ସମୁଦ୍ରର ​‌ଢେ‌ଉ ଗଣିବା ପରି ଅନୁଭବ ହୁଏ। ​‌େ​‌ଢଉମାନଙ୍କୁ ନେଇ ସମୁଦ୍ର ଖେଳୁଥାଏ ସିନା, ଲୋକମାନଙ୍କ ମଧ୍ୟରେ ସଂଘବଦ୍ଧଭାବେ ଯେ ସବୁ ଶ୍ରେଣୀ ଓ ବର୍ଗର ମଣିଷ ଏକତ୍ର ଶାନ୍ତିରେ ସହାବସ୍ଥାନ କରିବେ, ଏହା ଭାବି ହୁଏନାହିଁ। ଲିଙ୍ଗ ପାର୍ଥକ୍ୟ ବ୍ୟତୀତ ଜାତିଗୋଷ୍ଠୀ ପାର୍ଥକ୍ୟ ଏବଂ ଧର୍ମ, ଭାଷା ଓ ସାଂସ୍କୃତିକ ବିବିଧତାକୁ ନେଇ ସମାଜ କାର୍ଯ୍ୟ କରିଥାଏ। ଥୋରାଟ ଓ ନ୍ୟୁମ୍ୟାନ ୨୦୦୭ଙ୍କ ମତରେ ପୁରୁଷ, ସ୍ତ୍ରୀଙ୍କ ମଧ୍ୟରେ ବୟସ, ଭାଷା, ଧର୍ମ, ସଂସ୍କୃତିର ପ୍ରକାଶମାନ ବୈଚିତ୍ର୍ୟ ଯେ ଏକ ପ୍ରକାର ହେବ ଏହା ନିଶ୍ଚିତ। ବିବିଧତା ତଥା ଏଇ ବିଭିନ୍ନତାକୁ ନେଇ ମଣିଷ ସମାଜ ଶତଧା ବିଭକ୍ତ ହୋଇ ରହିଥାଏ। ଭାଷାର ବିଭିନ୍ନତା ପରି ସେମାନଙ୍କ ମଧ୍ୟରେ ପୋଷାକ ପରିଚ୍ଛଦ, ଧର୍ମ ଓ ବିଶ୍ବାସ, ଗୋଷ୍ଠୀବଦ୍ଧତା, ଆଞ୍ଚଳିକତା ଅଭ୍ୟାସ ଓ ଉପାର୍ଜନର ପାର୍ଥକ୍ୟ ସତ୍ତ୍ବେ ମଣିଷମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ସେମାନଙ୍କୁ ଅଲଗା ନକରି ବରଂ ସାମାଜିକ ସହାବସ୍ଥାନର ଅଂଶୀଦାର କରିଥାଏ।
ଜାତିଗୋଷ୍ଠୀର ଭାଷା, ଧର୍ମ ଓ ସାଂସ୍କୃତିକ ବିବିଧତା ସେମାନଙ୍କୁ ଏକତ୍ର କରି ରଖେ ବା ସେମାନଙ୍କ ମଧ୍ୟରେ ବିଭାଜନ ମଧ୍ୟ ସୃଷ୍ଟି କରିଥାଏ। ତିନି ହଜାର ବର୍ଷ ପୂର୍ବରୁ ଆର୍ଯ୍ୟମାନେ ଉତ୍ତର ଭାରତରେ ପ୍ରବେଶ କଲାବେଳେ ଭାଷା, ଧର୍ମ, ସାଂସ୍କୃତିକ ସମାନତା ତଥା ବିବିଧତା ଯେ ଆଦିମ ଜାତି ଓ ଦ୍ରାବିଡ଼ମାନଙ୍କଠାରୁ ଭିନ୍ନ ଥିଲା ଏହା ଜାଣିବା ପାଇଁ ସମୟ ଲାଗିବ ନାହିଁ। ଲୋକମାନଙ୍କର ଭାଷା, ଧର୍ମ, ଚଳଣି ଏକ ପ୍ରକାର ନୁହେଁ; ବରଂ ବିିଭିନ୍ନତା ସ​‌େ​‌ତ୍ତ୍ବ ସେମାନେ ଦୀର୍ଘକାଳ ଏକତ୍ର ବସବାସ କଲେ ସେମାନଙ୍କ ମଧ୍ୟରେ ମାନବିକ ସୂକ୍ଷ୍ମ ଚେତନାର ପରିପ୍ରକାଶ ସେମାନଙ୍କୁ ପରସ୍ପରଠାରୁ ଅଲଗା ନକରି ସହାବସ୍ଥାନର ଅଂଶୀଦାର କରିଥାଏ। ତଥାପି ଏକତ୍ର ବଞ୍ଚି ରହିବାପରି ବାଧ୍ୟବାଧକତା ନଥିଲେ ସେମାନେ ସଂଘବଦ୍ଧ ରହିବା ସମ୍ଭବ ହୁଅନ୍ତା ନାହିଁ। ଅମର୍ତ୍ତ୍ୟ ସେନ୍‌ଙ୍କ ମତରେ ସେମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ହିଁ ସେମାନଙ୍କୁ ବାଧ୍ୟ କରିଥାଏ ଏକତ୍ର ବସବାସ କରିବା ପାଇଁ। ଏକତ୍ର ରହିବା ଦ୍ବାରା ମଣିଷ ସଂଘବଦ୍ଧ ଓ ଶକ୍ତିମାନ ହୁଏ ଏବଂ ଅମେଳ ସେମାନଙ୍କୁ ବାନ୍ଧି ନରଖି ବରଂ ମିଳିମିଶି ରହିବା ପାଇଁ ବାଧ୍ୟ କରିଥାଏ। ଏହା ସତ୍ତ୍ବେ ସେମାନଙ୍କ ମଧ୍ୟରେ ପ୍ରାୟ ସବୁ ବିଷୟରେ ପାର୍ଥକ୍ୟ ଥାଏ ବୋଲି ସେମାନେ ଲଢ଼ନ୍ତି ନିଜନିଜ ମଧ୍ୟରେ ଏବଂ ଏକତ୍ର ବସବାସ ସହିତ ମିଳାମିଶା କରିବା ପାଇଁ ବାଧ୍ୟ ହୁଅନ୍ତି। ୨୦୧୨ରେ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ପୃଥିବୀର ବିଭିନ୍ନ ସ୍ଥାନରେ ଛବିଶ କୋଟି ଲୋକଙ୍କ ମଧ୍ୟରେ ଜାତିଗତ, ଗୋଷ୍ଠୀଗତ ପାର୍ଥକ୍ୟ ଯୋଗୁ ସେମାନେ ପାର୍ଥକ୍ୟର ଶିକାର ହେଉଛନ୍ତି। କେବଳ ଯେ ପରିବାରରେ ବାସ କରୁଥିବା ସ୍ତ୍ରୀ ଓ ପୁରୁଷ ମଧ୍ୟରେ ମତପାର୍ଥକ୍ୟ ଥାଏ ତାହା ନୁହଁ, ଗୋଟିଏ ଗ୍ରାମରେ ବସବାସ କରୁଥିବା ବିଭିନ୍ନ ଜାତିଗୋଷ୍ଠୀଙ୍କ ମଧ୍ୟରେ ପାର୍ଥକ୍ୟଯୋଗୁଁ ସଂଘର୍ଷ ଘଟିଥାଏ। ଫଳରେ ଏମାନଙ୍କ ମଧ୍ୟରେ ମାନବିକ ଅଧିକାର ପ୍ରତି ଗୁରୁତ୍ବ ଦିଆଯାଇଥାଏ। ପାର୍ଥକ୍ୟରୁ ସଂଘର୍ଷ ସେମାନଙ୍କୁ କେବଳ ଭିନ୍ନଭିନ୍ନ କରିନଥାଏ, ବରଂ ସେମାନଙ୍କର ବଞ୍ଚିବା ପ୍ରଣାଳୀ, ଭାବନାରେ ଅସଂଗତି ଓ ଅଶ୍ରଦ୍ଧା ସୃଷ୍ଟିର କାରଣ ହୋଇଥାଏ। କ୍ରମାଗତ ଦୀର୍ଘକାଳ ବସବାସ କରିବା ପରେ ଏଇ ବିବିଧତା ଓ ବିଭିନ୍ନତା ସେମାନଙ୍କୁ ଅଲକ୍ଷ୍ୟରେ ସଂଘବଦ୍ଧ ମଧ୍ୟ କରିଥାଏ ଏବଂ ବଞ୍ଚିବାର କଳା ସେମାନଙ୍କୁ ବାଧ୍ୟ କରିଥାଏ ସାଲିସ କରିବା ପାଇଁ।
ଗୋଟିଏ ଅଞ୍ଚଳ ବା ଗୋଷ୍ଠୀରେ ବାସ କରୁଥିବା ବିବିଧ ଧର୍ମ, ଭାଷା ଓ ସଂସ୍କୃତିର ଲୋକଙ୍କୁ ପରିସ୍ଥିତି ବାଧ୍ୟ କରିଥାଏ ପ୍ରଥା ଓ ପରମ୍ପରା ମାନି ଏକତ୍ର ବସବାସ କରିବା ପାଇଁ। କାରଣ ସେମାନଙ୍କ ମଧ୍ୟରେ ଯେତେ ଅଧିକ ବିଭାଜନ ଓ ବିବିଧତା ବଢ଼ିବ ସେତେ ସେମାନଙ୍କ ମଧ୍ୟରେ ଥିବା ସ୍ବତନ୍ତ୍ର ବଞ୍ଚିବାର କଳା ପରସ୍ପରକୁ ବାଧ୍ୟ କରିବ ନିଜନିଜ ରାସ୍ତା ତିଆରି ନକରି ଯେଉଁ ରାସ୍ତା ଏକାଧିକ ଗୋଷ୍ଠୀର ଲୋକଙ୍କୁ ବାଧ୍ୟ କରିଥାଏ ସେଇ ରାସ୍ତାରେ ସଂଘବଦ୍ଧ ହେବା ପାଇଁ। ଜାତିଗୋଷ୍ଠୀ ସମ୍ବନ୍ଧ ପରିପକ୍ବ ହେଲେ ସେମାନଙ୍କ ମଧ୍ୟରେ ବନ୍ଧୁତା, ଆଦାନପ୍ରଦାନ ଏବଂ ବିନିମୟରୁ ଶ୍ରଦ୍ଧା ସୃଷ୍ଟିହୁଏ। ଏହା ନଥିଲେ ଘୃଣା ଓ ଅହଂକାର ଏବଂ ହିଂସା ହିଁ ବିଭିନ୍ନତାକୁ ବୃଦ୍ଧି କରିଥାଏ। ଜାତିଗୋଷ୍ଠୀର ଏକତ୍ବରୁ ଗୋଟିଏ ଜାତି, ଗୋଟିଏ ଦେଶ ଏବଂ ଗୋଟିଏ ସଂସ୍କୃତି ସମସ୍ତଙ୍କୁ ବାଧ୍ୟ କରିଥାଏ ଏକତ୍ର ବଞ୍ଚିବା ପାଇଁ। ଭାରତ ପରି ଏକ ବିରାଟ ଦେଶରେ ଏକାଧିକ ଧର୍ମ ଓ ଜାତିଗୋଷ୍ଠୀର ଲୋକ ବସବାସ କରୁଥିଲେ ହେଁ ସାଂସ୍କୃତିକ ବିବିଧତା ସେମାନଙ୍କୁ ବାଧ୍ୟକରେ ଏକତ୍ର ବଞ୍ଚିବାପାଇଁ। ହଜାରହଜାର ବର୍ଷର ବ୍ୟବଧାନ ଭାରତୀୟମାନଙ୍କୁ ପରସ୍ପରର ଶତ୍ରୁ ନକରି ବରଂ ସେମାନଙ୍କୁ ମିତ୍ର କରିଥିବା ପରି ପରିବେଶ ସୃଷ୍ଟି କରିଛି। ଜନଗଣନା ରିପୋର୍ଟରୁ ଜଣାଯାଏ ଯେ ଦେଶରେ ହିନ୍ଦୁ, ମୁସଲମାନ୍‌, ଖ୍ରୀଷ୍ଟିଆନ୍‌, ଶିଖ, ଜୈନ, ବୌଦ୍ଧ ଏବଂ ଆଉ କେତେକ ଜାତିଗୋଷ୍ଠୀର ଲୋକମାନଙ୍କର ବାସଭୂମି ହୋଇଛି ଭାରତ। ଏକାଧିକ ଧର୍ମ ଓ ସଂସ୍କୃତିର ଲୋକଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଲୋକ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ଓ ଶିଖ୍‌ ଅଟନ୍ତି। ସେମାନଙ୍କ ସହିତ ଦୀର୍ଘକାଳ ଏକତ୍ର ବସବାସ କରିବା କାରଣରୁ ସେମାନେ ଭାରତୀୟ ବୋଲି ଗର୍ବ କରନ୍ତି, କିନ୍ତୁ ହିନ୍ଦୁ ବା ମୁସଲମାନ ବୋଲି ପରସ୍ପରକୁ ଶତ୍ରୁମନେ କରନ୍ତି ନାହିଁ। ଦୁର୍ଭାଗ୍ୟର ବିଷୟ ଯେ ଧର୍ମ ଓ ସଂସ୍କୃତିକୁ ଆଧାର କରି ସାମ୍ପ୍ରତିକ ଭାରତରେ ଗୋମାଂସ ଭକ୍ଷଣ କରୁଥିବା ମୁସଲମାନମାନଙ୍କୁ ଗୋରକ୍ଷକମାନେ ହିଂସା ମାର୍ଗରେ ହତ୍ୟା କରୁଥିବାରୁ ଏହା ଜାତୀୟତାର ଗର୍ବ ଓ ଗୌରବକୁ ମଳିନ କରୁଛି। ଅଳ୍ପସଂଖ୍ୟକ ହିନ୍ଦୁ ଗୋମାଂସ କାରବାରକୁ ବିରୋଧ କରନ୍ତି ନାହିଁ, କିନ୍ତୁ ଏହା ସତ୍ତ୍ବେ ଭୋଜନାଳୟରେ ଗୋମାଂସ ପରଷିବାର ବ୍ୟକ୍ତିଗତ ଇଚ୍ଛା ଉପରେ ଛାଡ଼ି ଦିଅନ୍ତି। ଏଇ ସହନଶୀଳତା ଜାତୀୟତାକୁ ପରିପୁଷ୍ଟ କରିଛି, ଓ ପରସ୍ପରକୁ ହତ୍ୟା କରିବା ପରି ପ୍ରସଙ୍ଗକୁ ପ୍ରଶ୍ରୟ ଦେଇନାହିଁ।
ଦେଶ ବିଭାଜନ ଦ୍ବାରା ଜାତି ଓ ଧର୍ମ ମଧ୍ୟରେ ବୌଦ୍ଧିକ ବିଭାଜନ ହୋଇଛି। ଲକ୍ଷଲକ୍ଷ ଲୋକ ଦେଶଛାଡ଼ି ପାକିସ୍ତାନ ଚାଲିଯିବା ଦ୍ବାରା ଜାତୀୟ ଜୀବନର ସ୍ବାଭିମାନ ଓ ସାର୍ବଭୌମ ଚେତନା ଦୁର୍ବଳ ହୋଇଯାଇଛି। ସଂଖ୍ୟାଲଘୁମାନେ ନିଜକୁ ଦେଶର ଭୂମିପୁତ୍ର ବୋଲି ଭାବିପାରୁଛନ୍ତି। ଯେଉଁମାନେ ପାକିସ୍ତାନ ନଯାଇ ଭାରତରେ ରହିଗଲେ ସେମାନେ ନିଜର ସାମାଜିକ ପ୍ରତିବଦ୍ଧତାକୁ ଜାତୀୟ ସ୍ରୋତରେ ପୂରାପୂରି ସାମିଲ କରିବା ଦ୍ବାରା ସ୍ଥିତାବସ୍ଥା ଓ ସହନଶୀଳତା ସୃଷ୍ଟି ହୋଇଛି। ହିନ୍ଦୁମାନେ ମୁସଲ୍‌ମାନମାନଙ୍କୁ ଭାଇଚାରା ଓ ବୁଝାମଣା ଦ୍ବାରା ଆଲିଙ୍ଗନ କରି ସାମାଜିକ କ୍ଷେତ୍ରରେ ମଧ୍ୟ ପରସ୍ପରକୁ ଗ୍ରହଣ କରି ନେଇଥିବାରୁ ସହାବସ୍ଥାନ ଶାନ୍ତିପୂର୍ଣ୍ଣ ହୋଇଛି। ସାଂସ୍କୃତିକ କ୍ଷେତ୍ରରେ ସମନ୍ବୟ ଓ ମୈତ୍ରୀର ସ୍ରୋତକୁ ପ୍ରଖର କରିବା ଦିଗରେ ଶକ୍ତିଶାଳୀ ଭୂମିକା ନିର୍ବାହ କଲେ ଆତ୍ମୀୟତା ରହିବ ଏବଂ ବିଭାଜନକାରୀ ଶକ୍ତି ଦୁର୍ବଳ ହେବ। ସାମାଜିକ ଜୀବନରେ କୁଣ୍ଠାବୋଧ ଯେପରି ପ୍ରତିକୂଳତା ସୃଷ୍ଟି କରୁଛି, ଆଚାରବିଚାରରେ ସମାନତ୍ବ ଓ ସ୍ବଭାବସିଦ୍ଧ ଶକ୍ତି ନେଇ ଜାତୀୟ ଜୀବନକୁ ସେହିପରି ପରାଙ୍‌ମୁଖ କରୁଛି। କାଶ୍ମୀର ଅଞ୍ଚଳରେ ବରଫ ପଡ଼ିଲେ ସାଧାରଣ ମଣିଷମାନେ ଯେପରି କୁଙ୍କୁଡ଼ି ଯାଆନ୍ତି ଆଚାରବିଚାରରେ ସେହିପରି ସଙ୍କୁଚିତ ରହିବା ଦ୍ବାରା ମାତୃଭୂମିର ମାଧୁର୍ଯ୍ୟ ସେମାନଙ୍କୁ ଉତ୍ତାପ ଦେଇପାରେ ନାହିଁ। ତଥାପି ସେମାନଙ୍କୁ ସାଙ୍ଗରେ ନବାର ଦାୟିତ୍ବ ଆମର। ସେମାନଙ୍କୁ ଆଲିଙ୍ଗନ କରିବାର ଆବେଗ ମଧ୍ୟ ଆମର। ଜାତୀୟତା ସଂଜୀବିତ ହେଲେ ପ୍ରାଣପ୍ରାଚୁର୍ଯ୍ୟ ସଙ୍କୁଚିତ ହେବା ପରିବର୍ତ୍ତେ ଉନ୍ମିଳିତ ହୁଏ। ଶିକ୍ଷାର ସାରସ୍ବତ ଭୂମିକା ଗ୍ରହଣ ନକରି ଗ୍ରାମାଞ୍ଚଳର ପୁତ୍ରକନ୍ୟାମାନଙ୍କୁ ଗ୍ରାମଭିତ୍ତିକ ମଦ୍ରାସା ଶିକ୍ଷା ବ୍ୟବସ୍ଥାର ଅଂଶୀଦାର କରିଥିବାରୁ ବିଦ୍ୟାଅର୍ଜନ କରିବାର ଆବେଗ ମନରେ ସୃଷ୍ଟି ହେଉନାହିଁ। ଶିକ୍ଷା କ୍ଷେତ୍ରରେ ସଂଖ୍ୟାଲଘୁ ଗୋଷ୍ଠୀର ଲୋକମାନେ ଅନେକ ପଛରେ ପଡ଼ି ରହିଛନ୍ତି। ଶିକ୍ଷାର ସଂକ୍ରମଣ ଶକ୍ତି ବଳରେ ବ୍ୟକ୍ତିତ୍ବର ବିକାଶ ହୁଏ ଏବଂ ପାରସ୍ପରିକ ସମ୍ପର୍କ ଶକ୍ତିଶାଳୀ ହୁଏ। ପ୍ରତି ଧର୍ମ ପାଇଁ ଗୋଟିଏ ନୂଆ ବାଟ ନିର୍ମାଣ କରିବା ସମ୍ଭବ ନୁହେଁ, ଏହାର ପ୍ରୟୋଜନ ମଧ୍ୟ ନାହିଁ। ସେମାନଙ୍କୁ ଆମ ରାସ୍ତାରେ ଚାଲିବା ପାଇଁ କ୍ଷେତ୍ର ସୃଷ୍ଟି ନକରି ଆମେ ଯଦି ସେମାନଙ୍କୁ ଅନ୍ୟବାଟ ଧରିବା ପାଇଁ ବାଧ୍ୟ କରୁ ତେବେ ଆମ ମଧ୍ୟରେ ସଂହତି ଓ ମୈତ୍ରୀର ପ୍ରସାର ହେବା ପରିବର୍ତ୍ତେ ପ୍ରତିଶୋଧ ଅଧିକ ବଢ଼ିବ। ପତିତ, ଅନୁସୂଚିତ ଜାତିର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ସଂଖ୍ୟାଧିକମାନେ ଉତ୍ସାହ ସୃଷ୍ଟି କରିନାହାନ୍ତି, ଏହାହିଁ ବିଡ଼ମ୍ବନା। ଏବେ ବି ଦଳିତ ଓ ଅସ୍ପୃଶ୍ୟମାନଙ୍କୁ ସାଙ୍ଗରେ ନବାର ଆଗ୍ରହ ସୃଷ୍ଟି ନକରି ମୁଖ୍ୟସ୍ରୋତକୁ ମାଡ଼ିବସିବା ଦ୍ବାରା ସତୁରି ବର୍ଷର ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ପୂରାପୁରି ସଫଳ ହୋଇନାହିଁ। ଜାତିବାଦୀମନସ୍କତା ମାନସିକ ଅସମାନତାକୁ ଅଧିକ ବେଗ ଦେଇଛି ସିନା, କିନ୍ତୁ ମିଳିମିଶି ସମସ୍ତଙ୍କୁ ମୁଖ୍ୟସ୍ରୋତରେ ଅଂଶୀଦାର କରିନାହିଁ। ଏହି ସବୁ କାରଣରୁ ଦଳିତ, ଅନଗ୍ରସରମାନେ ବାଟବଣା ହେବା ପରି ମନ୍ଥର ଗତିରେ ଯିବାର ଅଭ୍ୟାସରେ ପଡ଼ିଗଲାଣି।
ସମାଜ ବିଜ୍ଞାନ ଅଧ୍ୟୟନ ଅନେକ ବିଳମ୍ବରେ ଦେଶରେ ଆରମ୍ଭ ହେଲା। ଫଳରେ ସାମାଜିକ ସଚେତନତା ଓ ମୂଲ୍ୟବୋଧର ପ୍ରସାର ବିଳମ୍ବିତ ହେଉଛି। ସାମାଜିକ ବିକାଶ ପ୍ରତି ସମାଜ ଓ ପ୍ରଶାସନ ଦୃଷ୍ଟିଦେଇ ନଥିବାରୁ ଅନୁସୂଚିତ ଜାତି ଓ ଜନଜାତିମାନଙ୍କର କର୍ମଶକ୍ତି ଓ ସ୍ବାବଲମ୍ବନଶୀଳତା ପଛରେ ରହିଯାଇଛି। ଜାତିଗତ ପାର୍ଥକ୍ୟ ଦୂର କରିବା ଯେପରି ଗୋଟିଏ ଉତ୍ତମ କାର୍ଯ୍ୟ। ଗୃହାଞ୍ଚଳରେ ପ୍ରତିଦିନ ମାନବିକ ଅଧିକାର ପ୍ରତି ଯଥେଷ୍ଟ ଗୁରୁତ୍ବ ନଦେଲେ ସଂଘର୍ଷ ସୃଷ୍ଟିହେବ। ୨୦୧୨ରେ ଜାତିଗୋଷ୍ଠୀ ପକ୍ଷରୁ ପ୍ରକାଶିତ ବିଶେଷଜ୍ଞମାନଙ୍କ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୬୭୦ ନିୟୁତ ଲୋକ ବା ୬୭କୋଟି ଲୋକଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନ ହେଉଛି। ଓଡ଼ିଶା ପରି ଏକ ଅନଗ୍ରସର ରାଜ୍ୟରେ ପ୍ରାୟ ୪୦ ପ୍ରତିଶତ ଲୋକ ଅନୁସୂଚିତ ଜାତି ଓ ଜନଜାତିର ହୋଇଥିବାରୁ ସେମାନଙ୍କୁ ନିଜର ଅଧିକାର, କର୍ତ୍ତବ୍ୟବୋଧ, ସହନଶୀଳତା ଓ ସମ୍ବେଦନଶୀଳତା ସମ୍ପର୍କରେ ସମ୍ୟକ ଜ୍ଞାନ ନଥିବାରୁ ମାନବିକ ଅଧିକାର ଉଲ୍ଲଙ୍ଘନର ପ୍ରତିକାର କରିବା ସମ୍ଭବ ହେଉନାହିଁ। ପାରିବାରିକ ଜୀବନର ହିଂସା ଓ ପ୍ରତିଶୋଧପରାୟଣତା ବୃ୍ଦ୍ଧି ପାଉଥିବା ମଧ୍ୟ ଏପରି ଏକ ବିଷୟ ଯାହା ରୋକିବା ଏକାନ୍ତ ଆବଶ୍ୟକ। ଜାତିଗୋଷ୍ଠୀ ସଚେତନତା ବୃଦ୍ଧି ହେଲେ ସାମାଜିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଲୋକମାନେ ଅଧିକ ଯତ୍ନଶୀଳ ହେବେ। ଜାତିଗୋଷ୍ଠୀ ଚେତନା ପ୍ରସାରିତ ହେଲେ ସାମାଜିକ ଜୀବନ ଅଧିକ ସୁସଂଗଠିତ ହେବ, ପାରସ୍ପରିକ ଦ୍ବନ୍ଦ୍ବ ହ୍ରାସ ପାଇବ ଏବଂ ବିଭିନ୍ନ ଶ୍ରେଣୀ ମଧ୍ୟରେ ଅଧିକ ସହନଶୀଳତା, ସହଯୋଗ ଓ ସମବାୟିକ ଉଦ୍ୟମକୁ ପ୍ରଶ୍ରୟ ଦେଲେ ସ୍ବାବଲମ୍ବନଶୀଳତା ଓ ପରସ୍ପର ମଧ୍ୟରେ ନିର୍ଭରଶୀଳତା ମଧ୍ୟ ଗ୍ରହଣୀୟ ହେବ। ସାମାଜିକ ଜୀବନକୁ ଅଧିକ ସଂଗଠିତ, ସୁସଂହତ ଏବଂ କ୍ରିୟାଶୀଳ କରିବାର ଦାୟିତ୍ବ ଶିକ୍ଷା ଓ ସାମାଜିକ ପ୍ରତିବଦ୍ଧତାରୁ ସୃଷ୍ଟି ହୁଏ। ଏହାଦ୍ବାରା ସାମାଜିକ କ୍ଷେତ୍ରରେ ଦ୍ବନ୍ଦ୍ବ ଓ ସଂଘର୍ଷ କମିବ ଏବଂ ସମବାୟିକ ଉଦ୍ୟମ ମାଧ୍ୟମରେ ଜାତୀୟତାବାଦ ପ୍ରସାରିତ ହେବ।
ଧର୍ମ ମଧ୍ୟରେ ସମାନ ସଖ୍ୟତା ଓ ସମତ୍ବବୋଧ ରହିଲେ ମଣିଷମାନେ ଯେତେ ସଂଖ୍ୟାଗୁରୁ ବା ସଂଖ୍ୟାଲଘୁ ହେଲେ ମଧ୍ୟ ସେମାନଙ୍କ ମଧ୍ୟରେ ସଂହତି, ସହନଶୀଳତା ଓ ସହଯୋଗ ରହିବାରେ କିଛି ତ୍ରୁଟି ରହିବ ନାହିଁ। ଭାରତର ସମ୍ବିଧାନ ସମସ୍ତଙ୍କ ପାଇଁ ଏବଂ ଏହା ସବୁ ଧର୍ମ, ଜାତି, ଗୋଷ୍ଠୀ ଓ ଭାଷାର ଲୋକଙ୍କୁ ସମାନ ଦୃଷ୍ଟିରେ ଦେଖେ। ଆମ ସମ୍ବିଧାନ କହିଛି ଯେ- ସମସ୍ତେ ସମାନ, ସମସ୍ତେ ସ୍ବାଧୀନ, ସମସ୍ତଙ୍କୁ ସୁରକ୍ଷା ଓ ସମାନ ସୁଯୋଗ ମିଳିବ। ଲୋକମାନଙ୍କୁ ପ୍ରଦତ୍ତ ମୌଳିକ ଅଧିକାର ଜାତିଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ସମାନ ସ୍ଥାନ ଦେଇଛି। ତେଣୁ ଆଇନ ଆଗରେ ସମସ୍ତେ ସମାନ, ଶାସନ ଆଗରେ ସମସ୍ତଙ୍କୁ ସମାନ ସୁଯୋଗ ଏବଂ ସମାନ ନ୍ୟାୟ ମିଳିବ। ସୁତରାଂ ବିବିଧତା ଆମ ଜାତୀୟ ସଂହତିକୁ ପରିପୁଷ୍ଟ କରୁଥିଲେ ମଧ୍ୟ ଜାତି, ଧର୍ମ, ବର୍ଣ୍ଣ ଓ ଭାଷା ନିର୍ବିଶେଷରେ ଆମ ଦେଶର ସମ୍ବିଧାନ କହୁଛି ସମସ୍ତ ମନୁ​‌ଷ୍ୟ ସମାନ।

Leave A Reply