ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଞ୍ଚମ ସମନ, ମଦ ଘୋଟାଲାରେ ପଚରାଉଚରା ପାଇଁ ଡାକିଲା

ନୂଆଦିଲ୍ଲୀ : ମଦ ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପୁଣି ଥରେ ସମନ ଜାରି କରିଛି । ଇଡି କେଜ୍ରିଓ୍ବାଲଙ୍କୁ ପଚରାଉଚରା ପାଇଁ ୫ମ ଥର ସମନ ପଠାଇଛି । ଏହା ପୂର୍ବରୁ ଇଡି ୧୭ ଜାନୁୟାରୀ, ୩ ଜାନୁୟାରୀ, ୨୧ ଡିସେମ୍ବର ଏବଂ ୨ ନଭେମ୍ବରରେ ଦିଲ୍ଲୀ ସିଏମଙ୍କୁ ସମନ ପଠାଇଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ଇଡିର ଲଗାତର ସମନ ଜାରି ହେବା ପରେ ଆପ୍ କହିଥିଲା କି ଏ ସମସ୍ତ ପ୍ରକ୍ରିୟା ତାଙ୍କୁ ଗିରଫ କରିବା ପାଇଁ କରାଯାଉଛି । ଆପର କହିବାନୁସାରେ ଯଦି ଇଡିକୁ ପଚରାଉଚରା କରିବାର ଅଛି ତେବେ ସେ ପ୍ରଶ୍ନ ଲେଖି କେଜ୍ରିଓ୍ବାଲଙ୍କୁ ପଠାଇପାରିବ ।

କେଜ୍ରିଓ୍ବାଲ ଇଡି ପଠାଇଥିବା ଚିଠିରେ କହିଥିଲେ କି ସେ ସବୁ ନିୟମ କାନୁନ ମାନିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଇଡିର ଏହି ସମନ ମଧ୍ୟ ଗତ ବର୍ଷ ଭଳି ଅବୈଧ । ଏହା କେବଳ ରାଜନୀତି ବୋଲି କହି ସେ ଫେରସ୍ତ ପାଇଁ ଅପିଲ କରିଥିଲେ । ଏହା ପୂର୍ବରୁ କେଜ୍ରିଓ୍ବାଲ କହିଥିଲେ କି ସେ ନିଜ ଜୀବନ ସଚ୍ଚୋଟତାର ସହ ଅତିବାହିତ କରନ୍ତି । ତାଙ୍କ ପାଖରେ ଲୁଚାଇବା ପାଇଁ କିଛି ନାହିଁ ।

କେଜ୍ରିଓ୍ବାଲଙ୍କୁ ଯେଉଁ ମାମଲାରେ ସମନ ପଠାଯାଇଛି ସେହି ମାମଲାରେ ଆମ ଆଦମୀ ପାର୍ଟିକୁ ମଧ୍ୟ ଅଭିଯୁକ୍ତ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହି ମଦ ଘୋଟାଲାରେ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀର ପୂର୍ବ ଡେପୁଟି ସିଏମ୍ ମନୀଷ ସିସୋଦିଆ ଗତ ବର୍ଷ ଫେବୃୟାରୀରୁ ଜେଲରେ ଅଛନ୍ତି । ଗତ ବର୍ଷ ଅକ୍ଟୋବରର ପ୍ରଥମ ସପ୍ତାହରେ ଆମ ଆଦମୀ ପାର୍ଟିର ଆଉ ଜଣେ ନେତା ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଥିଲା । ଏହା ବ୍ୟତୀତ ଆପ୍ ନେତା ବିଜୟ ନାୟରଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି ।

Comments are closed.