ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଇଡି କେଜ୍ରିୱାଲଙ୍କୁ ସପ୍ତମ ସମନ ଜାରି କରି ଫେବୃଆରୀ ୨୬ରେ ହାଜର ହେବାକୁ କହିଛି। ଏହା ପୂର୍ବରୁ ଇଡି ତାଙ୍କୁ ୬ଟି ସମନ ପଠାଇଥିଲେ ମଧ୍ୟ କିଛି ନା କିଛି କାରଣ ଦର୍ଶାଇ କେଜ୍ରିୱାଲ କେନ୍ଦ୍ରୀୟ ଏଜେନ୍ସି ସମ୍ମୁଖରେ ହାଜର ହୋଇନାହାନ୍ତି। ଏବେ ସପ୍ତମ ସମନ ଜାରି ହେବାପରେ ଆପ୍ ସୁପ୍ରିମୋଙ୍କ ସମସ୍ୟା ବଢିପାରେ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଆମ୍ ଅଦ୍ମୀ ପାର୍ଟି ପକ୍ଷରୁ କୁହାଯାଇଥିଲା ଯେ, ‘‘କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ସମନ ବେଆଇନ ଏବଂ ଏହି ମାମଲା ବର୍ତ୍ତମାନ କୋର୍ଟରେ ଅଛି। ସମନକୁ ନେଇ ଏଜେନ୍ସି ନିଜେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ।”



