www.samajalive.in
Monday, December 15, 2025
16.1 C
Bhubaneswar

ଜାତୀୟ ରେକର୍ଡ ଭାଙ୍ଗିବା ସହ ସ୍ୱର୍ଣ୍ଣ ଜିତିଲେ ଦୁତୀ

କଟକ : ମହିଳା ୧୦୦ ମିଟର ଦୌଡ଼ରେ ନିଜର ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି ଦେଶର ଦ୍ରୁତତମ ମହିଳା ତଥା ଓଡ଼ିଶାର ଧାବିକା ଦୁତୀ ଚାନ୍ଦ। ଆସାମର ଗୁଆହାଟୀରେ ଚାଲିଥିବା ୫୮ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‍ଲେଟିକ୍‍ ଚମ୍ପିଆନ୍‍ସିପ୍‍ର ଅନ୍ତିମଦିନରେ ଶୁକ୍ରବାର ଦୁତୀ ୧୦୦ ମିଟର ଦୌଡ଼ ସେମିଫାଇନାଲରେ ୧୧.୨୯ ସେକେଣ୍ଡ ସମୟ ନେଇଥିଲେ; ଯାହା ଏକ ନୂଆ ଜାତୀୟ ରେକର୍ଡ। ସୂଚନାଯୋଗ୍ୟ; ୨୦୧୭ ମେ’ ୧୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଆଥ୍‍ଲେଟିକ୍‍ ମିଟ୍‍ରେ ଦୁତୀ ୧୧.୩୦ ସେକେଣ୍ଡ ସମୟ ନେଇ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ଏହାର ବର୍ଷକ ପରେ ଦୁତୀ ତାଙ୍କର ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସନ୍ଧ୍ୟାରେ ହୋଇଥିବା ଫାଇନାଲରେ ଦୁତୀ ୧୧.୩୨ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣପଦକ ଜିତିଛନ୍ତି। ଫାଇନାଲରେ ଦୁତୀ ତାଙ୍କ ସେମିଫାଇନାଲ ଟାଇମିଂକୁ ଦୋହରାଇ ପାରିନଥିଲେ ହେଁ ସ୍ୱର୍ଣ୍ଣପଦକ ଜିତିଛନ୍ତି। ସୂଚନାଯୋଗ୍ୟ; ଏହି ମିଟ୍‍ର ପ୍ରଥମଦିନ ୨୦୦ ମିଟର ଦୌଡ଼ରେ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରି ସାରିଥିବା ଦୁତୀ ଚାନ୍ଦ ତାଙ୍କ ପ୍ରିୟ ଇଭେଣ୍ଟ ୧୦୦ ମିଟର ଦୌଡ଼ରେ ମଧ୍ୟ ଏସୀୟ କ୍ରୀଡ଼ା ପାଇଁ ଗୁରୁବାର ଯୋଗ୍ୟତା ଅର୍ଜନ କରିଥିଲେ। ସୂଚନାଯୋଗ୍ୟ; ଏସୀୟ କ୍ରୀଡ଼ା ପାଇଁ ମହିଳା ୧୦୦ ମିଟର ଦୌଡ଼ରେ ଯୋଗ୍ୟତା ଟାଇମିଂ ୧୧.୬୭ ସେକେଣ୍ଡ ଥିବା ବେଳେ ଦୁତୀ ଚାନ୍ଦ ଗୁରୁବାର ହିଟ୍‍ସରେ ୧୧.୪୨ ସେକେଣ୍ଡ ସମୟ ନେଇ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଉକ୍ତ ପ୍ରଦର୍ଶନ ପରେ ଦୁତୀ ଆତ୍ମବିଶ୍ୱାସ ପ୍ରକଟ କରିଥିଲେ ଯେ ସେ ଆଗକୁ ଏହି ଟାଇମିଂରେ ଆହୁରି ଉନ୍ନତି କରିବେ; ଯାହା ସେ କରି ପାରିଛନ୍ତି। ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା ପରେ ଯାଜପୁରର ଦୁତୀ ଚାନ୍ଦ କହିଛନ୍ତି, ଏହି ରେସ୍‍ ପୂର୍ବରୁ ବାତାବରଣ ଚମତ୍କାର ଥିଲା। ମୁଁ ଓ ମୋ ପ୍ରଶିକ୍ଷକ ଏନ୍‍. ରମେଶ ନିଷ୍ପତ୍ତି ନେଇଥିଲୁ ଯେ ମୁଁ ଜାତୀୟ ରେକର୍ଡ ପାଇଁ ପ୍ରୟାସ କରିବି। ଆଗକୁ ଆହୁରି କମ୍‍ ସମୟ ହାସଲ କରିବାର ପ୍ରୟାସ ଜାରିରଖିବି। ଏହି ଚମ୍ପିଆନ୍‍ସିପ୍‍ରେ ମୋ ଲକ୍ଷ୍ୟ ଥିଲା ୧୧.୨୦ ସେକେଣ୍ଡ ଟାଇମିଂ ହାସଲ କରିବା। ମୋର ଆଶା ଯେ ଏହା ହାସଲ କରିପାରିବି। ହାଇଦରାବାଦର ଗୋପୀଚାନ୍ଦ ଏକାଡେମୀରେ ରହି ଏନ୍‍. ରମେଶଙ୍କ ତତ୍ତ୍ୱାବଧାନରେ ଦୁତୀ ଚାନ୍ଦ କଠିନ ପରିଶ୍ରମ କରୁଛନ୍ତି। ଶାରୀରିକ ଶକ୍ତି ବୃଦ୍ଧି ପାଇଁ ଯେଉଁ ବ୍ୟାୟାମ କରିଥିଲେ; ତା’ର ସୁଫଳ ମିଳିଛି। ଦୁତୀ ଆହୁରି କହିଛନ୍ତି, ଏସୀୟ କ୍ରୀଡ଼ା ପାଇଁ ଆହୁରି ୪ ସପ୍ତାହ ବାକିଅଛି। ଏସୀୟ କ୍ରୀଡ଼ାରେ ୧୧.୨୦ ସେକେଣ୍ଡରୁ କମ୍‍ ସମୟରେ ୧୦୦ ମିଟର ଦୌଡ଼ିବା ମୋର ଲକ୍ଷ୍ୟ। ସୂଚନାଯୋଗ୍ୟ; ଏସୀୟ କ୍ରୀଡ଼ାରେ ଦୁତୀ ଚାନ୍ଦ ୧୦୦ ମିଟର ସହ ୨୦୦ ମିଟର ଓ ୪ ଗୁଣା ୧୦୦ ମିଟର ରିଲେରେ ଭାରତର ପ୍ରତିନିଧିତ୍ୱ କରିବେ।
ଶୁକ୍ରବାର ଦୁତୀ ଚାନ୍ଦଙ୍କ ୧୧.୨୯ ସେକେଣ୍ଡ ଚଳିତ ସିଜିନ୍‍ରେ ମହିଳା ୧୦୦ ମିଟର ଦୌଡ଼ରେ ଏସିଆର ଶ୍ରେଷ୍ଠ ଟାଇମିଂ। ପୁଣି ଏହି ଟାଇମିଂ ଯୋଗୁଁ ଦୁତୀ ଚାନ୍ଦ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିବା ଲାଗି ଦୃଢ଼ ଦାବିଦାର ହୋଇଛନ୍ତି। କାରଣ ୨୦୧୦ ଏସୀୟ କ୍ରୀଡ଼ାରେ ୧୦୦ ମି. ସ୍ୱର୍ଣ୍ଣ ବିଜୟିନୀଙ୍କ ଟାଇମିଂ ୧୧.୩୩ ସେକେଣ୍ଡ ଥିବା ବେଳେ ୨୦୧୪ରେ ୧୧.୪୮ ସେକେଣ୍ଡ ଥିଲା। ସୂଚନାଯୋଗ୍ୟ; ଅଦ୍ୟାବଧି କୌଣସି ଭାରତୀୟ ମହିଳା ଏସୀୟ କ୍ରୀଡ଼ାରେ ୧୦୦ ମିଟର ଦୌଡ଼ ସ୍ୱର୍ଣ୍ଣପଦକ ଜିତିନାହାନ୍ତି। ମାତ୍ର ୪ ଭାରତୀୟ ପଦକ ଜିତିଛନ୍ତି। ସେମାନେ ହେଲେ ରୋଶନ ମିସ୍ତ୍ରୀ (୧୯୫୧, ରୌପ୍ୟ), କ୍ରିଷ୍ଟିନ୍‍ ବ୍ରାଉନ୍‍ (୧୯୫୪, ବ୍ରୋଞ୍ଜ୍‍), ପି.ଟି. ଉଷା (୧୯୮୨, ରୌପ୍ୟ) ଓ ଓଡ଼ିଆ ଧାବିକା ରଚିତା ମିସ୍ତ୍ରୀ (୧୯୯୮, ବ୍ରୋଞ୍ଜ୍‍)। ସୂଚନାଯୋଗ୍ୟ; ଗତ ଗୋଲ୍‍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଦୁତୀ ଚାନ୍ଦଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନଥିଲା। ତେବେ ଲଢ଼ୁଆ ପ୍ରଦର୍ଶନ କରି ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଏସୀୟ କ୍ରୀଡ଼ା ପାଇଁ ଦୁତୀ ଯୋଗ୍ୟତା ଅର୍ଜନ କରିଛନ୍ତି ଏବଂ ସ୍ୱର୍ଣ୍ଣପଦକ ପାଇଁ ଦୃଢ଼ ଦାବିଦାର ଭାବେ ଉଭା ହୋଇଛନ୍ତି। ଏହି ମିଟ୍‍ରେ ଆହତ ଥିବାରୁ ଶ୍ରାବଣୀ ନନ୍ଦ ଓହରି ଯାଇଥିଲେ। ୧୦୦ ମିଟର ହର୍ଡଲ୍‍ସରେ ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତ ସାହୁ ୪ର୍ଥ ଏବଂ ମହିଳା ୪୦୦ ମିଟର ଦୌଡ଼ରେ ଓଡ଼ିଶାର ଜଉନା ମୁର୍ମୁ ୫ମ ସ୍ଥାନରେ ରହିଥିଲେ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories