ଚଳିତ ବର୍ଷ ହେବ ନାହିଁ ବିସର୍ଜନ ଶୋଭାଯାତ୍ରା
ଦୁର୍ଗା ପୂଜା ପାଇଁ ପୁଲିସ ଓ ପୂଜା କମିଟି ମଧ୍ୟରେ ସମନ୍ୱୟ ବୈଠକ
ସମ୍ବଲପୁର : ଆଗାମୀ ୧୫ ତାରିଖରୁ ଆରମ୍ଭ ହେଉଥିବା ଦୁର୍ଗା ପୂଜା ଉତ୍ସବ ପାଇଁ ସମ୍ବଲପୁର ପୁଲିସ ଓ ପୂଜା କମିଟି ଗୁଡିକ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟାଉନ, ଧନୁପାଲି, ଅଇଁଠାପାଲି, କ୍ଷେତରାଜପୁର, ସଦର ଓ ବରେଇପାଲି ଥାନା ଅର୍ନ୍ତଗତ ୪୦ରୁ ଅଧିକ ପୂଜା କମିଟି ଗୁଡିକ ସାମିଲ ହୋଇଥିଲେ। ଟାଉନ ଥାନା ପରିସରରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଏସପି ଅଲବିନସ କେରକେଟା, ସଦର ଏସଡିପିଓ ପ୍ରଦୀପ ସାହୁ, ଟ୍ରାଫିକ ଡିଏସପି ନରେନ୍ଦ୍ର ଷଡଙ୍ଗୀ, ଡିଆଇବି ଡିଏସପି ଜେମ୍ସ ସମଦ, ଟାଉନ ଥାନାଧିକାରୀ ବୁଲୁ ସ୍ୱାଇଁ, କ୍ଷେତରାଜପୁର ଥାନାଧିକାରିଣୀ, ଧନୁପାଲି ଥାନାଧିକାରୀ ରଞ୍ଜନ ବିଶ୍ୱାଳ, ଅଇଁଠାପାଲି ଥାନାଧିକାରୀ ସନୟ କୁମାର ନାୟକ, ସଦର ଥାନାଧିକାରୀ ସୁବ୍ରତ ପାଣିଗ୍ରାହୀ, ବରେଇପାଲି ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ସାମିଲ ହୋଇଥିଲେ। ଚଳିତ ବର୍ଷ ଗଣେଶ ଉତ୍ସବ ସମୟରେ ବିସର୍ଜନ ଶୋଭାଯାତ୍ରାକୁ ବନ୍ଦ କରାଯାଇଥିବା ବେଳେ ସେହି କ୍ରମରେ ଦୁର୍ଗା ଉତ୍ସବର ଭସାଣି ଶୋଭାଯାତ୍ରା କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ହିନ୍ଦୁ ରୀତିନୀତି ଅନୁଯାୟୀ ପାରମ୍ପରିକ ବିଧି ଅନୁଯାୟୀ ପୂଜା ହେବ ଏବଂ କେବଳ ଭସାଣି ଶୋଭାଯାତ୍ରା ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କମିଟି ମାନଙ୍କୁ ସୂଚନା ଦିଆଯାଇଛି।
Comments are closed.