ଶେଷରେ ନକଲି ଡାକ୍ତରଙ୍କ ଜେଲ ଯାତ୍ରା

ସୁନ୍ଦରଗଡ଼ : ନିଜକୁ ଏମ.ବି.ବି.ଏସ ଡାକ୍ତର ବୋଲି ପରିଚୟ ଦେଇ ରାଜ୍ୟ ସରକାରଙ୍କଠାରୁ ୨୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକି ନେଇ ରୋଗୀ ସେବା ଚଳାଇଥିବା ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡାକ୍ତର ପଦ୍ମନାଭନ ମୁଖୀକାରୁଆଙ୍କୁ ସୁନ୍ଦରଗଡ଼ ଟାଉନ ପୁଲିସ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଭିଯୋଗକୁ ଭିତ୍ତି କରି ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଜିଲାବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି। ଏହି ନକଲି ଡାକ୍ତରଙ୍କ ସମ୍ପର୍କରେ ପ୍ରଥମେ ଜଣେ ପୁଲିସ ଇନ୍ସପେକ୍ଟର ବିଭାଗକୁ ଜଣାଇଥିଲେ ମଧ୍ୟ ସୁନ୍ଦରଗଡ଼ ସି.ଡ଼ି.ଏମ.ଓ ଅଫିସର ଦୁଇ କିରାଣୀ ଏ କଥାକୁ ଆଦୌ ଗୁରୁତ୍ୱ ନଦେବା ସହ କୁଆଡ଼େ ନକଲି ଡାକ୍ତରଙ୍କଠାରୁ ମାସିକିଆ ବଟି ଖାଇବା ଚକ୍କରରେ କଥାକୁ ଅଧିକାରୀ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଜଣାଇନଥିଲେ। ପୁଲିସ ଇନ୍ସପେକ୍ଟରଙ୍କ କଥାକୁ ଯଦି ସେତେବେଳେ ଗୁରୁତ୍ୱତାର ସହ ନିଆଯାଇ ତଦନ୍ତ କରାଯାଇଥାନ୍ତା ତେବେ ଏହି ନକଲି ଡାକ୍ତର ରାଜ୍ୟ ସରକାରଙ୍କଠାରୁ ଲକ୍ଷାଧିକ ଟଙ୍କା ଦରମା ବାବଦରେ ଚୂନ ଲଗାଇ ପାରିନଥାନ୍ତେ ଓ ରୋଗୀଙ୍କୁ ଅସୁରକ୍ଷିତ ଭାବେ ଚିକିତ୍ସା କରିବାର ସୁଯୋଗ ମଧ୍ୟ ପାଇନଥାନ୍ତେ। ପ୍ରକୃତ ପକ୍ଷେ ଏହି ପୁଲିସ ଇନ୍ସପେକ୍ଟରଙ୍କ କନ୍ୟାଙ୍କ ସହ ଏହି ଡାକ୍ତର ପରିବାର ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ହେଲେ ପୁଲିସ ଇନ୍ସପେକ୍ଟର ଜଣକ ବହୁ ଛାନଭିନ କରି କୁଆଡ଼େ ଏଜଣେ ନକଲି ଡାକ୍ତର ବୋଲି ଜାଣି ପାରି ପ୍ରସ୍ତାବକୁ ଖାରଜ କରିବା ସହ ବିଭାଗକୁ ମଧ୍ୟ ଜଣାଇଥିଲେ। ସାଧାରଣତଃ ଚତୁର୍ଥ ଶ୍ରେଣୀ କର୍ମଚାରୀଟିଏ ଚୁକ୍ତିଭିତ୍ତିକ ହିସାବରେ ନିଯୁକ୍ତି ପାଇଲେ ମଧ୍ୟ ତାର ଶିକ୍ଷାଗତ ଯୋଗ୍ୟତାକୁ ନେଇ ବାରମ୍ବାର ଛାନଭିନ କରାଯାଇଥାଏ ହେଲେ ଡାକ୍ତର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନକଲି ସାର୍ଟିଫିକେଟ ଦେଇ ଦୀର୍ଘ ୩ ବର୍ଷ ଧରି ବିଭାଗକୁ ଚୂନ ଲଗାଇ ଆସୁଥିବା ଏହି ଡାକ୍ତର ଜଣକ କିପରି ଆଜି ଯାଏ ନିଜ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ କରି ଆସୁଥିଲେ ତାହା ସମସ୍ତଙ୍କୁ ଆଚମ୍ବିତ କରିବା ସହ ସିଡ଼ିଏମଓ କାର୍ଯ୍ୟାଳୟର ଦୁଇ କିରାଣୀ  ସମ୍ପର୍କରେ ମଧ୍ୟ ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଅପରପକ୍ଷରେ ଏଘଟଣା ପଦାକୁ ଆସିବା ପରେ ସୁନ୍ଦରଗଡ଼ ଜିଲାପାଳ ତଥା ଜିଲା ସ୍ୱାସ୍ଥ୍ୟ ସମିତିର ଅଧ୍ୟକ୍ଷ ନିଖିଳ ପବନ କଲ୍ୟାଣ ଜିଲାରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ ହେବ ଓ ନକଲି ଡାକ୍ତରଙ୍କ ନିଯୁକ୍ତି ପ୍ରକ୍ରିୟାଠାରୁ ଆଜି ଯାଏ ସମସ୍ତ କାର୍ଯ୍ୟକଳାପର ତଦନ୍ତ ହେବ ବୋଲି ସୂଚନା ଦେଇଥିବାର ଜଣାପଡ଼ିଛି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ସରୋଜ କୁମାର ମିଶ୍ର ବୁର୍ଲା ଭିମସାରର ରିପୋର୍ଟ ଓ ବିଭାଗୀୟ ରିପୋର୍ଟକୁ ଆଧାର କରି ପ୍ରାଥମିକ ଭାବେ ଡାକ୍ତରଙ୍କ ଏମ.ବି.ବି.ଏସ ଡ଼ିଗ୍ରୀ ସାର୍ଟିଫିକେଟ ସନ୍ଦେହ ଜନକ ବୋଲି ହୃଦୟଙ୍ଗମ କରି ତାଙ୍କ ବିରୁଦ୍ଧରେ ସୁନ୍ଦରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ଟାଉନ ପୁଲିସ ବିଭିନ୍ନ ଧାରାରେ ମାମଲା ରୁଜୁ କରି ଅତ୍ୟନ୍ତ ନାଟକୀୟ ଢ଼ଙ୍ଗରେ ଡାକ୍ତରଙ୍କୁ ପଚରାଉଚରା କରିବାର ଅଛି ବୋଲି କହି ଟାଉନ ଥାନାକୁ ଆଣି ପଚରାଉଚରା କରିବାରୁ ସେ ମଧ୍ୟ ନିଜ ସାର୍ଟିଫିକେଟ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଫଳରେ ଟାଉନ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି ବୋଲି ଥାନା ଅଧିକାରୀ ବିଭତ୍ସ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.