ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଯୁବ ଖେଳାଳିମାନଙ୍କ ପାଇଁ ପ୍ରତିଭା ପ୍ରଦର୍ଶନରେ ବଡ଼ ମଞ୍ଚ। ଆଇପିଏଲ ମାଧ୍ୟମରେ ଏକାଧିକ ଯୁବ ଖେଳାଳି ଲୋକଲୋଚନକୁ ଆସି ପାରିଛନ୍ତି। ୨୦୨୫ ଆଇପିଏଲରେ ମଧ୍ୟ ଏକାଧିକ ଯୁବ ଖେଳାଳି ପ୍ରଦର୍ଶନ ବଳରେ ଚର୍ଚ୍ଚାରେ ରହିଛନ୍ତି। ସେଥିମଧ୍ୟରୁ ସନରାଇଜର୍ସ ହାଇଦରାବାଦ୍ର ଯୁବ ଅଲରାଉଣ୍ଡର ହର୍ଷ ଦୁବେ ଅନ୍ୟତମ। ଚଳିତ ଆଇପିଏଲରେ ଦୁବେ ୩ଟି ମ୍ୟାଚ ଖେଳି ୫ଟି ୱିକେଟ ନେଇଛନ୍ତି। କଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଦୁବେ ୩ଟି ୱିକେଟ ନେଇଥିଲେ।
ଇଂଲଣ୍ଡ ଲାୟନ୍ସ ବିପକ୍ଷ ଦୁଇଟି ୪ ଦିନିଆ ମ୍ୟାଚ ଲାଗି ଭାରତୀୟ-ଏ ଦଳରେ ଅଲରାଉଣ୍ଡର ହର୍ଷ ଦୁବେ ସ୍ଥାନ ପାଇଛନ୍ତି। ବୋଲିଂ ଅଲରାଉଣ୍ଡର ହର୍ଷ ବାମହାତୀ ବ୍ୟାଟିଂ ସହ ସ୍ପିନ ବୋଲିଂ ମଧ୍ୟ କରନ୍ତି। ମହାରାଷ୍ଟ୍ରର ପୁଣେରେ ଜନ୍ମିତ ୨୩ ବର୍ଷୀୟ ହର୍ଷ ବିଦର୍ଭ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଛନ୍ତି। ୧୮ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୭ଟି ଅର୍ଦ୍ଧଶତକ ସହ ୭୦୯ରନ କରିଥିବାବେଳେ ୯୭ଟି ୱିକେଟ ନେଇଛନ୍ତି। ଏହାଛଡ଼ା ୨୦ଟି ଲିଷ୍ଟ-ଏ ମ୍ୟାଚରୁ ୨୧ଟି ୱିକେଟ ନେଇଥିବାବେଳେ ୨୧୩ରନ ଓ ୧୬ଟି ଟ୍ବେଣ୍ଟି୨୦ରୁ ୯ଟି ୱିକେଟ ନେଇଛନ୍ତି। ୨୦୨୪-୨୫ ରଣଜୀ ଟ୍ରଫିରେ ୬୯ଟି ୱିକେଟ ନେଇ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ହର୍ଷ ଆଶ୍ଚଯ୍ୟ କରି ଭାରତୀୟ-ଏ ଦଳରେ ସ୍ଥାନ ପାଇଛନ୍ତି। ଆଇପିଏଲରେ ଖେଳିବା ନେଇ ସୁଯୋଗ ପାଇଥିବାରୁ ବହୁତ ଖୁସି। ୩ଟି ମ୍ୟାଚ ଖେଳିବାର ସୁଯୋଗ ମୋ ମନୋବଳକୁ ବଢାଇଛି। ଆଇପିଏଲର ପ୍ରଦର୍ଶନକୁ ନେଇ ମୁଁ ଖୁସି ବୋଲି ହର୍ଷ କହିଛନ୍ତି। ଇଂଲଣ୍ଡ ଗସ୍ତ ଲାଗି ଭାରତୀୟ-ଏ ଦଳରେ ସ୍ଥାନ ପାଇବା ନେଇ ଫୋନ କଲ ପାଇବା ପରେ ବିଶ୍ବାସ କରିପାରିନଥିଲି। ୨୦୧୯ରେ ୧୯ ବର୍ଷରୁ କମ୍ ଭାରତୀୟ ଦଳ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲି। ପ୍ରଥମ ଥର ପାଇଁ ଭାରତୀୟ ସିନିୟର ଦଳ ପକ୍ଷରୁ ଖେଳିବାକୁ ଉତ୍ସାହିତ ଅଛି। ଭଲ ପ୍ରଦର୍ଶନ ଏକମାତ୍ର ଲକ୍ଷ୍ୟ ରହିଛି। ସୁଯୋଗକୁ ସଦୁପଯୋଗ କରିବା ଏବେ ଏକମାତ୍ର ଲକ୍ଷ୍ୟ ବୋଲି ହର୍ଶ କହିଛନ୍ତି। ଆଇପିଏଲରେ ସନରାଇଜର୍ସ ହାଇଦରାବାଦ୍ ଦଳରେ ସୁଯୋଗ ପାଇବା ପରେ ବୋଲିଂ କ୍ଷେତ୍ରରେ ବହୁତ ଶିଖିବାକୁ ମିଳିଛି। ଦଳର ମୁଖ୍ୟ ପ୍ରଶିକ୍ଷକ ଡାନିଏଲ ଭେଟୋରୀ ଓ ଟମ୍ ମୁଡ଼ିଙ୍କ ପ୍ରଶିକ୍ଷଣ ବହୁତ ସହାୟକ ହୋଇଛି। ପୂର୍ବରୁ କିମ୍ବଦନ୍ତୀ ଭାରତୀୟ ସ୍ପିନର ଅନୀଲ କୁମ୍ବଲେଙ୍କଠାରୁ ମଧ୍ୟ ବହୁତ ଟିପ୍ସ ପାଇଛି। ଯାହା ମୋ ବୋଲିଂ ବିଭାଗକୁ ସୁଧାରିବାରେ ସହାୟକ ହୋଇଛି ବୋଲି ଦୁବେ କହିଛନ୍ତି। ଦୁବେଙ୍କୁ ଚଳିତ ଆଇପିଏଲର ଶେଷ ଆଡକୁ ମାତ୍ର ୩ଟି ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା। ସୀମିତ ସୁଯୋଗରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କ ବୋଲିଂରେ ବିବିଧତା ରହିଛି। ତାଙ୍କ ଭବିଷ୍ୟତ ଉଜ୍ବଳ ବୋଲି ସନରାଇଜର୍ସ ହାଇଦରାବାଦର ମୁଖ୍ୟ ପ୍ରଶିକ୍ଷକ ଡାନିଏଲ ଭିଟୋରୀ କହିଛନ୍ତି।



