www.samajalive.in
Monday, December 15, 2025
16.1 C
Bhubaneswar

ମମିତା କୋଳାହଳରେ ହଜିଗଲା ମରୁଡ଼ି

ନର୍ଲା : ମମିତା ହତ୍ୟାକାଣ୍ଡ ଓ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର କୋଳାହଳରେ ଅନେକ ସ୍ଥାନୀୟ ପ୍ରସଙ୍ଗ ହଜିଯାଇଛି। ସେଥିରୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ମରୁଡ଼ି। କିନ୍ତୁ ପ୍ରଶାସନ ପାଇଁ ମରୁଡ଼ି ପ୍ରସଙ୍ଗ ଗୁରୁତ୍ବହୀନ ହୋଇପଡ଼ିଛି।
ମମିତା ହତ୍ୟାକାଣ୍ଡକୁ କେନ୍ଦ୍ର କରି ସରକାର ଓ ବିରୋଧୀ ଦଳ ମଧ୍ୟରେ ପ୍ରବଳ ବାଦାନୁବାଦ ଯେଉଁ ଉଷ୍ମତା ସୃଷ୍ଟି କରିଛି ତାକୁ ବିଜୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ ସମାରୋହ ପାଣିଚିଆ କରୁଛି। ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ବିରୋଧୀ ଦଳ ରାଜ୍ୟାବାପୀ ବନ୍ଦ ଓ ବିରୋଧ ଚଳେଇଛନ୍ତି। କିନ୍ତୁ ସରକାରୀ ଦଳ ତାକୁ ଖାତିର ନ କରି ଠିକ ସେହି ସମୟରେ ସମାନ୍ତରାଳ ଭାବେ ଜାଗା ଜାଗାରେ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଉତ୍ସବ କରୁଛନ୍ତି।

ଏହା ମମିତା ଘଟଣାରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଭିପ୍ରେତ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। କିନ୍ତୁ ଏ ବର୍ଷ ସ୍ବଳ୍ପବୃଷ୍ଟି ଓ ଅନାବୃଷ୍ଟି ଯୋଗୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଏହାରି ଭିତରେ ଖରିଫ ଧାନ ସଂଗ୍ରହ ସମୟ ଆସିଗଲାଣି। କିନ୍ତୁ ସରକାର ଓ ବିରୋଧୀ ଦଳ ଭିତରେ ବଳ କଷାକଷି ଚାଲିଥିବାରୁ ମରୁଡ଼ି ସମସ୍ୟା ଅଣଦେଖା ରହିଗଲାଣି। କୌଣସି ରାଜନୈତିକ ଦଳ ଚାଷ ଓ ଚାଷୀର କଥା କହୁ ନଥିବାରୁ ଚାଷୀଙ୍କ ଅବସ୍ଥା ଦିକଡ଼ା ହୋଇ ଗଲାଣି। ଚାଷୀଙ୍କ ଅବସ୍ଥା ଶୁଣିବାକୁ କାହାରି ପାଖରେ ସମୟ ନାହିଁ।
କଳାହାଣ୍ଡି ଜିଲା ନର୍ଲା ବ୍ଲକ ଏକ ପଛୁଆ ଅଞ୍ଚଳ। ୨୦୧୯ କରୋନା ସଂକ୍ରମଣରୁ ଆରମ୍ଭ କରି ମରୁଡ଼ି ଚାଷୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏହି ବ୍ଲକର ଗୋଟିଏ ଦୁଇଟି ପଞ୍ଚାୟତକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ପଞ୍ଚାୟତକୁ ମରୁଡ଼ିର କରାଳ ଛାୟା ଗ୍ରାସ କରିଛି। ତୁଳାପଡ଼ା, ବାଗପରୁ, ଭାନପରୁ, ଘୋଡ଼ାବନ୍ଧ, ସେରଗଡ଼, ରୁପ୍ରାରୋଡ଼, ଗିଗିନା, ମୁସ୍କୁଟି ଆଦି ପଞ୍ଚାୟତରେ ଖରିଫ ଚାଷ ପାଣି ଅଭାବରୁ ଉଜୁଡ଼ି ଯାଇଛି। କେତେକ ସ୍ଥାନରେ ଚାଷୀ ଋଣ କରି ଚାଷ କରିଥିଲା। କିନ୍ତୁ ଧାନ କେଣ୍ଡା ବାହାରିବା ବେଳକୁ ପାଣି ଅଭାବରୁ ତାହା ମରିଗଲା। କେତେକ ସ୍ଥାନରେ କେନାଲ ବ୍ୟବସ୍ଥା ଥିଲେ ମଧ୍ୟ ଉପର ମୁଣ୍ଡର ଚାଷ ଜମିରେ ପାଣି ହଜି ଯାଉଥିବା ତଳ ମୁଣ୍ଡ ଚାଷ ଶୁଖି ପାଳ ହୋଇଗଲାଣି। ଅନେକ ଜାଗାରେ ଚାଷୀ ହତାଶ ହୋଇ କ୍ଷେତରେ ଗାଈ ଚରାଇ ଦେଲେଣି। କିନ୍ତୁ ସରକାର ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବାରେ ବ୍ୟସ୍ତ ଥିବା ବେଳେ ବିରୋଧୀ ଦଳ ମମିତାକୁ ନ୍ୟାୟ ଦେବାକୁ ଆନ୍ଦୋଳନ କରୁଛନ୍ତି। ରାସନ କାର୍ଡ, ଆଧାର କାର୍ଡ, ପାନ କାର୍ଡ ଓ ସ୍ମାର୍ଡକାର୍ଡରେ ପୋତି ଦେଲେ ମଧ୍ୟ ଚାଷ ବିହୁନେ ଏ ସବୁ ତୁଚ୍ଛ ବୋଲି ଚାଷୀ କ୍ଷୋଭ ପ୍ରକାଶ କରୁଛନ୍ତି। ଗତ ୮ ତାରିଖରେ ମୁଖ୍ୟମନ୍ତ୍ରୀ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡିକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ରାଜଧାନୀ ଫେରିଗଲା ପରେ ମାଳମାଳ ନେତା ମନ୍ତ୍ରୀ ଗାଁ ଗାଁ ବୁଲି ବିଜୁ କାର୍ଡ ବାଣ୍ଟୁଛନ୍ତି। କିନ୍ତୁ ସେଇ ଗ୍ରାମାଞ୍ଚଳରେ ମରି ଯାଇଥିବା ଚାଷକୁ ସେମାନେ ଦେଖି ନ ଦେଖିଲା ଭଳି ରହୁଛନ୍ତି। ଚାଷୀର ଅବସ୍ଥା କ’ଣ ହେଲାଣି କେହି ପଚାରି ବୁଝୁନାହାନ୍ତି। ସରକାର କାର୍ଡ ବାଣ୍ଟିବାରେ ବ୍ୟସ୍ତ ଓ ବିରୋଧୀ ଦଳ ଆ​​‌ନ୍ଦୋଳନରେ ମାତିଛନ୍ତି। ପଞ୍ଚାୟତରୁ ଆରମ୍ଭ କରି ଜିଲା ପ୍ରଶାସନ ଯାଏ ସମସ୍ତେ କାର୍ଯ୍ୟକ୍ରମ ଆୟୋଜନ ଓ ଆଇନ ଶୃଙ୍ଖଳା ରକ୍ଷାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଏଭଳି ଅବସ୍ଥାରେ ଚାଷୀ ତଳିତଳାନ୍ତ ହୋଇଗଲାଣି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories