ଭୁବନେଶ୍ବର : କଳାହାଣ୍ଡିସ୍ଥିତ ସନ୍ସାଇନ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ କଂଗ୍ରେସ ଆସନ୍ତାକାଲି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ୬ଘଣ୍ଟିଆ ବନ୍ଦ ଡାକରା ଦେଇଛି। ତେବେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ବନ୍ଦ ଡାକରା ଏବେ ହରତାଳରେ ପରିଣତ ହୋଇଛି। ଏହାସତ୍ତ୍ବେ ଏହାକୁ ଗୃହ ବିଭାଗ ଗୁରୁତର ଭାବେ ଗ୍ରହଣ କରି ସବୁ ବିଭାଗ ମୁଖ୍ୟଙ୍କୁ ସତର୍କତା ଜାରି କରିବା ସହିତ ପୂର୍ବାହ୍ନ ୧୦ଟା ୧୫ରେ ମୁଖ୍ୟ ଫାଟକ ବନ୍ଦ କରାଯିବା ନେଇ ତାଗିଦ କରାଯାଇଛି। ଏନେଇ ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ଏକ ନିର୍ଦେଶନାମା ଜାରି କରି ସବୁ ବିଭାଗ ମୁଖ୍ୟଙ୍କୁ ଅବଗତ କରାଇଛନ୍ତି ଯେ କଂଗ୍ରେସ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଟ୍ରାଫିକ୍ ଓ ରେଳବାଇ ଓ ବସ୍ ଟ୍ରାଫିକରେ ବିକ୍ଷୋଭ ଓ ପିକେଟିଂ କରାଯିବାର ରହିଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତଦିନ ସମସ୍ତ ସରକାରୀ ଚାକିରିଆ ଲୋକସେବା ଭବନକୁ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା ଆସିବାକୁ ପଡ଼ିବ। ୧୦ଟା ୧୫ ମିନିଟରେ ଲୋକସେବା ଭବନର ମୁଖ୍ୟ ଫାଟକ ବନ୍ଦ ରହିବ। କିନ୍ତୁ ପାଖ ଫାଟକ ଦେଇ କର୍ମଚାରୀମାନେ ଯାତାୟାତ କରିପାରିବେ। ଉକ୍ତଦିନ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ, ସମସ୍ତେ ନିଜର ପରିଚୟ ପତ୍ର ଆଣିବାକୁ ବାଧ୍ୟ। ତେବେ ପରିଦର୍ଶକମାନଙ୍କୁ ଉକ୍ତଦିନ ଲୋକସେବା ଭବନକୁ ଆସିବାକୁ ଦିଆଯିବ ନାହିଁ। ଯଦି କୌଣସି ବ୍ୟକ୍ତିଙ୍କୁ ପୂର୍ବରୁ ସଚିବାଳୟକୁ ଆସିବା ପାଇଁ ଅନୁମତି ଦିଆଯାଇଥିବ ତେବେ ସେ କ୍ଷେତ୍ରରେ ଗୃହ ବିଭାଗକୁ ଅବଗତ କରାଯିବ। ଯଦି କୌଣସି କର୍ମଚାରୀ ଏହି ସମୟରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ବିଭାଗୀୟ ସ୍ବତନ୍ତ୍ର ସଚିବଙ୍କ ଦୂରଭାଷ ନମ୍ବର-୨୩୯୩୮୪୯ କିମ୍ବା ସହାୟକ ପୁଲିସ ଆୟୁକ୍ତଙ୍କ ନମ୍ବର-୨୩୨୨୫୨୨ରେ ଯୋଗାଯୋଗ କରିବାକୁ ଶ୍ରୀମତୀ ବାଲା ପତ୍ରରେ ଦର୍ଶାଇଛନ୍ତି।
ହରତାଳକୁ ନେଇ ସବୁ ବିଭାଗ ମୁଖ୍ୟଙ୍କୁ ଗୃହ ବିଭାଗର ତାଗିଦ : ୧୦ଟା ୧୫ରେ ଲୋକସେବା ଭବନ ମୁଖ୍ୟ ଫାଟକରେ ତାଲା
Popular Categories



