ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ଗ୍ରାମରେ ଥିବା ଚିଲିକା ମା’ ଚାଉଳ ମିଲ୍ ଡ୍ରାଇଭର ନଟବର ସାହୁ( ୪୫)ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ନଟବର ଗତ ୩ ବର୍ଷ ହେଲା ଚାଉଳ ମିଲରେ ଡ୍ରାଇଭର ଭାବେ କାମ କରୁଥିଲେ। ଗତକାଲି ପାରିବାରିକ ଅଶାନ୍ତି ଯୋଗୁ ଅତ୍ୟଧିକ ମଦ୍ୟ ପାନ କରି ମିଲରେ ଶୋଇଥିଲେ। କିଛି ସମୟ ପରେ ମିଲର କର୍ମଚାରୀମାନେ ପାଟିରୁ ଫେଣ ବାହାରୁଥିବା ଦେଖି ତାଙ୍କ ପରିବାରକୁ ଜଣାଇବା ସହ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ନେଇ ସାନ ଭାଇ କାହ୍ନୁ ଚରଣ ସାହୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ଏକ ଅପମୃତ୍ୟୁ ମାମଲା(୧/୨୫) ରୁଜୁ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।



