ଡ୍ରାଇଭର ମହାସଂଘର ଧର୍ମଘଟ : ଜାତୀୟ ରାଜପଥରେ ଗାଡି ଗୁଡିକର ଲମ୍ବା ଧାଡି
ସମ୍ବଲପୁର : ଓଡିଶା ଡ୍ରାଇଭର ମହାସଂଘ ତରଫରୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ବୁଧବାର ସାରା ରାଜ୍ୟରେ ଚକଅଖ ଜାମ୍ କରାଯାଇଛି । ଏହି କ୍ରମରେ ସମ୍ବଲପୁର ଠାରେ ଜିଲା ମହାସଂଘର ଶାଖା ତରଫରୁ ସମ୍ବଲପୁର ଦେଇ ଯାଇଥିବା ଜାତୀୟ ରାଜପଥର ଛକ ଗୁଡିକରେ ଆନ୍ଦୋଳନ କରିଥିଲେ । ଫଳରେ ମୁମ୍ବାଇରୁ କୋଲକତା ଯାଉଥିବା ଜାତୀୟ ରାଜପଥ, ସମ୍ବଲପୁରରୁ କଟକ ଜାତୀୟ ରାଜପଥ ଓ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସଂଘର ସଦସ୍ୟ ମାନେ ଅଇଁଠାପାଲି ଛକରେ ସେମାନଙ୍କର ଦାବି ସମ୍ବଳିତ ପୋଷ୍ଟର ଓ ବ୍ୟାନର ପ୍ରଦର୍ଶନ କରି ବିକ୍ଷୋଭ ଧାରଣା କରିଥିଲେ । ମହାସଂଘ ୧୦ ଦଫା ଦାବିପୂରଣ ସକାଶେ ରାଜ୍ୟ ସରକାରଙ୍କ ନିକଟରେ ଅନେକ ଥର ଦାବି କରିଛନ୍ତି । କିନ୍ତୁ ମହାସଂଘ ତରଫରୁ ବାରମ୍ବାର ଦାବି ଓ ଚେତାବନୀ ସତ୍ୱେ ସରକାର କୌଣସି ପ୍ରଭାବୀ ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ଆନ୍ଦୋଳନ କରୁଛନ୍ତି ବୋଲି ସୂଚନା ଦିଆଯାଇଛି। ମୁଖ୍ୟତଃ ଡ୍ରାଇଭର ମାନେ ସାମାଜିକ ସୁରକ୍ଷା, ବୀମା, ବିଶ୍ରାମଗୃହ, ଶୌଚାଳୟ ଆଦି ସମ୍ବଳିତ ୧୦ଟି ଦାବି ସରକାରଙ୍କ ନିକଟରେ କରି ଆସୁଛନ୍ତି । ଅପରପକ୍ଷରେ ମଙ୍ଗଳବାର ରାତ୍ରିରେ ଜିଲା ପ୍ରଶାସନ ଓ ମହାସଂଘର ଜିଲା କର୍ମକର୍ତ୍ତା ମାନଙ୍କ ସହିତ ବୈଠକରେ ଶାନ୍ତିପୁର୍ଣ୍ଣ ଆନ୍ଦୋଳନ କରିବାକୁ ସହମତି ପ୍ରକାଶ ପାଇଥିଲା। ତଥାପି ଜିଲା ପୁଲିସ ପକ୍ଷରୁ ଆନ୍ଦୋଳନକାରୀ ମାନେ କରୁଥିବା ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଥିବାର ଦେଖାଯାଇଥିଲା । ଅପରପକ୍ଷରେ ଏହି ଆନ୍ଦୋଳନ ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ଚାଲୁ ଥିବା ବେଳେ ଏବେ ଏହା ଆଗକୁ ଜାରି ରହିବ ବୋଲି ସଂଘ ତରଫରୁ ସୂଚନା ମିଳିଛି ।
Comments are closed.