www.samajalive.in
Saturday, December 13, 2025
18.1 C
Bhubaneswar

ଧୋନିଙ୍କୁ ଅବସର ପାଇଁ ବାଧ୍ୟ କରନାହିଁ: ହୁସେନ୍‍

ନୂଆଦିଲ୍ଲୀ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣ ମହାନ୍‍ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ଅଗ୍ନିପରୀକ୍ଷା ଭଳି। ଧୋନି ଆନ୍ତର୍ଜାତିକ କ୍ରିକେଟ୍‍କୁ ଫେରିବେ କି ନାହିଁ; ତାହା ୨୦୨୦ ଆଇପିଏଲ୍‍ ନିର୍ଦ୍ଧାରଣ କରିବ। ଭାରତର ବହୁତ କ୍ରିକେଟ ବିଶେଷଜ୍ଞ ମତ ଦେଇଛନ୍ତି ଯେ ଧୋନିଙ୍କ ଆନ୍ତର୍ଜାତିକ କ୍ରିକେଟ ଜୀବନ ଶେଷ ହୋଇଯାଇଛି। ତେବେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହି ସାରିଛନ୍ତି ଯେ ଧୋନି ଏବଂ ଅନ୍ୟ କିଛି କ୍ରିକେଟର ଚଳିତବର୍ଷ ହେବାକୁ ଥିବା ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଖେଳିବେ କି ନାହିଁ; ତାହା ଚଳିତବର୍ଷର ଆଇପିଏଲ୍‍ ନିର୍ଦ୍ଧାରଣ କରିବ।
ତେବେ ସମ୍ପ୍ରତି ସାରାବିଶ୍ୱ ସହ ଭାରତରେ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ଅଣାୟତ୍ତ ହୋଇ ପଡ଼ିଥିବା ବେଳେ ଆଇପିଏଲ୍‍ର ୧୩ଶ ସଂସ୍କରଣ ଆୟୋଜନ କରାଯିବା ନେଇ ସନ୍ଦେହ ରହିଛି। ଆଇପିଏଲ୍‍-୧୩ର ଆୟୋଜନ ସମ୍ଭାବନା ଦିନକୁ ଦିନ କ୍ଷୀଣ ହେବାକୁ ଲାଗିଥିବା ବେଳେ ଧୋନି ଭାରତୀୟ ଦଳକୁ ଫେରିବାର ସମ୍ଭାବନା ମଧ୍ୟ କ୍ଷୀଣ ନଜର ଆସୁଛି। ଏପରି ସମୟରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସେର ହୁସେନ୍‍ କହିଛନ୍ତି ଯେ ଧୋନିଙ୍କୁ ଏତେ ଜଲ୍‍ଦି ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ନେବାକୁ ବାଧ୍ୟକରିବା ଠିକ୍‍ ହେବନାହିଁ। କାରଣ ଯଦି ଧୋନି ଅବସର ଘୋଷଣା କରିଦିଅନ୍ତି; ତାଙ୍କୁ ପୁଣିଥରେ ଦଳକୁ ଫେରାଇ ଆଣିବା ଅସମ୍ଭବ ହୋଇପଡ଼ିବ। ଏକ ଟିଭି କାର୍ଯ୍ୟକ୍ରମରେ ହୁସେନ୍‍ କହିଛନ୍ତି- ତୁମକୁ ନିଶ୍ଚିତ କରିବାକୁ ପଡ଼ିବ ଯେ ଧୋନିଙ୍କ ପାଖରେ ଭାରତୀୟ କ୍ରିକେଟ ଦଳକୁ ଫେରିବାର ଦକ୍ଷତା ଅଛି କି ନାହିଁ। ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁହେବା ଉଚିତ। ମୁଁ ଯାହା ଆକଳନ କରିଛି; ଏବେ ମଧ୍ୟ ଧୋନି ଭାରତୀୟ କ୍ରିକେଟ୍‍କୁ ବହୁତ କିଛି ଦେଇପାରିବେ। ଏହା ସତ ଯେ ନିକଟ ଅତୀତରେ ରନ୍‍ର ପିଛାକରିବା ବେଳେ ଧୋନି ଭଲ ପ୍ରଦର୍ଶନ କରି ପାରିନାହାନ୍ତି। ଗତ ବିଶ୍ୱକପ୍‍ରେ ୨ଟି ମ୍ୟାଚ୍‍ରେ ଧୋନି ରନ୍‍ର ପିଛାକରିବା ବେଳେ ଦୁର୍ବଳତା ଦେଖାଇଥିଲେ। ତେବେ ଧୋନି ଅବସର ନିଅନ୍ତୁ ବୋଲି କହିବା ବେଳେ ତୁମକୁ ସତର୍କ ରହିବାକୁ ପଡ଼ିବ। ଥରେ ଧୋନି ଅବସର ନେଇଗଲେ; ତାଙ୍କୁ ଦଳକୁ ଫେରାଇ ଆଣିବା କଷ୍ଟକର ହେବ। କିଛି ଏପରି କ୍ରିକେଟ୍‍ କିମ୍ବଦନ୍ତୀ ଥାଆନ୍ତି; ଯେଉଁମାନେ ପ୍ରତି ପିଢ଼ିରେ ଥରେ ଜନ୍ମ ନେଇଥାଆନ୍ତି। ଧୋନି ସେମାନଙ୍କ ମଧ୍ୟରୁ ଜଣେ। ତେଣୁ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ପାଇଁ ବହୁତ ଦିନ ବାକିଥିବା ବେଳେ ଏବେଠାରୁ ଧୋନିଙ୍କୁ ଅବସର ନେବାକୁ ବାଧ୍ୟକରନ୍ତୁ ନାହିଁ। ତାଙ୍କ ମନରେ କ’ଣ ଅଛି; ତାହା କେବଳ ଧୋନି ଜାଣନ୍ତି। ଶେଷରେ ସ୍ୱୀକାର କରିବାକୁ ହେବ ଯେ ମନୋନୟନକାରୀ ହିଁ ଖେଳାଳିଙ୍କୁ ଦଳରେ ସାମିଲ କରିଥାଆନ୍ତି। ସେ ଯାହାହେଉ; ଧୋନିଙ୍କ ଫର୍ମର ଆକଳନ ପାଇଁ ସମସ୍ତେ ଆଇପିଏଲ୍‍କୁ ଅପେକ୍ଷା କରିଥିବା ବେଳେ ଏହି ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ଆୟୋଜନ ଏବେ ସନ୍ଦେହଘେରକୁ ଚାଲିଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories