ବେଜିଂ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏବେ ଆନ୍ତର୍ଜାତିକ ସ୍ତରରେ ବଡ କୂଟନୈତିକ ପ୍ରସଙ୍ଗ ହୋଇଛି। ଏହି ପ୍ରସଙ୍ଗରୁ ନିଜର ଫାଇଦା ଉଠାଇବା ଲାଗି ଚୀନ ଏବେ ତତ୍ପର ହୋଇଉଠିଛି। ଏଥିପାଇଁ ଚୀନ ଏବେ ୟୁରୋପୀୟ ୟୁନିୟନ ସହିତ ସମ୍ପର୍କ ନିବିଡ କରିବାକୁ ଯୋଜନା କରିଛି। ଆମେରିକା ସହିତ ଚୀନର ନିରନ୍ତର ଶତ୍ରୁତା ଲାଗି ରହିଛି। ତେଣୁ ଆମେରିକାକୁ ମୁକାବିଲା କରିବା ଲାଗି ଚୀନ ଏବେ ୟୁକ୍ରେନର ସହଯୋଗୀ ୟୁରୋପୀୟ ୟୁନିୟନକୁ ନିଜ ପକ୍ଷକୁ ନେବାକୁ ଉଦ୍ୟମ କରୁଛି। ରୁଷ୍ ଓ ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧରେ ୟୁରୋପୀୟ ୟୁନିୟନ ୟୁକ୍ରେନକୁ ସମର୍ଥନ କରିଆସୁଛି। ୟୁକ୍ରେନ ଓ ୟୁରୋପୀୟ ୟୁନିୟନ ମଧ୍ୟରେ ମିତ୍ରତା ଥିବାରୁ ଚୀନ ଏମାନଙ୍କ ସହିତ ମିତ୍ର ହେବାକୁ ପ୍ରୟାସ ଚଳାଇଛି। ୟୁରୋପୀୟ ୟୁନିୟନ ସହାୟତାରେ ଚୀନ ବାଣିଜ୍ୟିକ ଲଢେଇର ଦାଉ ଆମେରିକା ଉପରେ ସାଧନ କରିବ। ଚୀନ ପାର୍ଲାମେଣ୍ଟ ଦ ନ୍ୟାସନାଲ ପିପୁଲ୍ସ କଂଗ୍ରେସର ମୁଖପାତ୍ର ଲୌ କିନଜିଆନ ମଙ୍ଗଳବାର କହିଛନ୍ତି ଯେ ଗତ ୫୦ବର୍ଷ ମଧ୍ୟରେ ୟୁରୋପ ସହିତ ଚୀନର କୌଣସି ଶତ୍ରୁତା ନାହିଁ। ଏହି ସମୟ ମଧ୍ୟରେ ୟୁରୋପ ସହିତ ଚୀନର ଭୌଗୋଳିକ କିମ୍ବା ମୌଳବାଦ ଲଢେଇ ହୋଇ ନାହିଁ। ବରଂ ଏହି ସମୟରେ ଉଭୟ ପକ୍ଷ ପରସ୍ପର ସଫଳତା ପାଇଁ ଅବଦାନ କରିଆସିଛନ୍ତି। ତେଣୁ ଆଗାମୀ ଦିନରେ ୟୁରୋପ ସହିତ ଚୀନ ନିଜର ବାଣିଜ୍ୟ କାରବାରକୁ ନିବିଡ କରିବ। କାରଣ ଚୀନ ଉତ୍ପାଦର ଚାହିଦା ୟୁରୋପ ବଜାରରେ ବହୁତ ରହିଛି। ବିଶେଷକରି ଚୀନ ନିର୍ମିତ ଇଲେକ୍ଟ୍ରି ଗାଡି ଓ ବ୍ୟାଟେରିର ଚାହିଦ ୟୁରୋପରେ ଅଧିକ। ଜେଲେନସ୍କିଙ୍କ ସହିତ ଟ୍ରମ୍ପଙ୍କ ତିକ୍ତତା ପରେ ଆମେରିକା ଓ ଇୟୁ ସମ୍ପର୍କରେ କଳାବାଦଲ ଛାଇଯାଇଛି। କାରଣ ଇୟୁ ସର୍ବଦା ୟୁକ୍ରେନର ପକ୍ଷରେ ରହିଆସିଛି। ଟ୍ରମ୍ପଙ୍କ ସହିତ ବିବାଦ ପରେ ଇୟୁ ନେତାମାନେ ଜେଲେନସ୍କିଙ୍କ ପକ୍ଷରେ ବାହାରିଛନ୍ତି। ରୁଷ୍ ସହିତ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ଲାଗି ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ହ୍ବାଇଟ୍ ହାଉସ ଡକାଇ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ଉଭୟ ରାଷ୍ଟ୍ରପତିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଶେଷରେ ଜେଲେନସ୍କିଙ୍କୁ ହ୍ବାଇଟ୍ ହାଉସ୍ ଛାଡି ଚାଲିଯିବାକୁ ଟ୍ରମ୍ପ କହିଥିଲେ। ଟ୍ରମ୍ପ ଓ ଜେଲେନସ୍କିଙ୍କ ଏହି କଥା କଟାକଟି ବିଷୟ ଚୀନ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଥିଲା। ରୁଷ୍ ସହିତ ଚୀନର ସମ୍ପର୍କ ନିବିଡ ଥିବାରୁ ୟୁଦ୍ଧ ବନ୍ଦ ଉପରେ ମଧ୍ୟ ବେଜିଂ ଗୁରୁତ୍ବ ଦେଉଛି।
Popular Categories



