ବୁଲା କୁକୁର, ମଶାଙ୍କ ପାଇଁ ଲାଲୁ ହଟହଟ୍ଟା

0

ରାଞ୍ଚି : ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଆର୍‍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦୀର୍ଘ ଦିନର ପାରୋଲ କାଟି ଝାଡ଼ଖଣ୍ଡ ହାଇକୋର୍ଟରେ ଆତ୍ମସମର୍ପଣ କରିଥିଲେ। ଅସୁସ୍ଥତା କାରଣରୁ ତାଙ୍କ ରାଞ୍ଚସ୍ଥିତ ଏକ ଡାକ୍ତରଖାନାରେ ରଖାଯାଇଛି; କିନ୍ତୁ ସେଠାରେ ଲାଲୁ ବଡ଼ ହଟହଟ୍ଟା ହେଉଛନ୍ତି। ପ୍ରବଳ ମଶା ସାଙ୍ଗକୁ ରାତିରେ ବୁଲା କୁକୁରଙ୍କ ବୋବାଳି ତାଙ୍କୁ ବ୍ୟତିବ୍ୟସ୍ତ କରୁଛି। ଡାକ୍ତରଖାନାର ଯେଉଁ ୱାର୍ଡରେ ତାଙ୍କୁ ରଖାଯାଇଛି ତାହା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ବୋଲି ଦର୍ଶାଇ ତାହାକୁ ପରିବର୍ତ୍ତନ କରିବାକୁ ଲାଲୁ ଅନୁରୋଧ କରିଛନ୍ତି। ଏ ନେଇ ରାଜେନ୍ଦ୍ର ମେଡିକାଲ ସାଇନ୍ସ ପ୍ରତିଷ୍ଠାନ ଓ ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କୁ ଏକ ଆବେଦନ ପତ୍ର ଦିଆଯାଇଛି ବୋଲି ଆର୍‍ଜେଡି ନେତା ତଥା ସାଧାରଣ ସମ୍ପାଦକ ଭୋଲା ଯାଦବ କହିଛନ୍ତି। ଏଥିରେ ଉଲ୍ଲେଖ ରହିଛି ଯେ ଲାଲୁଙ୍କ ୱାର୍ଡ ନିକଟସ୍ଥ ଶୌଚାଳୟ ପାଇପ୍‍ ଫାଟିଯାଇଥିବାରୁ ଏଠାକାର ବାୟୁମଣ୍ଡଳ ପୁତ୍ତିଗନ୍ଧମୟ ହୋଇପଡିଛି। ଅନ୍ୟପଟେ ଏହି ୱାର୍ଡ ନିକଟରେ ଶବବ୍ୟବଚ୍ଛେଦ ଗୃହ ରହିଛି। ଏଣୁ ବହୁ ସଂଖ୍ୟକ ବୁଲା କୁକୁର ସେଠାକୁ ଆସୁଛନ୍ତି। ରାତିରେ ସେମାନେ ବୋବାଇବା ଦ୍ୱାରା ଅତ୍ୟନ୍ତ ଅସହଜ ପରିବେଶ ସୃଷ୍ଟି ହେଉଛି। ଲାଲୁ ମଧୁମେହ ରୋଗୀ ହୋଇଥିବାରୁ ସେ ନିୟମିତ ଭାବେ ପ୍ରାତଃଭ୍ରମଣରେ ଯିବା ଆବଶ୍ୟକ ବୋଲି ସମ୍ପୃକ୍ତ ନେତା କହିଛନ୍ତି। ଏହିସବୁ କାରଣକୁ ଦୃଷ୍ଟିରେ ରଖି ଡାକ୍ତରଖାନା କର୍ତ୍ତୃପକ୍ଷ ଲାଲୁଙ୍କ ୱାର୍ଡ ପରିବର୍ତ୍ତନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Leave A Reply