କଟକ : ଏକ କୁଖ୍ୟାତ ଦଳ ଗଢ଼ି କଟକ ଓ ଆଠଗଡ଼ ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ପ୍ରକାର ଅପରାଧ ଘଟାଇ ଆତଙ୍କରାଜ ସୃଷ୍ଟି କରିଆସୁଥିବା ଦଳର ୪ଜଣକୁ ମାଲଗୋଦାମ ଥାନା ପୁଲିସ ଧରିବାରେ ସକ୍ଷମ ହୋଇଛି। ଧରାପଡିଥିବା ଦଳରେ ଜଣେ ଦୁର୍ଦାନ୍ତ ଅପରାଧୀ ରହିଛି। ସୋମବାର ରାତିରେ ଅପରାଧୀ ଦଳ ଏହି ଥାନା ଅଞ୍ଚଳରେ ବସି ଏକ ବଡ ଧରଣର ଡକାୟତି କରିବା ପାଇଁ ଚକ୍ରାକ୍ତ କରୁଥିବା ବେଳେ ପୁଲିସ ସେମାନଙ୍କୁ ଧରି ତାଙ୍କର ଯୋଜନାକୁ ପଣ୍ଡ କରିଛି। ଧରାପଡିଥିବା ଅଭିଯୁକ୍ତମାନେ ହେଲେ ବିଡ଼ାନାସୀ ଦେଉଳସାହିର ବିଶ୍ୱରଞ୍ଜନ ସ୍ୱାଇଁ ଓରଫ ସୁକୁନ(୨୫), ଗଉଡ଼ସାହିର ରାକେଶ ବେହେରା ଓରଫ ବଣ୍ଟି(୨୨), ସେଲଟର ଛକର ମନୋରଞ୍ଜନ ମିଶ୍ର ଓରଫ ବବୁଲ୍(୨୬) ଓ ବିଡ଼ାନାସୀ ନୂଆସାହିର ରାକେଶ ବେହେରା(୧୯)। ଗିରଫ ସମୟରେ ପୁଲିସ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ଗୋଟିଏ କଟୁରି, ୨ଟି ଛୁରୀ, ୨ପ୍ୟାକେଟ୍ ଲଙ୍କାଗୁଡ଼ ଓ ଓ ୪ଟି ମୋବାଇଲ ଫୋନ୍ ଜବତ କରିଛି। ମଙ୍ଗଳବାର ଅଭିଯୁକ୍ତମାନଙ୍କୁ ଥାନାରେ ଦୀର୍ଘସମୟ ଧରି ପଚରାଉଚରା କରାଯିବା ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଇନ୍ସପେକ୍ଟର ରବିନାରାୟଣ ଭଞ୍ଜ ସୂଚନା ଦେଇଛନ୍ତି।
ସହରରେ ଗତ କିଛିଦିନ ଟଙ୍କା,ଅଳଙ୍କାର ଲୁଟ୍ ସହିତ ଅନ୍ୟାନ୍ୟ ଅପରାଧ ଘଟିଚାଲିଛି। ଏହି ସବୁ ଘଟଣା ପଛରେ ମୁଖ୍ୟତଃ ଏକ କୁଖ୍ୟାତ ଅପରାଧୀ ଦଳର ହାତ ରହିଥିବା ନେଇ ଜଣାପଡିବା ପରେ ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଜାରି ରହିଥିଲା। ଗତକାଲି ବିଳମ୍ବିତ ରାତିରେ ଦଳର ମୁଖ୍ୟ ସୁକୁନ ତା’ର ୩ଜଣ ସହଯୋଗୀଙ୍କ ସହିତ ମାଲଗୋଦାମ ଥାନା ଅନ୍ତର୍ଗତ ଯୋବ୍ରା ତତ୍ତ୍ୱବଟ ନିକଟରେ ବସି ଜଣେ ଠିକାଦାରଙ୍କ ଘରେ ବଡ ଧରଣର ଡକାୟତି କରିବା ଲାଗି ଯୋଜନା ପ୍ରସ୍ତୁତ କରୁଥିବା ସଂକ୍ରାନ୍ତରେ ପୁଲିସ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ଥାନା ଇନ୍ସପେକ୍ଟର ଶ୍ରୀ ଭଞ୍ଜ , ଏସଆଇ ସୁନୀଲ ନାୟକଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ଚଢଉ କରିଥିଲେ। ଅଭିଯୁକ୍ତମାନେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ କୌଶଳକ୍ରମେ କାବୁ କରିନେଇଥିଲା। ଅଭିଯୁକ୍ତଙ୍କୁ ଜେରା ବେଳେ ପୁଲିସ ବହୁ ତଥ୍ୟ ହାସଲ କରିଥିଲା। ଅନ୍ୟତମ ଅପରାଧୀ ଗୋବିନ୍ଦପୁର ଅଞ୍ଚଳର ସମ୍ବିତ୍ କୁମାର ପଣ୍ଡା ସେମାନଙ୍କୁ ସମସ୍ତ ପ୍ରକାର ଅପରାଧ କାର୍ଯ୍ୟରେ ସହାୟତା କରିବା ସହିତ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଯୋଗାଇ ଦେଇଥାଏ। ସୁକୁନ ଦଳର ମୁଖ୍ୟ ହୋଇଥିବା ବେଳେ ସହଯୋଗୀଙ୍କ ସହିତ ସେ ଦାଦାବଟି ଆଦାୟ,ବୋମାମାଡ଼, ଡକାୟତି ଓ ଲୁଟ୍ ଆଦି ଘଟାଇଥାଏ। ଡକାୟତି କରିବା ସମୟରେ ଧରା ନ ପଡିବା ପାଇଁ ଲଙ୍କାଗୁଣ୍ଡ ବ୍ୟବହାର କରିଥାନ୍ତି। ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ନାମରେ ବିଡ଼ାନାସୀ,ଆଠଗଡ଼ ଓ ବାଲିଅନ୍ତା ଥାନାରେ ୨୦ରୁ ଊର୍ଦ୍ଧ୍ବ ବିଭିନ୍ନ ପ୍ରକାର ଅପରାଧ ମାମଲା ରହିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତ ସମ୍ବିତ୍କୁ ଧରିବା ପରେ ସେ କେଉଁଠାରୁ ଓ କାହାଠାରୁ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଆଣିଥାଏ ତାହା ଜଣାପଡିବ ବୋଲି ଇନ୍ସପେକ୍ଟର ଶ୍ରୀ ଭଞ୍ଜ କହିଛନ୍ତି।
ପୁଲିସ କବ୍ଜାରେ ୪ ଅପରାଧୀ
Popular Categories



