ଦିଗନ୍ତ ବିସ୍ତାରୀ ଓଡ଼ିଶୀ ନୃତ୍ୟର ମହାସଙ୍ଗମ, ‘ଦ୍ୱିତୀୟ ପ୍ରବାସୀ ନୃତ୍ୟ ସଙ୍ଗମ’ ଆୟୋଜିତ
ଭୁବନେଶ୍ୱର: ଓଡ଼ିଶା ପରିବାର ଓ ଆମେରିକାସ୍ଥିତ ‘ନୃତ୍ୟସାଧନା’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଆଜି ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରସ୍ଥ ‘ଉତ୍କଳ ରଙ୍ଗମଞ୍ଚ’ରେ ‘ଦ୍ୱିତୀୟ ପ୍ରବାସୀ ନୃତ୍ୟ ସଙ୍ଗମ’ ଉତ୍ସବ ବେଶ୍ ହର୍ଷଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଉତ୍ସବରେ ସୁଦୂର ଆମେରିକାରେ ପ୍ରତିଷ୍ଠିତ ନୃତ୍ୟସାଧନା ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବା ସହିତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କଳାକାର ଗୋଟିଏ ମଞ୍ଚରେ ଓଡ଼ିଶୀ ନୃତ୍ୟ ସାଙ୍ଗକୁ ଅନେକ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରିଥିଲେ। ବିଗତ ବର୍ଷ ଉତ୍ସବ ବେଶ ସଫଳତାର ସହିତ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ଏହାକୁ ଆହୁରି ସରସ ସୁନ୍ଦର କରିବା ନିମନ୍ତେ ରାଜ୍ୟ ସରକାର ତଥା ଓଡ଼ିଶା ପରିବାର ପକ୍ଷରୁ ପ୍ରଚେଷ୍ଟା କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ପରିବାରର ଅଧ୍ୟକ୍ଷ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟନିର୍ବାହୀ ବିଜୟ କେତନ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବରେ ଯୋଗଦେବା ସହିତ ତାଙ୍କ ଗହଣରେ ଅତିଥି ଭାବରେ ଉପସ୍ଥିତ ଥିଲେ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା, ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ବିଦୁଶୀ ସୁଜାତା ମହାପାତ୍ର, ନୃତ୍ୟ ସାଧନା ଅନୁଷ୍ଠାନର ପ୍ରତିଷ୍ଠାତା ତାପସୀ ରଥ ଓ ସୁଚିଲଗ୍ନା ପାଣିଗ୍୍ରାହୀ। ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ଅତିଥିବୃନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ନୃତ୍ୟ ସାଧନା ଅନୁଷ୍ଠାନର ଶିଳ୍ପୀମାନେ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଉକ୍ତ ଉତ୍ସବରେ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଡକ୍ଟର ତାପସୀ ରଥ ଏବଂ ସୁଚିଲଗ୍ନା ପାଣିଗ୍ରାହୀ। ଦ୍ୱେତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଶିକ୍ଷାନବୀନ ଜ୍ୟୋତିରାଣୀ ନାୟକ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ। ଦଳଗତ ନୃତ୍ୟ ପରିବେଷଣ କରିଥିଲେ- ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା ଏବଂ ସାଥୀ, ଗୁରୁ ଜ୍ୟୋତି ରାଉତ ଏବଂ ସାଥୀ ଓ ଉତ୍କଳ ସଙ୍ଗୀତ ମହବିଦ୍ୟାଳୟର ଶିଳ୍ପୀମାନେ।
ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରିଥିଲେ ଛଉନୃତ୍ୟ-ମୟୂର ଆର୍ଟ ସେଣ୍ଟର, ଭୁବନେଶ୍ୱର; ସମ୍ବଲପୁରୀ ନୃତ୍ୟ-ଢ଼ୋଲମହୁରୀ କଳାପରିଷଦ, ବଲାଙ୍ଗିର; ଢ଼ାପ ନୃତ୍ୟ-ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, କେସିଙ୍ଗା, କଳାହାଣ୍ଡିର ଶିଳ୍ପୀମାନେ। ଅଗଣିତ କଳାପ୍ରେମୀ ଦର୍ଶନ ଉକ୍ତ ଉତ୍ସବକୁ ବେଶ୍ ଆନନ୍ଦର ସହ ଉପଭୋଗ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବିଶ୍ୱଜିତ୍ ବଳିଆରସିଂ। ଉତ୍କଳର ଗାରିମାମଣ୍ଡିତ ପାରମ୍ପରିକ ନୃତ୍ୟକୁ ଜନାଦୃତ କରିବା ଏବଂ ଓଡ଼ିଶୀ ନୃତ୍ୟ ପ୍ରତି ଋଚି ରଖି ବିଦେଶ ମାଟିରେ ଏହାକୁ ଲୋକାଭିମୁଖୀ କରିପାରିଥିବା କଳାକାରଙ୍କ ମନରେ ଉତ୍ସାହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କର ତରଫରୁ ଏହା ଥିଲା ଆଉ ଏକ ପ୍ରୟାସ।
Comments are closed.