ବଜ୍ରପାତ ନିରାପତ୍ତା ସୁନିଶ୍ଚିତ ସଚେତନତା
କେନ୍ଦୁଝରଗଡ଼: ଜିଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସହଯୋଗରେ ଜିଲା ଜରୁରୀକାଳୀନ ବିଭାଗ ଦ୍ୱାରା ସଦର ବ୍ଲକ ଏବଂ କେନ୍ଦୁଝରଗଡ଼ ପୌରପାଳିକା ଅଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ନେଇ ଶୁକ୍ରବାର ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ବଜ୍ରପାତରୁ ସୁରକ୍ଷା ବ୍ୟବସ୍ଥା, ସମ୍ଭାବ୍ୟ ବିପଦ ହ୍ରାସ କୌଶଳ ଏବଂ ଜରୁରୀକାଳୀନ ପରିସ୍ଥିତି ମୁକାବିଲା ନିମନ୍ତେ ଆବଶ୍ୟକୀୟ ପ୍ରସ୍ତୁତି ସମ୍ପର୍କରେ ତାଲିମ ଦିଆଯାଇଥିଲା । ଅଂଶଗ୍ରହଣକାରୀମାନେ ବଜ୍ରପାତ ସମୟରେ ନିଜକୁ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ମୂଲ୍ୟବାନ ଜ୍ଞାନ ଆହରଣ କରିଥିଲେ ।
ସମାଜର ଅସୁରକ୍ଷିତ ବର୍ଗଙ୍କ ମଧ୍ୟରେ ବିପର୍ଯ୍ୟୟ ନେଇ ସଚେତନତା ମାଧ୍ୟମରେ ଧନଜୀବନ ହାନିକୁ ବହୁମାତ୍ରାରେ ହ୍ରାସ କରିବା ଲାଗି ପ୍ରୋତ୍ସାହିତ କରିବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଅଟେ । ସମୟୋପଯୋଗୀ ସତର୍କ ସୂଚନା ସହିତ ମହିଳାମାନଙ୍କୁ ସଶକ୍ତ କରି ଆମେ ଜୀବନ ରକ୍ଷା କରିପାରିବା ଏବଂ ବଜ୍ରପାତର ପ୍ରଭାବକୁ ହ୍ରାସ କରିପାରିବା ବୋଲି ଉପସ୍ଥିତ ତାଲିମଦାତା ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ସମାଜ କଲ୍ୟାଣ ଅଧିକାରୀ ମିତା ନାଏକ, ଜିଲା ପ୍ରକଳ୍ପ ଅଧିକାରୀ ସେକ୍ ଇଜାଜ ଇକବଲ, ଶିଶିର କୁମାର ଷଢଙ୍ଗୀ, ଦିବ୍ୟଦର୍ଶିନୀ ବେହେରା, ବିକ୍ରମ କେଶରୀ ଦାଶ ଓ ଭାଗ୍ୟଶ୍ରୀ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।
Comments are closed.