ଜିଲାପାଳ ସମ୍ମିଳନୀରେ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସଂପର୍କିତ ଆଲୋଚନା

 ଆଜି ପର୍ଯ୍ୟନ୍ତ ୯୫ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ, ଖୁବ୍ ଶୀଘ୍ର ଏକ କୋଟି ଛୁଇଁବ ପଞ୍ଜୀକରଣ- ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ୨ ଦିନିଆ ଜିଲାପାଳ ସମ୍ମିଳନୀର ଉଦଘାଟନୀ ଅଧିବେଶନ ପରେ ଦ୍ୱିତୀୟ ଅଧିବେଶନରେ ‘ସୁଭଦ୍ରା” ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ଉପସ୍ଥାପନା କରାଯାଇଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏସଂପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । “ସୁଭଦ୍ରା”ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସେ ସମସ୍ତ ଜିଲାପାଳଙ୍କୁ  ଧନ୍ୟବାଦ ଜଣାଇଥିଲେ ।

ଏଥିରେ ଦର୍ଶାଯାଇଥିଲା ଯେ ଅଦ୍ୟାବଧି ଛପା ଯାଇଥିବା ୧ କୋଟି ୮୯ ଲକ୍ଷ ୩୪ ହଜାର ୧୭୬ ସୁଭଦ୍ରା ଆବେଦନ ଫର୍ମ ମଧ୍ୟରୁ ୧ କୋଟି ୫୭ ଲକ୍ଷ ୧ ହଜାର ୫୫ ଫର୍ମ ବଣ୍ଟନ କରାଯାଇଛି । ଆଜି ତାରିଖ ପର୍ଯ୍ୟନ୍ତ ୯୫ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇସାରିଛି । ସମୁଦାୟ ୨୫ ଲକ୍ଷ ୨୯ ହଜାର ୭୨୦ “ସୁଭଦ୍ରା” ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଛି । ଏଥି ମଧ୍ୟରୁ ୨୫ ଲକ୍ଷ ୧୭ ହଜାର ୫୪୫ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏବଂ ୧୨ ହଜାର ୧୭୫ ଜଣଙ୍କୁ ସିବିଡିସି ଜରିଆରେ ଅର୍ଥରାଶି ପଠାଯାଇଛି ।
ବିଭିନ୍ନ ସୂଚନା, ଶିକ୍ଷା ଓ ଯୋଗାଯୋଗ ପଦ୍ଧତିରେ ଓଡ଼ିଶାର ଗାଁ ଗାଁ ରେ ସୁଭଦ୍ରା ଯୋଜନା ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇଛି । ସୋସିଆଲ ପ୍ରୋଟେକସନ ଡେଲିଭେରୀ ପ୍ଲାଟଫର୍ମ(ଏସପିଡିପି) ମାଧ୍ୟମରେ ଜାତୀୟ ଖାଦ୍ୟସୁରକ୍ଷା ଯୋଜନା (ଏନଏଫଏସ୍ଏସ୍) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସଏଫଏସଏସ)ର ହିତାଧିକାରୀଙ୍କୁ ଯାଞ୍ଚ କରାଯାଉଛି ।

ଏନଏଫଏସ୍ଏସ୍ ଓ ଏସଏଫଏସଏସ ରୁ ବାଦ ପଡିଥିବା ହିତାଧିକାରୀଙ୍କୁ କ୍ଷେତ୍ର ଅନୁଧ୍ୟାନ ଦ୍ୱାରା ଯାଞ୍ଚ କରାଯିବ । ସମସ୍ତ ଅନୁମୋଦନ ଓ ଖାରଜ ଫର୍ମର ତାଲିକା କାରଣ ସହ ସୁଭଦ୍ରା ୱେବ୍ ପୋର୍ଟାଲରେ ଦର୍ଶାଯିବ । ଏସଏମସ ଦ୍ୱାରା ମଧ୍ୟ ସମସ୍ତଙ୍କୁ ଜଣାଇ ଦିଆଯିବ । ରାଜ୍ୟସାରା ଯେଉଁ ଗୁଜବ ଚାଲିଛି ଯେ ବ୍ୟାଙ୍କ ଆକଉଣ୍ଟରୁ ପଇସା ନ ଉଠେଇଲେ ପଇସା ଆପେ ଆପେ ଫେରସ୍ତ ହେଇଯିବ, ଏପରି କିଛି ବି ବ୍ୟବସ୍ଥା କରାଯାଇ ନାହିଁ ଓ ହିତାଧିକାରୀଙ୍କ ଅର୍ଥ ରାଶି ସେମାନଙ୍କର ବ୍ୟାଙ୍କ ଆକଉଣ୍ଟରେ ସୁରକ୍ଷିତ ରହିବ ବୋଲି ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବିଭାଗର ସମସ୍ତ ଅଧିକାରୀ ଓ ସମସ୍ତ ଜିଲାପାଳଙ୍କୁ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଧନ୍ୟବାଦ ଜଣେଇବା ସହ ଜନଜାତି ବହୁଳ ଅଞ୍ଚଳମାନଙ୍କରେ ସୁଭଦ୍ରା କାର୍ଯ୍ୟକ୍ରମକୁ ପହଞ୍ଚାଇବା ପାଇଁ ବ୍ୟାପକ ଜନସଚେତନତାକୁ ପ୍ରାଥମିକତା ଦେବାକୁ ଜିଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଖୁବ୍ ଶୀଘ୍ର ସୁଭଦ୍ରା ଯୋଜନାରେ ଓଡିଶାର ଏକ କୋଟି ମହିଳାଙ୍କ ପଞ୍ଜିକରଣ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏକ ସରକାରୀ ଯୋଜନାରେ ଏକ କୋଟି ହିତାଧିକାରୀଙ୍କୁ ଯୋଡିବା ଆମ ପାଇଁ ଏକ ବଡ ଉପଲବ୍ଧି ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉଲ୍ଲେଖ କରିଥିଲେ ।

ପ୍ରଯୁକ୍ତି ବିଦ୍ୟାର ସଫଳ ଉପଯୋଗରେ ଏହି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରାଯାଇଥିବାରୁ ସ୍ୱାସ୍ଥ୍ୟ,ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ପ୍ରଶଂସା କରିବା ସହିତ ଜିଲ୍ଲାସ୍ତରରେ ସର୍ବାଧିକ ସୁଭଦ୍ରା ଫର୍ମ ପଞ୍ଜିକୃତ କରିଥିବା ‘ମୋ ସେବା କେନ୍ଦ୍ର’ ଓ ‘ଜନ ସେବା କେନ୍ଦ୍ର’କୁ ପୁରସ୍କୃତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପ୍ରସ୍ତାବ ଦେଇଥିଲେ । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ଵିଶାଳ କୁମାର ଦେବ ପଞ୍ଜୀକରଣ ଓ ଯାଞ୍ଚ ପ୍ରକ୍ରିୟା ବ୍ୟବସ୍ଥା ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

କଟକ ଜିଲାପାଳ  ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କଟକ ଜିଲାରେ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ବିଷୟରେ ଅବଗତ କରାଇଥିଲେ । ସରଳ କାର୍ଯ୍ୟକାରିତା ପାଇଁ ‘ମୋ ସେବା କେନ୍ଦ୍ର’ ଏବଂ ‘ଜନସେବା କେନ୍ଦ୍ର’କୁ ଆଧାର କେନ୍ଦ୍ର ସହ ସଂଯୁକ୍ତ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ । ସେହିପରି ସୁଭଦ୍ରା ଯୋଜନାକୁ ନେଇ କୋରାପୁଟ ଜିଲାବାସୀ ଉତ୍ସାହିତ ଅଛନ୍ତି ବୋଲି ଜିଲାପାଳ ଭି.କୀର୍ତ୍ତି ଭାସନ ପ୍ରକାଶ କରିଥିଲେ ।
ସୂଚନାଯୋଗ୍ୟ କି, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଯଥାଶୀଘ୍ର ପ୍ରଦାନ କରାଯିବ । ୨୦୨୫ ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Comments are closed.