ଆଠଗଡ : ଆଗାମୀ ଦିନରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ଆଠଗଡ ବ୍ଲକ ଅନ୍ତର୍ଗତ ମହାକାଳବସ୍ତ ପଞ୍ଚାୟତର ଦହିସରା ଓ କଟକିଆସାହି ପଞ୍ଚାୟତର ପାଟେଣିଗାଁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ସାମୁହିକ ଅଭ୍ୟାସ (ମକ୍ ଡ୍ରିଲ)ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିପର୍ଯ୍ୟୟ ପ୍ରଶମନ ଓ ମୁକାବିଲା ସଂପର୍କୀୟ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ତହସିଲଦାର ପ୍ରିୟବ୍ରତ ଦାସ ଅଭ୍ୟାସ ଶିବିର ଓ କର୍ମଶାଳାରେ ସଭାପତିତ୍ୱ କରି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ଓ ପ୍ରଶମିତ କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କର କାର୍ଯ୍ୟକ୍ରମ ଓ ଏବଂ ପ୍ରସ୍ତୁତି ସମ୍ବନ୍ଧରେ ସୂଚନା ଦେଇଥିଲେ । ଆଠଗଡ ଅଗ୍ନିଶମାଧିକାରୀ ଦୁଷ୍ନନ୍ତ କୁମାର ସ୍ବାଇଁ ବିପର୍ଯ୍ୟୟ ସମୟରେ କିପରି ସବୁ ପଦକ୍ଷେପ ଗ୍ରହଣ କରାଗଲେ ବିପର୍ଯ୍ୟୟକୁ ମୁକାବିଲା ଓ ପ୍ରଶମିତ କରିହେବ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ । ବଡ ବଡ ଗଛ ଉପୁଡି ଅବରୋଧ କରିଥିବା ରାସ୍ତା ସଫା, ବନ୍ୟାଜଳରେ ଫସିଥିବା ଲୋକ ଓ ଗୃହପାଳିତ ପଶୁମାନଙ୍କ ଉଦ୍ଧାର, ଅଗ୍ନି ନିର୍ବାପକ ଯନ୍ତ୍ରର ପରିଚାଳନା, ଆସ୍କା ଲାଇଟ, ଘର ମଧ୍ୟରେ ରହିଯାଇଥିବା ବ୍ୟକ୍ତି ବିଶେଷଙ୍କୁ ଉଦ୍ଧାର, ସୁରକ୍ଷା ଲାଇଫ ଜ୍ୟାକେଟର ବ୍ୟବହାର ବିଷୟରେ ମଧ୍ୟ ଅଗ୍ନିଶମାଧିକାରୀ ସୂଚନା ପ୍ରଦାନ କରିଥିଲେ । ବୈଠକରେ ବ୍ଲକର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଉପେନ୍ଦ୍ର କୁମାର ଜେନା , ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଢଙ୍ଗୀ , ନୋଡାଲ ସ୍ବେଛାସେବୀ ସଂସ୍ଥାରର ଅନିଲ କୁମାର ମହାନ୍ତି , ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଚୌଧୁରୀ ଓ ରାଜେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Comments are closed.