ଗଢୱାଲ : ଉତ୍ତରଖଣ୍ଡର ଗଢୱାଲ ଅଞ୍ଚଳର ଦୁଇଟି ସ୍ଥାନରେ ଗୁରୁବାର ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ହୋଇଛି। ଏଥିରେ ୧୨ଟି ଘର ଭାସି ଯାଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହା ସହ ଜଣେ ନିଖୋଜ ରହିଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଚମେଲୀ ଜିଲାର ଚୌକି ଦେୱାଲ ବ୍ଳକ୍ ଅନ୍ତର୍ଗତ ଉଲନଗ୍ନା, ତଲେର, ପଦମଲ୍ଲା, ବାମନ ବେରା, ଫଲଦିୟା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ତାଣ୍ଡବ ରଚିଥିଲା। ଫଲଦିୟା ଗ୍ରାମ ନିକଟରେ ପ୍ରବାହିତ ହେଉଥିବା ବରସାତୀ ନାଳ କୂଳ ଲଙ୍ଘି ଜନବସତି ଆଡକୁ ମାଡି ଆସିଥିଲା। ବନ୍ୟା ସ୍ରୋତରେ ଗ୍ରାମର ୧୨ଟି ଘର ଭାସି ଯାଇଛି । ଏହା ସହ ଗ୍ରାମର ରମେଶ ରାମଙ୍କ ପତ୍ନୀ ପୁଷ୍ପା ଦେବୀ(୨୯) ଏବଂ ତାଙ୍କ ଝିଅ ଜ୍ୟୋତି(୫) ବନ୍ୟା ଜଳରେ ଭାସି ନିଖୋଜ ହୋଇଛନ୍ତି । ପୁଲିସ, ପ୍ରଶାସନ ଏବଂ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳକୁ ନେଇଛନ୍ତି ।
ସେହିପରି ଟିହରୀ ଜିଲାର ଭିଲଙ୍ଗନା ବ୍ଳକ୍ ରେ ଗତ ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହୋଇ ଗ୍ରାମରେ ବନ୍ୟା ଜଳ ପସିଥିଲା। ବିଳମ୍ବିତ ରାତି ହୋଇଥିବାରୁ ଏକ ଘରେ ମା’ ଝିଅଙ୍କ ଶୋଇ ଥିବା ଅବସ୍ଥାରେ ବନ୍ୟା ଜଳରେ ଭାସି ଯାଇଥିଲେ । ଶୁକ୍ରବାର ସକାଳେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବନ୍ୟା ଜଳରେ ଭାସି ଯାଇ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତଙ୍କୁ ଜିଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଉକ୍ତ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହା ସହ ବିଜୁଳୀ ଏବଂ ମୋବାଇଲ ସେବା ବନ୍ଦ କରି ଦିଆଯାଇଛି ।



