ଢେଙ୍କାନାଳ ସଦର: ମାଲିକଠାରୁ ଦରମା ପାଇବା ପରେ ଘରକୁ ଫେରୁଥିବା ଜଣେ ଗାଡ଼ି ଚାଳକଙ୍କ ହଜିଯାଇଥିବା ଟଙ୍କାକୁ ଫେରାଇଛନ୍ତି ଢେଙ୍କାନାଳ ବଳରାମପୁର ଗାଁର ଯୁବକ ଜୟନ୍ତ କୁମାର ଧଳ। ଗଛକଟା ବିରୋଧୀ ଆନ୍ଦୋଳନ, ନିଶାମୁକ୍ତ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଜୟନ୍ତଙ୍କ ଏହି କାର୍ଯ୍ୟ ପାଇଁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
ଜୟନ୍ତ ଗତ ମାସ ୨୫ ତାରିଖରେ କଟକରୁ ଏକ ବସ୍ ଯୋଗେ ଢେଙ୍କାନାଳ ଫେରୁଥିବାବେଳେ ନିଜର ଭଳି ଦେଖାଯାଉଥିବା ଏକ ବ୍ୟାଗକୁ ଘରକୁ ନେଇ ଆସିଥିଲେ। ସେବେଠାରୁ ଆଉ ସିଏ ବ୍ୟାଗ୍ ଖୋଲି ନଥିଲେ। ଗତକାଲି ପୁରୀ ଯିବା ପାଇଁ ବାହାରିବା ସମୟରେ ହଠାତ ବ୍ୟାଗ୍ ଖୋଲି ଦେଖିବା ବେଳକୁ ସେଥିରେ ତାଙ୍କ ପ୍ୟାଣ୍ଟସାର୍ଟ ବଦଳରେ ଖାଲି ଦୁଇଶହ ଏବଂ ୫ ଶହ ଟଙ୍କିଆ ନୋଟ ରହିଥିବା ଦେଖିବାକୁ ପାଇଥିଲେ। ବ୍ୟାଗ୍ ଭିତରୁ ୨୧,୫୦୦ ଟଙ୍କା ସେ ଗଣିଥିଲେ। ବ୍ୟାଗ ଭିତରେ ଥିବା ଏକ ଔଷଧ ଚିଠାରୁ ମିଳିଥିବା ମୋବାଇଲ ନମ୍ବରରୁ ବ୍ୟାଗର ପ୍ରକୃତ ମାଲିକ ଅନୁଗୋଳରେ ଗାଡ଼ିଚାଳକ ଭାବେ କାମ କରୁଥିବା ଶ୍ରୀପତି ରାଉତଙ୍କୁ ଯୋଗାଯୋଗ କରିଥିଲେ। ତାଙ୍କ ଘର ଗଁଦିଆ ନିକଟ ସନ୍ଥପୁର ଗ୍ରାମରେ। ଜୟନ୍ତଙ୍କଠାରୁ ଖବର ପାଇ ଶ୍ରୀପତି ଶୁକ୍ରବାର ସ୍ବାଧୀନତା ଦିବସରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବ୍ୟାଗକୁ ଗ୍ରହଣ କରିଥିଲେ। ଦୀର୍ଘଦିନ ପରେ ନିଜ ଟଙ୍କା ପାଇ ଶ୍ରୀପତି ଖୁସି ବ୍ୟକ୍ତ ସହ ଜୟନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମାଜରେ ସଚ୍ଚୋଟତା, ମଣିଷ ପଣିଆ ଓ ମାନବିକତା ରହିଥିବା ସେ କହିଛନ୍ତି।
ଫେରାଇଲେ ଡ୍ରାଇଭରଙ୍କ ୨୧ ହଜାର ଟଙ୍କା
Popular Categories



