ଭୁବନେଶ୍ୱର: ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ମଝି ରାସ୍ତାରେ ଅଟକାଇ ଗାଡ଼ି ଚାଳକ ଓ ସୁରକ୍ଷାକର୍ମୀଙ୍କୁ ଦିନ ଦ୍ୱିପ୍ରହରରେ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ଆକ୍ରୋଶ ରଖି ହେଉଥିବା ଆକ୍ରମଣରୁ ସ୍ପଷ୍ଟ ମନେ ହେଉଛି ଯେ ଆଇନଶୃଙ୍ଖଳା ପରିସ୍ଥିତି ଧୀରେଧୀରେ ରାଜ୍ୟ ସରକାରଙ୍କ ହାତରୁ ଖସିବାକୁ ଯାଉଛି, ଯାହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ । ଯେଉଁଠି ଜନପ୍ରତିନିଧି ସୁରକ୍ଷିତ ନୁହନ୍ତି, ସେଠାରେ ସାଧାରଣ ଲୋକ କିପରି ସୁରକ୍ଷିତ ରହିପାରିବେ ? ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମଙ୍ଗଳବାର ବାଦିବାହାଲ ଗାଁରେ ଏକ କାର୍ଯ୍ୟକ୍ରମ ସାରି ନିଜ ଗାଁ ନଅଗାଁ(ଖ)କୁ ଫେରୁଥିବା ବେଳେ ହଠାତ ବୁର୍ଡା ଛକଠାରେ ଦୁଇଜଣ ଯୁବକ ଆସି ତାଙ୍କ ଗାଡ଼ି ଆଗରେ ବାଇକ ରଖି ଅଟକାଇଥିଲେ । ପିଏସ୍ଓ ଶଂକର ବରିହା ଏବଂ ଡ୍ରାଇଭର ଦେବରାଜ ନାଗ ବାଇକକୁ ସେଠାରୁ ହଟାଇବାକୁ ପାଇଁ କହିଥିଲେ । ହେଲେ ସେମାନେ ଗାଡ଼ି ହଟାଇବା ପରିବର୍ତ୍ତେ ଡ୍ରାଇଭର ଏଵଂ ପିଏସ୍ଓଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଉଭୟ ଗୁରୁତର ଭାବେ ଆହତ ହୋଇଥିଲେ। ବିଧାୟକ ଗାଡିରୁ ଓହ୍ଲାଇବା ପରେ ଦୁଇ ଦୁର୍ବୃତ୍ତ ଫେରାର ମାରିଥିଲେ। ଗୁରୁତର ଡ୍ରାଇଭର ଏବଂ ପିଏସ୍ଓଙ୍କୁ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଲୋଇସିଂହା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣରେ ବିଧାୟକ ଓ ତାଙ୍କର ଗାଡ଼ି ସୁରକ୍ଷିତ ଥିବା ଜଣାପଡ଼ିଛି।



