ମୋହନା: ବସୁଧା ଯୋଜନା ମାଧ୍ୟମରେ ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ଯେପରି ପାନୀୟ ଜଳ ପାଇପାରିବେ କେହି ମଧ୍ୟ ସେଥିରୁ ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଥିବା ବେଳେ ମୋହନା ସଦର ମହକୁମାବାସୀ ବହୁ ସମୟରେ ଜଳକଷ୍ଟ ଭୋଗୁଥିବା ଅଭିଯୋଗ କରିଛନ୍ତି। ରାତି ପାହିଲେ ପାଣି ପାଇଁ ବିଭିନ୍ନ ସାହିର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ମାଠିଆଏ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଲାଗି ରହୁଛି କଳିକଜିଆ ପାଟିତୁଣ୍ଡ । ରାଜ୍ୟ ସରକାର କୋଟି କୋଟି ଟଙ୍କା ବିନିମୟ କରି କଲେଜ ଛକରେ ପାଣି ଟାଙ୍କି ସ୍ଥାପନ କରିଛନ୍ତି। ହେଲେ ବିଭିନ୍ନ ସାହିର ଲୋକମାନେ ପାଣି ପାଇବାରୁ ବଞ୍ଚିତ। ପାଣି ଟାଙ୍କିର ଓ ପାନୀୟ ଜଳ ଯୋଗାଣର ତଦାରଖ ଅଭାବରୁ ଅନେକ ସ୍ଥାନରେ ଲୋକଙ୍କ ନିକଟରେ ପହଞ୍ଚି ପାରୁନି ବିଶୁଦ୍ଧ ପାନୀୟ ଜଳ । ଯେତେବେଳେ କ୍ଵଚିତ ଭାବେ ପାଣି ଆସୁଛି ତାହା ମଧ୍ୟ ସିଧା ସଳଖ ନଦୀର ଆବର୍ଜନା ପାଣି ଟାଙ୍କିକୁ ସିଧା ସଳଖ ଯାଇ ଘରୋଇ ପାଇପ ଯୋଗେ ସଂଯୋଗ ହୋଇ ଛଡା ଯାଉଛି। ତାହା ମଧ୍ୟ ସମୁଦ୍ରକୁ ଶଙ୍ଖେ । ଯାହାକି ପିଇବା ପାଇଁ ଅନୁପଯୋଗୀ । ଫିଲଟର ନଥିବାରୁ ବିଭିନ୍ନ ସମୟରେ ପାନୀୟ ଜଳରେ ବିଭିନ୍ନ ଆବର୍ଜନ ପଦାର୍ଥ ଆସୁଥିବା ଦେଖିବାକୁ ମିଳୁଛି। ଆବଶ୍ୟକ ମୁତାବକ ଅନୁଯାୟୀ ଲୋକେ ପାଣି ପାଇପାରୁ ନାହାନ୍ତି। ମୋହନା ବାସୀ ବିଶୁଦ୍ଧ ପାନୀୟ ଜଳ ପାଇବେ ତାକୁ ଅପେକ୍ଷା କରି ଚାହିଁ ବସିଛନ୍ତି। ଖରା ଦିନ ଆରମ୍ଭରୁ ମାଣିକେଶ୍ଵରୀ ସାହି, ପାତ୍ର ସାହି, ଖ୍ରୀଷ୍ଟିଆନ ସାହି, ସନ୍ତୋଷୀନି ନଗର, ତାରିଣୀ ମନ୍ଦିର ସାହି, ହାଇସ୍କୁଲ ଛକ, କଣ୍ଟେଇକୋଳି ଆଦି ପ୍ରମୁଖ ସାହି ଗୁଡିକରେ ବସବାସ କରୁଥିବା ଲୋକେ ଦୀର୍ଘ ଦିନ ଧରି ପାନୀୟ ଜଳ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। ବାରମ୍ଵାର ପାନୀୟ ଜଳର ସୁବନ୍ଦୋବସ୍ତ୍ର ନିମନ୍ତେ ମୋହନାବାସୀ ବିଡିଓ, ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଲିଖିତ ଓ ମୌଖିକ ଭାବେ ଜଣାଇଁ ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନାହିଁ।
ଅପରପକ୍ଷେ ଶିବମନ୍ଦିର ନିକଟ ହରଭଙ୍ଗି ନଦୀ କୂଳରେ ଦୀର୍ଘ ବର୍ଷ ହେଲା ୨ଟି କୂଅ ଖୋଳା ଯାଇଛି। ସେଠାରୁ ମୋହନା ସହରବାସୀଙ୍କୁ ଜଳ ଯୋଗାଣ କମ ସମୟ ପାଇଁ ହେଉଛି। କିନ୍ତୁ ଗ୍ରୀଷ୍ମ ଋତୁର ଆରମ୍ଭରେ ଉଭୟ କୂଅଁର ଜଳସ୍ତର କମିଯାଇଛି। ଯାହାଫଳରେ ପାନୀୟ ଜଳ ପାଇବାରୁ ଲୋକେ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ଲୋକେ ହନ୍ତସନ୍ତ । ପାନୀୟ ଜଳର ଉତ୍କଟ ଅଭାବ ଯୋଗୁଁ ସାହି ବାସିନ୍ଦାମାନେ ରାଜରାସ୍ତା ଅବରୋଧ କରିବା ସହିତ ବ୍ଳକ କାର୍ୟ୍ୟାଳୟ ଘେରାଉ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ହରଭଙ୍ଗି ନଦୀରେ ଆଡିବନ୍ଧ କିମ୍ଵା ଅନ୍ୟ କୌଣସି ବିକଳ୍ପ ଯୋଜନା ଯଦି କରାଯାଆନ୍ତା ତେବେ ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ଲୋକେ କହିଥିବା ବେଳେ ବୁଦ୍ଧିଜୀବୀମାନେ କହିଛନ୍ତି ମୋହନା ଉପକଣ୍ଠରେ ଅବସ୍ଥିତ ଅଠରନଳା, ମାଣିକେଶ୍ଵରୀ ମନ୍ଦିର, ଲେଡି ବନ୍ଧ, ନାରାୟଣ ନଗର ନିକଟର ପ୍ରବାହିତ ହେଉଥିବା ଦୁଇଟି ନଦୀକୂଳର ପାର୍ଶ୍ଵ ଦେଶରେ ଯଦି କୂଅ କିମ୍ଵା ବୋର ୱେଲ ଖୋଳାଯାଇ ଜଳ ଯୋଗାଣ ହୁଅନ୍ତା ତେବେ ମୋହନାବାସୀ ପାନୀୟ ଜଳ କଷ୍ଟରୁ ମୁକ୍ତି ପାଆନ୍ତେ । ପାନୀୟ ଜଳର ଉତ୍କଟ ଅଭାବକୁ ଦୂର କରିବା ପାଇଁ କିଛି ଦିନ ହେଲା ମୋହନାର ନବନିର୍ବାଚିତ ସରପଞ୍ଚ ସୁନିତା ମଳିକ, ସମିତି ସଭ୍ୟ ବାଳକୃଷ୍ଣ ମଳିକ ଓ କିଛି ୱ।ର୍ଡସଭ୍ୟ/ସଭ୍ୟା ଆକ୍ଳାନ୍ତ ଉଦ୍ୟମ କରି ଆସୁଥିଲେ ମଧ୍ୟ ସବୁ ପ୍ରୟାସ ଫସର ଫାଟି ଯାଉଛି। ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନୀୟ ବାସିନ୍ଦାଙ୍କ ଜଳ କଷ୍ଟ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି।



