ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀ ଓ ଅଭିଭାବକଙ୍କ ଗଣଧାରଣା

ସହଜପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାହାନ୍ତି ଶିକ୍ଷକ

ପିପିଲି: ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାଗଣା ଶିକ୍ଷାଦାନ ବ୍ୟବସ୍ଥା ସହ ମଧ୍ୟାହ୍ନ ଭୋଜନ, ପୋଷାକ, ସାଇକେଲ ଆଦି ପ୍ରଦାନ କରୁଛନ୍ତି। ତେବେ ପିପିଲି ବ୍ଲକ ଅନ୍ତର୍ଗତ ସହଜପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୧୩ମାସ କାଳ ହେବ କୌଣସି ଶିକ୍ଷକ ନଥିବା ବେଳେ ଶିକ୍ଷାଦାନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଜଣେ ମଧ୍ୟ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନଥିବା ଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସଂପୂର୍ଣ୍ଣ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକମାନେ ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲା ଶିକ୍ଷାଧିକାରୀଙ୍କ ଠାରେ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଏହାକୁ ନେଇ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଉକ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବା ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଗ୍ରାମବାସୀ ଓ ଅଭିଭାବକମାନେ ବୁଧବାର ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି।

prayash

ପ୍ରାପ୍ତ ସୂଚନା ଅନୁଯାୟୀ, ସହଜପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଉକ୍ତ ବିଦ୍ୟାଳୟରେ ପୂର୍ବରୁ ୨ଜଣ ଶିକ୍ଷକ ନିଯୁକ୍ତି ପାଇଥିଲେ। ତେବେ ଜଣେ ଶିକ୍ଷକ ଚାକିରିରୁ ଅବସର ନେଇଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ଅନ୍ୟତ୍ର ବଦଳି ହୋଇ ଚାଲିଯାଇଥିଲେ। ଫଳରେ ଗତ ୨୦୨୧ ମସିହା ଅପ୍ରେଲ ୩୦ ତାରିଖଠାରୁ ଉକ୍ତ ବିଦ୍ୟାଳୟରେ ସମସ୍ତ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନେ ଶିକ୍ଷାଦାନରୁ ସଂପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ପ୍ରତିଦିନ ବିଦ୍ୟାଳୟକୁ ଯାଇ ଶ୍ରେଣୀଗୃହରେ ବସି ବସି ଘରକୁ ଫେରୁଛନ୍ତି। ଏ ସଂପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସମେତ ଗ୍ରାମବାସୀ ଓ ଅଭିଭାବକମାନେ ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ସହ ତୁରନ୍ତ ଉକ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଥିଲେ। ଜିଲା ଶିକ୍ଷାଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳ ଓ ଡିପିସିଠାରେ ମଧ୍ୟ ଏ ସଂପର୍କରେ ଅଭିଯୋଗ କରାଯାଇଥିଲା। ନିକଟବର୍ତ୍ତୀ ଏକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟ କରିବା ପାଇଁ ପିପିଲି ବିଇଓ ଗତ ଜୁଲାଇ ୧୯ ତାରିଖରେ ପତ୍ର ସଂଖ୍ୟା-୧୪୧୭ରେ ନିର୍ଦ୍ଦେଶ ଦେଇଥିଲେ। ତେବେ ଶିକ୍ଷୟିତ୍ରୀ ଜଣକ ଉକ୍ତ ବିଦ୍ୟାଳୟରେ ଯୋଗ ଦେଇନଥିବା ବେଳେ ଉପରୋକ୍ତ ବଦଳୀ ନିର୍ଦ୍ଦେଶାନାମାକୁ ପରବର୍ତ୍ତି ସମୟରେ ବାତିଲ କରାଯାଇଥିଲା। ଏହାକୁ ନେଇ ଗ୍ରାମବାସୀ ଓ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତୁରନ୍ତ ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରିବା ଦାବିରେ ବୁଧବାର ପୂର୍ବାହ୍ନ ୧୦ଟା ଠାରୁ ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ସମାଜସେବୀ ଅନୁପ ପରିଡ଼ା, ଗ୍ରାମ ମୁରବୀ ମିହିର ରଞ୍ଜନ ମୁଦୁଲି, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ମହାନ୍ତି, ସଦସ୍ୟ ଦେବରାଜ ମୁଦୁଲି, ଆଲୁମିନି କମିଟି ସଦସ୍ୟ ଶାନ୍ତନୁ କୁମାର ବିଶ୍ୱାଳ, ଅଭିଭାବକ ନିରୁପମା ସାହୁ, ପଦ୍ମିନୀ ପ୍ରଧାନ, ମିନାରାଣୀ ମଲ୍ଲିକ, ପ୍ରଭାତୀ ମଲ୍ଲିକ ପ୍ରମୁଖଙ୍କ ନେତୃତ୍ୱରେ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସଦସ୍ୟା, ଗ୍ରାମବାସୀ ଓ ଅଭିଭାବକମାନେ ଗଣଧାରଣା ଦେଇଛନ୍ତି। ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, କଂଗ୍ରେସ ଦଳର ନାରୀନେତ୍ରୀ ନିରୁପମା ପାତ୍ର ପ୍ରମୁଖ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ସମର୍ଥନ କରି ତୁରନ୍ତ ଉକ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବା ପାଇଁ ଦାବି କରିଥିଲେ। ପିପିଲି ବ୍ଲକ ଶିକ୍ଷାଧିକାରୀ ରବୀନ୍ଦ୍ରନାଥ ନନ୍ଦ ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରାନଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେମାନେ କହିଥିଲେ।

kalyan agarbati

Comments are closed.