ଧାମନଗରରେ ୬୬.୬୩% ମତଦାନ

ପୂର୍ବାପେକ୍ଷା ୬% କମ୍‌, ୬ରେ ଗଣତି

ଭଦ୍ରକ/ତିହିଡ଼ି : ଧାମନଗର ଉପନିର୍ବାଚନ ଲାଗି ଗୁରୁବାର ଭୋଟ ସରିଛି । ଇଭିଏମରେ ବନ୍ଦ ହୋଇଛି ୫ ପ୍ରାର୍ଥୀଙ୍କ ଭାଗ୍ୟ । କାଁଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ପୂରା ମତଦାନ ଶାନ୍ତିପୂର୍ଣ୍ଣ ରହିଥିଲା। ସକାଳ ୭ଟାରେ ୨୫୨ଟି ବୁଥ୍‌ରେ ମତଦାନ ଆରମ୍ଭ ହୋଇଥିଲା। ସକାଳୁ ବୁଥ୍‌ ଆଗରେ ଭିଡ଼ ଲାଗିଥିଲା। ମହିଳାମାନେ ଉତ୍ସାହର ସହ ମତଦାନ କେନ୍ଦ୍ରରେ ପହଞ୍ଚୁଥିବା ଲକ୍ଷ୍ୟ କରାଯାଇଥିଲା। ବରିଷ୍ଠ ନାଗରିକଙ୍କ ମଧ୍ୟରେ ବି ଉତ୍ସାହ ପରିଲକ୍ଷିତ ହୋଇଥିଲା। ଦିନ ଗୋଟାଏ ସୁଦ୍ଧା ୩୯ ପ୍ରତିଶତ ମତଦାନ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ମତଦାନ ହାର ଆଶାନୁରୂପକ ହୋଇ ନ ଥିଲା। ସାମଗ୍ରିକ ଭାବେ ମତଦାନ ହାର ୬୬.୬୩ ପ୍ରତିଶତରେ ସୀମିତ ରହିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ୨୦୧୯ ସାଧାରଣ ନିର୍ବାଚନରେ ୭୨ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ବେଳେ ଏଥରକ ୬ ପ୍ରତିଶତ କମ ମତଦାନ ହୋଇଛି। ମତଦାନ ହାର ବଢ଼ାଇବା ଲାଗି ନିର୍ବାଚନ କମିସନଙ୍କ ନିର୍ଦେଶ ମତେ ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିଲା। ପ୍ରଶାସନ ପକ୍ଷରୁ ନିର୍ବାଚନମଣ୍ଡଳୀରେ ୫ଟି ଗୋଲାପି ଓ ୧୫ଟି ଆଦର୍ଶ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା। ଏହିସବୁ ମତଦାନ କେନ୍ଦ୍ରକୁ ସୁସଜ୍ଜିତ କରାଯାଇଥିଲା। ତେବେ ଏସବୁୁରୁ ପ୍ରଶାସନକୁ କିଛି ସୁଫଳ ମିଳି ନ ଥିବା ସ୍ପଷ୍ଟ ହୋଇଛି। ତେବେ ମତଦାନ ହାର ୬୮.୮୭ ପ୍ରତିଶତ ହୋଇଥିବା ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ତିହିଡ଼ି ବ୍ଲକ ଅଧୀନ ନିଜ ପଞ୍ଚାୟତ କାଁପଡ଼ାରେ ଭୋଟ ଦାନ କରିଛନ୍ତି। କାଁପଡ଼ାରେ ଏକ ବୁଥ୍‌କୁ ପ୍ରାର୍ଥୀ ଅବନ୍ତୀ ଦାସ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ଷ୍ଟିକର ଲାଗିଥିବା ଏକ ଗାଡ଼ିରେ ଭୋଟଦେବାକୁ ଯାଇଥିବା ବେଳେ ସେଠାରେ ଲୋକେ ଏହାକୁ ବିରୋଧ କରିଥିଲେ। ଫଳରେ ଗାଡ଼ିଟି ତୁରନ୍ତ ସେଠାରୁ ଚାଲିଯାଇଥିଲା। ଅପରପକ୍ଷରେ ତିହିଡ଼ି ବ୍ଲକ ବିଲଣା ପଞ୍ଚାୟତରେ ଗଳଗଣ୍ଡପୁର ପ୍ରକଳ୍ପ ବିଦ୍ୟାଳୟରେ ଭୋଟ ଗ୍ରହଣ ସମୟରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ଏକ ନିର୍ଦ୍ଦିଷ୍ଟ ଦଳର ସମର୍ଥକ କିଛି ଲୋକଙ୍କୁ ସେମାନଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ବୁଝାଉଥିବା ବେଳେ ଏହାକୁ ବିରୋଧ କରାଯାଇଥିଲା। ଇଭିଏମ ମେସିନ ଖରାପ ହେବାରୁ ବାରୋ ପଞ୍ଚାୟତର ୭୪ ନମ୍ବର ବୁଥ୍‌ରେ ୧ ଘଣ୍ଟା ବିଳମ୍ବରେ ଭୋଟ ଗ୍ରହଣ କରାଯାଇଥିଲା। ସେହିପରି ୬୯ ନମ୍ବର ବୁଥ୍‌ରେ ଇଭିଏମ ଖରାପ ହେବା କାରଣରୁ ମଝିରେ ଭୋଟଗ୍ରହଣ ଏକ ଘଣ୍ଟା ବନ୍ଦ ରହିଥିଲା। କାଁପଡ଼ାର ୭୫ ନମ୍ବର ବୁଥ୍‌ରେ ଅଢ଼େଇ ଘଣ୍ଟା ଧରି ମେସିନ ଖରାପ ରହିବାରୁ ଭୋଟ ଗ୍ରହଣ ପ୍ରକ୍ରିୟା ବନ୍ଦ ରହିଥିଲା। ଫଳରେ ସନ୍ଧ୍ୟା ସୁଦ୍ଧା ଆହୁରି ୪ ଶହ ଭୋଟର ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ଅପେକ୍ଷା କରିଥିବା ଜଣାପଡ଼ିଛି। ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତର ୭ଟି ବୁଥ୍‌ରେ ମତଦାନକୁ କେନ୍ଦ୍ରକରି ଦୁଇ ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ବାଡ଼ିଆପିଟା ହୋଇ କେତେକ ଆହତ ହୋଇଛନ୍ତି। ଏନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି। ସେହିପରି ବୟାଙ୍ଗଡିହ ପଞ୍ଚାୟତର ଗୋଟିଏ ବୁଥ୍‌ରେ ଗଣ୍ଡଗୋଳ ହୋଇ କେତେକ ଆହତ ହୋଇଥିବା ସୂଚନା ମିଳିଛି। ଅପରପକ୍ଷେ ପ୍ରଶାସନ ପକ୍ଷରୁ ମତଦାନକୁ ଶୃଙ୍ଖଳିତ କରିବା ଲାଗି ସମସ୍ତ ବ୍ୟବସ୍ଥା ପ୍ରାୟତଃ ସଫଳ ହୋଇଛି। ଆଇନଶୃଙ୍ଖଳା ରକ୍ଷା ଲାଗି ପୁଲିସ ମୁତୟନ ବି ବେଶ୍‌ ବ୍ୟବସ୍ଥିତ ଥିଲା। ୨୫୨ଟି ବୁଥ୍‌ ପାଇଁ ୩୦ଜଣ ସେକ୍ଟର ଅଫିସର ଓ ୧୧ଜଣ ଜୋନାଲ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଥିଲା। ସମୁଦାୟ ନିର୍ବାଚନ ମଣ୍ଡଳୀକୁ ୭ଟି ପୁଲିସ ସେକ୍ଟର ଓ ୩ଟି ଜୋନ୍‍ରେ ବିଭକ୍ତ କରାଯାଇଥିଲା। ଅହରହ ୨୪ଟି ପୁଲିସ ଭ୍ରାମ୍ୟମାଣ ଗାଡ଼ି ପଇଁତରା ମାରୁଥିଲା। ୫୦ଟି ଉତ୍ତେଜନା ପ୍ରବଣ ଓ ୬୦ଟି ଅତି ଉତ୍ତେଜନା ପ୍ରବଣ ବୁଥ୍‍ ଲାଗି ସ୍ୱତନ୍ତ୍ର ପୁଲିସ ବ୍ୟବସ୍ଥା କରାଯାଇଥିଲା। ୩ ଜଣ ଅତିରିକ୍ତ ଏସ୍‍ପି, ୧୦ଜଣ ଡିଏସ୍‍ପି, ୧୮ ଜଣ ଇନ୍ସପେକ୍ଟର, ୧୩୦ ଏସ୍‌ଆଇ ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ତେବେ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟାରେ ଭୋଟ ସରିବା ପରେ ପୁଲିଂ ଦଳଗୁଡ଼ିକ ପର୍ଯ୍ୟାୟକ୍ରମେ ବୁଥ୍‌ରୁ ଇଭିଏମ ଗ୍ରହଣ କେନ୍ଦ୍ରରେ ପହଞ୍ଚଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସଶସ୍ତ୍ର ପୁଲିସ ପ୍ରହରା ମଧ୍ୟରେ ଇଭିଏମକୁ ଷ୍ଟ୍ରଙ୍ଗରୁମରେ ସାଇତା ଯାଉଛି।
ପ୍ରଥମ ପୋଲିଂ ଅଧିକାରୀଙ୍କ ମୃତ୍ୟୁ
ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତ ମାନଲାପୁର ପ୍ରାଥମିକ ବିଦ୍ୟାଳୟର ୧୩୯ ନମ୍ବର ବୁଥ୍‌ର ପ୍ରଥମ ପୋଲିଂ ଅଧିକାରୀ ନଟବର ମୁଣ୍ଡାଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି। ଭଦ୍ରକ ଜିଲା ବାଘୁରାଇ ଓଲଙ୍ଗର ସରକାରୀ ୟୁପି ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ମୁଣ୍ଡା ଏଠାରେ ଉପନିର୍ବାଚନ ପାଇଁ ପ୍ରଥମ ପୋଲିଂ ଅଧିକାରୀ ଭାବେ ଯୋଗଦେଇଥିଲେ। ବୁଧବାର ରାତିରେ ହଠାତ୍‌ ତାଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ସ୍ଥାନରେ ଜିଲା ନିର୍ବାଚନ ଅଧିକାରୀ ଅନ୍ୟ ଜଣେ କର୍ମଚାରୀଙ୍କୁ ନିୟୋଜିତ କରିଥିଲେ। ତେବେ ନଟବରଙ୍କ ମୃତ୍ୟୁରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଗଭୀର ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ନିର୍ବାଚନ ପରିଚାଳନା ନିୟମ ଅନୁଯାୟୀ, ଦିବଂଗତ ପରିବାରକୁ ୧୫ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।

Comments are closed.