କାମରେ ଲାଗୁନି ବାଂଶଡା ସେତୁ, ଲୋକାର୍ପଣକୁ ନେଇ ପ୍ରଶ୍ନବାଚୀ
୧୧ଥର ଟେଣ୍ଡର, ୧୯କୋଟିରୁ ଆରମ୍ଭ ୨୯କୋଟିରେ ଶେଷ
ଧାମରା: ଦୀର୍ଘ ୧୦ବର୍ଷ ମଧ୍ୟରେ ବାଂଶଡା ସେତୁ ସଂପୂର୍ଣ ହୋଇଥିବା ବେଳେ ଏହି ସେତୁର ଲୋକାର୍ପଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଯାଇଛି। ଧାମରା ୮ପଞ୍ଚାୟତକୁ ଚାନ୍ଦବାଲି ସଦର ମହକୁମା ତଥା ଭଦ୍ରକ ଜିଲାକୁ ସଂଯୋଗୀ କରଣ କରିବା ପାଇଁ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟଙ୍କ ଉଦ୍ୟମରେ ବାଂଶଡା ଠାରେ ମନ୍ତେଇ ସେତୁ ପ୍ରକଳ୍ପକୁ ଶେଷ ହୋଇଛି।ବିଗତ ୩୫ବର୍ଷ ମଧ୍ୟରେ ଏହି ସେତୁ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ୧୧ଥର ଟେଣ୍ଡର କରିବା ପରେ ୨୦୧୪ ମସିହାରେ ଏହି ସେତୁ ନିର୍ମାଣ ଆରମ୍ଭ ହୋଇଥିଲା। ହରିୟାଣାର ଏସପି ସିଙ୍ଗଲା କନଷ୍ଟ୍ରକସନ କମ୍ପାନୀ ଟର୍ଣ୍ଣ କି ପ୍ରୋସେସରେ ୧୯କୋଟି ୯୭ଲକ୍ଷ ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ ଆରମ୍ଭ କରିଥିଲା।
ଏହି ପୋଲ ଆରମ୍ଭ ସମୟରେ ପ୍ରଥମ ଆକଳନ ଅନୁଯାୟୀ ଏହି ପୋଲର ଲମ୍ବ ୧୧୨ ମିଟର ଓସାର୫.୫ ମିଟର, ୪ଟି ଖମ୍ବ ଏବଂ ପାଣି ଭିତରେ ରହୁଥିବା ଖମ୍ବ ମଧ୍ୟରେ ଦୂରତା ୩୭ ମିଟର ରହିବ ବୋଲି ସ୍ତିରୀକୃତ ହୋଇଥିଲା ଏଥିସହ ଜୁଆର ସମୟରେ ଜଳପତନ ଠାରୁ ସେତୁର ଉଚ୍ଚତା ୪ମିଟର ରହିଥିଲା। ଏହାପରେ କେନ୍ଦ୍ର ସରକାରଙ୍କ ଜଳପଥରେ ମାଲ ପରିବହନ କରିବା ପାଇଁ ଆଣିଥିବା ନିୟମରେ ପରିବରର୍ତ୍ତନ, ଧାମରା ବନ୍ଦରକୁ ଜାତୀୟ ଜଳପଥରେ ସଂଯୋଗୀ କରଣ ପ୍ରସ୍ଥାବ ନୂତନ ଭାବେ ଆସିବାରୁ ପୁନଶ୍ଚ ପ୍ରଥମ ଆକଳନକୁ ବଦଳାଯାଇଥିଲା। ଦ୍ୱିତୀୟ ଆକଳନ ଅନୁଯାୟୀ ପୋଲର ଲମ୍ବ ୧୫୦ମିଟରକୁ ବୃଦ୍ଧି କରାଯିବା ସହ ଓସାର୫.୫ମିଟର, ମୋଟ ୪ଟି ଖମ୍ବ ଉପରେ ଏହି ପୋଲ ନିର୍ମାଣ କରାଯାଇଛି।
ଏହାସହ ପୋଲର ଉଭୟ ପାଖରେ ୭୩୦ମିଟର ସଂଯୋଗୀ କରଣ ରାସ୍ତା , ୨ଟି ଗଳାପୋଲକୁ ମିଶାଇ ଏହି ସେତୁର ବ୍ୟୟ ଅଟକଳ ୨୯କୋଟି ଟଙ୍କାରେ ପହଞ୍ଚିଛି। ୨୦୧୪ ମସିହାରେ ଆରମ୍ଭ ହୋଇଥିବା ଏହି ବାଂଶଡା ସେତୁ ୨୦୧୬ରେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ଥିଲା ମାତ୍ର କେନ୍ଦ୍ର ସରକରାଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟର ନୀତି ବଦଳ ଏବଂ ଠିକା ସଂସ୍ଥା ତଥା ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ତ୍ରୁଟିପୂର୍ଣ ଡିଜାଇନ ଏବଂ ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ପୋଲ ନିର୍ମାଣର ଅବଧି ବଢି ଦୀର୍ଘ ୧୦ବର୍ଷ ପରେ ଏହି ସେତୁ ସଂପୂର୍ଣ ହୋଇ ସାରିଛି।
ଏଠାରେ ଉଲ୍ଲେଖଯୋଗ୍ୟ ୨୦୧୪ ମସିହାରେ ଏହି ସେତୁ ଆରମ୍ଭ ହେବା ପରେ ଜାହାଜ ଚଳାଚଳ ମନ୍ତ୍ରଣାଳୟର ନିର୍ଦେଶରେ ନକ୍ସା ବଦଳିବା ଏବଂ ତ୍ରୁଟିପୂର୍ଣ କାର୍ଯ୍ୟ ପାଇଁ ୨୦୧୫ ମସିହାରେ ଏହି ସେତୁର କାର୍ଯ୍ୟ ସଂପୂର୍ଣ ବନ୍ଦ ହୋଇଯାଇଥିଲା। ୨୦୧୫ ସେପ୍ଟମ୍ବର ୨୨ତାରିଖରେ ଏହି ସେତୁ ପାଇଁ ନିର୍ମାଣଧୀନ ଏକ ଖମ୍ବ ନଦୀ ମଧ୍ୟକୁ ଢଳି ପଡିଥିଲା ଏବଂ ପୁନଶ୍ଚ ଡିଜାଇନର ପରିବର୍ତନ ପରେ ପ୍ରଥମ ଆକଳନ ଅନୁଯାୟୀ ନଦୀ ମଧ୍ୟରେ ଥିବା ୨ଟି ଖମ୍ବ ମଧ୍ୟରେ ଦୂରତା ୩୭ ମିଟର ଥିବା ବେଳେ ନୂତନ ଡିଜାଇନରେ ଏହି ଦୂରତା ୫୦ମିଟରକୁ ବୃଦ୍ଧି ପାଇଥିଲା। ବହୁ ଘାତ ପ୍ରତିଘାତ ମଧ୍ୟରେ ଏହି ସେତୁ କାର୍ଯ୍ୟ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ୨୦୨୩ ମାର୍ଚ ଶେଷ ସୁଦ୍ଧା ସରିବ ବୋଲି ଆକଳନ କରାଯାଇଥିଲା।
ମାତ୍ର ପାଣି ପାଗରେ ଅନିଶ୍ଚିତତା ପାଇଁ ଏହାର କାର୍ଯ୍ୟ ପୁଣି ୨ମାସ ବୃଦ୍ଧି ପାଇଥିଲା। ବର୍ତମାନ ସୁଦ୍ଧା ଏହି ସେତୁ ସଂପୂର୍ଣ ଶେଷ ହୋଇଥିବା ବେଳେ କେବେ ଏହା ଅଂଚଳବାସୀଙ୍କ ଉଦ୍ୱେଶରେ ଲୋକାର୍ପଣ ହେବ, ବହୁ ଦିନର ଆଶା ଆକାଂକ୍ଷା ପୂରଣ ହେବ ତାହା ଅନିଶ୍ଚିତତା ମଧ୍ୟରେ। ଏହି ସେତୁ ଲୋକାର୍ପଣ ଚଳିତ ମାସ ଶେଷ ସୁଦ୍ଧା ହେବ ବୋଲି ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଉପଖଣ୍ଡ ଅଧିକାରୀ ଡମ୍ବରୁଧର ମଣ୍ଡଳ କହୁଥିବା ବେଳେ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ ଖୁବ ଶୀଘ୍ର ଏହା ଲୋକାର୍ପିତ ହେବ ବୋଲି କହିଛନ୍ତି।ଅନ୍ୟ ପକ୍ଷରେ ଚାନ୍ଦବାଲି ସଦର ମହକୁମାକୁ ସଂଯୋଗୀ କରଣ କରୁଥିବା ବାଂଶଡା ଦିଗଛିଆ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅଂଚଳବାସୀ ଦାବୀ ରଖିଥିବା ବେଳେ ବାଂଶଡା ମନ୍ତେଇ ସେତୁ କୁ ମଧ୍ୟ ଯଥାଶୀଘ୍ର ଲୋକାର୍ପଣ କରାଗଲେ ଭଦ୍ରକ, କଟକଏବଂ ଭୁବନେଶ୍ୱରକୁ ଯାତାୟତ ସମୟ ମଧ୍ୟ କମ ହୋଇ ପାରିବ ।
Comments are closed.